ଭାରି ଅବୁଝା ତା ମନ
ଭାରି ଅବୁଝା ତା ମନ
ମୋ ନାତୁଣୀ ଗେହ୍ଲେଇ ରାଣୀ
ଭାରି ଅବୁଝା ତା ମନ
ତାକୁ ଥରୁଟେ ଦେଖିବା ପାଇଁ
ହୁଏ ମୁଁ ଛନ ଛନ ।
କୁନି ପିଲା ସେ କଅଁଳ ମନେ
ଭାବଇ କଥା କେତେ
ଛୋଟ ବୁଦ୍ଧି ରେ ଅନେକ କାମ
କେତେ କରଇ ସତେ !
ସବୁ ଖେଳନା କୁଢ଼ାଇ ଦେଇ
ଆଗରେ ଯାଏ ବସି
ଦୃଷ୍ଟାମୀ ପଣେ ମା କୁ ମାରେ
ସହେ ସେ ହସି ହସି ।
ବାଘ ବାଘୁଣୀ ଗପ ଶୁଣେ ସେ
ଆଖି କୁ ମେଲା କରି
ମନେ ରଖି କହେ ଅଗରୁ ମୂଳ
ବିଜୁଳି ବାଣ ପରି ।
ଫୁଲଠାରୁ ଅତି କଅଁଳ ସିଏ
କଥା ତା ବନ୍ଧୁକ ଗୁଳି
ସବୁବେଳେ ତାର ଗୋଟିଏ ନିଶା
ଚାରି ଆଡ଼େ ଯିବ ବୁଲି ।
ସତେ କି ରାଣୀ କିମିଆ କରିଛି
ରାଇଜ ସାରା ଲୋକ
ମାଇଁ ର ପରା ସେ ଜୀବନଧନ
ଗାଲରେ ବୋଳେ ବୋକ ।
ଫୁଲରାଣୀ ପରି ତା ଖିଲି ହସ
ଝୁମ ଝୁମ ପାଉଁଜି
ଘରଟା ସାରା ଡେଇଁ ଡ଼େଇଁକା
ଗୀତ ଗାଏ ସେ ନାଚି ।
ଟିକିପିଲା ତାର ଚେହେରା ସିନା
କାମରେ ନୁହେଁ ସାନ
କୁହୁକ ପରି କରାମତିତାର
କରିବ କିଏ ଆନ ।
ଅରେଞ୍ଚ ପାଇଁ ଅଝଟ କରିକି
ବସଇ ଯେବେ ରାଣୀ
ମାମୁଁ ତାହାର ମନ କୁ ବୁଝିକି
ଅରେଞ୍ଚ ଆଣେ କିଣି ।
ଗୋଟିଏ ତାକୁ ଧରେଇ ଦେଇ
କରିଲେ ଟିକେ ସ୍ନେହ
ଅଟକି ଯାଏ, ମୁହଁ ରେ ତାର
ଛୁଟଇ ହସ ସୁଅ ।
ରାଣୀ ର ସେଇ କଅଁଳ କଣ୍ଠେ
ଡାକିଲେ ଆଈ ବୋଲି
ମୋ ମନେ ଖାଲି ଚେନାକୁଚେନା
ପଡଇ ହସ ଝରି ।
ଟିକିଏ ଡାକି ମାଉସୀ ବୋଲିସେ
କରଇ ଯେବେ ଅଳି
ମାଉସୀ କହେ ମୋକୋଟିନିଧିକୁ
ଆଜି ମୁଁ ପାଇଗଲି ।
ବିଦେଶେ ଥାଇ ବାବା ତାହାର
ଡାକିଲେ ଟୁକ ଟୁକ
ମୋବାଇଲଧରି ବାବା କୁ ଦେଖି
କାନ୍ଦଇ ସୁକ ସୁକ ।
ବାବା କୁ ପୁଣି ବରାଦ କରେ ସେ
କେତେ ଖେଳନା ପାଇଁ
ସାଇକେଲ ଆଉ ଜାମାଓଜୋତା
ଆଣିବେ ତା ପାଇଁ ।
ମାମାକୁ ତାର ହଇରାଣ କରି
ହସଇ କିରିକିରି
ତା ହସ ଦେଖି ମାମା ବି ହସଇ
କୋଳରେ ଜାକି ଧରି।
ତାପାଇଁ ସେ କରେ ଦ୍ଵିତୀୟାଓଷା
ତାର ମଙ୍ଗଳ ଚିନ୍ତି
ଜଗତ ସାଇଁ କଳା ଗୋସାଇଁ
ପାଦରେ ମୁଣ୍ଡ ରଖି ।
