STORYMIRROR

Gyana Ranjan Kar

Others

3  

Gyana Ranjan Kar

Others

ଆଲିଙ୍ଗନ

ଆଲିଙ୍ଗନ

2 mins
27.8K


ଭୁଲ କରି ଯେବେ ତମ ମୁହଁକୁ ମୁଁ ଚାହେଁ,

ଆଲିଙ୍ଗନ କରି ବୁଝେଇ ଦିଅ ମୋତେ,

ରାଗ ନାହିଁ କେବେ ମନା କର ନାହିଁ,

ଭୁଲକୁ ଭୁଲେଇ ଭଲ ପାଇଯାଇ,

ଆଲିଙ୍ଗନ କର, ମିଶେ ହୃଦୟର ତାର,

ଶୋଇଥିବା ମନ କରି ଉଠେ ଚିତ୍କାର।

କହେ ଭଲପାଏ ତୁମକୁ ବହୁତ ଭଲପାଏ ।

ଆଉ ପୁଣି ମନେ ପଡେ ଆମ ପ୍ରଥମ ମିଳନ,

କେଇ ଥୋପା ଲୁହ ସହ ତୁମ ଆଲିଙ୍ଗନ।


ଖରା ଯେବେ ମଥା ଛୁଏଁ ,

ଶୋଷି ଶୋଷି ଜୀବନ ନିଏ,

ଆଇସ୍ କ୍ରିମ୍ କାଠି ଧରି ଦୌଡ଼ି ଆସ ମୋ ପାଖକୁ,

ଥଣ୍ଡା ଲାଗେ ଆଇସ୍ କ୍ରିମ୍ ମିଠା ଲାଗ ତମେ,

କାଠି ପରେ କାଠି ପଡେ ଆଉ ହସୁଥାଉ ଆମେ,

ମିଳିଯାଏ ଗ୍ରୀଷ୍ମରେ ନୀରର ସନ୍ଧାନ,

ଆଉ ମନେ ପଡେ ସନ୍ଧ୍ୟାରେ ତୁମ ଆଲିଙ୍ଗନ ।


ଟିପ ଟିପ ଶବ୍ଦ ମାଟିର ବାସନା,

କାଦୁଅ ଏଇ ଘର ଦାଣ୍ଡ କାଦୁଅ ଏଇ ଅଗଣା,

ତଥାପି ନାଚି ଉଠେ ଏଇ କାଦୁଅରେ,

ମାଟିର ମଣିଷ ଏଇ ମାଟିରେ ମିଶିବା ପରେ,

ତମ ସେ ଲାଲ ଧଡି ଧଳା ସାଢୀରେ କାଦୁଅର ଛିଟା,

ପାଣି ଛାଟି ମୋ ଉପରେ ତମ ହସ ମିଠା ମିଠା,

ମନେ ପଡ଼େ ବର୍ଷା ଭିଜା ଶ୍ରାବଣ ର ମନ,

ମନେ ପଡେ ତମ ସହ ଓଦା ଓଦା ଆଲିଙ୍ଗନ ।


କାଶ ତଣ୍ଡି ଫୁଲ ପରି ହସ ତମ ଜଳି ଉଠେ,

ସ୍ଵଚ୍ଛ ନିର୍ମଳ ପାଣିରେ ମୁହଁ ତମ ଝଲସି ଉଠେ,

ଦୂର ଚାନ୍ଦବି ଲାଗେ ହାତ ପାହାନ୍ତାରେ,

ତମେ ଯେବେ ପାଦ ଦିଅ ମୋ ମନ ସହରେ,

ଝରଣା ର ଝର ଝର ପାଣି ଆଜି ମିଠା ଲାଗେ ବହୁତ,

ପ୍ରେମରେ ମୁଁ ପାଗଳ ଆଜି ତମକୁ ମିଛ ମତେ ସତ,

ମନେ ପଡେ କଳ୍ପନାରେ ତମ ସହ ଜୀବନ,

ମନେ ପଡେ ଶରତରେ ତମ ସହ ଆଲିଙ୍ଗନ ।


ଆଉଁଷି ଦିଏ ମୁଣ୍ଡକୁ ମୋର ତମ କଥା ଭାବି କେବେ କେବେ,

ପ୍ରିୟା ମୋର ତମେ ପାଖେ ନଥାଅ ଯେବେ,

ମନେ ପଡେ ଲେଖି ଲେଖି ତମ ବିରହର ବେଦନା,

ଆଉ ହୁଏ ଜାତ ମନେ ତମ ଆଲିଙ୍ଗନ କାମନା ।

ମନେ ପଡେ ହେମନ୍ତର ମିଠା ଶିହରଣ,

ଆଉ ବାସ୍ନାରେ ମହକି ଯାଏ ତମ ଆଲିଙ୍ଗନ ।


ଥଣ୍ଡା ଥଣ୍ଡା ପବନ ଆଉ ଗରମ ରେଜେଇ,

ଲୁଚି ଯାଏ ତା ଭିତରେ,

ଲାଗେ ତମେ ମୋ ସାଥିରେ,

ମନେ ପଡେ ତମ ସେଇ ଲୁଚା ଛପା ଚୁମ୍ବନ,

ବାସ୍ନା ହୁଏ ଅଗାଧୁଆ ଶରୀରର ଅତର ଭିଜା ବସନ,

କାକରର ମିଠା ଅନୁଭୂତି ଆଉ ତମ ଆଲିଙ୍ଗନ ।


ବେସନର ରଙ୍ଗ ତମ, ଆମ୍ବର ବାସନା,

ମିଠା ନୁହେଁ, ରାଗ ଲଙ୍କା ଲୁଣ ସହ ଖଟ୍ଟା ଖଟ୍ଟା ବାସନା,

ଦାନ୍ତ ମୋର ବିନ୍ଧି ଯାଏ,କିନ୍ତୁ ଖାଇବା ଛାଡେନି ପାରି,

ଗଛ ଆଢୁଆଳରେ ଟେକା ମାରି ମାରି,

ମନେ ପଡେ ବସନ୍ତର ସେଇ ମନ୍ଦ ମନ୍ଦ ପବନ,

ଆଉ ସେଇ ଗଛ ତଳେ ତମ ଆଲିଙ୍ଗନ ।


ଋତୁ ଆସେ ଋତୁ ଯାଏ,

ନା ବଦଳ ତମେ ନା ବଦଳେ ଆମ ଭଲ ପାଇବା,

ସେଇ ଘଡ ଘଡ ଶବ୍ଦରେ ଆମ ଜୀବନର ଗାଡି ମାଡି ଚାଲେ ଆଗକୁ ଆଗକୁ,

ଅପେକ୍ଷା ନାହିଁ, ନା ନାହିଁ ଅପେକ୍ଷା,

ପ୍ରେମର ସେଇ ଅଛୁଆଁ ସ୍ପର୍ଶକୁ ନେଇ ପ୍ରେମ ହୁଏ ନିତି,

ଆଲିଙ୍ଗନ ନୀତି, ମିଠା ଲାଗେ ନିତି ଆଉ ଟିକେ ଖଟ୍ଟା ଲାଗେ ନୀତି।।

ବାସ୍ ମନେ ପଡେ ତମେ କହିଥିବା ସୂତ୍ର ଆଲିଙ୍ଗନର,

ଶରୀର ଛୁଏଁ ସିନା ଏଠି, କିନ୍ତୁ ମିଳନ ଇଏ ଆତ୍ମାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍