Sukanta Nayak

Others

3  

Sukanta Nayak

Others

ସୋଫିଷ୍ଟିକେଟେଡ଼ ଲାଇଫ୍

ସୋଫିଷ୍ଟିକେଟେଡ଼ ଲାଇଫ୍

2 mins
621


ବହୁତ ଦିନପରେ ହରିଷ ନିଜ ଗାଁ ମାଟିକୁ ଫେରିଥିଲେ। ସହରରେ ଘରୋଇ ସଂସ୍ଥାରେ କାମକରନ୍ତି ସେ। ଛୁଟି ମିଳେନି ବେସି। ପୁଣି ତାଙ୍କ ସଂସାର। ପୁଅ ଝିଅ ଓ ସେମାନଙ୍କ ପଢା ପଢି। ସବୁ ସମ୍ଭାଳୁ ସମ୍ଭାଳୁ ସମୟ କେତେବେଳେ କଟିଯାଏ ଜଣା ପଡେନି। ଆଉ କେବେ କେମିତି ସମୟ ମିଳିଲେ ଛୁଆଙ୍କ ସହ ପାର୍କ ବା ମାର୍କେଟ ବୁଲି ଆସନ୍ତି। ଦଶ ବର୍ଷ ବିତିଯାଇଥିଲା ଏହା ଭିତରେ। କିଛି ଅନିର୍ବାର୍ଯ୍ୟ କାମ ପାଇଁ ଗାଁକୁ ଆସିବାର ଥିଲା। ଏଥର ଛୁଟି ଗାଁରେ କଟିଲା।


ଛୁଟି ଶେଷ ହେବାକୁ ଆସୁଥାଏ। ଆଉ ଗରମର ପ୍ରକୋପରୁ ଟିକେ ଶାନ୍ତି ଲାଘବ ହଉଥାଏ। ମୌସୁମୀର ଆଗମନ ହେବାକୁ ଥାଏ। ଦିନେ ହରିଷ ସକାଳୁ ପୋଖରୀ ତୋଠାକୁ ଯାଇଥାନ୍ତି। ମନ କରେ ତୋଠାରେ ବସିବାକୁ। ସେ ଏମିତି ବସି ଏକ ଲୟରେ ଦେଖୁଥାନ୍ତି ପୋଖରୀର ଗଭୀରତା, ପାଣି ଓ କୁନି କୁନି ମାଛ ଗୁଡିକର କୌତୁକିଆ କ୍ରୀଡା। ଆଉ ଭାସମାନ ହଉଥାଏ ପିଲାଦିନର କଥା। ପ୍ରଚଣ୍ଡ ରୁଦ୍ରତାପକୁ ବେଖାତିର କରି କେମିତି ପୋଖରୀରେ ଡେଇଁଯାଉଥିଲୁ। ପୁଣି ଆରମ୍ଭ ହେଇଯାଏ ପ୍ରତିଯୋଗିତା। କିଏ ପୋଖରୀର ଏପାରିରୁ ସେପାରି ପ୍ରଥମେ ପାର ହୋଇବ। ସାଙ୍ଗମାନେ ସମସ୍ତେ କେହି କାହାକୁ କମ୍ ନୁହଁ। ହେଲେ ବିଜୁ ସବୁବେଳେ ବାଜି ମାରିନିଏ। ହରିଷ ଏହିପରି ବସି ଭାବୁ ଭାବୁ ଆକାଶରୁ ଝରିପଡ଼େ ବାରି ଧାରା ଓ ପୋଖରୀର ଜଳରେ ମାଡ ହୁଏ ଆକାଶରୁ ଝରୁଥିବା ଝରଣା। ଟୁପୁରୁ ଟାପୁରୁ ଶବ୍ଦରେ ମନ ପ୍ରସନ୍ନ ହେଇଯାଏ ଆଉ ସେଇ ଜଳରାଶିରେ ଉଠୁଥିବା ଛୋଟ ଛୋଟ ଢେଉଗୁଡିକର ମୃଣ୍ମୟ ଦୃଶ୍ୟ ମନକୁ ଏକ ଅଲଗା ସ୍ତରକୁ ଟାଣିନିଏ। ବର୍ଷାର ଚିରଦିନ ଅପେକ୍ଷାରେ ରହିଥିବା ମାଟିର ଯେମିତି ତୃଷ୍ଣା ମେଣ୍ଟିଯାଇଛି ଆଉ ଉଦୀୟମାନ ହେଇଛି ସୁଗନ୍ଧିତ ବାସ୍ନା। ମନକୁ ପୁରା ଆତ୍ମବିଭୋର କରୁଛି। ପନେପଡିଯାଏ ପୁଣି ହରିଷଙ୍କ ପିଲାଦିନ କଥା। ଏମିତି ବର୍ଷା ଦିନେ ସ୍କୁଲରୁ ଫେରିଲାବେଳେ ରାସ୍ତା ଘାଟରେ ଜମା ହେଇଥିବା ଗୋଳିଆ ପାଣି ଆଉ ସେଥିରେ ଡିଆଁ କୁଦା। ଧଳା ସାର୍ଟ ପୁରା ଖରାପ ହେଇଯାଏ। ଘରେ କେତେଯେ ଗାଳି ଶୁଣିଛି ହିସାବ ନାହିଁ। ମୋତେ ଗାଳି ପଡିଲାବେଳେ ଲିଜି, ମାନେ ମୋ ବଡ଼ ଭଉଣୀର ଥଟ୍ଟା ଓ ମୋତେ ଚିଡ଼େଇବା କେବେ ଭୁଲି ହେବନି। ବର୍ଷାରେ ଅମାନିଆ ହୋଇ କାଦୁଅ ପାଣିରେ ଫୁଟବଲ ଆଉ କବାଡି ଖେଳ। ଆଖି ଆଗରେ ଝଲସି ଯାଏ ଚିତ୍ର ସବୁ। ହରିଷ ପୁରା ଭାବ ବିହ୍ଵଳ ହୋଇ ଚାହିଁରହିଥାଏ। ଚାଲିଥାଏ ପିଲାଦିନର ଫିଲିମଟାଏ ଆଖି ଆଗରେ। 


ହଠାତ୍ ପଛରୁ ଶବ୍ଦ ଆସେ ବାପା ପୋଖରୀ ପାଖରେ ବସି କ'ଣ କରୁଛ, ଚାଲ ଯିବା ବର୍ଷା ହେଲାଣି ଜୋରରେ। ହରିଷ ପଛକୁ ବୁଲି ଦେଖିଲା ବେଳକୁ ଛୁଆ ଦୁଇଟା ପୁରା ଭିଜି ଯାଇଛନ୍ତି। ଆରେ ଆରେ ହରିଷ ଭି ଭିଜିଯାଇଛି ବର୍ଷା ଜଳରେ ନୁହେଁ ବରଂ ନିଜ ପିଲାଦିନର ସ୍ମୃତିରେ। ଚଟାପଟ ହରିଷ ଓ ତାଙ୍କ ଛୁଆ ଯାଇ ଘରେ ପହଞ୍ଚିଗଲେ। ଗାଧୋଇ ପାଧୋଇ ସଫା ହୋଇ ଆସି ବସିଗଲେ ଦାଣ୍ଡ ଘରେ। ସେପଟେ ଧୁ ଧୁ ବର୍ଷା ମାଡ଼ ମାରୁଥାଏ। ହରିଷଙ୍କ ସାନଛୁଆଟି କହେ କି ବର୍ଷା ବାପରେ...!

ଆଉ ଏ କାଦୁଅ ଅସନା ଗୁଡା ଦେହକୁ ଖରାପ କରିଦେଲା। ଆମ ସହର ଭଲ କେତେ ସଫା ସୁତୁରା। ଏତକ ଶୁଣି ହରିଷଙ୍କ ପିଲାଦିନର ନିଦ ଭାଙ୍ଗିଗଲା ଆଉ ଭାବିଲେ ଆଜିକାଲିକା ପିଲା କ'ଣ ଜାଣିବେ ଏ ମାଟିର ମମତା। ଏମାନେ ପରା ହେଲେ ସୋଫିଷ୍ଟିକେଟେଡ଼ ଛୁଆ। ଭଗବାନ ଏମାନଙ୍କ ସାହା ହଉ!



Rate this content
Log in