ଭକ୍ତି ପୁଷ୍ପ-୪
ଭକ୍ତି ପୁଷ୍ପ-୪
ଈର୍ଷା କରେ ରାଈ
ରାତି ଗଲା ପାହି
ସପନ ତ ବାକି ରହିଗଲା
ଆସି ଥିଲେ କାହ୍ନୁ
ଯାଉ ନାହିଁ ମନୁ
ପରମ ଆନନ୍ଦ ମିଳୁ ଥିଲା ।
ପାଶେ ବସି ଥିଲେ
ମୃଦୁ ହସୁ ଥିଲେ
ମୁଁ ଶୋଇ ଥିଲି କୋଳରେ
କରି ଆଲିଙ୍ଗନ
ଦେଲେ ଗୋ ଚୁମ୍ବନ
ଲାଜେ ବୁଡ଼ି ଗଲି ଝାଳରେ ।
ଛାତି ତଳେ ମୋର
ଢିଙ୍କିର ପ୍ରହାର
ନିଃଶ୍ୱାସ ବି ଥିଲା ପ୍ରଖର
ଚନ୍ଦ୍ରସେଣା କେବେ
ଉଠି ଯିବେ ଭାବେ
ଭୟରେ ମୋ ମନ ଅସ୍ଥିର ।
ଏଡ଼େ ରସିକିଆ
ରସରେ ମହୁଅଠା
ହାତ ମାରି ଦେଲେ ଅଣ୍ଟାରେ
ଚମକି ପଡ଼ିଲି
ଭାବରୁ ଫେରିଲି
ଭାବ ବିନୋଦିଆ ଥଟ୍ଟାରେ ।
ସରମେ ସରମି
ଶିରକୁ ନରମି
ଆଉଜି ପଡ଼ିଲି ଛାତିରେ
ପ୍ରଥମେ ଜାଣିଲି
ଏତେ ମିଠା ବୋଲି
ଚୋରା ଚୋରା ଏଇ ପ୍ରୀତିରେ ।
ସହି ପାରିଲୁନି
ଆଲୋ ଉଷା ରାଣୀ
କାହ୍ନୁ ଥିଲେ ବୋଲି ପାଖରେ
ସପନ ଅଧାରୁ
ଆସି ଉଭା ହେଲୁ
କଳସୀଟେ ଧରି କାଖରେ ।
ଉଷା ବୋଲେ ରାଈ
ଦୁଃଖ କର ନାହିଁ
ମୁଁ ଆସେ ନାହିଁ ମୋ ଇଚ୍ଛାରେ
ସବୁ କାମେ ପରା
ତାଙ୍କରି ଇସାରା
ରାଗୁଛ ମୋ ପରେ ତୁଚ୍ଛାରେ ।
ପିତା ଘରେ ପ୍ରୀତି
ଭଲ ଲାଗେ ଅତି
ଶାଶୁ ଘରେ ଶୋଭା ପାଏନା
ମନେ ଥିଲେ ଭକ୍ତି
ମିଳେ ସିନା ମୁକ୍ତି
ତା'ଠାରେ ବାସନା ରଖନା ।
