ଅମୃତ ପରଶ
ଅମୃତ ପରଶ
କିଏ ଫୁଲ ତୋଳୁ ତୋଳୁ
ଶରତ ସକାଳେ
ହସୁଥାଏ ମନେ ମନେ
ଗୁଣୁଗୁଣେଇ ପକାଏ ଆପେ ଆପେ
କିଏ ଦେଖି ମଧୁପ ଦଳ ଦଳ
ମଧୁ ଗୁଞ୍ଜରଣ ଆଳ
ଆକଣ୍ଠ ପାନ ଚୁମ୍ବନ
କେଳି କସରତ ଆସ୍ଵାଦନ
ଲାଜେଇ ଯାଏ ଅନୁତାପେ ।
କିଏ ଧୂପ ନୈବେଦ୍ୟ ବାଢୁ ବାଢୁ
ଠାକୁର ଘରେ
ମହକି ଯାଏ
ଚହଲି ଯାଏ
ଆପେ ଆପେ ଆମୋଦରେ
କିଏ ମୁଣ୍ଡିଆ ମାରୁ ମାରୁ
ଓଢଣା ଟାଣି ମଥା ଉପରକୁ
ଦେଖି ନିଏ କାଚକେନ୍ଦୁ ଚନ୍ଦ୍ରମୁଖ
ଫଟୋ- ଆଇନାରେ
ଅଳ୍ପ ଟିକେ ଟାଣି ପଣତ କାନି
ମୁରୁକି ଦିଏ ଆପେ ଆପେ ପ୍ରମୋଦରେ ।
କିଏ ଜଳଖିଆ ବାଢି ଦେଉ ଦେଉ
ପାଣି ଗ୍ଲାସରେ ଦେଖିନିଏ
ଛାୟା ସ୍ନିଗ୍ଧ କୁମୁଦ କାନ୍ତି ସୌରଭ,
କିଏ ଦଶ ଗୁଣା ଉତ୍ସାହରେ
ନୂଆ ରେସିପି ଚେଷ୍ଟା କରୁ କରୁ
ଖୁସୁଣି ଅଗରେ ଚାଖୁ ଚାଖୁ
ନିଜକୁ ଧନ୍ୟବାଦ ଦେଇଦିଏ
ଆପେ ଆପେ
ଖୋଜି ପାଇ ରାନ୍ଧଣାର କୌତୁହଳ କୌଶଳ ବିଭବ ।
କିଏ ଅବଗାହନ କରୁ କରୁ
ଅଙ୍ଗ ପ୍ରତ୍ୟଙ୍ଗ ଘଷି ମାଜୁ ମାଜୁ
ସାବୁନ ଫେଣରେ ଦେଖିନିଏ
ଅତୀତ ଓ ବର୍ତ୍ତମାନର ସ୍ମୃତି ପାରିଜାତ
କଳ୍ପନାରେ ପହଁରୁଥାଏ
ଯୌବନ ଯମୁନାରେ ଆତଯାତ
ଖୁସି ଖେଳିଯାଏ ସିରା ପ୍ରସିରାରେ
ଗାଇଯାଏ ଉଚ୍ଚସ୍ୱରେ ଆଇଟମ୍ ଗୀତ ।
କିଏ ଶାଢି ପିନ୍ଧୁ ପିନ୍ଧୁ
ପହଁଚିଯାଏ ଅର୍ଚ୍ଚିତା ସୁନ୍ଦରୀ
ଦୀକ୍ଷିତ ମାଧୁରୀ ନିକଟେ
ପାଉଡର ଟିପା ଦେଉ ଦେଉ
ଗଣ୍ଡ ବନେ ଉପବନେ
ଲମ୍ବା ଆଇନାରେ ଦିଶିଯାଏ
ଆପାଦ ମସ୍ତକ ଆଜାନୁ ଲମ୍ବିତ
ସୁନା ହରଣୀର ଛଇ
ମନତନ୍ତୀରେ କିଏ ବଜାଏ
ସ୍ଵର ଝଙ୍କାର
ମଦନ ବୀଣାର ତା ତା ଥେଇ ।
ଛୋଟ ଛୋଟ ଅଳି ଅର୍ଦ୍ଦଳୀରେ ଅଛି
ଅମୃତ ପରଶ
କ୍ଷଣ ଅନୁଷଣରେ ଖୋଜିଲେ ମିଳିବ
ଅକ୍ଷୟ ଅନୁପ୍ରାସ
କିଏ କଳ୍ପନାରେ ଭାବି ଚାଖି ନିଏ
ନୀରବେ ପୀୟୁଷ
କିଏ ଦୁଶ୍ଚିନ୍ତାରେ ପେଷି କ୍ଷେପି
ସାରିଦିଏ ଆୟୁଷ ।
