ବାର୍ଷିକୋତ୍ସବ
ବାର୍ଷିକୋତ୍ସବ
ମୁଁ ଦିନେ ତୁମ ପରି ଛୋଟ ଥିଲି
ଏଇ ସ୍କୁଲରେ ପାଠ ପଢୁଥିଲି
ଆଜି ଅତିଥି ଆସନରେ ବସିଛି
ତୁମକୁ ବା ଦୁଇ ପଦ କହୁଛି ।
କେତେ ଅତୀତ ସ୍ମୃତି ଯୋଡ଼ି ବସେ
ପିଛିଲା କଥାଗୁଡ଼ା ମାଡ଼ି ଆସେ
ଶ୍ରେଣୀ ଶିକ୍ଷକ ଗାଆଁ ସାଙ୍ଗ ସାଥି
ସବୁ କିଛି କେମିତି ପ୍ରିୟ ଥିଲେ ।
ସେମାନଙ୍କ ମଧ୍ୟରୁ ଅନେକ ଆଜି
ସମୟର ଗର୍ଭେ ବିସ୍ମୃତ ପ୍ରାୟ
ପୁଣି ଆଉ କେତେକ ତ ଅଛନ୍ତି
ଏଇ ଯେମିତିକି ଶିଆଳ ସାର୍ ।
ନନ୍ଦ ସାର୍ ଓ ଆଉ ଅନ୍ୟମାନେ
ସେଇ ସ୍କୁଲ୍ ବି ଅଛି ଯେଉଁଠି ମୁଁ
ସେ ଦିନ ପରା ବାର୍ଷିକୋତ୍ସବରେ
ଏମିତି ଲଣ୍ଡଭଣ୍ଡ ହେଉଥିଲି ।
ହୋ-ହାହ୍ଲା କରି ସ୍ୱର ମଚାଉଥିଲି
କାହାରିକୁ କିଛି, ଶୁଣୁ ନଥିଲି
ମୋତେ ନଶୁଣ, ତାଙ୍କୁ ବି ନଶୁଣ
କାହାକୁ ନଶୁଣ, ଆପତ୍ତି ନାହିଁ ।
ଏଠି ପରମ୍ପରା କିନ୍ତୁ ସ୍ୱତନ୍ତ୍ର
ଏଭଳି ଅନେକ ଉତ୍ତମ ଛାତ୍ର
ସୃଷ୍ଟି କରିବାକୁ ଅତି ସକ୍ଷମ
ହେଇ ଯେମିତି ପର୍ଶୁ, କୂଳ, ଚିନ୍ତା ।
ଆଉ କେତେ କେ ଝାପ୍ସା ମନେପଡ଼େ
ତୁମେ ବି ତ ଉପରକୁ ଉଠିବ
ଏ ଦେଶର ସର୍ବୋଚ୍ଚ କର୍ତ୍ତା ହେବ
ଖାଲି ମନ ଦେଇ ପଢିଲେ ହେଲା ।
ତୁମେମାନେ ତ ଖୁବ୍ ଭଲ ପିଲା
ଆମଭଳି ଏତେ ଚଗଲା ନୁହେଁ
ଖାସ୍ କରି ମୋ ପରି ଆଦୌ ନୁହଁ
ମୁଁ ସିନା ଚଗଲାଟା ବାରବୁଲା ।
ତୁମେ କିନ୍ତୁ ମୋତେ ପାଠୁଆ ଲାଗ
ମୁଁ ତୁମ ପାଖେ କାହିଁକି କେଜାଣି
ଏମିତି ଆତ୍ମହରା ହୋଇଉଠେ
ଅତୀତ ରୋମନ୍ଥନ କରି ବସେ ।
ମଞ୍ଚ ଉପରେ ଛିଡ଼ା ହୁଏ ସତ
ହେଲେ ଇଛା ହେଉଛି କ’ଣ ଜାଣ ?
ତଳକୁ କୁଦ ମାରି ଦିଅନ୍ତି କି?
ତୁମ ମାନଙ୍କ ସହ ଦମେ ନାଚନ୍ତି ।
ଖୁସିରେ ଡିଅଁନ୍ତି,ସ୍କୁଲ ଘରେ ତ
କେତେ ପୁଡ଼ିଆ ସଜଡ଼ା ଗଲାଣି
ମିଠା ବରା ସିଙ୍ଗଡ଼ା ପେଟେ ଖାଇ
ଖୁସିରେ ଘରକୁ ଆସନ୍ତି ଫେରି ।
ନିଘୋଡ଼ ନିଦରେ ଯାଆନ୍ତି ଶୋଇ
ପିଛିଲା କଥା ଗୁଡ଼ାକ ସପନେ
ଦୋହରାଇ ମନେପଡ଼ନ୍ତା ଖାଲି
ଶୋଇ ଶୋଇ ସେ ନିଦ ଅନ୍ଧାରେ ।
ମୁରୁକି ମୁରୁକି ଯେ ହସୁଥାନ୍ତି
ଆଜି ପ୍ରଗଳଭ ହୋଇ ଉଠୁଛି
ତୁଚ୍ଛାଟାରେ ଏଣୁ ତେଣୁ ଗପୁଛି
ସତ କହୁଛି ଏଠି ଆସି ନାହିଁ ।
ନିଜର ନିଜେ ବଡ଼ିମା କରିବାକୁ
ମୁଁ ତ ଆସିଛି ତୁମ ଗହଣରେ
ଟିକିଏ ଆତ୍ମୀୟତା ବାଣ୍ଟିବାକୁ
ତୁମଠୁଁ ତୁମର ହୋଇ ତୁମର ।
ସେଇ ଆପଣାର ପଣିଆଟାକୁ
ଖାଲି ଟିକେ ଆପଣେଇ ନେବାକୁ
ହେଲେ ତୁମଠୁଁ ତୁମର ସେଇ
ନିଆରା ଆପଣାର ପଣିଆଟା ।
ଖାଲି ଟିକେ ମୋତେ ମିଳିଲେ ହେଲା
ଖାଲି ଟିକେ ମୋତେ ମିଳିଲେ ହେଲା ।
