STORYMIRROR

Bishnupriya Sahoo

Children Stories Fantasy

4  

Bishnupriya Sahoo

Children Stories Fantasy

ନନ୍ଦିନୀ

ନନ୍ଦିନୀ

6 mins
321

ନନ୍ଦିନୀ। କୁନି ଝିଅ ଟିଏ। ପାହାଡ଼ ର ପାଦ ଦେଶରେ ଏକ ଛୋଟ କୁଡ଼ିଆରେ ତା ମାଆ ସହିତ ରହେ। ସୁନ୍ଦର ପ୍ରାକୃତିକ ପରିବେଶରେ ଭରା ସୁନ୍ଦର ଜାଗାଟିଏ। ଝରଣାର କୂଳେ କୂଳେ ସୃଷ୍ଟି ଏକ ଛୋଟ ଜଙ୍ଗଲ। ଠିକ୍ ସେଇ ଜଙ୍ଗଲର କିଛି ଦୂରରେ ନନ୍ଦିନୀ ର କୁଡିଆ। ବେଶ୍ ଖୁସି ରେ ସେ ତାର ମାଆ ସହିତ ସମୟ କାଟିଦିଏ। 

ନନ୍ଦିନୀ କୁ ସେଇ ପରିବେଶ ବେଶ୍ ଭଲ ଲାଗେ। ସେ ସକାଳୁ ଉଠି ଢେର୍ ସମୟ କୁଡିଆ ବାହାରେ ପଡିଥିବା ପଥର ଖଣ୍ଡ ଉପରେ ବସିରୁହେ ଆଉ ପାହାଡ଼ ଓ ଜଙ୍ଗଲ ଆଡ଼େ ଅନାଇ କ'ଣ ସବୁ ଭାବେ। ସେହି ଜଙ୍ଗଲ ର ଗୋଟେ ପାଖରେ ଗୋଟେ ମହଲ ଦେଖାଯାଏ। ସେଇ ମହଲଟି ଦେଖିବାକୁ ଖୁବ୍ ସୁନ୍ଦର। ତା ଚାରିପାଖେ ବଗିଚା ଆଉ ବଗିଚାରେ ଜାତି ଜାତି ଫୁଲ। ସେଇ ଫୁଲର ମହକ ତା କୁଡିଆ ପର୍ଯ୍ୟନ୍ତ ଭାସିଆସେ। ରଙ୍ଗ ବେରଙ୍ଗର ପ୍ରଜାପତି ମାନେ ବଗିଚାରେ ଘୁରି ବୁଲନ୍ତି। ସେଇ ଭଳି ପ୍ରଜାପତି ସେ ଆଉ କୋଉଠି ଦେଖିନି। 

ମାଆ ସହିତ ଜଙ୍ଗଲ କୁ କାଠ ଆଣି ଗଲାବେଳେ ସେଇ ମହଲ କୁ ଟିକେ ପାଖରୁ ଦେଖିବାର ସୁଯୋଗ ପାଏ। କିନ୍ତୁ ସେତେ ବି ପାଖ ନୁହେଁ। ମାଆ ର କଡ଼ା ତାଗିଦ୍ ଥାଏ ସେଇ ମହଲ ଆଡ଼େ ଜମାବି ଅନାଇବୁ ନାହିଁ। ତା ସତ୍ବେ ସେ ଲୁଚି ଲୁଚି ସେଇ ମହଲ କୁ ଚାହିଁ ଦିଏ ମଝିରେ ମଝିରେ। ମାଆ ଜଙ୍ଗଲ ଭିତରକୁ ଜମା ଯାଏନି। ଜଙ୍ଗଲ ବାହାରୁ ବାହାରୁ କାଠ ନେଇ ଶୀଘ୍ର ଶୀଘ୍ର ଚାଲିଆସେ। କାହିଁକି ଏମିତି କହେ ଆଉ କରେ କିଛି ବି କୁହେ ନାହିଁ। ହେଲେ ନନ୍ଦିନୀ କୁ ସେଇ ଜଙ୍ଗଲ ଆଉ ସେଇ ମହଲ ଭାରି ଭଲ ଲାଗେ। 

ଜାତି ଜାତି ଫୁଲର ମହକ ଆଉ ରଙ୍ଗ ବେରଙ୍ଗର ପ୍ରଜାପତି ତାକୁ ମନ୍ତ୍ରମୁଗ୍ଧ କରନ୍ତି। ସେଥିପାଇଁ ସେ ସବୁଦିନ ସକାଳୁ ଉଠି ସେଇ ଆଡ଼େ ଚାହିଁ ରହେ। ତା ସହିତ ପାହାଡ଼ କୋଳରୁ ଦିବାକର ଆଖି ମଳି ମଳି ଉଠିବା ସତରେ ସେଇ ପରିବେଶ ର ସୌନ୍ଦର୍ଯ୍ୟ କୁ ଶତଗୁଣା କରିଦିଏ। ମାଆ ତାର ସାମ୍ନା ରେ ଥିବା କ୍ଷେତରେ କାମ କରନ୍ତି। ଦିନେ ସକାଳୁ ନନ୍ଦିନୀ ସେମିତି ପଥର ଉପରେ ବସି ଜଙ୍ଗଲ ଆଡ଼େ ଚାହିଁ ଥାଏ। 

ମାଆ ତାର ପଛରୁ ଡାକ ଦେଇ କହିଲେ, ମୁଁ ପାଖ ଗାଆଁ କୁ କ୍ଷେତର ପନିପରିବା ବିକ୍ରି କରିବାକୁ ଯାଉଛି। ତୁ ଘର ଭିତରେ ଥିବୁ। କୁଆଡେ ଯିବୁନାହିଁ।ଭୋକ ଲାଗିଲେ ରୋଷେଇ କରି ରଖିଛି ଖାଇନେବୁ। ନନ୍ଦିନୀ ମାଆ କଥାରେ ରାଜି ହୋଇଗଲା। ମାଆ ତାର ପାଖ ଗାଆଁକୁ ଚାଲିଗଲେ। ସେ ସେମିତି ପଥର ଉପରେ ବସି ରହିଥାଏ। ହଠାତ୍ ସେ ଦେଖିଲା ମହଲର ଆଖ ପାଖରେ ଏକ ସୁନ୍ଦର ପକ୍ଷୀ ଟିଏ ଉଡି ବୁଲୁଛି। ଏମିତି ପକ୍ଷୀ ତ ସେ ଆଗରୁ କେବେ ଦେଖିନି। କି ସୁନ୍ଦର ସେଇ ପକ୍ଷୀଟି ସତରେ । ନନ୍ଦିନୀ କୁ ସେଇ ପକ୍ଷୀଟି ଧରିବା ପାଇଁ ବହୁତ ଇଛା ହେଲା। ସେ ଜଙ୍ଗଲ ଆଡ଼କୁ ମୁହାଁଇଲା। କିନ୍ତୁ ମାଆ କଥା ଭାବି ଅଟକି ଗଲା। 

ପୁଣି ସେ ଦେଖିଲା, ଖାଲି ସେଇ ଗୋଟିଏ ପକ୍ଷୀ ନୁହେଁ ତା ପଛରେ ଅନେକ କୁନି କୁନି ପକ୍ଷୀ ସାବକ ମାନେ ତାଙ୍କ ମାଆ ପଛେ ପଛେ ଖଣ୍ଡି ଉଡା ଦେଇ ଉଡିବୁଲୁଛନ୍ତି। କିଚିରି ମିଚିରି ଶବ୍ଦରେ ଛୋଟ ଜଙ୍ଗଲ ଟି ସତେ ଯେମିତି କଥା କହୁଛି। ସେ ଆଉ ନିଜକୁ ସମ୍ଭାଳି ପାରିଲାନି। ଜଙ୍ଗଲ ଆଡ଼େ ଅଗ୍ରସର ହେଲା। ଚାହୁଁ ଚାହୁଁ ସେ ଜଙ୍ଗଲ ପାଖରେ ପହଞ୍ଚି ଗଲା। ସେ ଧିରେ ଧିରେ ଜଙ୍ଗଲ ଭିତରକୁ ଗଲା। ଦେଖୁ ଦେଖୁ ମହଲ ପାଖରେ ପହଞ୍ଚିଗଲା। ବାଃ। କି ସୁନ୍ଦର ମହଲ ସତରେ। ସେ ଯେମିତି ବଗିଚା ଭିତରେ ପାଦ ରଖିଛି ହଠାତ୍ ସବୁ ପକ୍ଷୀ, ପକ୍ଷୀ ସାବକ , ପ୍ରଜାପତି, ଜାତି ଜାତି ଫୁଲ ସମସ୍ତେ କୁଆଡେ ଉଭାନ ହୋଇଗଲେ। ତାକୁ ବହୁତ ଡର ଲାଗିଲା। ସେ ପାଦ ଚିପି ଚିପି ପଛକୁ ଫେରିବାକୁ ଚେଷ୍ଟା କଲା , ହେଲେ ତାର ସେ ଚେଷ୍ଟା ନିଷ୍ଫଳ ହେଲା କାରଣ ତାହା କୌଣସି ବଗିଚା ନଥିଲା, ତାହା ଥିଲା ଘଞ୍ଚ ଜଙ୍ଗଲ ଟାଏ। 

ସେ ରାସ୍ତା ଭୁଲି ଗଲା। ମାଆ କଥା ତାର ବହୁତ ମନେ ପଡ଼ିଲା। ତାକୁ କାନ୍ଦ ଲାଗିଲା ହେଲେ ସେ କାନ୍ଦିଲାନି। ମନ କୁ ଦୃଢ କଲା ତା ବାପାଙ୍କ ପରି। ମାଆ କହୁଥିଲା ତା ବାପା ବହୁତ ସାହସୀ ଥିଲେ। ଜଙ୍ଗଲ ର ଜୀବଜନ୍ତୁ ବି ତାଙ୍କୁ ଡରନ୍ତି। ସେ ବାପାଙ୍କ କଥା ଭାବି ଭାବି ଆଗକୁ ବଢିଲା। ଯାଉ ଯାଉ ମହଲର ପଛ ପାଖରେ ଏକ ପୁଷ୍କରିଣୀ ଦେଖିଲା। 

ସେଇ ପୁଷ୍କରିଣୀ ଖୁବ୍ ସୁନ୍ଦର ଥିଲା ଆଉ ସେଥିରେ ସୁନ୍ଦର ପଦ୍ମଫୁଲ ମାନ ଫୁଟିଥିଲେ। କିନ୍ତୁ ସେ ଆଉ ସେପରି ଭୁଲ୍ କଲାନାହିଁ। ସେ ପୋଖରୀ କୁ ଦୂରରୁ ନିରେଖି ଦେଖିଲା। ହଠାତ୍ କେହି ଜଣେ ତାକୁ ଧକା ଦେଲା ପରି ଲାଗିଲା। ସେ ଯାଇ ସେଇ ପୋଖରୀରେ ପଡ଼ିଲା। ଏଥର ନନ୍ଦିନୀ କୁ ଡର ଲାଗିଲା। ସନ୍ଧ୍ୟା ବି ହୋଇ ଆସୁଥାଏ। ସେ ସେଇ ପୋଖରୀରୁ ବାହାରିବା ପାଇଁ ଚେଷ୍ଟା କଲା । କିନ୍ତୁ ପୋଖରୀ ରେ ବହୁତ ପଙ୍କ ଥିଲା। ତେଣୁ ଶତ ଚେଷ୍ଟା ସତ୍ତ୍ବେ ସେ ସେଠାରୁ ବାହାରି ପାରିଲା ନାହିଁ। 

ପୋଖରୀରେ ଥିବା ପଦ୍ମ ଫୁଲର ନାଡ ତା ଗୋଡ଼ ରେ ଛନ୍ଦି ହୋଇଗଲା। ସେ ଗୋଡ଼କୁ ବାହାର କରିବାକୁ ଚେଷ୍ଟା କଲା। କିନ୍ତୁ ପଦ୍ମ ଫୁଲ ର ନାଡ ଯେମିତି ଜାଣି ଜାଣି ଆସି ତା ଗୋଡରେ ଛନ୍ଦି ହେଇ ତାକୁ ଭିଡ଼ି ନେଉଥାଏ ତାକୁ ସେହିପରି ଅନୁଭବ ହେଲା । ସେ ଡରରେ ଚିତ୍କାର କରିବାକୁ ଲାଗିଲା। ଏହି ସମୟରେ ତାର ମନେ ପଡ଼ିଲା ଗଳାରେ ପିନ୍ଧିଥିବା ପଦକ ଟିର କଥା ଯେଉଁଟା ମାଆ ଖାସ୍ ତା ପାଇଁ ଆଣିଥିଲେ। 

ମାଆ ଯେତେବେଳେ ସେଇ ପଦକ ଟି ତାକୁ ଦେଇଥିଲେ କହିଥିଲେ , ଦେଖ ମା, ମୁଁ ତ ଅଧିକାଂଶ ସମୟ ପାଖ ଗାଁ କୁ ବିକ୍ରିବଟା କରିବା ପାଇଁ ଯାଉଛି। ତୁ ଘରେ ଏକୁଟିଆ ରହୁଛୁ। ଆମ କୁଡିଆ ତ ଜଙ୍ଗଲ ପାଖରେ। କେତେବେଳେ କୋଉ କଥା। ତୁ ଏଇ ପଦକଟି ଗଳାରେ ପିନ୍ଧିଥା। ମୁଁ ଖାସ୍ ତୋ ପାଇଁ ୟାକୁ ଆଣିଛି। ସେଇ ପଦକ ତତେ ଆତତାୟୀ ଠାରୁ ରକ୍ଷା କରିବ। ସେଇ ପଦକ ରେ ଲୁଚାଇ ରଖାଯାଇଥିବା ଛୋଟ ଛୁରୀ ଟିରେ ତୁ ତୋ ଜୀବନ ରକ୍ଷା କରିପାରିବୁ। ସେଇ ଛୁରୀରେ ଆଘାତ ପାଇଥିବା ଅଙ୍ଗ ସବୁଦିନ ପାଇଁ ବିକଳାଙ୍ଗ ହୋଇ ରହିବ। ଏହି କଥା ମତେ ପାହାଡ଼ ଗୁମ୍ଫାରେ ଥିବା ତପସ୍ୱୀ ପଦକଟି ଦେଲାବେଳେ କହିଛନ୍ତି। ୟାକୁ ଯତ୍ନରେ ରଖିଥିବୁ। ବିପଦ ବେଳେ କାମରେ ଆସିବ। 

ନନ୍ଦିନୀ ସେଇ ପଦକକୁ ବାହାର କଲା । ସେଥିରେ ଲାଗିଥିବା ଛୁରୀରେ ସେଇ ପଦ୍ମ ନାଡକୁ କାଟିବାକୁ ଚେଷ୍ଟା କଲା। ଯେମିତି ସେ ସେଇ ପଦ୍ମ ନାଡକୁ ଆଘାତ ଦେଇଛି ହଠାତ୍ ଆର୍ତ୍ତ ଚିତ୍କାର ରେ ଜଙ୍ଗଲ ଥରି ଉଠିଲା। ଏ କ'ଣ? ଏମିତି ଚିତ୍କାର କିଏ କରୁଛି? ନନ୍ଦିନୀ କୁ ଆହୁରି ଡର ଲାଗିଲା। ସେ ନିଜକୁ ବଞ୍ଚାଇବାକୁ ଆପ୍ରାଣ ଚେଷ୍ଟା କଲା ଆଉ ପଦ୍ମ ନାଡକୁ କାଟିବାକୁ ଲାଗିଲା। ଚିତ୍କାର ବଢିବାକୁ ଲାଗିଲା। ଗଛ ପତ୍ର ତୀବ୍ର ପବନରେ ଇତସ୍ତତଃ ଉଡ଼ିବାକୁ ଲାଗିଲେ। ନନ୍ଦିନୀ ନିଜ ପ୍ରଚେଷ୍ଟାରେ ଊଣା ରଖିଲା ନାହିଁ। ସେ ସେ ସବୁକୁ ଖାତିରି ନକରି ପଦ୍ମ ନାଡକୁ କାଟିବାକୁ ଲାଗିଲା ଓ ଶେଷରେ ସଫଳ ମଧ୍ୟ ହେଲା। 

ହଠାତ୍ ସବୁ ଥମ୍ ପଡିଗଲା। କ'ଣ ହେଲା ? ସେ ପଙ୍କ ଲଟପଟ ହୋଇ ବାହାରକୁ ବାହାରିଲା। ଆଉ ଡେରି ନକରି ଆଗକୁ ବଢିଲା। ମହଲ ପାଖା ପାଖି ଦେଖିଲା ଏକ ବିରାଟ ପିଶାଚ ର ଶରୀର ତଳେ ଲୋଟୁଛି। ତାକୁ ଭୟ ଲାଗିଲା ସେଇ ପିଶାଚ କୁ ଦେଖି। 

ଏହି ସମୟରେ ମହଲ ଭିତରୁ କୋଳାହଳ ଶୁଣାଗଲା । ତାକୁ ଲାଗିଲା ମହଲ ଭିତରେ ଆହୁରି ଅନେକ ପିଶାଚ ଅଛନ୍ତି। ସେ ଭୟରେ ଦଉଡିବାକୁ ଲାଗିଲା। ଏହି ସମୟରେ ପଛରୁ ଶୁଭିଲା। ଝିଅ! ସେ ଆଶ୍ଚର୍ଯ୍ୟ ହୋଇ ପଛକୁ ଚାହିଁଲା। ଦେଖିଲା ୧୦-୧୨ ଲୋକ ତା ସମ୍ମୁଖରେ। ସେ ଭୟ ପାଇଲା। ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ କହିଲେ , ମାଆରେ ତୋ ପାଇଁ ଆଜି ଆମେ ମୁକ୍ତି ପାଇଲୁ। ଆଜକୁ ଢେର୍ ବର୍ଷ ହେବ ଏଇ ପିଶାଚ ଆମକୁ ବନ୍ଦୀ କରି ରଖିଥିଲା। 

ମହଲ ଓ ବଗିଚା ର ସୌନ୍ଦର୍ଯ୍ୟ ରେ ଭ୍ରମିତ କରାଇ ସେ ଲୋକ ମାନଙ୍କୁ ମହଲ ଆଡ଼କୁ ଆକର୍ଷିତ କରାଏ। ଆଉ ବଗିଚା ଡେଇଁ ଗଲେ ସେ ବନ୍ଦୀ ବନାଇ ନିଏ।କେହି ତାକୁ ମାରି ପାରୁନଥିଲେ। କାହିଁକି ନା ତାର ଜୀବନ ସେଇ ପଦ୍ମ ନାଡରେ ଥିଲା। ଆଉ ସେଇ ପୋଖରୀକୁ କେହି ଯାଇପାରୁନ ଥିଲେ। ଯିଏ ଯାଉଥିଲା ସେ ଆଉ ଫେରିକି ଆସୁ ନଥିଲା। ତୁ ଏତେ ଛୋଟ ପିଲା ହୋଇ ଆଜି ଅସମ୍ଭବ କୁ ସମ୍ଭବ କରି ଦେଖାଇଲୁ। 

ନନ୍ଦିନୀ ଆଶ୍ଚର୍ଯ୍ୟ ହୋଇଗଲା। ଏମିତି କଥା ସେ କେବଳ ମାଆର କାହାଣୀ ରେ ଶୁଣି ଥିଲା। ଆଜି ସେ ଆଖିରେ ଦେଖୁଛି। ନନ୍ଦିନୀ କୁ ଧନ୍ୟବାଦ କହି ଯେ ଯୁଆଡେ ନିଜ ଘର ଅଭିମୁଖେ ଚାଲିଗଲେ। ନନ୍ଦିନୀ ମଧ୍ୟ ସେଇ ମାନଙ୍କ ସହାୟତା ରେ ଜଙ୍ଗଲ ବାହାରକୁ ବାହାରି ଆସିଲା। ସମସ୍ତେ ଚାଲି ଗଲେ । 


ସେ ଦେଖିଲା ଜଣେ ଲୋକ ତା ଘରକୁ ନ ଯାଇ ପାଖରେ ଥିବା ଗଛ ତଳେ ବସିଛି। ସେ ତାଙ୍କ ପାଖକୁ ଗଲା। ପଚାରିଲା, ତମେ କାହିଁକି ତମ ଘରକୁ ଯାଉନାହଁ? ସମସ୍ତେ ତ ଚାଲିଗଲେଣି। ଲୋକଟି କାନ୍ଦିଲା। କହିଲା ମୋର କେହି ଅଛନ୍ତି କି ନାହିଁ ଜାଣିନି। ମୋ ସ୍ତ୍ରୀ କୁନି ଛୁଆ ସେମାନେ ମୋ ବିନା କୋଉଠି ଅଛନ୍ତି ମୁଁ ଜାଣିନି‌ । ନନ୍ଦିନୀ କହିଲା ହଉ ମୁଁ ତୁମକୁ ମୋ ଘରକୁ ନେଇଯିବି ଚାଲ। ତମେ ଆମ ପାଖରେ ରହିବ।ନନ୍ଦିନୀ ସେଇ ଲୋକଟି ସହିତ ଘରକୁ ଫେରୁଥାଏ। ଏପଟେ ନନ୍ଦିନୀ ର ମାଆ ଗାଆଁ ରୁ ଫେରି ନନ୍ଦିନୀ କୁ ନ ପାଇ ଅଗଣାରେ ବସି କାନ୍ଦୁଛନ୍ତି। କୁଆଡେ ଗଲା ତାଙ୍କ କୁନି ଝିଅ? କେଉଁ ହିଂସ୍ରଜନ୍ତୁଙ୍କ ହାବୁଡ଼ରେ ପଡ଼ିନାହିଁ ତ। ଏମିତି କେତେ କ'ଣ ମନ ଭିତରେ ଗୁଡେ଼ଇ ତୁଡେଇ ହେଉଥାଏ। ଯାଇ ଜଙ୍ଗଲ ଆଡୁ ଖୋଜିକି ଆସିଲେଣି‌ । କୋଉଠି ବି ସେ ନନ୍ଦିନୀ କୁ ପାଇଲେ ନାହିଁ। 

ଏହି ସମୟରେ ନନ୍ଦିନୀ ଆଉ ସେହି ଲୋକ ଜଣକ ଦୂରରୁ ଆସୁଥିବାର ଦେଖି ଦଉଡ଼ି ଗଲେ ନନ୍ଦିନୀ ର ମାଆ। ଆଖିକୁ ବିଶ୍ବାସ କରି ପାରୁନ ଥାଆନ୍ତି। ସେ କ'ଣ ଦେଖୁଛନ୍ତି। ଗୋଟିଏ ଯୁଗ ପରି ହେବ । ଉଜୁଡି ଯାଇଥିବା ସଂସାର ଆଜି ପୁଣି ଥରେ ଆଖି ସାମ୍ନାରେ। ନନ୍ଦିନୀ ପାଇଁ ଅଚିହ୍ନା ସେଇ ଲୋକ ଆଉ ନିଜ ମାଆର ଲୁହ ନନ୍ଦିନୀ କୁ କିଛି ବୁଝା ପଡୁନଥାଏ। ସେ ମାଆ ପାଖକୁ ଦଉଡି ଆସି କହିଲା ମାଆ ତୁ କ'ଣ ୟାଙ୍କୁ ଜାଣିଛୁ। ମାଆ ଛଳ ଛଳ ଆଖିରେ ନନ୍ଦିନୀ ର ନିରିହ ଆଖି ଦୁଇଟି କୁ ଚାହିଁ କହିଲେ, ଇଏ ତୋର ବାପା ନନ୍ଦିନୀ। 

ନନ୍ଦିନୀ କିଛି ସମୟ ପାଇଁ ନିରବୀ ଗଲା। ପ୍ରକୃତିସ୍ଥ ହୋଇ ସେ ତାର ବାପାଙ୍କୁ ଶକ୍ତ ଆଲିଙ୍ଗନ ଟେ କଲା। ସବୁ କଥା ତା ମାଆ କୁ କହିଲା। ମାଆ ନନ୍ଦିନୀ ର ସାହସ ଆଉ ବୁଦ୍ଧିମତା କୁ ସାବାସୀ ଦେଲେ। ନନ୍ଦିନୀ ତାର ମାଆ ବାପା ଙ୍କ ସହିତ ସେଇ ସୌନ୍ଦର୍ଯ୍ୟମୟ ପରିବେଶ ରେ ଆନନ୍ଦରେ ରହିଲା।

ବିଷ୍ଣୁପ୍ରିୟା ସାହୁ, ଶିକ୍ଷୟିତ୍ରୀ 


Rate this content
Log in