ଆତ୍ମ ନିବେଦନ
ଆତ୍ମ ନିବେଦନ
ଦେଖ ଗୋ ସଜନୀ,
ଆଡପବେଦୀରେ
ବିଜେ ପ୍ରଭୁ ଭାବଗ୍ରାହୀ
ଅଳପ ଅଳପ ନାଲି ଓଠେ ହସ
ମନକୁ ନେଉଛି ମୋହି ।
ମାଉସୀ ଘର ର କୁଣିଆ ସାଜି ଲୋ
ଆସିଛି ହୋଇ ହରଷ
ମାଉସୀ ହାତରୁ ପୋଡ଼ ପିଠା ଖାଇ
ଫେରିବ ନିଜ ଉଆସ ।
ପ୍ରଭୁଙ୍କ ସହିତ ଭଗିନୀ ସୁଭଦ୍ରା
ବଡ଼ଭାଇ ବଳଦେବ
ରତ୍ନବେଦୀ ପରେ ବିଜେ କରିଛନ୍ତି
ଆହାଃ କି ସୁନ୍ଦର ଭାବ ।
ଭକ୍ତ ର ଦୁର୍ଭାଗ୍ୟ ଅନୁମତି ନାହିଁ
ପ୍ରଭୁଙ୍କ ଦର୍ଶନ ପାଇଁ
ଅଥୟ ମନରେ ଡାକେ ଦୂରେ ଥାଇ
ଦେଖା ଦିଅ ହେ ଗୋସାଇଁ ।
ତୁମେ ପରା ପ୍ରଭୁ ଭାବ ର ଠାକୁର
ଭକତ ଜୀବନଧନ
ସବୁ ବାଧାବିଘ୍ନ କାଟିଦେଇ ଆସି
ଭକ୍ତ ଙ୍କୁ ଦିଅ ଦର୍ଶନ ।
ମନୋହର ତୁମ ସୁଠାମ ଠାଣି କୁ
ଦେଖିବା ସୌଭାଗ୍ୟ ନାହିଁ
ଭିନ୍ନ ଭିନ୍ନ ତୁମ ରୂପ କାନ୍ତି ବେଶ
ଆଉ ପ୍ରଭୁ କାହାପାଇଁ ।
ଅପଲକ ନେତ୍ରେ ଦେଖୁଛ ତ ପ୍ରଭୁ
ମହାମାରୀ ର ତାଣ୍ଡବ
ସବୁ ଦେଖି ଜାଣି ନୀରବ କାହିଁକି
ତୋ ମାୟା କିଏ ବୁଝିବ ।
ତୋ ରଥ ଦଉଡି ହାତେ ଧରିବାକୁ
ଦେଲୁନାହିଁ ଜାଣି ଜାଣି
ସବୁ ସୂତ୍ରଧର ତୁମେ ହେ ଠାକୁର
ଏକା ଦୋଷୀ ତୁମେ ପୁଣି ।
ତୁମେ ଚାହିଁଥିଲେ ଅନାୟାସେ ପ୍ରଭୁ
ଭାଙ୍ଗିଥା'ନ୍ତ କଟକଣା
ଭକତ ଆନନ୍ଦେ ହରିବୋଲ ଶବ୍ଦେ
କରିଥା'ନ୍ତେ ରଥଟଣା ।
ସାଇଁ ଗୁଣେ ବଡ଼ ଚତୁର ହଟିଆ
ନ କଲ ସେ କଥା ପରା
ପାଶେ ଦେଖି ବାକୁ ତୁମ ଅପରୂପ
ଦେଲ ନାହିଁ ତିଳେ ଧରା ।
ସବୁ ଆଶା ଯାକ ମଉଳି ଗଲା ହେ
କୋଟି ଜନ ଆଶା ଫୁଲ
ଫୁଲର ସନ୍ଧାନେ ହାତ ବଢ଼ାଇଲେ
ମାଗୁଛ କି ତା'ର ମୂଲ ।
ନିରାଶା ତରୀରେ ବସି ନୀରବ ରେ
କ୍ଷୀଣ ଆଶା ମନେ ନେଇ
ଆଉ ଭାବିବିନି ଆଉ ଚାହିଁବିନି
ଭେଟିବାକୁ ଦିବ୍ୟସାଇଁ ।
ସଂସାର ବୋଝକୁ ସମ୍ଭାଳୁ ସମ୍ଭାଳୁ
ପ୍ରାଣପକ୍ଷୀ ଯିବ ଉଡି
ଦୁଃଖ ଯାତନା ରେ ମରମ ଦହିଲେ
ତୁମ ନାମ ଥିବି ଧରି ।
ତୁମେ ପରା ପ୍ରଭୁ ଜୀବ ପରମାତ୍ମା
ଅଛ ଅନ୍ତେ ଲୁଚିରହି
ସବୁ ଶୁଣୁଅଛ ସବୁ ଜାଣୁଅଛ
ନିର୍ଲିପ୍ତତା ଭାବ ନେଇ ।
ହେ କୃପାବାରିଧି ଦୁଃଖୀ ହୃଦ ନିଧି
ଶୁଣ ବାରେ ମୋର ଡ଼ାକ
ସଦୟେ ଶୁଣ ମୋ ଆତ୍ମ ନିବେଦନ
ବେଳୁ ବେଳ ବଢ଼େ ଦୁଃଖ ।
ମାଗୁନାହିଁ ପ୍ରଭୁ ଧନ ଦଉଲତ
ଜୀବନେ ଯାହା ଅପ୍ରାପ୍ୟ
କର୍ମ ଗୁଣେ ମୋର ଦିଅ ଯାହା ଇଛା
ପାଇବି ଯାହା ସୁପ୍ରାପ୍ୟ ।
ଏହି ମାଗୁଣି ମୋ ପ୍ରଭୁ ଦୟାକର
କରୁଣା ଦିଅ ବରଷି
କରୋନା ରୋଗକୁ ପୃଥିବୀ ପୃଷ୍ଠରୁ
ସମୁଳେ ଦିଅ ହେ ନାଶି ।
