ଆଧୁନିକ କବିତା ଗୁଚ୍ଛ-୧
ଆଧୁନିକ କବିତା ଗୁଚ୍ଛ-୧
ଆଧୁନିକ କବିତା ଗୁଚ୍ଛ-୧
(ଚେନାଏ ହସ)
ପ୍ରକାଶ କାଳ-ଉତ୍କଳ ଦିବସ(ତା-୦୧-୦୪-୨୦୨୨)
ସ୍ଥାୟୀ ଠିକଣା-ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
ବର୍ତ୍ତମାନ ଠିକଣା-ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ କାଳିମାଟି ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର
ଶିକ୍ଷାଗତ ଯୋଗ୍ଯତା-ବି.ଏ.(ବିଇଡି଼)
ଜନ୍ମ ତାରିଖ-୨୨-୦୪-୧୯୭୨
ପ୍ରକାଶିତ ପୁସ୍ତକ-
୧)ସପନୀ ଆଈ (ଶିଶୁ ଗଳ୍ପ ସଙ୍କଳନ)
୨)ଗଙ୍ଗାରେ ବିଲେଇ ଗାଧୋଇଲା (ଶିଶୁ କବିତା ସଙ୍କଳନ)
୩)ପରୋପକାର (ଶିଶୁ ଗଳ୍ପ ସଙ୍କଳନ)
*** -------------------------------------------
ଜୀବନ
ସୁକାନ୍ତ ଖଣ୍ଡା
ନିତି ଅପକର୍ମ କରି
ପରକୁ କନ୍ଦାଇବା ଜୀବନ ନା
ସୁକର୍ମରେ ମାତି ନିତି ନିଜେ କାନ୍ଦିବା ଜୀବନ?
ଏହା ଦୁନିଆଁର ନିଚ୍ଛକ ସତ୍ଯତା।
ଆଜ୍ଞା !
କୁହନ୍ତୁ କାହାକୁ ଆପଣେଇବା
ଅପକର୍ମରେ ବଢି଼ଲେ ଉଚ୍ଚକୁ
ନା ପାପଭାର ବଢା଼ଇ ଖସିବା ନର୍କକୁ।
ଅବା ସୁକର୍ମ କରି ଛିଣ୍ଡିଲେ ତଳକୁ
ନା ପୂଣ୍ଣ୍ଯକାମ ବଢା଼ଇ ଚଢି଼ଲେ ସ୍ବର୍ଗକୁ।
ମହାଭାରତ ଦୃଷ୍ଟାନ୍ତ।
ସବୁ ତ !
ଈଶ୍ବର ନିର୍ଦ୍ଦେଶ
ପାପ ହେଉ କି ପୂଣ୍ଣ୍ଯ?
ସତ୍ଯ ହେଉ କି ମିଥ୍ଯା
ସବୁ ହିଁ ଭଲ ନେଇଆଣି ଥୋଇଲେ ହେଲା,ନୁହେଁ?
କିଏ କହି ପାରିବ ଭବିଷ୍ଯତକୁ?
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
-------------------------------------------
ଶାନ୍ତି
ସୁକାନ୍ତ ଖଣ୍ଡା
ଅନନ୍ତ ଶାନ୍ତି ତ ମୃତ୍ଯୁ
ଯିଏ ସତ୍ଯ,ସୁନ୍ଦର ଓ ଚିରନ୍ତନ।
କେହି ବୁଝିଥାଉ କି?
ଯଦି ବୁଝିଥାଉ
ତେବେ ଡରୁଥାଉଁ କିଆଁ
ଗୋଟେ ରଡ଼ରଡ଼ ନିଆଁ ଦେଖିବା ପରି
ଚିର ଶାନ୍ତି ମୃତ୍ଯୁର କୋଳକୁ।
ଏ ଦେହ ରଥକୁ
ଦୁଃଖ କି କଷ୍ଟ ଦେବାକୁ ଚାହୁଁନା
ଯେବେ ସାମାନ୍ଯ ଅନୁଭବ କରୁ ତ
ଲାଗିପଡୁ ମୃତ୍ଯୁଠୁ ଛଡେ଼ଇ ଆଣିବାକୁ।
ଆମେ ଚାହୁଁନା ପତ୍ନୀ ମରୁ କି ବାପା
ପୁଅ ମରୁ କି
ନିଜେ ହିଁ ନିଜକୁ?
ସର୍ବଦା ହିଁ ରାଗିଥାଉ ମୃତ୍ଯୁକୁ
ହଠାତ୍ ଆଉ ଅଦିନରେ
ଆସିଯିବା ଦେଖି।
କିନ୍ତୁ ଭାବୁ ନାହିଁ
ସତ୍ଯ,ଶିବ ଓ ସୁନ୍ଦର
ଯାହା ଅନନ୍ତ ଶାନ୍ତିକୁ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
-------------------------------------------
ମାଆ
ସୁକାନ୍ତ ଖଣ୍ଡା
ସେ ଋଣ ଦେଇଥିଲା
ପୃଥିବୀ ଯାକର ସବୁକୁ ହାତେଇବାକୁ
ଯେମିତି ମୁଠାଏ ଖାଇବ,ଅଣ୍ଟାକୁ ପିନ୍ଧିବ
ଆଉ ରହିବାକୁ ବାସସ୍ଥାନ।
ପୁଅ ବି ଶପଥ ନେଇଥିଲା
ପୃଥିବୀ ଯାକର ସବୁସୁଖ ଅଜାଡି଼ ଦେବ
ଯେମିତି ସେ ଛୋଟବେଳେ ଜହ୍ନମାମୁ ଦେଖାଇ
ଗୀତ ଗାଇଥିଲା ଓ ବୁଲେଇ ଆଣିଥିଲା ଚତୁର୍ଦ୍ଧାମ।
ଦୂର ଦିଗବଳୟ ଦେଖାଇ ଖୁଆଇ ବି ଥିଲା
ନିଜ ପେଟର ଦାନାକୁ କାଟି
ନିଜ ଲୁ଼ହ ନିଜେ ହିଁ ପିଇକି।
କିନ୍ତୁ ବୟସର ସାୟାହ୍ନରେ ସବୁ ଭୁଲିଗଲା
ସେ ଚିହ୍ନି ପାରିଲାନି ମାଆ କିଏ କି
ବୁଝିଲାନି ମାଆର ମମତା?
ସେ ଜୁଡୁବୁଡୁ
ଗୋଟିଏ ବିପରୀତ ଲିଙ୍ଗରେ ମଗ୍ନ
ଶୟନେ ସ୍ବପ୍ନରେ ତା'ନାମ ଗାଇଲା ଓ ନାଚିଲା
ଯିଏ କୋଳରେ ବସାଇ ପୃଥିବୀର ସବୁଯାକ ସୁଖ ଅଜାଡି଼
ରକ୍ତ ଶୋଷୁଥିଲା।
ଆଜି ମାଆଙ୍କୁ ଭୁଲିଛି ଶପଥ ବି ଦୂରେ ବହୁଦୂରେ
ଖାଇବା,ରହିବା ଓ ପିନ୍ଧିବା କାହିଁକି
ଦେବକୀ ବନ୍ଦୀ କୋଠରିରେ ପରି
ନିତିଦିନ ଲୁହ ପିଆଉଛି।
ଧନ୍ଯ ପୁଅର ସାଧନା
ଆଉ ଧନ୍ଯ ବି
ଜନ୍ମଦାୟୀ ମାଆର ମମତା।
ଏତେ ସତ୍ତ୍ବେ ବି ଦିନେ ହେଲେ
ପୁଅକୁ ରାଗିନି କି ଅଭିଶାପ ଦେଇନି
ପୁଅର ମଙ୍ଗଳ କାମନା କରି ଈଶ୍ବରଙ୍କୁ ପ୍ରାର୍ଥନା କରୁଛି
ଘଣ୍ଟ ଘୋଡେ଼ଇ କି ରଖିବ
ଭଲରେ ଚଳାଇ ସବୁ ସୁଖ ଅଜାଡି଼ ଦେବାକୁ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
-----------------------------------------
ମୁକ୍ତି
ସୁକାନ୍ତ ଖଣ୍ଡା
ମୁକ୍ତି ଚାହୁଁଛନ୍ତି କି?
ଯଦି ହଁ
ପାପକୁ ଭୋଗ କରିବ କିଏ
କରିଥିବା କୁକର୍ମ ଭୋଗିବ ବା କିଏ?
ଯଦି ନା
ସୁକର୍ମରେ ଲିପ୍ତ ଏବେ ହିଁ ରହିବାକୁ ହେବ
କୋଟି କୋଟି କରିଥିବା ନୀଚ୍ଚତା ଅନୁତାପରେ
ସତ୍ଯର ମଙ୍ଗ ଓ ଧର୍ମର ପଥ ତ
କ୍ରମ ମୁକ୍ତିର ପଥିକ।
ହେ ଭାଇ ଆଉ ଭଉଣୀ !
ଆଗ ନିଜକୁ ଚିହ୍ନିବା
ପରେପରେ ବାପା ଆଉ ମାଆ
ଘର ପରିବେଶ ପୁଣି ଦୁନିଆଁ ହାଟକୁ।
ଆମର ତ ମନ ଓ ହୃଦୟରେ ପାପ
ପ୍ରତି ନିଶ୍ବାସରେ ଚିରସ୍ଥାୟୀ
ତାକୁ ଧୋଇ ପାରିବା ତ?
ଏ କଥା ଶୁଣି ବିବେକ ହସିକି କହିଲା
ମନର ଇସାରା ଯୋଗୁଁ ପାପ ବଢିଗଲା।
ମନ କିନ୍ତୁ ଚିହିଁଙ୍କି କହିଲା
ସବୁ ହିଁ ତ ମୁକ୍ତି
ଭଲ ଆଉ ମନ୍ଦ ହୃଦୟର ଭ୍ରମ।
ମନ ଓ ବିବେକର କଥାକୁ ବୁଝିଲି ମୁକ୍ତି କଣ କି
ଯାହା ଭଲରେ ବଞ୍ଚିବା ଓ ଭଲରେ ଚଳିବା
ଭବିଷ୍ଯ ତ ଅଜଣା ଯାର ପାଇଁ ଏତେ
ଦୁଃଖ କିଆଁ?
ମୁକ୍ତି ସତ୍ଯର ପଥରେ
ମୁକ୍ତି ସଂସ୍କାରର ପଥରେ ଆଉ
ଧର୍ମର ପଥରେ
ଯାହା ଅନିଶ୍ଚିନ୍ତ ଭବିଷ୍ଯତ ପାଇଁ କରଣୀୟ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
-------------------------------------------
ଅନ୍ ଲାଇନ୍ ପରୀକ୍ଷା
ସୁକାନ୍ତ ଖଣ୍ଡା
ମୁଁ ଦଶମ ଶ୍ରେଣୀର ଛାତ୍ରୀ
ମୋତେ ପରୀକ୍ଷା ଦେବାକୁ ହେବ
ନ ହେଲେ ପାଠ ପଢି଼ବା
ଶୁଖୁଆ ପୋଡା଼ରେ ଯିବ।
ମୁଁ ଜଣେ ଗରିବ ବାପାର ଝିଅ
ଓଳିଏ ଖାଇଲେ ଆର ଓଳିକି ଉପବାସ।
ଅନ୍ ଲାଇନ୍ ପରୀକ୍ଷା ହେବା ଶୁଣି ମଉନ ହୋଇ ଶୋଇଲି
ମୁଁ ବାପାଙ୍କୁ କହି ପାରୁଥିଲି ନା ସହି ପାରୁଥିଲୁ
ପୋଡି଼ ଯାଉଥିଲା ତନୁମନ
ଦଣ୍ଡେ ମରି ଦଣ୍ଡେ ଜୀଇଁ ଯାଉଥିଲି ବାରମ୍ବାର।
ମୋ ନୀରବତା ବାପା ବୁଝିଲେ
ଦିନେ କିଣିଆଣି ଧରେଇ ଦେଲେ ସ୍ମାଟ ଫୋନଟିଏ
ଯାହା ପରୀକ୍ଷା ଦେବାକୁ ସୁବିଧା ହିଁ ହେବ।
ବାପା ଶିକ୍ଷାରେ ଅକ୍ଷର ଶୂନ ଭଟ୍ଟାଚାର୍ଯ୍ଯ
ଶିକ୍ଷାର ମହତ୍ତ୍ବକୁ ବୁଝି
କିଣି ଆଣିଲେ ସିନା
ଚଲେଇବା କାଠିକର ହେଲା
ଏକରେ ତ ନେଟୱାକର ଅସୁବିଧା ପୁଣି
ଫୋନ ଚଲେଇବା କାଠିକର ପାଠ।
ଫୋନ୍ ଶିକ୍ଷା ସମାପ୍ତ ହୋଇ ପାରିଲାନି
କାରଣ ଆମେ ମଫସଲି ଲୋକ।
ତଥାପି ପରୀକ୍ଷା ନିଶାରେ
ସାଇକେଲରେ ଦୌଡି଼ଲି ଦଶ କି.ମି
ଯେଉଁଟି ସାପ୍ତାହିକୀ ହାଟ ବସୁଥିଲା।
ମୁଁ ବସିଗଲି ଏକ ଦୋକାନର ବାରଣ୍ଡାରେ
ଯେଉଁଠି ଭରପୂର ଟାୱାର ଆସୁଥିଲା
ଅନ୍ କଲି ଫୋନ୍ ଆଉ ଆରମ୍ଭ କଲି ପରୀକ୍ଷା
ଶ୍ରେଣୀରେ ପ୍ରଥମ ହୁଏ ବୋଲି ସଭିଙ୍କର ଆଶା କି
ଏ ୱାନ ନିଶ୍ଚୟ ଆସିବ ଫଳାଫଳ।
ହାଟ ଆରମ୍ଭ ହୋଇଗଲା
ଭରପୂର ଜନ ଗହଳି
ଦୋକାନୀ ମାଲିକ ତଡି଼ ଦେଲା ଦୂରକୁ
ଯେଉଁଠି ଲେଖିବାକୁ ଅସମ୍ଭବ କଷ୍ଟ।
ସରକାରଙ୍କ ଯୋଜନା ଭଲ
ହେଲେ ମୋ ପରି ଗରିବ ବାପାଙ୍କର ଝିଅମାନେ କଣ
ସୁବିଧା ପାଇ ପାରୁଥିବେ?
ପ୍ରଶ୍ନ ମୋର
ଉତ୍ତର ନିଶ୍ଚୟ ଦେବେ।
ଆଉ ଏକ ସ୍ଥାନକୁ ଯାଇ ଲେଖିବା ଆରମ୍ଭ କଲି
ହେଲେ ସମୟ ଅତିକ୍ରାନ୍ତ ହେଲା
ଭଗ୍ନ ମନୋରଥରେ ଫେରିଲି ଘରକୁ।
ବାପା ପଚାରିଲେ ଝିଅ ଭଲ ହୋଇଛି ତ?
ମୁଁ ମୁଣ୍ଡ ତଳକୁ କରି ଲୁହ ଝରେଇଲି
ମୋର ନୀରବତା ବୁଝି ଦୁଇ ଟୋପା ଲୁହ
ଢାଳିଦେଲେ ଆଉ
ହଠାତ୍ ତାଙ୍କର କଣ ହେଲା କେଜାଣି?
ଟଳି ପଡି଼ଲେ ଭୂତଳେ।
ଏକ ପୁରୁଷ ଶେଷ ହୋଇଗଲା।
ଲୁହ ଓ କୋହରେ ଭାଙ୍ଗି ପଡି଼ଲି
କେତେ ଭଲ ପାଉଥିଲେ ବାପା
ମୋର ନୀରବତାକୁ ବୁଝୁଥିଲେ ପ୍ରତିକ୍ଷଣ
ମାଆ କିନ୍ତୁ ସର୍ବଦା ରାଗି କହୁଥିଲେ
ରାକ୍ଷସୀ !
ବାପାଙ୍କୁ ତ ଖାଇବୁ
ଖାଇବା ତ କାହାରି ପେଟକୁ ହେଉନି
ଅଥଚ ତୋର ପାଇଁ ଫୋନଟିଏ ଲୋଡା଼,ନୁହେଁ?
ମାଆଙ୍କ କଥା ସତ୍ଯ ହେଲା
ମୁଁ ରାକ୍ଷସୀ ବାପାଙ୍କୁ ଖାଇଗଲି।
ବାପା ମୋର ଆର ପାରିରେ
କଣ ମୋର ସୁଖ ଦେଖୁଥିବେ?
ଆଜି ପରୀକ୍ଷା ଫଳାପଳ ଶୂନ
ଫେଲ ହୋଇ ଯାଇଛି ବାର୍ଷିକ ପରୀକ୍ଷାରେ।
ଫୋନ୍ ଅନ୍ ଆଉ ଅପ୍
ଅପ୍ ଆଉ ଅନ୍ କରିବା ଓ
ସ୍ଥାନ ପରିବର୍ତ୍ତନ ହିଁ
ଫେଲ ହେବାର ମୂଳ କାରଣ।
ଆଜି ମାଆ କୋରି ଖାଉଛନ୍ତି
ତୋର ଫୋନ୍ ଦରକାର ଥିଲା ବସିକି ଚାଟୁଆ
ବାପାଙ୍କୁ ତ ଖାଇଲୁ
ମୋର ଜୀବନଟା ବାକି ରହିଗଲା,ନୁହେଁ?
ତାଙ୍କ ଆଖିରେ ଅସରନ୍ତି ଲୁହ।
ପାଠ ପଢି଼ବା ଭୁଲ
ନା ଫୋନ୍ ଯୋଗାଇବା ଭୁଲ?
ସତରେ !
ଅନ୍ ଲାଇନ୍ ପରୀକ୍ଷା
କେତେ ସଫଳ ସେହିମାନେ ହିଁ ବୁଝିଥିବେ
ଯେଉଁମାନେ ଅଙ୍ଗେ ଲିଭେଇଛନ୍ତି।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
--------------------------------------------
ମୃତ୍ଯୁ
ସୁକାନ୍ତ ଖଣ୍ଡା
ତୁମେ ଅବେଳରେ ଆସିଗଲ ମୃତ୍ଯୁ।
ମୋର କିନ୍ତୁ ଅନେକ କାମ ବାକି ରହିଗଲା
ଦେଖୁନ !
ପୁଅଟା ପାଠ ପଢୁଛି
ରୋଜଗାର ଏଯାଏଁ କରିନି
ସଂସାରର କୌଣସି କିଛି ବି ସୁଖ
ହାତେଇନି
ନାବାଳକଟେ ବହୁତ କଷ୍ଟ ପାଇବ।
ସେ ଆଡ଼କୁ ଦେଖନ୍ତୁ ନା
ନଈ ବଢି଼ ପରି ଝିଅ ମୋର ଫୁଲିଛି
କୁଳଲଂଘି ଯଦି ମାଡି଼ଯିବ
ଭାରି ଭୟଙ୍କର,ନୁହେଁ?
ତାର ବିବାହ ଜରୁରୀ।
ଯଦି ତୁମେ ହାତ ଧରନ୍ତ
ମୁକ୍ତି ହୋଇ ଯାଆନ୍ତି ଆଉ
ତୁମକୁ ବି ମନା କରନ୍ତିନି
ଯିବାକୁ ସାଙ୍ଗରେ।
ସେ ନିଶକୁ ମୋଡି଼ କହିଲା
ମୁଁ ଯମଲୋକ
ମୋତେ କର୍ମ କରିବାକୁ ଦିଅ।
ସେ ଝିଙ୍କିନେଲା ମୋର ଜୀବନକୁ
ତାଳଗଛ ପରି ଟଳି ପଡି଼ଲି ଭୂତଳେ।
ପତ୍ନୀ ଶଙ୍ଖା ଓ ସିନ୍ଦୂର ପୋଛିଲା
ପୁଅ କୁଣ୍ଢାଇ ଚିତ୍କାରିଲା
ମୋତେ ବି ନେଇଚାଲ ବାପାଙ୍କ ସାଙ୍ଗରେ
ଝିଅ ବାହୁନିଲା ଅଭିଆଡ଼ ରଖି ଚାଲିଗଲ ବାପା?
ମୃତ୍ଯୁ ଭାରି ଦୟାଳୁ।
ସେ ମୋର ଜୀବନକୁ ଫେରେଇ କହିଲା
ତୁମେ ଜୀଇଁରୁହ ଯେତେ ଦିନ ଇଛା ଭୀଷ୍ମ ପରି
ମୃତ୍ଯୁକୁ ନ ଚାହିଁବା ଯାଏଁ।
ଆଜି ମୁଁ ବୁଢା଼
ନାତି ଓ ଅଣନାତି ମୃତ୍ଯୁ କରିଲେଣି
ଅଥଚ ମୋତେ ମୃତ୍ଯୁ ହେଉ ନାହିଁ ଭାରି ଡହର ବିକଳ ଏ ସଂସାର ହାଟରେ
ଗୁହ ମୁତ ହୋଇ ବିଛଣାରେ ସଢୁଛି
କେହି ବି ଭଲ ପାଉ ନାହାଁନ୍ତି
ସେବା କରିବାକୁ
ପ୍ରତି କଥାରେ ସେଇ ଗୋଟିଏ ଝିଙ୍ଗାସ
ସେତେବେଳେ ନ ମରି ଅମର ବର ମାଗିଛ
ଏବେ ମୃତ୍ଯୁକୁ ଡାକୁଛ କାହିଁକି?
ମୁଁ ଅନୁଭବ କରୁଥିଲି
ସଂସାରେ କେହି ବି ନିଜର ନୁହଁନ୍ତି
ପତ୍ନୀ,ପୁତ୍ର ଅବା ଝିଅ କାହିଁକି
ନିଜେ ବି ନିଜର ନୁହଁ ।
ମସ୍ତବଡ଼ ଭୁଲ ପାଇଁ ଆଜି ଅନୁତାପ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
-----------------------------------------
ମୋ ଗାଁ,ମୋ ସଂସ୍କୃତି
ସୁକାନ୍ତ ଖଣ୍ଡା
ଆଜ୍ଞା !
ଆମ ଗାଁ'କୁ ଥରେ ତ ବୁଲି ଆସନ୍ତୁ
ଦେଖି ନିଅନ୍ତୁ ସ୍ବାଧୀନତା ପରବର୍ତ୍ତୀ ମାନଚିତ୍ର
ଯାହା ଭୂଗୋଳ ପୋଥିରେ ନାହିଁ
ନାହିଁ ବି ଆଜିର ଆଧୁନିକ ଯୁଗର
ରେଡି଼ଓ,ଫୋନ ଅବା ଟି.ଭି
ଗୋଟେ ଚିରା ଚରିତ ପ୍ରଥା
ଏବେ ବି ଦୃଶ୍ଯମାନ।
ଆସନ୍ତୁ ନା ଦେଖି ନିଅନ୍ତୁ
ଆମ ଏ ଗା' ଆଉ ସଂସ୍କୃତିକୁ
ହୁଏତ ବୁଝିଯିବେ ଗୋଟେ ଦାସତ୍ବ ପ୍ରଥାର ହୀନତା
ଗୋଟେ ହୀନ ଚକ୍ରାନ୍ତର ମାଲିକାନା।
ଆଜି ଜଣେ କେହି ବି
ମୁକ୍ତ ନୁହଁନ୍ତି ଏ ଗାଁ'ର ପଧାନଠୁ
ଗୋତି ଖଟୁଛନ୍ତି ନିତିଦିନ
ମୁଠାଏ ଭଲରେ ଖାଇବା ସ୍ବପ୍ନ
ଘର ସଂସାର ଭଲରେ କରିବୁ ତ ପଧାନଙ୍କ ନାଲିଆଖି।
ଆମ ଗାଁ' ଲୋକେ ନଈ ଚୁଆରୁ ପାଣି ଖାଉଛନ୍ତି
ଇଲେକ୍ଟ୍ରି ଜଳିବା ସାତ ସ୍ବପ୍ନ
ଆଉ ଆଉ ସରକାରଙ୍କ ଯୋଜନା
ନ କହିବା ଭଲ।
ଏ ଗାଁ'ଟି ଝାଟିମାଟି
ଦିନରେ ଖରା ତ ରାତିରେ ତରା
ରାସ୍ତା ତ ଅଙ୍କାବଙ୍କା ପୁଣି ପାଦଚଲା।
ଏଠି ଶିକ୍ଷା ହଜି ଥାଇଛି କାହିଁ କେତେ କାଳୁ
ସ୍ବାସ୍ଥ୍ଯ ସେବା ବିନା
ମୃତ୍ତ୍ଯୁ ପୋକମାଛି ପରି।
ଦିନେ ଧର୍ମ ଚିନ୍ତା କରିବୁ ତ ଦାଣ୍ଡରେ ଆଣ୍ଠେଇବୁ
ପାଞ୍ଚଦିନ ପଧାନଙ୍କ ଘରେ
ଗୋତି ଖଟିବାକୁ ବାଧ୍ଯ।
ନାଚ ଓ ଗୀତ
ହୃଦୟରେ ଆଣିବା ମନା
ସମାଜ କି ଗାଁ'ରେ
ପାଳନ କରିବା ମନ ଉଠିବୁ କାହିଁକି?
ଏଠି ଗୋତି ଖଟିବୁ ତ ପେଟକୁ ଦାନା
ଅଣ୍ଟାରେ ଛିଣ୍ଡାକସ୍ତା।
ଆଜ୍ଞା !
ଅନୁରୋଧ ଥରେ ତ ଆସନ୍ତୁ
ମୋ ଗାଁ,ମୋ ସଂସ୍କୃତିର ଛବି
ଦେଖିବାକୁ ଓ ଜାଣିବାକୁ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
-------------------------------------------
ବିଶ୍ବାସ
ସୁକାନ୍ତ ଖଣ୍ଡା
ତୁମେ ଏତେ ବିଶ୍ବାସ କରିବା ଉଚିତ୍ ହେଉନି।
ବିଶ୍ବାସ କରିବ କାହିଁକି?
ଏ ସାରା ସଂସାରର ଲୋକେ ତ
ପୂରା ଅବିଶ୍ବାସ ଆଉ ଘାତକ
ବେଙ୍ଗ କହେ ବେଙ୍ଗୁଲି ଲୋ ପରି...।
ମୋ କଥାକୁ ଶୁଣି କହିଲା
ବିଶ୍ବାସରରେ ସଂସାର ଚାଲୁଛି
ଯେମିତି ଦିନ ଆଉ ରାତି
ଅହରହ ଚାଲନ୍ତି ନିଜର ବାଟରେ
ଆଉ ସୂର୍ଯ୍ଯ ଚନ୍ଦ୍ର ବି ଚାଲନ୍ତି ନିଜର କକ୍ଷରେ।
ସେ ବିଶ୍ବାସର ଜାଲରେ ପଡି଼ଲା
ଯାହା ନିଆରା ଏ ସତ୍ଯ।
ନିତି ସାକ୍ଷାତ ହୁଏ ଅଥଚ
କିଛି ବି ନ ଥାଏ ଆବିଳତା।
ଦିନେ କଣ ହେଲା କେଜାଣି
ନିରୋଳା ଦେଖି ଲୁଟିଲି ତା'
ସାଇତା ଧନକୁ।
ସେ ଚିତ୍କାରୁଥିଲା ଧପ୍ପାବାଜ କହି।
ଦେହ ମନ ପୁରିଗଲା ପରେ
କିଛି ହିଁ ନ କହି ଉଠି ଚାଲିଗଲି
ସେ ନିଜକୁ ଝାଡି଼ଝୁଡି଼
ମୋର ପିଛା କଲା
ଆଉ ଧରି ପକେଇ କହିଲା
ଏତେ ନୀଚ୍ଚ,ଏତେ ସ୍ବାର୍ଥପର?
ମୁଁ ଧାରେ ହସ ମେଲି କହିଲି
ଏତେ ବେଶି ବିଶ୍ବାସ ଭଲ ନୁହେଁ
କହିଥିଲି ନା ଅଥଚ ତୁମେ..?
ସେ ଲୁହ ଝରେଇ କହିଲା
ମୋତେ ଗ୍ରହଣ କର
ତୁମ ଔରସରୁ ମାଆ ହୋଇଯିବି।
ମୁଁ କିନ୍ତୁ ଧରାଛୁଆଁ ଦେଲିନି
ସେ ବହୁ କଷ୍ଟରେ ସନ୍ତାନ ଜନ୍ମ ଦେଲା।
ବହୁ ବର୍ଷପରେ ଦେଖା ହେଲା
ପୁଅ ମୋର ଅଧିକାର ମାଗିଲା
ମୁଁ ଦୂରଦୂର ହେଲି ତ
ଶକ୍ତ ଭୁଜାଲିଟେ ପେଟରେ ଗଳେଇ ଦେଲା।
ମୁଁ ମୃତ୍ଯୁର କାଳରେ ହେଜୁଥିଲି
ବିଶ୍ବାସରେ ସଂସାର ଚାଲୁଛି
ଆଉ ଯିଏ ନୀଚ୍ଚ ଅବିଶ୍ବାସୀ
ମୋର ପରି
ମୃତ୍ଯୁ ପ୍ରାପ୍ତ କରିବାକୁ ଯୋଗ୍ଯ।
ମୁଁ ଆର ପାରିରେ ଏବେ
ଅନୁତାପେ ସିନା ସଢୁଛି
ହେଲେ ପାପର ପଲା ଭାରି
ଯମଦୂତଗଣ ଗରମ କ୍ଷୀରରେ ନିକ୍ଷେପ କରୁଛନ୍ତି।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
---------------------------------------------
ଚେନାଏ ହସ
ସୁକାନ୍ତ ଖଣ୍ଡା
ତୁମେ କେଉଁଠି ଚେନାଏ ହସ ଦେଖିଛନ୍ତି କି?
ଯଦି ହଁ
ଆପଣ ଆପଣ ଖୁବ୍ ଭାଗ୍ଯବାନ
ଯଦି ନା
ଏବେ ହିଁ ଦେଖିବାକୁ ଯା'ନ୍ତୁ।
କହୁଥିଲେ କବି ପଢୁଥିଲେ ପାଠକ ପାଠିକା।
ଜଣେ ପାଠିକା କହିଲେ କବି ବନ୍ଧୁ
ମୋତେ ଜଣା ନାହିଁ ଚେନାଏ ହସ କେଉଁଠି ଫୁଟେ
ସ୍ବର୍ଗରେ,ନର୍କରେ ନା ଏ ମର୍ତ୍ତ୍ଯର ଧାମରେ?
ହସିଦେଲେ କବି କହିଲେ ଭଉଣୀ
ଯେଉଁଠି ସ୍ନେହ,ପ୍ରେମ ଆଉ ଭଲ ପାଇବା
ନିରନ୍ତର ଗଚ୍ଛିତ
ପ୍ରତିହୃଦେ ସମର୍ପଣ ଭାବ
ଧର୍ମରେ,କର୍ମରେ ଆଉ ବିନା ଆସକ୍ତିରେ
ଯେମିତି ସମୁଦ୍ରର ଲହରୀ
ବିନ୍ଦୁବିନ୍ଦୁ କାକରର ମୁକ୍ତା
ଶିରିଶିରି ପବନର ଗୁଞ୍ଜନ
ଅଥବା ଫୁଲ,ଶିଶୁ କି ବୃଦ୍ଧର ଦରୋଟି ହସରେ।
ପାଠିକା ଭଉଣୀ ବଡ଼ ତନ୍ମୟ ହୋଇ ଶୁଣୁଥିଲେ
ସେ ଭାବି ନେଇଥିଲେ ଜୀବନର ଉଦାମ ଯୌବନ
ସ୍ବାମୀ ଆଉ ସ୍ତ୍ରୀର କଥୋପ କଥନ
ଅବା ପ୍ରେମିକ ଓ ପ୍ରେମିକାର କାମନା ବାସନା।
ସେ ତ ଭଲ ପାଇଥିଲେ ତାକୁ
ଯିଏ ଅର୍ଥର ଲୋଭରେ ଶୋଷୁଥିଲା
ଦେହଜ ରକ୍ତକୁ,ଧନ ସମ୍ପଦକୁ।
ଧିକ୍କାରିଲେ ନିଜକୁ ଆଉ ଦୌଡି଼ ପଳେଇଲେ
ଯେଉଁଠି ଢଳଢ଼ଳ କାକର ବୁନ୍ଦା ହସୁଥିଲା
ମନ ଭରି ଦେଖିଲା ଚେନାଏ ହସକୁ।
ସେ ଆଜି ଶପଥ ନେଲେ
ନିଜେ ହସି ହସାଇବେ ସଭିଙ୍କୁ
ଯେଉଁମାନେ ମଉଳି ଯାଉଛନ୍ତି ସଂସାର ହାଟରେ।
ସେ ଜେଜେଙ୍କୁ ସାହାରା ହେଲେ
ଯାର ବାପା ଆଉ ମାଆ ଅଣଦେଖା କରୁଥିଲେ
ପ୍ରତିକ୍ଷଣ ବିଷର ମଞ୍ଜି ପୋତି
ବିଷାକ୍ତ କରୁଥିଲେ ଦଶଦିଶ।
ସେ ଜେଜେଙ୍କ ସେବାରେ ମସଗୁଲ
ଜେଜେ ବି ବିଛଣାରେ ପଡି଼
ଚେନାଏ ହସ ବୁଣି ଦେଲେଣି
ମୁଣ୍ଡ ଆଉଁସି କହିଲେଣି ମାଆ ଅହ୍ଯ ସୁଲକ୍ଷଣୀ ହୁଅ।
ମୋ ଆଖିରେ ଲୁହର ବନ୍ଯା
ଯିଏ ଚେନାଏ ହସଠୁ ବହୁ ଦୂରରେ ଥିଲା
ଧିକ୍ !
ଯାହା କାମନା ବାସନା।
ସେ ଦୌଡି଼ ଆସିଲେ କବିଙ୍କ ପାଖକୁ।
ଯିଏ ତାକୁ ଶକ୍ତ ଅସ୍ତ୍ର ପ୍ରହାରରେ ବାଟକୁ ଆଣିଥିଲେ
କ୍ଷମା ଭିକ୍ଷା ସହ
ଶତକୋଟି ପ୍ରଣାମ ଓ ଧନ୍ଯବାଦ ଦେବାକୁ।
କବିଙ୍କ ଓଠରେ ଚେନାଏ ହସ।
ଶକ୍ତ ଅସ୍ତ୍ର ପ୍ରହାରଟି
ସଫଳ ହୋଇଛି ବୋଲି ଆଉ ବି
ଗୋଟେ ଭଗ୍ନ ହୃଦୟକୁ ଯୋଡିବାରୁ
ଈଶ୍ବରଙ୍କୁ କଲେ ପ୍ରଣିପାତ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
-----------------------------------------
ମୋ ଗାଁ,ମୋ ସଂସ୍କୃତି
ସୁକାନ୍ତ ଖଣ୍ଡା
ମୋ ଗାଁ,ମୋ ସଂସ୍କୃତି ବିଷୟରେ
କେହି ଜାଣି ନ ଥିବେ
ଜାଣି ବି ନ ଥିବେ
ଏ ଗାଁ'ଟି କେଉଁଠାରେ ଅଛି।
ତେବେ କହୁଛି ଶୁଣନ୍ତୁ
ହୁଏତ ମନ ଓ ହୃଦୟେ ତରଙ୍ଗ ଆସିପାରେ
ନାଚିପାରେ ଗୋଟେ ଗୋଟେ ଜହ୍ନ
ହଟିଆ ନାଗର ପରି ହୋଇପାର ଉଚ୍ଛନ୍ନ
ଏ ଭିନ୍ନ ଏକ ପୃଥିବୀ
ଏ ଗାଁ'ଟିର ବି ଜୀବନ ଦର୍ଶନ।
କୃଷ୍ଣ ସିନା ଗୋପି ଗୋପାଙ୍ଗନା ପାଇଁ
ପ୍ରେମ କରୁଥିଲା
ସଭିଙ୍କୁ ନିଜର କରିଥିଲା
ଦେହର ଛାଇ ପରି।
କିନ୍ତୁ ମୋ ଗାଁ,ମୋ ସଂସ୍କୃତି ଭିନ୍ନ
ଏଠି ପ୍ରେମ କରିବା ମନା
ଏଠି ଧର୍ମ କରିବା ମନା
ଏଠି ରାଜନୀତି କରିବା ବି ମନା।
ଏଠି ଭରପୂର ଗୋତି ଖଟିବ
ପର ପାଇଁ ଜୀବନ ଦେବାକୁ ବାଧ୍ଯ
ନିଜର ବୋଲି କିଛି ହିଁ ନାହିଁ
ଜୀବନ କାଳରେ।
ଏଠି ସ୍ବାଧୀନତା ଅଛି ନା ଅଧିକାର
ଏଠି ସୁଖ ଅଛି ନା ସନ୍ତୋଷ?
କେବଳ ନିତି ମରିମରି ଜୀଇଁବାର ବେଳ।
ଆଜ୍ଞା !
ଆପଣଙ୍କୁ ମୋର ଅନୁରୋଧ
ଥରେ ତ ବୁଲି ଆସନ୍ତୁ
ଆମକୁ ମୁକ୍ତ ପାଇଁ ନୁହେଁ
କେବଳ ଜାଣନ୍ତୁ
ଗୋଟେ ଗାଁ'ର ସଂସ୍କୃତି
ଗୋଟେ ଗାଁ'ର ଆବେଗ
ଯେଉଁଠି ଦାସ ପ୍ରଥାଠୁ ବଳି
ଏ ଗାଁ'ର ନୀତି ଓ ଆଦର୍ଶ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
--------------------------------------------
ମୋ ଗାଁ,ମୋ ସଂସ୍କୃତି
ସୁକାନ୍ତ ଖଣ୍ଡା
ମୋର ଗାଁ'ଟି ସବୁଠୁ ସୁନ୍ଦର
ଯା'ର ପାଣି ଗଙ୍ଗାଠୁ ପବିତ୍ର
ପବନ ସ୍ବଚ୍ଛ ଓ ନିର୍ମଳ
ଆଉ ଆଲୋକ ସୁନେଲି ସ୍ବପ୍ନରେ ଜକଜକ।
ମୋ ଗାଁ'ରେ ଅଶିକ୍ଷିତ କେହି ବି ନୁହେଁ
ସଭିଙ୍କ ଘରେ ଜଣେ ଦୁଇ ଜଣ ଅଫିସର
ଛୋଟ ଓ ବଡ଼ ସରକାରୀ କର୍ମଚାରୀ କାହିଁରେ କେତେ?
ରାଜନେତା ତ ସାଲୁବାଲୁ
ବେପାର ବଣିଜ ଚାଲେ ଦିନରାତି
ଆଉ ଚାଷୀଙ୍କ ଆନନ୍ଦ କହିଲେ ନ ସରେ।
ଗାଁ'ଟିରେ କ'ଣ ନ ଅଛି?
ରାତିରେ ଝଲମଲ ଆଲୋକ
ଦିନରେ ଶୁଭ୍ର ମୁକ୍ତାକାଶ
ପୁଣି ଜୀବାଣୁ ମୁକ୍ତ ପାଇପ୍ ପାଣି।
ଅସରନ୍ତି ସୁଖରେ ମସଗୁଲ
ଦୁଃଖ କ'ଣ ଜାଣନ୍ତି ନାହିଁ କେହି
ଜନ୍ମ ଓ ମୃତ୍ଯୁ ତ ଈଶ୍ବରଙ୍କ ଦାନ
ଭାଇଚାରା ସୃଷ୍ଟି ହୁଏ କର୍ମ ଓ ଧର୍ମରେ।
ଦିନେ କେହି ଝଗଡା଼ ହୋଇନି କି
ହତ୍ଯା ଓ ଲୁଣ୍ଠନଠୁ ଦୂରେ ବହୁଦୂରେ।
ଆଜି ସୁଖ ଓ ସମୃଦ୍ଧିରେ ଭରପୂର
ଯେମିତି ସ୍ବର୍ଗର ନନ୍ଦନକାନନ।
ଈଶ୍ବରଙ୍କୁ କୋଟିଏ ପ୍ରଣାମ ଓ ଧନ୍ଯବାଦ
ଯାହାଙ୍କ ଇଛାରେ
ମୋ ଗାଁ,ମୋ ସଂସ୍କୃତି ଚାଳିତ
ବିବାହ,ବ୍ରତ,ଧର୍ମ ଅବା ଭୋଜି
ଐକତାର ମନ୍ତ୍ରରେ ଭାସନ୍ତି।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
------------------------------------------
ଶହୀଦ
ସୁକାନ୍ତ ଖଣ୍ଡା
ତୁମେ ପ୍ରଣାମର ଯୋଗ୍ଯ
ତୁମେ ଧନ୍ଯବାଦର ଯୋଗ୍ଯ।
ତୁମେ ମରି କି ବଞ୍ଚିଛ
ଅମର ଆତ୍ମା ବୋଲିତ
ମନେ ପକାଉଛୁ ଆଜି।
ସବୁଦିନ ନ ହେଲେ ବି
ବର୍ଷରେ ଏଇ ଦୁଇ ଦିନ।
ଗୋଟିଏ ସ୍ଵାଧୀନତା ଦିବସ ଆଉ
ଆରକ ସାଧାରଣତନ୍ତ୍ର ଦିବସ।
ମନେ ପକାଉ ଆଉ
ସ୍ଳୋଗାନ ବି ତୁମରି ନାମରେ
କେତେ କେତେ ସାଂସ୍କୃତିକ କାର୍ଯ୍ଯକ୍ରମ
ଆଉ କେତେ ବି ଭୋଜିଭାତ।
ତୁମେ ତ ଅମର
ଦେଖିନିଅ ଭାରତର ମାନଚିତ୍ର
ତୁମ ପରି ଯୋଗ୍ଯ ଯେତେ ଏଠି
କେମିତି ଲୁଟିବାରେ ମଗ୍ନ
ଏଠି ସ୍ବାର୍ଥ ଚାଲେ ପ୍ରତି ହୃଦୟରେ
ସୁନ୍ଦର ଚେହେରା ତଳେ
ପାଣି,ପବନ ଓ ଆଲୋକ।
ଯଦିଓ ଅଳ୍ପ କେଇ ଜଣ ଆପଣଙ୍କ ପରି
ଯେଉଁମାନେ ସ୍ମରଣ କରି
ରକ୍ତ ନିଗାଡ଼ନ୍ତି
ଭବିଷ୍ଯତ କାମନାରେ ମଗ୍ନ
ଶୟନେ ସ୍ବପ୍ନରେ ବଞ୍ଚି ଥାଉଥାଉ ବରିବାକୁ
ମରିମରି ମଧ୍ଯ ବଞ୍ଚି ରହିବାକୁ।
ହେ ମହାନ ଆତ୍ମା !
ଆପଣଙ୍କୁ କୋଟିଏ ପ୍ରଣାମ
ମନ ଓ ହୃଦୟରୁ ଏଇ ନିଅ
ଶ୍ରଦ୍ଧା ଓ ସୁମନ।
ଆପଣ କିନ୍ତୁ ଦେଖୁଥାନ୍ତୁ
ଯେତେ ସବୁ
ଅପକର୍ମ,ଲୁଣ୍ଠନ ଓ ଶୋଷଣ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
-------------------------------------------
ଆମ ସମ୍ବିଧାନ
ସୁକାନ୍ତ ଖଣ୍ଡା
ଆମ ସମ୍ବିଧାନ ପୃଥିବୀରେ ବଡ଼।
ତାକୁ କିଏ ରୋକି ପାରିଛି ନା ପାରିବ?
କାହାର ସାଧ୍ଯ ଅଛି
ଏ ବିଶ୍ଵ ଦରବାରେ
ଯିଏ ପହଞ୍ଚି ଯାଇଛି ନଭଶ୍ଚୁମ୍ଭୀ।
ଦେଖ !
ଏ ସ୍ବର୍ଗର ଅମରାବତୀ
ଆଉ ବି ଭସା ବାଦଲ ପରି
ଭାସୁଛି ରଙ୍ଗ ବେରଙ୍ଗରେ।
ଆମ ସମ୍ବିଧାନ ତ ନଈର କୁଳୁକୁଳୁ ରାବ
ପବନର ସାଇଁସାଇଁ ପରି ଗୀତ ନୀରବତା
ପାହାଡ଼ ପରି ଉଦାର ଓ ଶକ୍ତ
ଆକାଶ ପରି ନିର୍ମଳ ଆଉ ସ୍ବଚ୍ଛ।
ସତରେ !
ଆମ ସମ୍ବିଧାନର ପ୍ରେଣେତା ମହାନ
ଯା'ର କଲମମୁନ ତୀକ୍ଷଣ
ବାଛିବାଛି ପୃଥିବୀର ସବୁଯାକ ସାରାଂଶ
ଥୋଇ ଦେଇଛନ୍ତି ଭବିଷ୍ଯ ମାନଙ୍କୁ।
ଦେଖ !
ଆଜି ତ ସାଧାରଣତନ୍ତ୍ର ଦିବସ
ତ୍ରିରଙ୍ଗା ଉଡୁଛି ଫରଫର ହୋଇ
ଯେଉଁଠି ଜାତି ବିଭେଦ ନା ସମ୍ପ୍ରଦାୟ?
ଭାରି ଲୋଭନୀୟ ଆଉ କମନୀୟ ଏ ଆମ ସମ୍ବିଧାନ
ଯାହା ଅଧିକାର ଓ କର୍ତ୍ତ୍ଯବ୍ଯକୁ ଯୋଗାଏ
ପ୍ରତି ମାନବଙ୍କମେଳେ
ସୁଖ ଓ ସମୃଦ୍ଧି ସକାଶେ
ହିଂସା ଘୃଣା ଓ ପରଶ୍ରୀକାତରକୁ
ଫିଙ୍ଗିଦେଇ ହସି ହସାଉଛି।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
-------------------------------------------
ଶରଣ ତୋ ଚରଣେ
ସୁକାନ୍ତ ଖଣ୍ଡା
ହେ ଘଟଗାଁ ବାସିନୀ
ଆଜି ଶରଣ ତୋ ଚରଣେ
ଦିନେ ଯାହା ମାଗିନାହିଁ
ଆଜି ମାଗିବାକୁ ଏ ମନ ବ୍ଯାକୁଳ।
ମୁଁ ତ ଅବୋଧ ମଣିଷ।
ସଂସାରର ସବୁକୁ ହାତେଇବା ପାଇଁ
ଦିନେ ଲାଗି ପଡି଼ଥିଲି
ଜାଣି ନ ଥିଲି ତୋ ମାୟାର କୁହୁକ।
ଆଜି ତୋର ବିନା ଅସହାୟ
ବିଲକୁଲ ହିଁ ପଙ୍ଗୁ,ଅସାର ଜୀବନ।
ଦିନେ ହେଲେ ତୋର ନାମ ଧରି ନାହିଁ
ଜପି ନାହିଁ ମନ୍ତ୍ର କି ଗଡେ଼ଇନି ମାଳା?
କେବଳ କାମନାରେ ପହଁରି
ସମୟ କରିଛି ଅପଚୟ।
ଦିନେ ବଳ ଓ ବୟସ ଥିଲା ତ
ତୁମକୁ ହେୟ କରୁଥିଲି
ପଥରଟେ ବୋଲି ପୂରା ଅଣଦେଖା।
ଆଜି ମୁଁ ବୃଦ୍ଧ
ପୁଅ ଓ ଝିଅ ପୁଳାପୁଳା
ଗୁହ ଓ ମୂତ ପରେ ବି
ସେମାନେ ନିଜ କର୍ମରେ ମଗ୍ନ।
ମୋ ପରି ସେମାନେ ବି ଭୁଲିଲେଣି
କର୍ମ ଅବା ଧର୍ମ
ଓ ସଂସାରର ଅନନ୍ତ ସୁଖକୁ।
ମାଆ !
ଏ ବୟସରେ ଶରଣ ତୋ ଚରଣେ
ମୋତେ ନେଇଚାଲ ସେଠାକୁ
ଯେଉଁଠି ଖେଳିବି ତମ ସହ
ଭୁଲି ଦୁଃଖ ଆଉ ସୁଖ
ଦେଖୁଥିବି ତୋର ପାଦପଦ୍ମ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
----------------------------------------
-
ବଂଶୀ
ସୁକାନ୍ତ ଖଣ୍ଡା
ତୁମେ ଆଉ ବାଜ ନାହିଁ ବଂଶୀ
ତୁମର ସେ ପଦ୍ମତୋଳା ଡାକ
କାହିଁକି କେଜାଣି ସମୁଦ୍ରର ତରଙ୍ଗ ପରି
ଏ ହୃଦ ଭାସୁଛି
ଆକାଶର ଭସା ବାଦଲ ପରି ଏ ମନ ବଦଳୁଛି
ନେସି ହୋଇ ଯାଉଛି ତନୁମନ।
କେତେ ଗଞ୍ଜଣା ସହିବି କୁହ
ସ୍ବାମୀ ଆଉ ଶାଶୂଙ୍କଠୁ
ଆକଟ କରୁଛନ୍ତି ନିତିଦିନ
ସାହି ପଡି଼ଶା ବି ଟୁପୁର ଟାପୁର।
ତୁମେ ଆଉ ବାଜନାରେ ବଂଶୀ
ଏ ହୃଦକୁ ଦୋହଲାଇ
ଗୋଟେ ଭୁଆଶୁଣୀର ମାନ ତ ରଖନ୍ତୁ।
ମୁଁ ନେହୁରା ହେଉଥିଲି ବଂଶୀଙ୍କୁ
କୃଷ୍ଣ କିନ୍ତୁ ହସୁଥିଲେ
ଭାବୁଥିଲେ ବଂଶୀ ତ ନିର୍ଜୀବ
ପୁଣି ଏ ସୃଷ୍ଠି ଆମର ହିଁ ଦେଇ
ଇଛା ଓ ଆଶାରେ ବି ଚାଳିତ।
ମୁଁ ଭାବ ଓ ବିହ୍ବଳ
କାମନାରେ ସଦା ଜରଜର
ସହି ପାରୁଛି ନା ରହି ପାରୁଛି?
କୃଷ୍ଣ ଯେମିତି ଅତି ହିଁ ନିଜର।
ସେ ଦିନ ସଞ୍ଜର ଆକାଶେ ଦେଖା ହେଲା
କଳକଳ ଛଳଛଳ
ଫୁଲିଥିବା ଯମୁନା କୂଳରେ
ସେ କହିଲେ ରାଧା?
ମୁଁ ଥତମତ ହେଲି
ଦେଖା ହେବ ନାହିଁ ଭାବି
ଲୁଚି ଆସିଥିଲି ମାଠିଏ ପାଣି ନେଇ ଆସିବାକୁ।
ମୁଁ ଗୋଟାପଣେ ଥରୁଥିଲି
କେହି ଦେଖୁ ନାହାଁନ୍ତି ତ
ସ୍ବାମୀ,ଶାଶୂ ଅବା ପଡୋ଼ଶୀ?
ସେ କହିଲେ ରାଧା
ତୁମେ ଭାରି ଚାତୁରୀ
ମୋର ପ୍ରେମରେ ପଡି଼ ଯାଇଛ,ନୁହେଁ
ଏକେଲା ଦେଖା କରିବାକୁ ।
ପୁଣି କହିଲେ ରାଧେ
ବଂଶୀକୁ ମନା କରିବା କ'ଣ ଠିକ୍
ଯଦି ଠିକ୍
ସେ କ'ଣ ବାଜିବା ବନ୍ଦ ହୋଇଯିବ?
ବଂଶୀ ତ ମୋରି ଦେଇ ବାଜୁଛି
ମୋତେ ମନା କରି ଦେଇଥିଲେ
ସବୁ ହିଁ ଖତମ।
ଖର ନିଶ୍ବାସ ମାରି କହିଲି
ସତରେ !
ତୁମକୁ ବନା କରିବି ତ ସ୍ବର୍ଗୀୟ ଆନନ୍ଦ ପାଇବି କେଉଁଠୁ
ଟୋପାଏ ଶାନ୍ତି ମିଳିବ କେମିତି?
ମୋର କଥାରେ କୁଷ୍ଣ କ'ଣ ବୁଝିଲେ କେଜାଣି
ବଜାଇଲେ ବଂଶୀକୁ
ଯା'ର ପଦ୍ମତୋଳା ଡାକରେ
ଘେରିଗଲେ ଗୋପୀ ଗୋପାଳୁଣୀ
ଲୁଚାଛପା ପ୍ରେମ ଧରା ପଡି଼ଗଲା
ଏ ବଂଶୀର କୁହୁକ ସ୍ବନରେ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
---------------------------------------------
ଅଦିନିଆ ବର୍ଷା
ସୁକାନ୍ତ ଖଣ୍ଡା
ଡହଡ଼ହ ଶୀତରେ ଥରୁଥିଲା ଦେଶ
ଭିଜୁଥିଲା କାକର ସହିତ
ଦିନ ଦଶଘଡି଼ ଯାଏଁ ଘରୁ ଉଠିବା
କି ବାହାରିବା ମନା
ଉଠିଲେ ହିଁ ବିପଦ।
ହଠାତ୍ !
ଅଦିନିଆ ବର୍ଷା ଛେଚି ଦେଲା
ସାଙ୍ଗରେ କରକାକୁ ଧରି।
କାହାକୁ ନ କହି ତାର ଏ ତାଣ୍ଡବ
କହିଥିଲେ ମୁଁ ସତର୍କ ହୋଇଥାନ୍ତି
ସାଇତି ରଖିଥାନ୍ତି ବଡି଼କୁ,ଆଚାରକୁ
ନୁଆଣିଆ ଚାଳକୁ ବି ଘୋଢେ଼ଇ ଦେଇଥାନ୍ତି ନଡା଼ରେ।
ସେ ତ ରଟରଟ୍ ବର୍ଷାରେ
ଘାଇଲା କଲା ଅଚାନକ
ଶୀତ ଦିନଟାରେ ବି ସମୁଦ୍ରର ଲହଡି଼
ପୁଚି ଖେଳୁଛି ମନଇଛା
ତା ପଦ୍ମତୋଳା ଡାକରେ
ସର୍ପିଣୀ ପରି ମୋ ଦଶଦିଶ
ହେଲେ କ'ଣ କରିବି?
ଅଦିନିଆ ବର୍ଷା ହେବ ବୋଲି କିଏ ଜାଣିଥିଲା?
ଯଦି ଜାଣିଥାନ୍ତି
ମନା କରି ଦେଇଥାନ୍ତି ନ ଆସିବାକୁ
ଅଥବା କାମ ସରିଗଲେ
ଆସିବାକୁ କରିଥାନ୍ତି ଅନୁରୋଧ।
ସତରେ !
ଅଦିନିଆ ବର୍ଷା ଘାତକ ସାଜିଲା
ଗୋଟେ ନିଅଁଶୀ ବୁଢୀ଼ର ବୁଝିଲାନି ଦୁଃଖ
କ'ଣ କରିବି କୁହ?
ଶୀତ ଓ ଅଦିନିଆ ବର୍ଷା ତ
ହଜେଇ ସାରିଲାଣି ମୋର ସବୁକୁ
ତନୁମନ କୋରି ହୋଇଲାଣି ଶୀତରେ ମାଡ଼ରେ।
ହେ ଅଦିନିଆ ବର୍ଷା !
ତୁମେ କୁହ ସୁଖ ନେଇ ଆସିଛ
ନା ଦୁଃଖର ନଈରେ
ଗାଧୋଇବା ଦେବା ପରମ ଇଛା?
ମୋର କଥା ଅଟକି ଗଲା
ମୁଁ ଟଳି ପଡି଼ଲି ଭୂମିରେ
ଯାହା ଛଅ ହାତ ଭୂମି ଲୋଡା଼
ଅନନ୍ତ ଶୟନ ସକାଶେ।
ମୋତେ ସନ୍ତୋଷ ସକାଶେ
ଆସିଥିଲ ହେ ଅଦିନିଆ ବର୍ଷା
ତୁମକୁ ମୋର କୋଟିଏ ପ୍ରଣାମ
ଆଉ ଧନ୍ଯବାଦ ଘେନ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
--------------------------------------------
ବାର୍ଦ୍ଧକ୍ଯ
ସୁକାନ୍ତ ଖଣ୍ଡା
ମୋତେ ଜନ୍ମ ନ ହେଉଣୁ
ବାର୍ଦ୍ଧକ୍ଯ ଗ୍ରାସିଲାଣି
ବିଷାକ୍ତ ଖାଦ୍ଯରୁ
ବିଷାକ୍ତ ପାଣି,ପବନ ଓ ଆଲୋକରୁ।
ଦେଖ !
କେଶ ମୋର ପାଚିଲାଣି
ଯେମିତି ଦରବୁଢା଼,ନୁହେଁ?
ବାର୍ଦ୍ଧକ୍ଯ ଦୁଃଖର ଘର
ତଥାପି
କ'ଣ କରିବି କୁହ?
ଈଶ୍ବରଙ୍କ ଇଛାକୁ ସମ୍ମାନ ଦେବା
ବ୍ଯତୀତ ଆଉ କଣ କରା ଯାଇପାରେ...?
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
-------------------------------------------
ଭକ୍ତର ଭଗବାନ
ସୁକାନ୍ତ ଖଣ୍ଡା
ସଭିଏଁ କହୁଅଛ କି
ଭକ୍ତର ଭଗବାନ ଅଟେ।
ହଁ,ହୋଇପାରେ
ମୁଁ କିନ୍ତୁ ପୂରା ଓଲଟା।
ଯଦି ଭକ୍ତର ଭଗବାନ
ତେବେ
ଯିଏ ଭକ୍ତ ନୁହଁ
ତାର କ'ଣ ଭଗବାନ ନାହିଁ?
ମୁଁ ଭକ୍ତ ନୁହଁ କି ପୂଜାର୍ଚ୍ଚନା କରେନି
ମୋର ଲକ୍ଷ୍ଯ ଓ ଉଦ୍ଦେଶ୍ଯ
ଅହିଂସା,ସତ୍ଯ ଓ କର୍ମ
ବାପା ଓ ମାଆ ହିଁ ଚଳନ୍ତି ଭଗବାନ।
ମୋ ମତରେ
ଭକ୍ତ ଭଗନାନଙ୍କ ନୁହଁ
କିନ୍ତୁ
ଭଗବାନ ହିଁ ସଭିଙ୍କର।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
--------------------------------------------
ଜୟ ମା ସରସ୍ବତୀ
ସୁକାନ୍ତ ଖଣ୍ଡା
ମା ସରସ୍ବତୀ ତୁମେ ଓହ୍ଲାଇ ଆସୁଛ
ଧରି ଅଦିନ ବର୍ଷାକୁ
ସାଇଁସାଇଁ ପବନର ଗର୍ଜନ ସହିତ
କୋହଲା ପାଗକୁ।
ଏବେ ତ ଓମିକ୍ରନର ପ୍ରଭାବ
ତାକୁ ଦୂରେଇବା ନିହାତି ଜରୁରୀ
ଭାରି କଷ୍ଟ ପାଉଛୁ ଘର କୋଣେ ବସି
ଯେମିତି ଆମେ ଡହରା ଗାଈ
ମାଡି଼ ଖାଇଯିବୁ ସବୁଜ କ୍ଷେତକୁ
ସେଥିପାଇଁ ତୁଣ୍ଡି ବାନ୍ଧିଅଛୁ।
କେତେ ଆଉ ଦୂରତା ବଜାଇ ରଖିବୁ
ବଞ୍ଚିବାକୁ ତ କାମ ଲୋଡା଼
ସାବୁନ ଖଣ୍ଡେ ମିଳୁନି
ସାନିଟାଇଜର ପାଇଁ ଅର୍ଥ ଆସିବ କେଉଁଠୁ?
ଭଲ ହେଲା ତୁମେ ଆସିଗଲ
ଏଥର ତ ବୁଝନ୍ତୁ
ନ ଦିଅ ପଛକେ ଶିକ୍ଷାରୁ ପୁଳାଏ
ନ ହୁଏ ପଛକେ ସାକ୍ଷର ଜଗତେ
ବଞ୍ଚିବାକୁ କିନ୍ତୁ କର ତୁମେ କିଛି।
ଦେଖ !
ତୁମ ପାଇଁ ଆଞ୍ଜୁଳା ଆଞ୍ଜୁଳା ଫୁଲ
ମହମହ ବାସ୍ନାୟୀତ ଧୂପ
ଗନ୍ଧ,କର୍ପୁର,ସିନ୍ଦୂର ଓ କଜ୍ଜଳ ଆଣିଛି
ତୁମେ ସୁନ୍ଦର ଦିଶିବ
ସଂସାରର ଦୁଃଖ ପୋଛିବାକୁ।
ମୁଁ ଚାହୁନି ମୋ ହୃଦୟେ ଶିକ୍ଷା ବୁଣିଦିଅ
ଚାହୁଁନି ବି ଭଲ ମଣିଷଟେ ଗଢି଼ ଦେବାକୁ
କେବଳ ଏତିକି ହିଁ ଚାହେଁ
ମଣିଷ ପରି ମଣିଷଟେ
ମୁକ୍ତିରେ ବଞ୍ଚିବାକୁ ଦିଅ।
ତୁମେ ତ ପାଠର ଦେବୀ
ମୁଁ ପାଗଳ ପରି ଭ୍ରମୁଛି।
ମୋତେ ତୁମେ ପାଗଳ ବି କହିପାର
କିନ୍ତୁ ସଭିଙ୍କ ହୃଦୟରେ
ଖୁନ୍ଦିଦିଅ ଶିକ୍ଷାର ମୁରୁଜ
ଭଲ କରିଦିଅ ସଭିଙ୍କୁ ସଂସାରର ହାଟରେ
ହେଲେ ମୋର ଲୋଡା
ଭଲରେ ବଞ୍ଚିବା
ମୁହଁରୁ ତୁଣ୍ଡି ଖୋଲିଦିଅ ଆଉ
ମୁକ୍ତରେ ଦଣ୍ଡେ ବୁଲିବାକୁ
ପାଣି,ପବନ ଓ ଆଲୋକ ଦେଖିବାକୁ
ଯେଉଁଠି ସବୁ ବିଷାକ୍ତ ହୋଇଛି।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
-------------------------------------------
ଶିକ୍ଷକ
ସୁକାନ୍ତ ଖଣ୍ଡା
ଶିକ୍ଷକ ଗୋଟେ ସୁନ୍ଦର ଶଦ୍ଦ।
ଯେଉଁଠି ଲୁଚି ରହିଥାଏ
ବାପା ଓ ମାଆର ଶାସନ
ସ୍ନେହ,ପ୍ରେମ ଓ ଭଲ ପାଇବା।
ଆଜି କିନ୍ତୁ ବହୁ ରୂପରେ ଉଭା
ଡାକ୍ତର,ଇଞ୍ଜିନିୟର ଓ ପୋଲିସ ପରି
କର୍ମ କରିବାରେ ମଗ୍ନ।
ସେ ଭୟଙ୍କର ଚିତ୍ରକରଟିଏ
ବିଷୟ ଭିତ୍ତିକ ବିନା ଚିତ୍ରରେ ପଢେ଼ଇବା ମନା
ଗାୟକ ଓ ନୃତ୍ଯ ଶିଳ୍ପୀଟିଏ ପରି
ଭରପୂର କବିତାକୁ ଉଚ୍ଚ ସ୍ବରରେ
ପଢି଼କି ନାଚିବ।
ଆଉ ବି ପ୍ରବଚକ
ବିଭିନ୍ନ ଦୃଷ୍ଟାନ୍ତ ଦେବାକୁ ବାଧ୍ଯ
ନ ହେଲେ ପିଲାଙ୍କ ମନ
ଉଡି଼ଯିବ କାହିଁ କେଉଁ ସ୍ବର୍ଗ କି ନର୍କକୁ?
ଏଠି ଝାଡା଼ ଫେରିଲେ ପଞ୍ଛେଇବ
ବାନ୍ତି କରିଲେ ଧୋଇବ
ଅତଏବ ପୂର୍ଣ୍ଣ ନୌକର ସଦୃଶ
ନାକ,ଆଖି,ପାଟି ଅବା ପୂରା ଅବୟବ।
ବିଚରା !
ଶିକ୍ଷକ ପ୍ରତିକ୍ଷଣେ ସଚେତନ ଏଠି
ଯଦି ବ୍ଯତିକ୍ରମ ହୁଏ
ସଭିଙ୍କର ନାଲି ଆଖି ଯେମିତି ଗରିବଙ୍କ ଶାଳୀ।
ଛୋଟ କର୍ମଚାରୀ ବୋଲି
କେଉଁଠି ବି ପାଏନା ଆଦର କି ସମ୍ମାନ?
ଦୃଷ୍ଟାନ୍ତ-
ଆପଣ ବ୍ଯାଙ୍କ ଯିବେ ତ
କେହି ବି କହିବେନି ବସନ୍ତୁ
ଥାନାକୁ ଯିବେ ତ
ପୋଲିସର ନାଲି ଆଖି ଆଉ ଅପଶଦ୍ଦ
ବ୍ଲକ ଯିବେ ତ କୁକୁର ବୋଲି କିଏ ପଚାରେ,କୁହ?
କିନ୍ତୁ ବିଦ୍ଯାଳୟକୁ କେହି ଆସନ୍ତୁ
ଅବଶ୍ଯ ସମ୍ମାନ ସହ ବସିବାକୁ କହିବେ
ଚେୟାର ବଢେ଼ଇ କେଇପଦ
ସୁଖର ହେଉ କି ଦୁଃଖର କଥା?
ଆତ୍ମା ତାର କାନ୍ଦୁଥାଉ
ହସିବାକୁ ପଛେଇବ ନାହିଁ।
ଶିକ୍ଷକ କୁଆଡେ଼ ବ୍ରହ୍ମା,ବିଷ୍ଣୁ ଓ ଶିବ
କିନ୍ତୁ ଆଜି ବଦଳି ଯାଇଛି ସବୁ
କେବଳ ହିଁ କେବଳ
ନୌକର ଆଉ ନୌକର।
ହେ !
ସଭ୍ଯ ଶିକ୍ଷିତ ସମାଜ
ବିଚରା !
ଏ ଶିକ୍ଷକଟାକୁ
ଏତେ ନୀଚ୍ଚ ଦୃଷ୍ଟି,ବିଷ ଦୃଷ୍ଟି କିଆଁ?
ଏଠି ସମ୍ମାନ ଅଛି ନା ଅର୍ଥ
ସନ୍ତୋଷ ନା ଭବିଷ୍ଯ
ଖାଲି ଢୋକେ ପିଇ ଜୀଇଁବାର ବେଳ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
-------------------------------------------
ସାଧୁ ସାବଧାନ
ସୁକାନ୍ତ ଖଣ୍ଡା
କିଏ ଏଠି ଚିତ୍କାର କରୁଛନ୍ତି
ସାଧୁ ସାବଧାନ କହି?
ଯିଏ ସତ୍ଯର ମଙ୍ଗ ଧରିଥାଏ
ଯିଏ କପଟ ଓ ମିଥ୍ଯାରୁ ଦୂରରେ
ଯିଏ ଦେଇଥାଏ ସୁନ୍ଦର ବାର୍ତ୍ତା ଆଉ ବାଣୀ?
ଦେଖ !
ସାଧୁମାନେ ଈଶ୍ବରଙ୍କ ସଙ୍ଗ କରୁଛନ୍ତି
ମଙ୍ଗ ବି ଧରିଛନ୍ତି ବିଶ୍ବହିତ ପାଇଁ
ପର ନିନ୍ଦାଠୁ ଉର୍ଦ୍ଧ୍ବରେ
କେବେ କାହାଠୁ ଧାର ଆଣିବା ଜାଣିଛନ୍ତି?
ସେମାନେ ତ ସମୁଦ୍ର ପରି
କଳକଳ ଛଳଛଳ
କିଛି ହିଁ ନିଅନ୍ତିନି
ପ୍ରତିକ୍ଷଣ ଦେବାରେ ମସଗୁଲ
ସ୍ନେହ,ପ୍ରେମ ଓ ଭଲ ପାଇବା
ଖୁନ୍ଦି ହୋଇଥାଏ ମନ ହୃଦୟରେ।
ସେମାନେ ଡରନ୍ତିନି କାହାକୁ
ନା ମୃତ୍ଯୁକୁ ବି ନୁହଁ
କର୍ମରେ କର୍ମରେ ଧର୍ମକୁ ପାଳିବା
ବିଶ୍ବହିତେ କର୍ମ ସମ୍ପାଦନ।
ଅତଏବ !
ମୁଁ,ମୋ ପରି ଯେଉଁମାନେ ଅସାଧୁ
ଧାର ଆଣି ବି ସୁଝୁନୁ
ମିଥ୍ଯାରେ ପହଁରୁଛୁ ଅହରହ।
ମୁଁ ,ଆମେ,ଆମ ପରି ଯେଉଁମାନେ
ସାବଧାନ,ସାବଧାନ !
କିଏ ଜାଣେ ସମୟ ଚକ୍ରରେ ପେଷି ନ ହେବା
ହାତର ଉଉଡି଼ ବେକରେ ଯଦି ବାଜିଗଲା
ମାମୁଘରେ ରହିବାକୁ ହେବ
ମଶା,ମାଛି,ମୂଷା,ଓଡ଼ଶ ଓ ଚେମିଣୀଙ୍କ ଗହଣରେ
ସମୟ ଯେ ନ କାଟିବା ଏ କଥା କିଏ କହିବ?
ଅସାଧୁ !
ଯେଉଁମାନେ ମୋ ପରି ନୀଚ୍ଚ ଆଉ ଧୀଟ
ପ୍ରତିକ୍ଷଣ କାମନାର ନିଆଁରେ ଓ
ଅର୍ଥ ଶୋଷଣରେ
ପାଟିରେ ଅମୃତକୁ ପେଟରେ ଭରପୂର ହଳାହଳ ବିଷ।
ଅସାଧୁ ସାବଧାନ
ଦେଖ ମୋ ନିଜର ମୁଣ୍ଡ ଉପରେ ବି
କିଏ ଝୁଲୁଛି କୁହନ୍ତୁ ତ
ସନ୍ତୋଷ,ସୁଖ ଓ ସମୃଦ୍ଧି ପାଇଁ ନା ଅନନ୍ତ ଶାନ୍ତି ପାଇଁ?
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
------------------------------------------
ଶୀତ ଅନ୍ତେ ବସନ୍ତ ଆସିଲା
ସୁକାନ୍ତ ଖଣ୍ଡା
ଶୀତ ଆପେ ହଟିଗଲା ଆଉ ଛାଡି଼ଦେଲା ଗାଦି
ଯେଉଁଠି ରାଜୁତି କରୁଥିଲା
ପ୍ରାଣୀ ଓ ଉଦ୍ଭିଦଙ୍କୁ ହସେଇ କନ୍ଦେଇ।
ଶୀତ ତ ବାଘ ସଦୃଶ
ପିଇ ଯାଉଥିଲା ରକ୍ତ ଗରିବଙ୍କ ହୃଦୟରୁ
ଯିଏ ସଦା ହନ୍ତସନ୍ତ
ଘୋଡେ଼ଇ ହେବାକୁ ନା ଖାଇବାକୁ ପାଉଥିଲା?
ନିଆଁ ତାର ଆଶ୍ରା,ସୂର୍ଯ୍ଯ ତାର ବନ୍ଧୁ
ଆଉ ପବନ ତା'ର ଖାଦ୍ଯ।
କିନ୍ତୁ ତୁମେ ତ
ସୂର୍ଯ୍ଯଙ୍କୁ ବି କରୁଥିଲ କାବୁ।
ଏବେ ଗାଦି ଗଲା
ଗଲା ବି ପାରିବା ପଣିଆଁ
ଯିଏ କାମନାରେ କବଳିତ ଦୁର୍ବଳଙ୍କୁ
ପ୍ରତିକ୍ଷଣ ମାରିମାରି ବଞ୍ଚାଉ ଥିଲା
ବଞ୍ଚାଇକି ମଧ୍ଯ ମାରୁଥିଲା ସ୍ବପ୍ନରେ ସ୍ବପ୍ନରେ।
ଦେଖ !
ଏବେ ବସନ୍ତ ଆସିଛି
ବୁଣି ଦେଲାଣି କାମନାର ଢେଉ
ପ୍ରତି ହୃଦୟେ ଆନନ୍ଦର ମାହୋଲ
ସ୍ବପ୍ନରେ ସ୍ବପ୍ନରେ ଉଡି଼ଲେଣି କାହିଁ କେତେ ଦୂର
ଯୁବକ ଓ ଯୁବତୀଙ୍କ ବିବାହ ବନ୍ଧନ
ବୃକ୍ଷରାଜୀ ବି ନବ ପଲ୍ଲବୀତା
ପତ୍ର,ଫୁଲ,ଫଳ ଓ ପରିବେଶକୁ
ଦ୍ବି'ଗୁଣିତ କିରିବାରେ ଲକ୍ଷ୍ଯ।
ପରିବେଶ ପୂରା ତୋଫା।
ଆଜି ଶୀତରେ ଥରିବ ସଂସାର
ନା ବର୍ଷାର ଭୟରେ ଲୁଚିବ କେଉଁଠି?
ଖରା ବି ତ ନାହିଁ
କଲବଲ କରି ମାରିବାକୁ ଘଡି଼ଏ।
ଭାରି ଭଲ ଲାଗୁଛି ବସନ୍ତର ଆଗମନ
ପୂରି ଉଠୁଛି ତନୁମନ ଏ ହୃଦୟ କୋଣରେ।
ଦେଖୁନ !
କୋଇଲି ଆଉ ହଳଦୀ ବସନ୍ତର ସୁମଧୁର ସ୍ବରକୁ
ଯାହା ଦୋହଲାଇ ଦେଉଛି
ପ୍ରତିଟି ପ୍ରାଣୀ ଉଦ୍ଭିଦଙ୍କୁ।
ଅନୁରୋଧ !
ମୋତେ ନିଅ ନାହିଁ
ସ୍ବର୍ଗ କି ନର୍କକୁ
ବଞ୍ଚିବାକୁ ତ ଦିଅନ୍ତୁ ଘଡି଼ଏ।
ଦେଖିନିଏ ବିଶ୍ବ ଯାକର ଦୃଶ୍ଯ
ଶୁଣିନିଏ ସୁମଧୁର ସ୍ବର
ଖାଇନିଏ ବୃକ୍ଷଙ୍କ ଦାନକୁ।
ଭାରି ଇଛା ହେଉଛି ଠାକୁର
ହେଲେ ମୃତ୍ଯୁ ହୋଇ ଉଭାହୁଅ କିଆଁ?
ଶୀତ ଯାଉଯାଉ ଅଥବା
ବସନ୍ତ ଆସୁଆସୁ ଏ ଧରା ଧାମକୁ।
ମୁଁ ଗୁହ ଓ ମୂତରେ ସଢୁଛି
ତଥାପି ସ୍ବାଗତ ହେ ବସନ୍ତ।
ଯଦ୍ଯପି ଉପଭୋଗ କରି ପାରିବି ନାହିଁ
ତଥାପି କାହିଁକି କେଜାଣି
ଉଲ୍ଲସିତ ହୁଏ ମୋର ଏ ତନୁମନ
ଭାସି ଉଠେ ସମୁଦ୍ରର ଲହଡି଼ ସଦୃଶ
ସାଇଁସାଇଁ ପବନର ଗୀତ ନୀରବତା ପରି।
ମୋର ଆକୁଳତାକୁ ଶୁଣିଲନି
ବାନ୍ଧି ନେଉଛ ସେ ପୁରକୁ
ଯେଉଁଠି ସ୍ବର୍ଗ ଅବା ନର୍କର ଘର
ଖରା,ବର୍ଷା,ଶୀତ କି
ବସନ୍ତର ରାଜତ୍ବ ବି ନାହିଁ।
ଶୀତ ଅନ୍ତେ ବସନ୍ତ ଆସିଲା।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
-----------------------------------------
ବାପରାଣ ଢିଙ୍କିଗିଳ
ସୁକାନ୍ତ ଖଣ୍ଡା
ମୁଁ ଅଶୀ ବର୍ଷର ବୁଢା଼
ବୁଢୀ଼ ବି ଅଛି ମୋ'ରି ପାଖରେ।
ମୁଁ ତାକୁ ବହୁତ ଭଲପାଏ
ଯେମିତି କ୍ଷୀର ଆଉ ନୀର
ଦେହ ଆଉ ଛାଇ
ଭଲପାଏ ବୋଲି ତ
ଦଣ୍ଡେ ଦୂରରେ ରହିବା ଚାହୁଁନି।
ମୁଁ ପ୍ରତିକ୍ଷଣ ଦେଖୁଥାଏ ତା' ମୁଖ ମଣ୍ଡଳକୁ
ପଦ୍ମର ରସକୁ ଯେମିତି ଚୋଷୁଥାଏ ମରାଳ
ଘିରିଘିରି ବୁଲୁଥାଏ ତା' ଚାରିପାଖେ
ଆଉ ଯେମିତି ପଘାରେ ବନ୍ଧା ଷଣ୍ଢଟିଏ।
ମୋର ଦୁଇ ପୁଅ ଦୂର ଦେଶରେ
ଜଣେ ଆମେରିକା ତ ଆରକ ଇଂଲଣ୍ଡ
ସେମାନେ ତାଙ୍କ କର୍ମରେ ବିଭୋର
ଯେମିତି ପବନର ସମୟ ହିଁ ନାହିଁ
ଦଣ୍ଡେ ବସିବା।
ଅବଶ୍ଯ ଆମ ବୁଢା଼ବୁଢୀଙ୍କୁ ନେବା ପାଇଁ କେତେ କହିଛନ୍ତି
ମୁଁ କିନ୍ତୁ ଚାହିଁନି ଯିବାକୁ
ଭିଟାମାଟି,ମାତୂଭୂମି ଆଉ ମାତୃଭାଷା
ମୋତେ ଅଟକେଇ ଦେଇଛି।
ସେ'ଦିନ ବଡ଼ ନାତିଆ ବାପରାଣ ଢେଙ୍କିଗିଳ କରି
ନେଇଗଲା ଇଂଲଣ୍ଡକୁ
ଯେଉଁଠି ଆଣ୍ଠୁ ଲୁଚୁ ନ ଥିବା କପଡା଼ ପିନ୍ଧନ୍ତି
ନିଆଁଲଗା ଏ କେଉଁ ଭାଷା?
କିଛି ବୁଝି ହେଉଛି ନା କହି ହେଉଛି
ବଲବଲ କରି ଅନେଇବା ଛଡା଼
ଚାରା ହିଁ ନ ଥିଲା।
ବଡ଼ ନାତିଆ ବୁଢୀ଼କୁ କୁଆଡେ଼ ବୁଲେଇ ନେଇଗଲା
ମୁଁ ପଡି଼ ରହିଲି ଅଲୋଡା଼ ସଦୃଶ
ଯେମିତି ଭଙ୍ଗା ଆଇନା ପଡି଼ରୁହ କାନ୍ଥ କୋଣରେ
ଭଙ୍ଗା ଘଣ୍ଟାକୁ ଅନେଇବା ହୁଏ କି?
ମୋର ଲୁହ ଆଉ କୋହ
ମୁଁ ବର୍ଷିଗଲି ଅସରାଏ।
ମୋର ଲୁହକୁ ପୋଛିବାକୁ କେହି ଜଣେ ହେଲେ ନାହିଁ
ଯିଏ ଥାଏ ଅନେକ ଦୂରକୁ ଯାଇଛି
ବଡ଼ ନାତି ସହ କୁଆଡେ଼ ଭ୍ରମଣ
ଆଜି ଆସିବା ହେବ କି ନାହିଁ ସନ୍ଦେହ?
ସାନ ନାତି କହିଲା ଜେଜେ
ଲୁହ ଓ କୋହର ଭାସୁଛ କାହିଁକି?
ଜେଜି ତ ଆସନ୍ତା କାଲିକୁ ଆସିବେ।
ହୃଦୟ ବିଦାରକ ଚିତ୍କାର
ମୁଁ କହିଲି ରାତିରେ ଶୋଇବି କିପରି?
ତୋ'ର ଜେଜି ବିନା ମୁଁ ଅସପୂର୍ଣ୍ଣ
ମୋଟେ ନିଦ ହେବ ନାହିଁ।
ଦେଖ !
ଏବେ ବି କିଛି ଖାଇନି
ପଡି଼ ରହିଛି ଏବେ ବି ଖାଇବା?
ମୋତେ ଏବେ ହିଁ ଦରକାର
ଅନ୍ଯଥା ମୋତେ ମରିବାକୁ ହେବ।
ସାନ ନାତି ଆଶ୍ବାସନା ଦେଲା।
ଜେଜେ !
ମୁଁ ତୁମ ପାଖରେ ଶୋଇଲେ ହେବ ନାହିଁ?
ରାଗିକି କହିଲା
ମୋର ବୁଢୀ଼ ହିଁ ସର୍ବସ୍ବ
ଯା'ର ବିନା ବଞ୍ଚିବା କାଠିକର ପାଠ।
ମୁଁ ଛୁରୀଟେ ଧରିଲି ଓ ଆତ୍ମହତ୍ଯା ଉଦ୍ଯମ।
ଏବେ ବୁଢୀକୁ ନ ଆଣିବୁ ତ
ଏଇ ଦେଖ ତୋ'ର ସମ୍ମୁଖରେ
ମୁଁ କ'ଣ କରୁଛି?
ଜେଜେ ବାପରାଣ ଢେଙ୍କିଗିଳ କଲେ।
ମୁଁ ନିରୁପାୟ କେବଳ ବଲବଲ ଅନେଇ ରହିଲି
ବଡ଼ ଭାଇ ଘର ଭିତରୁ ଜେଜିଙ୍କୁ ଦେଖେଇଲେ ତ
ମୁଁ ମୋ'ର ବୁଢୀ଼କୁ କୁଣ୍ଢାଇ ବୁକ ବୁଣିଦେଲି
ଯେମିତି ସମୁଦ୍ରରେ ଲହଡି଼ ଘନଘନ
ଭସା ବାଦଲ ଭିତରେ ବିଜୁଳି ଚମକେ।
ସାରା ଘର ପରିବାର ଅବାକ୍।
ସତରେ !
ପ୍ରେମ କରିବ କି ଭଲ ପାଇବ ତ ଏମିତି
ଶୟନେ ଶପନେ ଭଜୁଥିବ
ଯେମିତି ଭକ୍ତଟିଏ
ବିଭୁକୃପା ପାଇଁ ପାଗଳ।
ଜେଜି କହିଲେ ନାତି
ଆମର ପ୍ରେମ ଅତୁଟ
ମୂହୁର୍ତ୍ତେ ବିଚ୍ଛେଦ ହେବ ତ
ଆଣିଦେବ ହୃଦୟକୁ ଅନନ୍ତ ଦୁଃଖ
ସେଥିପାଇଁ ତ ଆମେ ଦୁହେଁ
କୁଆଡେ଼ ବି ଯାଉନା।
ବଡ଼ ନାତି ବୁଝିଲା
ଜେଜେଙ୍କ ବାପରାଣ ଢେଙ୍କିଗିଳର ରହସ୍ଯ
ଆଉ ଶପଥ ନେଲା
ଏହିପରି ସ୍ନେହ,ପ୍ରେମ ଓ ଭଲ ପାଇବାକୁ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
------------------------------------------
ସମର୍ପଣ
ସୁକାନ୍ତ ଖଣ୍ଡା
ଆଜିକାଲି ପତ୍ନୀ ସମର୍ପଣ ସ୍ବାମୀକୁ
ପୁଅ ସମର୍ପଣ ବାପାଙ୍କୁ ନା
ଝିଅ ସମର୍ପଣ କରେ ମାଆଙ୍କୁ?
ସବୁ ତ ଗୋଟିଏ ଗୋଟିଏ ଭେଳିକି
ଆପଣା ସ୍ବାର୍ଥରେ ସ୍ବାର୍ଥରେ।
ଯଦି ପାରିବାରିକ ସମର୍ପଣରେ ବିଚ୍ଛେଦ
ତେବେ ଧର୍ମ କ'ଣ ସତରେ କରିଥାଉ?
ପ୍ରଶ୍ନ ନିଜକୁ
ଉତ୍ତର ବି ନିଜକୁ ଦିଅନ୍ତୁ।
ମୁଁ ତ ଭାବେ
ଯଦି ପ୍ରସାଦକୁ ସମର୍ପଣ କଲାବେଳେ
ସ୍ବୟଂ ଠାକୁର ଉଭା ହୋଇଯାନ୍ତେ
ଆଉ ବି ଖାଇଯାନ୍ତେ ଟାଉଟାଉ
ଦେବାକୁ ନାଁ ଧରନ୍ତେନି।
ପ୍ରସାଦ ଲଗାଉ ମିଛଟାରେ
କେବଳ ହଁ କେବଳ
ସମର୍ପଣ
ନିଜକୁ ହିଁ ନିଜେ
ଭରପୂର ସ୍ବାର୍ଥରେ ସ୍ବାର୍ଥରେ।
ଆଜ୍ଞା !
ଭୁଲ କହିଲି କି?
ଯଦି ମିଛ,କ୍ଷମା କରିଦେବେ।
ଆଉ ଯଦି ସତ୍ଯ
ମିଛଟାରେ ଆମେ ବଡ଼ ଭକ୍ତ କହିଥାଉ।
ସମର୍ପଣ କ୍ଷୀର ଆଉ ନୀର
ଅଥବା ଦେହର ଛାଇ ପରି
ଯେବେ ହୋଇଗଲା
ବୁଝିବାକୁ ହେବ
ସେ ମଣିଷ ରୂପରେ ଦେବତା,ନୁହେଁ?
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
-------------------------------------
ସମର୍ପଣ
ସୁକାନ୍ତ ଖଣ୍ଡା
ମୁଁ ସମର୍ପଣ କରିଥିଲି ଦେହ ଓ ମନକୁ
ଦୀର୍ଘ ଭବିଷ୍ଯତ କାମନାରେ
ଏ ସୁନ୍ଦର ସତସତିକା ସଂସାରରେ।
ସବୁକୁ ହିଁ ଅଜାଡି଼ ଦେଇଥିଲି
ଯେମିତି ବୃକ୍ଷ ଅଜାଡି଼ ଦେଇଥାଏ
ଅଜାଡି ଦେଇଥା'ନ୍ତି ପାଣି,ପବନ ଓ ଆଲୋକ
ନିଜ କର୍ମକୁ ଧର୍ମୀୟ ଭାବନାରେ।
ହେଲେ ଏମାନଙ୍କ ସମର୍ପଣ ବୃଥା
କେହି ଗ୍ରହଣ କରୁଛନ୍ତି କି?
ନା ମୋଟେ ନୁହେଁ
ପୂରାପୂରି ଦୂଷିତ ଏମାନଙ୍କ ପରି
ମୁଁ ବି କଲବଲ ହେଉଛି।
ମୁଁ ତ ଗୋଟେ ନାରୀ
ନିଜର ଇଛାରେ ସମର୍ପି ଦେଇଥିଲି
ସ୍ବାମୀ,ଶାଶୂ,ଶ୍ବଶୂର,ନଣନ୍ଦ ଓ ଦେବରଙ୍କ ପାଖରେ
ହେଲେ କିଏ କେତେ ଭଲ ପାଇଲେ,କୁହ ତ?
ସ୍ବାମୀଙ୍କ ଆଦେଶରେ ଶ୍ବଶୂର ବି ଝୁଣି ଖାଇଗଲା
ଦେବର ତ କଂସ,ରାବଣ ଓ ମହିଷାସୁର
ନଣନ୍ଦ ଗୋଟେ ମନ୍ଥରାଠୁ ବଳି
ଶାଶୂ ତ ଉଦଣ୍ଡି,ଉଲକାପିଣ୍ଡ
ହଠାତ ଆସି ଜାଳି ଦେଇଯିବ ସାରା ଅବୟବ
ଭାବିବନି ସେ ଜଣେ ନାରୀ
ଆଉ ତା'ର ବି ଝିଅଟିଏ ଅଛି?
ଧିକ ! ଏ ସଂସାରକୁ।
ଯଦି ଈଶ୍ବର ସତ୍ଯ ଓ ମହାନ
ତେବେ ଦୌପଦୀଙ୍କ ପରି ରକ୍ଷା କଲେ ନାହିଁ କାହିଁକି?
ଦେଖୁଛନ୍ତି,ଜାଣୁଛନ୍ତି ଓ ଶୁଣୁଛନ୍ତି ବୋଲି ପ୍ରଚାର ପ୍ରସାର
ହେଲେ ସବୁ ହିଁ ତ ମିଥ୍ଯା।
ସମର୍ପଣ କରିବା ଆଜି ମହା ଅପରାଧ
ଏଠି ଜଣେ ହେଲେ ନାହିଁ ବି ସଚ୍ଚୋଟ।
ହେ ନାରୀ ଜାତି !
ଆପଣମାନେ ନିଜକୁ ହିଁ ପଚାରନ୍ତୁ
ମୁଁ ତ ନିଜେ ନିଜ ଘରକଥା ହିଁ କହିଲି।
ବାଟରେ,ଘାଟରେ ଓ ମଠରେ ବି
ସଭିଙ୍କ ଲୋଲୁପ ଦୃଷ୍ଟି
ସମର୍ପଣ କାହାକୁ କରିବା କୁହ?
ଅଫିସର,ରାଜନେତା,ଅଭିନେତା,ସମାଜସେବୀ ନା ସାଧାରଣ ଜନତା?
ସଭିଏଁ ତ ଧପ୍ପାବାଜ
ସମର୍ପଣ କରିବା ତ ରକ୍ତକୁ ହରାଇବା
ଯାହା ଆମର ସବୁଠୁ ସୁନ୍ଦର ଓ ଦାମୀ ଚିଜ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର।
----------------------------------------
ମନ
ସୁକାନ୍ତ ଖଣ୍ଡା
ମନ ଏକ ପବନ।
ଯିଏ କ୍ଷଣକେ
ଚଉଦ ଭୁବନ ବୁଲେଇ ଆଣେ।
ତାକୁ ଅଟକେଇବା
କାହାର ସାଧ୍ୟ ଅଛି,କୁହ?
ସେ ତ ରାଜା ସମ
ମାଡି ବସିଥାଏ ଶରୀରରକୁ।
କ୍ଷଣକେ ଏଠି-ସେଠି-ସବୁଠି
ଯିଏ ସ୍ବପ୍ନର ସହରେ
ସତ୍ଯ ଆଉ ମିଥ୍ଯା
ଇଲାକାରେ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
---------------------------------------
ବୈତରଣୀ
ସୁକାନ୍ତ ଖଣ୍ଡା
ମୋ ଜୀବନର ବୈତରଣୀଟି
ଗୋଟେ ଅଲୋଡା଼ ଅଭିଶପ୍ତ ଧାରା
ଡହଡ଼ହ ବୈଶାଖରେ ଯେମିତି
ଶୁଷ୍କ ହୋଇଥାଏ ତଟିନୀ।
ମୁଁ ସ୍ବର୍ଗର ମନ୍ଦାକିନୀ ନୁହଁ
ପାତାଳର ଭୋଗବତୀ କି
ମର୍ତ୍ତ୍ଯର ଗଙ୍ଗା ଭାଗିରଥୀ ବି ନୁହଁ
ନୁହେଁ ମଧ୍ଯ କେନ୍ଦୁଝର ଗୁପ୍ତଗଙ୍ଗା ବୈତରଣୀ।
ଯିଏ ଗୋନାସିକାରୁ ବାହାରି
ବ୍ରହ୍ମେଶ୍ବର ଶିବ ମହାଦେବଙ୍କ ପାଦ ଧୋଇ
କଳକଳ ଛଳଛଳ ମୁଖରିତ
କେତେ ପ୍ରାଣୀ ଓ ଉଦ୍ଭିଦଙ୍କୁ ଯୋଗାଉଛି ଆନନ୍ଦ ଲହରି
ଅଙ୍କାବଙ୍କା ଚାଲି ଆଉ କୁଳୁକୁଳୁ ରାଗିଣୀରେ
ଆହା !
ଦୌଡୁଅଛି ଅବିରାମ ପ୍ରିୟତମ ପାଖକୁ।
ସିଏ ବି ପ୍ରସାର କରିଛି ହସ୍ତକୁ
ଯିଏ କେବେ କିଛି ବି ନିଏ ନାହିଁ
ଯାହା ଦେଲେ ମୁକ୍ତ ହସ୍ତରେ ଫେରାଇ ଦେଇଥାଏ
ଖୁସିରେ ଖୁସିରେ।
ଏ ବୈତରଣୀ କିନ୍ତୁ ଭିନ୍ନ
ଯିଏ ନିତି କାନ୍ଦୁଛି ଗୁମୁରି ଗୁମୁରି
ଯେମିତି ଲୋଟଣୀ ପାରାଟିଏ
ଅଥବା ଗୋଟେ ଭୟଙ୍କର ଅଭିଶପ୍ତ ନାୟିକା।
କଣ୍ଟକିତ ତାର ପଥ
ଚାଲି ବି ନୀରବ ନିଥର
ସ୍ବାର୍ଥରେ ସ୍ବାର୍ଥରେ ଓ ଗର୍ବ ଅହଙ୍କାରେ।
ମୁଁ ଯୋଗାଇ ପାରେନା କିଛି
ଯେମିତି ଗୁପ୍ତଗଙ୍ଗା ବୈତରଣୀ ଯୋଗାଏ
ପ୍ରାଣୀ ଓ ଉଦ୍ଭିଦଙ୍କୁ।
ମୁଁ ତ ମୁଁ
ଗୋଟେ ରୋଗିଣା ଶୁଷ୍କ ବୈତରଣୀ
ପ୍ରତିକ୍ଷଣ କାନ୍ଦିବାକୁ ହୁଏ କର୍ମର ଫଳରେ
ସହିବାକୁ ବି ହୁଏ ଈଶ୍ବର ଦତ୍ତକୁ।
କିଏ ପାରନ୍ତି ତ ଭାଙ୍ଗି ଦିଅନ୍ତୁ ଅଣ୍ଟା
ମୋଡି଼ ଛିଣ୍ଡାଇ ଦିଅନ୍ତୁ ବେକ
ନିତି ମରିମରି ବଞ୍ଚିବା ଅପେକ୍ଷା
ମୃତ୍ଯୁକୁ ସ୍ବାଗତ କରିବା ଶ୍ରେୟସ୍କର
ଆଜି ମୁଁ ଚାହୁଁଛି।
ଦେଖ !
ମୋ ଜୀବନ ବୈତରଣୀଟି ଭାରି ସ୍ବାର୍ଥପର
କାହାକୁ ଦେବା କୁଣ୍ଠାବୋଧ କରେ
ଅଥଚ ସବୁକିଛିକୁ ହାତେଇ ନିଏ
କଳେବଳେ କୌଶଳେ ।
ହେ ଗୁପ୍ତଗଙ୍ଗା ବୈତରଣୀ !
ମୋ ଜୀବନ ତୁମ ପରି ହେବାକୁ ଚାହୁଁନି
ଚାହୁଁନି ବି ମନ୍ଦାକିନୀ,ଭୋଗବତୀ ଅବା ଭାଗିରଥୀ ପରି
ମୁଁ ତ ଗୋଟିଏ ସ୍ବାର୍ଥପର
ନିନ୍ଦୁକ,ନୀଚ୍ଚ,ଧୀଟ ଆଉ ଧପ୍ପାବାଜ
ପ୍ରତିକ୍ଷଣ ଦେବାରେ ନୁହେଁ,ନେବାରେ ମସଗୁଲ
ସେଥିପାଇଁ ବୋଧହୁଏ
ପୁଳାପୁଳା ରୋଗ ଓ ଯନ୍ତ୍ରଣା।
ନିତି ମରିମରି ବଞ୍ଚିବାକୁ
ଈଶ୍ବର କି ଚାହାଁନ୍ତି?
ମୁଁ ବୁଝୁଛି ନା ସୁଧାରି ନେଉଛି?
ଧୀକ୍ !
ମୋ ଜୀବନ ବୈତରଣୀକୁ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
---------------------------------------
ଶୃଙ୍ଖଳା
ସୁକାନ୍ତ ଖଣ୍ଡା
ଶୃଙ୍ଖଳାକୁ ଫିଙ୍ଗିଦେଲି ବୋଲି ତ
ଦୁଃଖ ପାଉଅଛି।
ଦିନେ ବୁଝିଲିନି ଶୃଙ୍ଖଳା ଶଦ୍ଦର ସାରାଂଶ
ଯିଏ ସଂସାରରେ ଝଲମଲ
ଆକାଶର ସୂର୍ଯ୍ଯ,ଚନ୍ଦ୍ର ଓ ପବନ ସଦୃଶ।
ଶୈଶବରେ ପଢି଼ଲିନି ପାଠ
ଅଳ୍ପ ବୟସରୁ ସଂସାରର ସୌନ୍ଦର୍ଯ୍ଯ ରଙ୍ଗିଲା ଦିଶିଲା
ଭୁଲିଗଲି ନିଜକୁ ଯେମିତି ଭୁଲେ ଦେହକୁ ଆତ୍ମା
ସକାଳ ଭୁଲେ ସଞ୍ଜକୁ।
ଦିନେ ସୁକର୍ମ କରିବାର ଥିଲା
ଭବିଷ୍ଯତ ଗଢି଼ ମରିକି ଅମର ହେବାକୁ।
ଯେମିତି ଅର୍ଜିଥିବା ଧନକୁ
ଚୋର କି ଖଣ୍ଟର
ହସ୍ତଗତ କେବେ ବି
ହୋଇ ନ ଥାନ୍ତା ଜୀବନରେ।
ମୁଁ ଭୁଲିଗଲି ଶୈଶବର କର୍ମ
ଫଳତଃ
ଖରା,ବର୍ଷା ଓ ଶୀତରେ
ପଥର ବାଡ଼ଉଛି
କର୍ମ ନ କରିବି ତ ଖାଡା଼ ଉପବାସ।
ଯୁବକ ନ ହେଉଣୁ
ଝିଙ୍କି ଆଣିଲି ସେ ପଡୋ଼ଶୀ ଘରର ଝିଅକୁ
ଜୀବନ ସାଥୀ କରିବାକୁ
କ୍ଷଣିକ ସୁଖରେ ସମଗୁଲ ରହିବାକୁ।
ଆଜିକାଲି ଡର୍ଜନେ ପିଲାର ବାପା
ଝିଅମାନଙ୍କୁ ଅଣଦେଖା କରି
ପୁଅ ଲକ୍ଷ୍ଯରେ
କ୍ରିକେଟ୍ ଅବା ଫୁଟବଲ ଟିମଟିଏ।
ଦେଖୁନ !
ବୁଢା଼ ହୋଇଲିଣି
ସନ୍ତାନଙ୍କୁ ଶୃଙ୍ଖଳା ଶିକ୍ଷା ବିନା
ସଭିଏଁ ମୋ ପରି ବିଶୃଙ୍ଖଳ ଆଉ ଧରିପଳା।
ଦିନେ ଶିକ୍ଷା ଆଉ ସ୍ବାସ୍ଥ୍ଯ ଚୁଲିକୁ ଫିଙ୍ଗିଲି
ପୋଡି଼ ଖାଇଲି ବି ବିବେକକୁ
ଯିଏ ଅନନ୍ତ ସନ୍ତୋଷ ଦେଇଥାନ୍ତା ହୃଦୟ କୋଣକୁ,ଦୀର୍ଘ ଭବିଷ୍ଯତକୁ।
ସତରେ !
ମୁଁ ହିଁ ବିଶୃଙ୍ଖଳିତ ପୁରୁଷ
ପୂରା ପରିବାର ସେଥିପାଇଁ ବୋଧେ
ସେହି ନାବରେ ବି ଠିଆ
ଗୋଟେ ନୀଚ୍ଚତା,ଗୋଟେ ହୀନତା ଆଉ ବର୍ବରତା,ନୁହେଁ?
ଦେଖ !
ଗୁହ ଓ ମୁତରେ ସଢୁଛି
କେହି ବି ଆହା କରୁ ନାହାନ୍ତି
ପିତାସ୍ବର୍ଗଃ,ପିତାଧର୍ମଃ ଆଉ ପିତାତପଃ ବୋଲି
ସଭିଏଁ ମୋର ପରି ନୀଚ୍ଚତା ହୀନତା
ପୂରା ମସଗୁଲ ତେଲ ଓ ଲୁଣ ଦୁନିଆରେ।
ସତରେ !
ଶୃଙ୍ଖଳ ଏମିତି ଏକ ଶଦ୍ଦ
ଯେଉଁଥିରେ ଖୁନ୍ଦି ହୋଇଥାଏ
ବିଶ୍ବ ଯାକର ଶାନ୍ତି
ଶୟନେ ଓ ସ୍ବପ୍ନରେ ସନ୍ତୋଷର ଛାପ।
ଆଜ୍ଞା !
ଆପଣଙ୍କୁ କୋଟି ନିବେଦନ
ମୋ ପରି ବିଶୃଙ୍ଖଳ କେବେ ବି ହେବେନି କି
ନିତି ମରିମରି ବଞ୍ଚିବାକୁ ଚାହିଁବେନି।
ଏମିତି ଶୃଙ୍ଖଳିତ ହୁଅନ୍ତୁ
ଯେମିତି ଘରଟି ବୈକୁଣ୍ଠ ସମାନ ହେବ
ପ୍ରତି ହୃଦେ ଖେଳିବ ହସର ତରଙ୍ଗ
ଆଉ ଚାନ୍ଦିନୀ ରାତିରେ ଗୋଟେ ଗୋଟେ ଜହ୍ନ।
ଯେମିତି ସମୁଦ୍ର,ପବନ ଅଥବା ଆଲୋକ
ଦୁଃଖ ଥିବ ନା ଶୋକ?
ଖାଲି ସନ୍ତୋଷ ଆଉ ସନ୍ତୋଷ।
ଶତଧିକ୍ ମୋର ଏ ଜୀବନକୁ
ଆଜି ବୁଝିଲା ବେଳକୁ
ସବୁ ଛିଟିକି ଯାଇଛି ଦୂରକୁ
ଖାଲି ଝରି ପଡୁଛି ମେଞ୍ଚାଏ ଲୁହ
ଆଉ ଆଞ୍ଜୁଳାଏ ଶୋକ
ଏ ସ୍ବପ୍ନର ସହରେ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
--------------------------------------
ଲଜ୍ଜା
ସୁକାନ୍ତ ଖଣ୍ଡା
ଝିଅ ଜନ୍ମ ହେବା ହିଁ ଲଜ୍ଜା।
ଭୁଲ କହିଲି କି
ହୁଏତ ତ ହୋଇପାରେ?
ମୋର ବୃତ୍ତାନ୍ତ ତ ଶୁଣନ୍ତୁ।
ମୁଁ ମା'ଙ୍କ ଗର୍ଭରେ ରହିଣି କାଳରେ
ଝିଅ ବୋଲି ହତ୍ଯା କଲା ବାପା
ଥରେ ନୁହେଁ କି ଅଧେ
ତିନିଥର ହତ୍ଯା କରି ହାରିଗଲା ପରେ
ମୁଁ ହେଲି ଭୂମିଷ୍ଟ।
ଏହା ଲଜ୍ଜା ନୁହେଁ କି?
ମୋତେ ତ ଅଣଦେଖା ଥିଲା
ଦିନେ ଏ ଦେହଟା ପାକଳିବା ଆଗରୁ
ଆଉ ଫୁଲ ବି ଫୁଟିବା ଆଗରୁ
ଧର୍ଷଣର ଶିକାର ହେଲି
ବାଟେ,ଘାଟେ ଓ ମଠେ
ଅଥଚ ବାପା ବି ନୀରବ।
ଏହା ଲଜ୍ଜା ନୁହେଁ କି?
ଶିକ୍ଷା ଆଉ ସ୍ବାସ୍ଥ୍ଯ ଚୁଲିକୁ ଯାଉ
ଭଲକି ଖାଇବା ମିଳେନି
ନିଜ ରୋଜଗାରକୁ ବି ଛଡେ଼ଇ ନିଅନ୍ତି
ଏହା ବାପାଙ୍କର କର୍ତ୍ତବ୍ଯ ନା
ମୋର ଏ ପାପର ଫଳ?
ଏହା ଲଜ୍ଜା ନୁହେଁ ତ?
ମୁଁ ବାରବାର ଧର୍ଷଣର ଶିକାର
ତଥାପି ରାଜନେତା ନା ପ୍ରଶାସକ
କିଏ ହେଲେ ଆହା ପଦ ନୁହେଁ
କୁଆଡେ଼ ଯାଏ କେଜାଣି ଆମ ସମ୍ବିଧାନ ଅଧିକାର?
ଏହା ଲଜ୍ଜା କି ନୁହଁ?
ମୋର ବୟସ କାଳରେ ବିବାହ ହେଲାନି
ଯଦିଓ ହେଲା ସ୍ବାମୀ ଫିଙ୍ଗିଦିଏ ରାକ୍ଷସଙ୍କ ପାଖକୁ
ଯେଉଁମାନେ ଝିଙ୍କିନେଇ ଖାଇଯାନ୍ତି ପୁଳାପୁଳା ମାଂସ
ରକ୍ତ ପିଇଯାନ୍ତି ଢକଢ଼କ।
ଏହା ଲଜ୍କା ନା ଆଉ କିଛି?
ମୁଁ ବାପାଙ୍କ ପାଖରେ ଯେଉଁ ଦୁଃଖ କଷ୍ଟ
ସ୍ବାମୀଙ୍କ ପାଖରେ ବଳି ପଡୁଛି ନିତି।
ମୁଁ ଏ କୁଳରେ ନା ସେ କୁଳରେ
ନିତି ମରିବାର ବେଳ
ହାଇରେ କପାଳ
ଝିଅ ଜନ୍ମ ହେବା ପାପ ନା ଲଜ୍ଜା?
ଯଦି ହଁ
ମୋତେ ଜନ୍ମ ଦେଲ କାହିଁକି?
ଯଦି ନା
ତେବେ ସୁରକ୍ଷା ନାହିଁ କାହିଁକି?
ମୋର ପରି ଯଦି କିଏ ବଳି ପଡୁଥିବେ
ଅଧିକାର କ୍ଷୁର୍ଣ୍ଣ ହେଉ ନାହିଁ ତ?
ଯବାବ ମାଗୁଛି ସଭିଙ୍କୁ
ମୋର ଉତ୍ତର ଦରକାର।
ଲଜ୍ଜା ଗୋଟେ କଳଙ୍କ
ଗୋଟେ ଧିଟ,ନୀଚ୍ଚ ନୀତି
ପୁରୁଷ ଜାତିଟା ନୁହେଁ
ଆମ ଭାରତୀୟ ସମ୍ବିଧାନ ବି
ସଚେତନ ଦରକାର,ନୁହେଁ?
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
---------------------------------------
ମହା ଶିବରାତ୍ରୀ
ସୁକାନ୍ତ ଖଣ୍ଡା
ଆଜି ମହା ଶିବରାତ୍ରୀ
ଚହଳ ପଡି଼ଲାଣି ଗାଁ'ଠୁ ସହର।
ମୁଁ କିଆଁ ନୀରବରେ ବସିବି
ବସି ଭାବୁଥିଲି ସ୍ବପ୍ନରେ ସ୍ବପ୍ନରେ
ଆନ୍ଦୋଳିତ ହେଉଥିଲା ମନ ଆଉ ହୃଦ।
ମୋର ନୀରବତାକୁ ଦେଖି ସ୍ବାମୀ କହିଲେ
ଏମିତି ତୁଚ୍ଛାଟାରେ କାହିଁକି..?
ଦେଖୁନ !
ସାରା ଆକାଶଟା କଳାପାଟ ପିନ୍ଧିଛି
ତାରା ବି ଗୋଟିଏ ଫୁଟିନି
ସେଇ ପଦ୍ମଫୁଲ ପରି କୁଆଁ ତାରାଟା ବି ନୁହେଁ?
ମୁଁ କହିଲି ସ୍ବାମୀ ମୋର ଉଜାଗର ଦରକାର
ଉଜାଗର ରହିଲେ
ଶିବ ମହାପ୍ରଭୁ ଉଭା ହୋଇଯାନ୍ତି
ସାକ୍ଷାତ ଦର୍ଶନରେ କରାନ୍ତି ପରିପୂର୍ଣ୍ଣ
ସେଇ ଯେ ଶବର
ବେଲପତ୍ର ପକାଉ ପକାଉ...।
ଟାଣି ଆଣି କହିଲି ପ୍ରିୟେ
ସବୁ ଗୋଟେ ଡାହା ଭେଳିକି
ଗୋଟେ ମିଛ ମାୟା ମରୀଚିକା
ତୁମେ ଭ୍ରମିତ ନୁହଁ ତ..?
କଥା ଶୁଣି ନୀରବ ରହିଲି
ଆଖିରୁ ବୋହୁଥିଲା ପାଣି
ସ୍ବାମୀଙ୍କ ସାମ୍ନାରେ ସାହସ ନ ଥିଲା
ପ୍ରତ୍ଯୁତ୍ତୋର ଦେବାକୁ।
ମୁଁ ବୁଝିଲି ପତ୍ନୀଙ୍କର ଅଭିଳାଷ
ନାହିଁ ନ କରି ସହଯୋଗର ହାତ ବଢେ଼ଇଲି
ଯାହା ଜଣେ ସ୍ବାମୀର କର୍ତ୍ତବ୍ଯ।
ପତ୍ନୀ ଭାରି ଖୁସି ଯେ ସ୍ବାମୀ ତାଙ୍କୁ ଭଲ ପାଉଛନ୍ତି
ଯେମିତି ଦେହର ଛାଇ
କ୍ଷୀର ଆଉ ନୀର।
ମୁଁ ବାହାରି ପଡି଼ଲି ମନ୍ଦିରକୁ
ଯେଉଁଠି ଶହଶହ ନାରୀ ବି ରୁଣ୍ଡ ହୋଇଥିଲେ
ବସି ଦୀପ ଜଳେଇଲି
ମହାଦୀପ ଉଠିଲା ଚୂଳକୁ ତ
ପ୍ରଣାମ ଓ ପ୍ରସାଦ ଖାଇ
ସଭିଏଁ ଚାଲିଗଲେ ଘରକୁ
ମୁଁ କିନ୍ତୁ ଆଖି ବୁଜିଥିଲି କୁଆଡ଼କୁ ନଜର ନ ରଖି।
ସାରା ରାତିଟା ଖାଁ..ଖାଁ.. ଲାଗୁଥିଲା।
ମୋତେ କିଏ ଟାଣି ନେଇଗଲା
ଯେମିତି ବାଘ ମାଡି଼ବସେ ମୃଗୁଣୀକୁ
ମୁଁ ଚିତ୍କାର କଲି
ହେଲେ କେହି ବି ନ ଥିଲେ ପାଖରେ।
ମୋର ଯାହା ସୁନ୍ଦର ସବୁ ଝିଙ୍କି ନେଇଗଲା
ସେ ପୂଜାରୀ ବୁଢା଼ଟା
ଯାର ପତ୍ନୀ ସଂସାରରେ ନ ଥିଲା
ସାଇତି ରଖିଥିବା ବିହନକୁ
ବୁଣିଲା ମୋର କିଆରିରେ।
ମୁଁ ଅପୁତ୍ରିକ ଥିଲି
ବାଞ୍ଝ କହୁଥିଲେ ସଭିଏଁ
ଏ ପୂଜାରୀ ଦିନେ କହିଥିଲା
ଆଉ ଲୋଲୁପ ଦୃଷ୍ଟି ବି...।
ମୁଁ ଭାବିଲି କି
ଏ ନୀଚ୍ଚତା,ଏ ଅପକର୍ମ
ଅବଶ୍ଯ ପଦାକୁ ଆସିବ
ଆଉ ସ୍ବାମୀ ଜାଣିଲା ପରେ
କ'ଣ ଖୁସି ମନେଇବ?
ମୁଁ ଆତ୍ମହତ୍ଯା କଲି ମନ୍ଦିର ବେଢା଼ରେ
ଯେଉଁଠି ଦରବୁଢା଼ ପୂଜାରୀ
ଅଟକାଇ କହୁଥିଲା
ଆତ୍ମହତ୍ଯା ମହାପାପ।
ଅଥଚ ଧର୍ଷଣ କି ପୂଣ୍ଣ୍ଯ ହୋଇଥାଏ?
ମୁଁ ଟାଣି ଆଣିଲି ଶିବଙ୍କ ତ୍ରିଶୂଳ
ହତ୍ଯା କଲି ନିଜେ ହିଁ ନିଜକୁ।
ମନରେ ଥିଲା ଅସରନ୍ତି ଭାବନା
ଯଦି ମହା ଶିବରାତ୍ରୀ ସତ୍ଯ
ସତ୍ଯ ଯଦି ଏ ଶିବ ଠାକୁର
ତେବେ ଉଭା ହୋଇଯିବେ।
ହେଲେ କାହିଁ
ଧର୍ଷଣ ସମୟରେ ନା ଆତ୍ମହତ୍ଯା କାଳରେ?
ମୃତ୍ଯୁ ସତ୍ଯ ଆଉ ଚିରନ୍ତନ
ଯିଏ ହସି ଡାକୁଥିଲା
ଅଥଚ ମହା ଶିବରାତ୍ରୀ ନାମରେ
ଘିଅ ଆଉ ମହୁ ଢାଳିବା
ଲୋକ ଦେଖେଣିଆ,ନୁହେଁ?
ମୁଁ ଆଜି ଆର ପାରିରେ।
ହେ ମହା ଶିବରାତ୍ରୀ
ଆପଣ ହିଁ କୁହନ୍ତୁ ତ
ଏ ନାରୀର ଦୀର୍ଘ ଭବିଷ୍ଯତ କ'ଣ ଏଇଆ?
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
----------------------------------------
ବାଇମୁଣ୍ଡି
ସୁକାନ୍ତ ଖଣ୍ଡା
ତୁମେ ହେ ବାଇମୁଣ୍ଡି !
ଆକାଶର ଚାନ୍ଦ ପରି
ଶୀତଳ ଜ୍ଯୋତ୍ସାରେ ଝଲମଲ।
ସୂର୍ଯ୍ଯଙ୍କର ସକଳ ଶକ୍ତିର ଅଧିକାରୀ ପରି
କର୍ମ ଆଉ ଧର୍ମ।
ପବନର ସାଇଁସାଇଁ ଗୀତ ନୀରବତା ପରି
ଇଛା ଆଉ ଆଶା।
ପାହାଆଡ଼ର ଶରୀର ପରି
ଧୈର୍ଯ୍ଯ ଓ ସାହସ।
ନଦୀର କୁଳୁକୁଳୁ ରାଗିଣୀ ପରି
ମନ ଆଉ ଦାନ।
ବୃକ୍ଷର ସମର୍ପଣ ପରି
ହୃଦୟ ଓ ପ୍ରାଣ।
ମାଟିର ମହାନତା ପରି
ଧୀଶକ୍ତି ଓ ସହିଷ୍ଣୁତା।
ସମୁଦ୍ରର ଗଭୀରତା ପରି
ଚିନ୍ତା ଓ ଚେତନା।
ଅତଏବ ହେ ବାଇମୁଣ୍ଡି !
ତୁମେ ପୁରୁଷ ଭିତରେ ସର୍ବୋତ୍ତମ
ପୁରୁଷାର୍ଥ ଥିଲା ବୋଲି ତ
କଟକକୁ ରକ୍ଷା କଲ
ବାତ୍ଯାରୁ,ବନ୍ଯାରୁ
ନଦୀବନ୍ଧ ବାନ୍ଧି
ଆଉ ପ୍ରତି ହୃଦେ ବସିଗଲ
ଈଶ୍ବର ସଦୃଶ।
ହେ ବାଇମୁଣ୍ଡି !
ତୁମକୁ ଶତଶତ ପ୍ରଣାମ
ଏ ହୀନ କବି ସୁକାନ୍ତ ଆଜି
ଯାହା କିଛି ଗୁଣଗାନ କରୁଛି
ସମୁଦ୍ରକୁ ଶଙ୍ଖେ ହୋଇପାରେ...
ହେଲେ ବି ଅବଶ୍ଯ ଗ୍ରହଣ କରିବ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
---------------------------------------
ଶିବ ମହିମା
ସୁକାନ୍ତ ଖଣ୍ଡା
ତୁମେ ଅସରନ୍ତି ସୁଖର କାମନା।
ଆଲୋକିତ କରୁଅଛ
ଉଦ୍ଭିଦ ଓ ପ୍ରାଣୀଙ୍କୁ।
ତୁମେ ତ ଦୂର ଦିଗବଳୟେ
ନୃତ୍ଯରତା ପୁରୁଷ ପରି
ସତ୍ଯର କୁହୁକ।
ଭୋଳାରେ ଭୋଳାରେ ବିଭୋର ବୋଲି ତ
ଶିବ ମହିମା ଅନନ୍ତ ଅପାର।
କରି କରାଉଛ ଶୟନେ ସ୍ବପ୍ନରେ
ଯେମିତି ହସ ଆଉ କାନ୍ଦ
ଆଲୋକ ଓ ଅନ୍ଧାର
ବଞ୍ଚିବାକୁ ନିଶାରେ ନିଶାରେ।
ଭୋଳାରେ ଭୋଳାରେ ବୋଲି ତ
ଶୁଭାଶିଷ ଦିଅ
ବୁଝ କି ଭଲ ଅବା ମନ୍ଦ?
ଆଜି ପଡୁଛି ଉଠୁଛି
ପ୍ରତି ଶୈବପୀଠ ଏବଂ ପରିବେଶ।
ତୁମେ ଚାହିଁଲେ
ନିଦାଘ ଦାରୁଣରେ ବର୍ଷା
ଆଉ ବର୍ଷାରେ ବି ନିଦାଘ ଦାରୁଣ।
ହେ ଶିବ !
ତୁମକୁ ଶତକୋଟି ପ୍ରଣାମ
ତୁମ ଇଛା,ସ୍ବପ୍ନ ଓ ମହିମା ସାକାର ହେଉ
ଭରିଦିଅ ଆକାଶେ କୁସୁମ ଓ ଆକାଶେ ଆଲୁଅ
ପ୍ରତି ହୃଦେ ଖେଳିଯାଉ ସବୁଜିମା।
ନଚାଇ ଦିଅ ଗୋଟେ ଗୋଟେ ଜହ୍ନ
ପ୍ରତି ପ୍ରାଣେ କୁରୁଳି ଉଠୁ
ଏ ବସନ୍ତ ଉତ୍ସବେ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
---------------------------------------
ପିପାସା
ସୁକାନ୍ତ ଖଣ୍ଡା
ସମୁଦ୍ର,ପବନ ଓ ଆଲୋକର
ଅନନ୍ତ ପିପିସା।
ଏମାନଙ୍କୁ ଅଟକାଇବା
କାହାର ସାଧ୍ଯ ଅଛି,କୁହ?
ଯଦି ନିର୍ଜୀବର ପିପାସା ପ୍ରବଳ
ଏଠି ପ୍ରାଣୀ ଓ ଉଦ୍ଭିଦଙ୍କ
ନ ହେବ କିପରି?
ପିପାସାକୁ ଈଶ୍ବର ଖଞ୍ଜିଛି
କେଡେ଼ ଯତ୍ନରେ ମନକୁ ଲଗେଇ
ଆନନ୍ଦ ପାଇଁ,ସନ୍ତୋଷ ପାଇଁ
ତାକୁ ମାରିଦେବା ତ
ସବୁ ଦିନକୁ ହଜିଯିବା।
ପିପାସା ସତ୍ଯ,ଶିବ ଓ ସୁନ୍ଦର
ତେଣୁ ରହିଛି,ରହିବ
ଯୁଗରୁ ଯୁଗକୁ ଏହି ସଂସାରରେ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
--------------------------------------
ପ୍ରକୃତି
ସୁକାନ୍ତ ଖଣ୍ଡା
ନଦୀ,ପବନ,ଆଲୋକ ଓ ବୃକ୍ଷ
ହଜାଇ ଦିଅନ୍ତି ନିଜକୁ
ଦାନରେ ଦାନରେ।
କଂସ,ରାବଣ ଓ ମହିଷାସୁର
ଦୁର୍ମତିରେ ମସଗୁଲ
ଅଥଚ ଶ୍ରୀରାମ...
ପରିବାର କାହିଁକି ପତ୍ନୀକୁ ବି ହରେଇ ଦେଲେ
ତ୍ଯାଗରେ ତ୍ଯାଗରେ।
ନିମର ସ୍ବାଦ ପିତା
ତେନ୍ତୁଳିର ସ୍ବାଦ ଖଟା
ଅଙ୍ଗାରର ରଙ୍ଗ କଳା ତ
ଘୁଷୁରୀ ପ୍ରକୃତି ପଙ୍କରେ ଲୋଟିବା
ଆଉ ବି କୁକୁରର ଲାଞ୍ଜ ବଙ୍କା,ନୁହେଁ?
ଅତଏବ !
ପ୍ରକୃତିକୁ କିଏ ଛାଡି଼ଛି ନା ଛାଡି଼ବ?
ଆପଣ କି ମୁଁ ବି ନୁହେଁ?
ଦେବା ନୁହେଁ,ନେବାକୁ ହିଁ ଚାହୁଁଛୁ
ସ୍ବାର୍ଥରେ ସ୍ବାର୍ଥରେ
ଭରପୂର କାମନା ଜ୍ଜାଳାରେ।
ପ୍ରକୃତି କ'ଣ କି?
ଗୋଟେ ଈଶ୍ବର ଦତ୍ତ ଦାନ
ଶୃଙ୍ଖଳିତ ସମାଜ ଓ ରାଷ୍ଟ୍ର ଚାଲିବାକୁ,ନୁହେଁ?
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
--------------------------------------
ତୋ ପାଇଁ ମୁଁ
ସୁକାନ୍ତ ଖଣ୍ଡା
ଦୁଇ ବନ୍ଧୁ କଥା ହେଉହେଉ
ଜଣେ ଫୋନରେ କହିଲା
ତୋ ପାଇଁ ମୁଁ...।
ଆରକ ଫୋନରୁ ଶୁଣିଲା
ଡାହା ମିଛ ଶାନ୍ତ୍ବନାଟେ
ଯିଏ ଦ୍ବାହି ଦେଉଥିଲା ଧର୍ମକୁ।
ସେ କହିଲା ଆମେ ତ ମିଳିମିଶି
ସେ ଦିନ ନିଛାଟିଆ ସଞ୍ଜ ମୁହଁଟାରେ
ନିରୀହ ଝିଅଟାର ଇଜ୍ଜତ ଲୁଟିଲେ
କେତେ ଛାଟିପିଟି ହେଉଥିଲା,ନୁହେଁ?
ହେଲେ ତୁମେ ତ
ବେଳୁବେଳୁ ଧର୍ଷଣରେ କୁଆବୁଆ।
ମୋ କଥାକୁ ଶୁଣି ଚୁପକିନି କହିଲା
ସତ୍ଯତା ଜଣେଇ ଦେବ ନା କ'ଣ?
ହସି କୋଳାକୋଳି ହେଲୁ।
ଯେମିତି ନିଷ୍ଠୁର ଜୀବନ
ଆମେ ଧରିଥିଲୁ।
ସତରେ !
ସତ୍ଯର ନାବର ଆମେ ଦୁଇ ଯାତ୍ରୀ
ଭବ ସଂସାରରେ ପାରି ହେବାକୁ
ମିଥ୍ଯାର ଆଶ୍ରୟ,ମିଥ୍ଯାର ହିଁ କର୍ମ।
ଆମ ପରି ସଭିଏଁ ନ ହୁଅନ୍ତୁ
ସ୍ନେହ,ପ୍ରେମ ଓ ଭଲ ପାଇବା ନାମରେ
କଳୁଷିତ,ପାପ ନୁହେଁ ତ?
ତଥାପି ବି
ଆମ ପରି ସଭିଏଁ
ସତ୍ଯର ହାଟରେ ମିଥ୍ଯା ସୌଦାଗର
ନାଁ କ'ଣ....
ଭୁଲ କହିଲି କି?
ପ୍ରଶ୍ନ ମୋର
ଉତ୍ତର ଅବଶ୍ଯ ରଖିବେ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
----------------------------------------
ପଇସା
ସୁକାନ୍ତ ଖଣ୍ଡା
ପଇସା ଦେଖିବା ଆଜି ସ୍ବପ୍ନର ବାହାରେ
ଯଦିଓ ରହିଛି
କାରବାର ହେଉନି ଯମାରୁ।
ଅଜା କହୁଥିଲେ ନାତିକୁ
ନାତି ଶୁଣୁଥିଲା କାନକୁ ଡେରି।
ନାତି କହିଲା ଅଜା
ମୁଁ ପଚାଶ ପଇସା ଦେଖିଛି।
ଅଜା କହିଲେ ମୁଁ ତୋ ପରି ଥିବାବେଳେ
ଏକ,ଦୁଇ,ତିନି ପାଞ୍ଚ,ଦଶ,କୋଡି଼ଏ,ପଚିଶ ଓ ପଚାଶ ପଇସା ଚଳୁଥିଲା।
ଜାଣିଛୁ !
ପାଞ୍ଚ ପଇସାରେ ପାଞ୍ଚଟି ଗୁଲୁଗୁଲା
ଏବେ ଗୁଲୁଗୁଲା ନାହିଁ କି ପାଞ୍ଚ ପଇସା ବି ନାହିଁ।
ବଡ଼ ଆଶ୍ଚର୍ଯ୍ଯ ହୋଇ ନାତି କହିଲା
ଏବେ ତ ବୋଲଡ଼ର ଅଛି
ଗୋଟାକ ପାଞ୍ଚଟଙ୍କା,ନୁହେଁ?
ଅଜା କହିଲେ ଏବେ
ଟଙ୍କା ମାଳମାଳ ଓ ବିଡା଼ବିଡା଼
ଘରୁ ବାହାରିବୁ ତ
ପାଣି ପରି ବହିଯିବ ଅଣ୍ଟିରୁ ତଳକୁ।
ଦୁଇ ଅଜା ଓ ନାତିଆ
ବସିଥିଲେ ସଞ୍ଜ ମୁହଁଟାରେ
ଯେଉଁଠି ସୂର୍ଯ୍ଯ ଲୁଚି ଯାଉଥିଲେ
ପକ୍ଷୀଙ୍କର କାକଳି ବି ନୀଡ଼ ବାହୁଡା଼ରେ
ଅଥଚ ଏ ଦୁହେଁ ତଉଲୁଥିଲେ
ଗତକାଲି ଓ ଆଜି ପଇସାର ଫରକ।
ଅଜା କହିଲେ ଭବିଷ୍ଯତ ଅନିଶ୍ଚିତ
କ'ଣ ହେବ କେଜାଣି?
ଆସନ୍ତା କାଲିକୁ ହୁଏତ ଲୋପ ହୋଇଯିବ
ପୂରା ପଇସାର କାରବାର।
ନାତି କହିଲା ସମୟର ଖେଳ
ଦୁହେଁ କୋଳାକୋଳି ହେଲେ।
ପଇସାର ମୂଲ୍ଯବୋଧ ଦବି ଯାଉଛି ତ
ଦୁହିଁଙ୍କ ଆଖିରେ ଆଖିଏ ଲୁହ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
--------------------------------------
ବାପା ଆଉ ମାଆ
ସୁକାନ୍ତ ଖଣ୍ଡା
ବାପାଙ୍କ ନାଲି ଆଖି ଆଉ ମାଆଙ୍କ ପଣତ କାନି
ଏ ଦୁଇଟି ସନ୍ତାନର ଦୀର୍ଘ ଭବିଷ୍ଯତ।
ନାଲି ଆଖି ଶାସନର ପ୍ରତୀକ
ପଣତ କାନି ସୁରକ୍ଷାର ବଳୟ।
ବାପା ଦୀର୍ଘ ଭବିଷ୍ଯତ କାମନା କରେ
ମାଆ ସାମାନ୍ଯ ଆଘାତ ସହି ପାରେକି?
ପଣତ ଢାଲଟିଏ ବୋଲି ତ
ତା'ପାଖରେ ପୃଥିବୀର ସବୁ ଅସ୍ତ୍ର କାଟୁ କରେ ନାହିଁ।
ବାପା ଜ୍ଞାନର ପ୍ରଦୀପ
ଅଥଚ କଠୋର ଯେମିତି
ନଡି଼ଆର ଭିତର ବାହାର।
ମାଆ ସ୍ନେହ ଆଉ ପ୍ରେମ କାଙ୍ଗାଳୁଣୀ
ବାତ୍ସଲ୍ଯରେ,ମମତାରେ
ସନ୍ତାନର କିଛି ବି ହୋଇଯାଉ
ସହି ପାରେନା କି ରହି ପାରେନା।
ସତରେ !
ମାଆଙ୍କର ପଣତ କାନି ଅମୃତଠୁ ବଳି
କୋଟି ପୂଣ୍ଯ ଫଳ ସ୍ବରୂପ
ଲୁଚିବା ହୁଏ
ଶାନ୍ତିରେ ଶାନ୍ତିରେ।
କହନ୍ତୁ ତ ଆପଣମାନେ
ଜୀବନରେ କିଏ ବାଦ ପଡି଼ ଯାଇଛନ୍ତି
ମାଆଙ୍କ ପଣତ କାନି ତଳେ ଲୁଚି଼ବା କି
ବାପାଙ୍କର ଭୟଙ୍କର ନାଲି ଆଖିରୁ
ତ୍ରାହି ପାଇବା?
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
--------------------------------------
ଧୈର୍ଯ୍ଯ
ସୁକାନ୍ତ ଖଣ୍ଡା
ଧୈର୍ଯ୍ଯ ଏକ ସହିଷ୍ଣୁତା।
ଯିଏ ଖାତିର କରେନା ଝଡ଼ ଓ ଝଞ୍ଜାକୁ
ନିର୍ବିକାର କର୍ମରେ କର୍ମରେ।
ପରିବାରରେ ବାପା ପରି
କିଏ ହେବ କୁହ
ଯିଏ ସବୁକୁ ହିଁ ସହେ
ଖରା,ବର୍ଷା ଓ ଶୀତ
ଯୋଗାଡ଼ ସବୁ ଆବଶ୍ଯକତା।
ଅଣ୍ଟାରେ ଛିଣ୍ଡା କପଡା଼ ନାଇ ବି
କହିପାରେ ନାହିଁ
ତାର ବି ଅଛି ଦରକାର?
ମାଆଙ୍କର ହଜାରେ ଶାଢୀ଼ ବାକ୍ସରେ
ତଥାପି ଆହୁରି ଦରକାର
ନ ହେଲେ ବର୍ଷିଯିବେ ଅସରାଏ।
ଓଠରେ ହସ ନ ଥିଲେ ବି ହସିବାକୁ ବାଧ୍ଯ
ମାଆଙ୍କ ଝିଙ୍ଗାସ କି
କେଉଁଠୁ କ'ଣ ଆସିବ
ସେ ଜାଣିବାକୁ ଚାହେଁନା?
ସତରେ !
ବାପାଙ୍କର ଧୈର୍ଯ୍ଯ ଅସୀମ
ଯିଏ ନିଜ ଲୁହ ନିଜେ ପିଇ ବି
ସମୟ କାଟନ୍ତି ପରିବାର ପାଇଁ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
--------------------------------------
ଭାବର ଠାକୁର
ସୁକାନ୍ତ ଖଣ୍ଡା
ଭାବିଭାବି ଭାବୁକ ହେଲେଣି
ତୋର କିନ୍ତୁ ପ୍ରଭୁ
ଦର୍ଶନ ହିଁ ନାହିଁ।
କେମିତି ହେବ କୁହ
ତୁମେ ତ ବାଛିବାଛି ଭାବୁକଙ୍କ ପାଖରେ ବନ୍ଧା
ଯେମିତି ଦାସିଆ ବାଉରୀ ଅଥବା ଭକ୍ତ ସାଲବେଗ?
ହେଲେ ଏମାନେ
ମୋଟେ ଭାବରେ ନୁହେଁ,ଆବେଗରେ
ନୀଚ୍ଚତା,ଧୃଷ୍ଟତା ଆଉ
ମନରେ ଆବିଳତା ବି ନୁହେଁ।
ଯେଉଁଠି ଭୋକର ଦାଉ
ଚୁଲିକୁ ଯାଉ ଭାବ ଆଉ ଭକ୍ତି।
ତୁମେ ସେମାନଙ୍କ ପାଖରେ
ନେଶି ହୁଅନି କି ବୁଝନି
କିନ୍ତୁ କାହିଁକି?
ବାରେ ତ ଦୃଷ୍ଟି ଦିଅ
ଭୋକିଲା ଶୋଷିଲା ଏ ସଂସାରର କାଙ୍ଗାଳମାନଙ୍କୁ।
ଭରପୂର ଚିନ୍ତା ତ ସେଇଠି
ଯେଉଁଠି ଭାବରେ ଭାବରେ ନୁହେଁ
ଦୁଃଖରେ ଦୁଃଖରେ
କାଳ କାଟୁଛନ୍ତି ହା'ଅନ୍ନର ଚିତ୍କାରେ।
ବୁଝନ୍ତୁ ଠାକୁର
ଆଉ ସଦୟ ବି ହୁଅନ୍ତୁ
ତୁମର ଏ ଜନ୍ମିତ ନିକୃଷ୍ଟ ଜନକୁ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
--------------------------------------
ବିଦ୍ଯାର୍ଥୀ
ସୁକାନ୍ତ ଖଣ୍ଡା
ବିଦ୍ଯାର୍ଥୀଙ୍କ ପାଠ ଦରକାର
ହେଲେ ଚୁଲିକୁ ଗଲାଣି।
ଖାଇଲାଣି ଗର୍ବ ଓ ଅହଙ୍କାର।
ଖାଇବ ନାହିଁ କାହିଁକି?
କିଟକିଟ ଅନ୍ଧାକାର ପରି
ମୁଠାଏ ଶୃଙ୍ଖଳା ବିନା।
ଶୃଙ୍ଖଳା ନାହିଁ କାହିଁକି?
ନିର୍ଭୟରେ ଚାଲିବା ଓ ମାଡ଼ର ଅଭାବ ବିନା।
ନିର୍ଭୟରେ ଚାଲିବେ ନାହିଁ କାହିଁକି?
ଚାଲିଲେ ତ ଗୁରୁଜୀ ଘରଘର ବୁଲି ଖୋଜିବେ।
ଖୋଜିବେ ନାହିଁ କାହିଁକି?
ସରକାରଙ୍କ କଡା଼ ନିର୍ଦ୍ଦେଶ।
ନିର୍ଦ୍ଦେଶ ମାନିବେ ନାହିଁ କାହିଁକି?
ସରକାର ପାଖରେ ବନ୍ଧା।
ବନ୍ଧା ହେବେ ନାହିଁ କାହିଁକି?
ଅର୍ଥ ପାଉଛନ୍ତି।
ଏତେ ଏତେ କାରଣରୁ
ବିଦ୍ଯାର୍ଥୀର ପାଠ ହେଉ ନାହିଁ
ସବୁରି ମୂଳରେ ଶାସନର ଘୋର ଅଭାବ।
ଶାସନ କରିବେ କେମିତି?
ଅଭିଭାବକଙ୍କ ବିଲକୁଲ ଚେତାବନୀ
ଜେଲ କି ଜୋରିମନା?
ତେଣୁ ଦଣ୍ଡମୁକ୍ତ ଅଞ୍ଚଳ।
ସତରେ !
ଶାସନ ଅଭାବରୁ ବିଦ୍ଯାର୍ଥୀ
ବିପଥରେ ଚାଲିଲେ ଆଉ ଭୁଲିଗଲେ
ଦୀର୍ଘ ଭବିଷ୍ଯତ କାମନା
ହେ ଅଭିଭାବକଗଣ
ଯାଅନ୍ତୁ ତ ଥରେ
କହି ଦିଅନ୍ତୁ ଆଉ ଲେଖି ବି ଦିଅନ୍ତୁ
ପେରିଆସୁ ଜ୍ଞାନଦାସଟି
ଶାସନ ହେଉ ବିଦ୍ଯାଳୟରେ
ଶୃଙ୍ଖଳିତ ଆଉ ଦୀର୍ଘ ଭବିଷ୍ଯତ ପାଇଁ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
-------------------------------------
କାମନା ବିନାଶରେ
ସୁକାନ୍ତ ଖଣ୍ଡା
ଗୌତମ ବୁଦ୍ଧଙ୍କ ଏ ବାଣୀଟି ମହାନ
କିନ୍ତୁ ମୋ ମତରେ
ଜଣେ ସାଧାରଣ ଲୋକଙ୍କ ପାଇଁ ନୁହେଁ।
ଆମେ ତ ନିତି କାମନା ଚାହୁଁ
କାମନାକୁ ଦମନ କରିବା କାଠିକର ପାଠ
ଯିଏ ଦମନ କରି ପାରିଛନ୍ତି
ସେ ପାଷାଣ କି ଦେବତା?
କାମନା ଗୋଟେ ଜୀବର ଜୀବନ।
ଦେଖୁନ !
ଜନ୍ମ ହେଉ ହେଉ ଖାଇବା କାମନା
ସାମାନ୍ଯ ବୁଦ୍ଧି ହେଲା ତ ଅଣ୍ଟାକୁ କନାଟିଏ ଲୋଡା଼
ଆଉଟିକେ ବୁଦ୍ଧି ହେଲା ତ
ରହିବାକୁ ଯୋଜନା ଉପରେ ଯୋଜନା।
ଭରପୂର ବୟସର ସାୟାହ୍ନରେ
ଦରକାର ଗୋଟେ ବିପରୀତ ଲିଙ୍ଗ
ଯାହା ବିନା ଏ ସଂସାର ଅସାର।
କେହି ପାରିଛନ୍ତି କି ଦୂରକୁ ଫିଙ୍ଗି
ଦୁଃଖରେ ଘାଣ୍ଟି ହେଉଥାଉ ପଛେ
ଅଥବା ମରିବାକୁ ଅଳ୍ପ ସମୟ ପୂର୍ବରୁ ବି
ମାୟା ଓ ମୋହରେ ବଶୀଭୂତ
କାମନା ଜୁଡୁବୁଡୁ ଏ ମନଟି
ରହି ପାରୁଛୁ ନା ସହି ପାରୁଛୁ।
ପ୍ରତିକ୍ଷଣ ଦୁଃଖର ସାଗରେ ଭାସିଲେ ବି
ଲାଗି ପଡି଼ଥାଉ ଟିଙ୍କ ପରି
ଶୟନେ ଓ ସ୍ବପ୍ନରେ ଗୋଟିଏ ହିଁ ନିଶା
କେବଳ ହିଁ କେବଳ କାମନା।
କାମନା ବିନାଶ ହେବ ତ
ଏ ଜୀବନ ବି ଟିକେଟ କାଟିବ
ସ୍ବର୍ଗ ଅଥବା ନର୍କକୁ,ନୁହେଁ?
ଦୁଃଖର ବିନାଶ ହେବ
ଯେବେ ଆମେ ମୃତ୍ଯୁ ସ୍ବାଗତ କରିବା
ଅନ୍ଯଥା ଆମର ଦୁଃଖ ଲୋଡା
କାମନାର ବିନାଶ
ବିଲକୁଲ ଦରକାର ହିଁ ନାହିଁ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
------------------------------------------
ପ୍ରିୟ ପାଠକ ପାଠିକା ଭାଇ ଓ ଭଉଣୀଗଣ ଆଜି ଉତ୍କଳ ଦିବସ ଅବସରରେ ମୁଁ ମୋର ଏ ଆଧୁନିକ କବିତା ଗୁଚ୍ଛ-୧(ଚେନାଏ ହସ) ଆପଣଙ୍କୁ ଭେଟି ଦେଉଛି। ଆଶା ଆପଣଙ୍କ ସ୍ନେହ,ପ୍ରେମ ଓ ଭଲପାଇବା ନେଇ ଯଦି ଏ କବିତା ଗୁଚ୍ଛଟି ଆଦୃତ ହୋଇ ପାରିବ ତେବେ ମୋର ଲେଖନୀ ଚାଳନା ସାର୍ଥକ ହେବ ବୋଲି ବୁଝିନେବି।
ଆପଣଙ୍କ
ସୁକାନ୍ତ ଖଣ୍ଡ
ମୋ-୯୯୩୮୭୮୯୬୭୩