ଭକ୍ତି ପୁଷ୍ପ
ଭକ୍ତି ପୁଷ୍ପ
ଅମାନିଆଁ ମନ ମୋର
ଖୋଜୁଛି କାହ୍ନୁ ପୟର
ପୟର ପଖାଳି ଦେବି
ନୟନରୁ ଢାଳି ନୀର ।
ପଣତରେ ପୋଛି ଦେବି
ପାଦକୁ କମଳ ଭାବି
ସରାଗେ ସରାଗ ଦେଇ
ସଧୀରେ ଆଉଁଷି ଦେବି ।
ହୃଦ-ରକ୍ତ-ଜବା ଦେଇ
ସେ ପାଦ ପୂଜିବି ମୁହିଁ
ନଲାଗୁ ପରାସ ବୋଲି
ଚନ୍ଦନ ଦେବି ଲଗେଇ ।
ପାଦ ଧୁଆ ପାଣି ନେଇ
ପଡ଼ିବି ନିଜେ ଗାଧୋଇ
ଜନ୍ମ ଜନ୍ମ ପାପ ମୋର
ନିମିଷକେ ଯିବ ଧୋଇ ।
ବାକି ଯାହା ବଳି ଥିବ
ଚଳୁରୁ କଣ୍ଠକୁ ଯିବ
କଣ୍ଠରୁ ଉଦର ଗଲେ
କାୟା ମନ ଶୁଦ୍ଧି ହେବ ।
ଶୁଣେଇବି ଗାଇ ଗାଇ
ହୃଦୟ ବୀଣା ବଜାଇ
ବିରହ ସଂଗୀତ ଯେତେ
ଗୁମୁରେ ମୋ ମନେ ରହି ।
ଯାଇନି ଯମୁନା କୂଳ
ଯାଇନି କଦମ୍ବ ମୂଳ
ତଥାପି ଗୋପରେ ବାଜେ
ମୋ ନାମେ ନିନ୍ଦାର ଖୋଳ ।
ଚନ୍ଦ୍ରସେଣା ହାତ ଧରି
ଖୋଜୁଛି ମୂରଲୀଧାରି
ବିତି ଯାଉ ଦିନ ମୋର
ତା ଛନ୍ଦା ଚରଣ ଝୁରି ।
