ଭୟ
ଭୟ
ଶତାବ୍ଦୀର ଦିଗ୍ ବଳୟ ପ୍ରକାଶିତ ହେବା ସମୟରେ ବହୁତ ଦୂରରେ କଉଠି ଗୋଟାଏ ନିର୍ଜନ ଏକାନ୍ତ ସହରରେ ଅନ୍ଧାର ଘୁଟିବାରେ ଲାଗିଥାଏ। କୁହନ୍ତି ସୂର୍ଯ୍ୟ ହିଁ ସକଳ ଶକ୍ତିର ଆଧାର। ସୂର୍ଯ୍ୟ ହିଁ ସତ୍ୟ ଓ ଦିନ ପରେ ରାତି, ରାତି ପରେ ଦିନ, ସେହିପରି ଆଲୋକ ପରେ ଅନ୍ଧାର ଓ ଅନ୍ଧାର ପରେ ଆଲୋକ। କିନ୍ତୁ ଏ ସହର କିଛି ଅଲଗା। ଚତୁର୍ଦିଗ ଅନ୍ଧକାର ମୟ। ଯେପରି ଅମାବାସ୍ୟା ରାତି କଳା କିଟ୍ କିଟ୍। ସେ ସହରଟି ଅନ୍ଧାର କୋଠରୀ ପରି ଚାରିଆଡୁ ଅନ୍ଧାରରେ ଆଚ୍ଛାଦିତ ଥିଲା। ଜୀବନ କିପରି ଥିଲା ତ କହିବା କଷ୍ଟକର କିନ୍ତୁ ସମସ୍ତେ ଜୀବନ ଜିଇଁ ଯାଉଥିଲେ ଖାଲି। ବର୍ଷସାରା ଅନ୍ଧକାର ଗ୍ରସୀତ କଳୁଷିତ ସହରର ମଣିଷ ଭି ଅନ୍ଧ ସଦୃଶ। ବେହୋସ ମୟ ଜୀବନରେ ଯେପରି ସମସ୍ତେ ଅସ୍ତ ବ୍ୟସ୍ତ ଆଉ ଏପରି ବିତିଯାଉଛି ସବୁ ସମୟ।
ଏହି ସହରରେ ଛୋଟ ପରିବାରଟିଏ ଥାଏ। ଆଉ ସେ ପରିବାରରେ କେବଳ ତିନୋଟି ମଣିଷ। ବାପା ମା ଆଉ ପୁଅ ନରେଶ। ବାପା ମା ପୁରା ବ୍ୟସ୍ତ ନିଜ କାମକୁ ନେଇ, କିନ୍ତୁ ପୁଅକୁ ଭି ବହୁତ ଭଲ ପାଆନ୍ତି। ସବୁ ସୁଖ ସୁବିଧା ଗୋଟେ ଅଳିରେ ପୁରା କରନ୍ତି। ଦିନ ଗଡିଚାଲେ ଆଉ ନରେଶ ବଡ ହୁଏ ସ୍କୁଲ ପଢା ସାରି କଲେଜ ଯାଏ। ଆଉ କଲେଜରେ ତା'ର ଭାରି ନାଁ, କାହିଁକିନା ସେ ତା ବୟସ ଓ ବଡ ବୟସ ପିଲାଙ୍କ ଠାରୁ ଭି ସବୁ କାମରେ ଆଗୁଆ ଓ ସାହସୀ। କହିବାକୁ ଗଲେ ନରେଶ ବହୁତ ସୁଖୀ ଓ ସାହସୀ। କିନ୍ତୁ ସେଦିନ କିଛି ଏପରି ଘଟିଯାଇଥିଲା ଯାହା କି ପରିକଳ୍ପନା କରିହୁଏନା ସାଧାରଣତଃ। କୁହନ୍ତି ଚମତ୍କାର, ହଁ ସତରେ ଚମତ୍କାର ନା ଆଉ କ'ଣ। ଜାହାଭି ହଉ କିଛି ଅଲଗା ଅନୁଭୂତି। ସହରରେ ଘନ ଅନ୍ଧକାର ବଢିଚାଲିଥାଏ ଓ ସେହି ଘନ ଅନ୍ଧାରରେ ନରେଶ ମାଡିଚାଲିଥାଏ ଆଗକୁ। ଆଗକୁ ଚାଲୁ ଚାଲୁ ବହୁ ଆଗକୁ ଚାଲିଆସେ। ଆଉ ହଠାତ୍ ଅନ୍ଧାରରୁ ଆଲୋକକୁ ଚାଲିଆସେ। ମନରେ ଏକ ଉନ୍ମାଦ ଜନ୍ମ ନିଏ ଓ ଖୁସିରେ ଆତ୍ମବିଭୋର ହୋଇଉଠେ। ପ୍ରଥମ ଥର ସେ ଆଲୋକର ସଂସ୍ପର୍ଶରେ ଆସିଥାଏ। କିଛି କ୍ଷଣ ଯାଇଥାଏ ହଠାତ୍ ସେ ଡରିଯାଏ ନିଜ ଛାଇକୁ ଦେଖି ଓ ତା'ର ଆଖି ଖୋଲିଯାଏ। ଆଖି ଖୋଲିବାସହିତ ଜୀବନରେ କ୍ରାନ୍ତୀ ଆରମ୍ଭ ହୋଇଯାଇଥାଏ। ଯେ ଅନ୍ଧକାର ନିବାସୀ, ନୁହେଁ ସେ ଭୀରୁ; ସେ ଆଜି ସ୍ୱଳ୍ପ ଅନ୍ଧକାର, ନିଜ ଛାଇକୁ ଦେଖି ଡରିଗଲା। ଅସଲ ଡରର ଅନ୍ୱେଷଣ ଶେଷ ହେଲା।