Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narayan chandra Senapati

Others

3  

Narayan chandra Senapati

Others

କୁକୁରିଆ ରାଜନୀତି

କୁକୁରିଆ ରାଜନୀତି

6 mins
557


ହେ ଭଗବାନ୍। କି ଯୁଗ ହେଲା ଏ କି କାଳ ହେଲା,ଏ ମର୍ତ୍ତ୍ୟ ମଣ୍ଡଳରେ ଏମିତି ବି ଦୋମୁଣ୍ଡିଆ ଜନ୍ତୁ ହୋଇଛନ୍ତି ,ରାମ୍ ରାମ କିଏ କ୍ଷୀରରେ ସିନା ସର ପକାଏ, ଏମାନେ ପାଣିରେ ବି ସର ପକାଉଛନ୍ତି- କହି କହି ଗାଁ ମୁଣ୍ଡରୁ ଆସୁଥାଏ ମଣିଆ।ମଣିଆଟି ସିନା ଦି ଅକ୍ଷର ପଢିନାହିଁ, ହେଲେ ବୁଦ୍ଧି ବିଚାର ବିବେକ ମଣିଷପଣିଆର ସେ ଧରମପୁଅ।ଗାଁ ମୁଣ୍ଡର ହିଙ୍ଗୁଳା ଚାନ୍ଦିନୀରେ ବସି ତାସ୍ ଖେଳୁଥିବା ଲୋକଗୁଡ଼ାକ ପଚାରିଲେ,କଣ ହେଇଛିକି ରେ ମଣିଆ ? ଖାଲି କ'ଣ ଫରି ଖେଳୁଛୁ।ମଣିଆ କହିଲା, ନାଁ ମ ନରିଆ ଦାଦା,ଏ ବଜାର ଆଡ଼େ ଯାଇଥିଲି,କ'ଣ ଦେଖିବ ପ୍ରଚାର,ଭାଷଣ ବାଦୀ,ଏ ନିର୍ଲଜ ଗୁଡାକୁ ଲାଜ ସରମ ହେଲେ ଥାଆନ୍ତା।ସେଇ ଶ୍ରୀଧର ପୁର ମଣିଷ ମରା ବାଦଲ ମହାନ୍ତି ଛିଡା ହୋଇଛି ଏମ୍. ଏଲ୍. ଏ. ରେ । ବାପ ଅମଣିଷ ଟା, ଚୋରି ନାରୀ କରି ଟଣା,ହଣା ଖାଇ ମଲା।ଏ ଭେଣ୍ଡିଆଟା ଦଶ- ବାର ଥର ଜନାକାରୀ କେଶ୍ ରେ ଥାନାକୁ ଗଲାଣି,ଇଲେକ୍ଟ୍ରି ତାର ଚୋରି କେଶରେ ଫସିଥିଲା,ଏପଟେ ଜଙ୍ଗଲରୁ ହରିଣ,କୁଟୁରା ସବୁ ମାରି ଖାଇ ଖାଇ କେତେ ଥର ଟଣା ହେଲାଣି ଥାନାକୁ।କିନ୍ତୁ ତା ଖୋସାମନ୍ତିଆ ବାଇନ କ'ଣ ପ୍ରଚାର କରୁଛି, ଜାଣିଛ ? ଆମ ବାଦଲ ଭାଇ ଜଣେ ସଚ୍ଚୋଟ,ଧାର୍ମିକ,ମଣିଷ ପରି ମଣିଷ।ମଣିଷର ଦୁଃଖ ଦେଖିଲେ ତାଙ୍କ ଆତ୍ମା କାନ୍ଦେ।ପ୍ରତ୍ୟେକ ନାରୀ ଜାତିକୁ ମା' ବୋଲି ସେ ସମ୍ମାନ ଦିଅନ୍ତି । ସାକ୍ଷାତ ଧର୍ମ ଦେବତା।ଏସବୁ ଶୁଣି ମୁଁ ଖାଲି ରକ୍ତ ଚାଉଳ ଚୋବାଉଥିଲି।ଇଚ୍ଛା ହେଉଥିଲା ମୋ ହଳୁଆ ପାଂଚଣରେ ଦିଅନ୍ତି କି ତା ପିଠିକି ଶକ୍ତ ପାହାରେ ।ଖାଲି ସେତିକି ନୁହଁ ମ ଦାଦା,ସେ ରତା ମୁହାଁ ମାଗୁର ନିଶିଆ ବାଦଲ,କି ବେଶ ! କି ଅଭିନୟ! ଜନ୍ମରୁ କଳାବଜାରୀ କରି କରି ଶଳା ଧବଧାଉଳିଆ ପଞ୍ଜାବୀ ପିନ୍ଧି,ମୁଣ୍ଡରେ ମା'ଙ୍କ ସିନ୍ଦୁର ପିନ୍ଧି,ଚିଡିଆଖାନା ର ଭାଲୁ କି ମାଙ୍କଡ଼ ଦୁଇହାତ ଯୋଡ଼ିଲା ପରି, ଭଦ୍ର ପିଲା ଭଳି ଚାଲି ଚାଲି ...କି ଯାତ୍ରାପାର୍ଟୀ ନମସ୍କାର ! କାହାକୁ ମା,କାହାକୁ ମାଉସୀ,କାହାକୁ ମଉସା,ଦାଦା,ନନା,ଭାଇ...କି କଅଁଳିଆ ଡାକ।ମା' ମୋତେ ଟିକେ ଆଶୀର୍ବାଦ କରିବ, ମୁଁ ଜିତିଗଲେ ନା ହାତୀ ଆଣିଦେବି,ଘୋଡା ଆଣିଦେବି,ଘର କରିଦେବି,ଲୋନ୍ କରିଦେବି।ରାଗରେ ମୋ ମୁଣ୍ଡ ଗରମ ହୋଇଯାଉଥାଏ।ଭାବୁଥାଏ ଏ ଚୋରମୁହାଁ ପୋଲିସ ଗୁଡାକ ଠାରୁ ବନ୍ଧୁକଟା ଛଡେଇ ଆଣି ତା ମୁଣ୍ଡକୁ ଗୋଟାଏ ମାରିଦିଆନ୍ତି ଯେ ଏକାଥରେ ତା ବାପ ସାଙ୍ଗରେ ବସି ସ୍ଵର୍ଗରେ ଖଞ୍ଜଣି ପିଟୁଥାନ୍ତା।

ମଣିଆର ଏ ସରଳ ହୃଦୟର ତରଳ କଥା ଶୁଣି ନରିଆ,ଯଦୁ,ମଦନ,ପ୍ରଦୀପ... ଯେତେଥିଲେ ସଵୁ ହସୁଥାନ୍ତି।ନରିଆ କହିଲା,ଆରେ ମଣିଆ ତୁ ସିନା ସରଳ ତୋ ମନଟା ନିର୍ମଳ ହେଲେ ତୁ ଜାଣିନୁରେ, ଏ ରାଜନୀତିଟା କେତେ ଜଟିଳ ଓ କେତେ କୁଟୀଳ ?ଯେତେ ହିଂସା,ଠକାମୀ ଓ ଅବିବେକୀ ସ୍ୱାର୍ଥପରତା ଏଇଠି ହିଁ ଥାଏ।ସେଥିପାଇଁ ପରା ଆଜିକାଲି ଭଦ୍ର,ସାଧୁ ଓ ବିବେକୀ-ବିଚାରବନ୍ତ ଲୋକମାନେ ଏ ଦୂଷିତ କାର୍ଯ୍ୟକ୍ରମରେ ପାଦ ରଖୁ ନାହାଁନ୍ତି।

 ମଣିଆ କହିଲା, ନା ନରିଆଦା, ମୁଁ ସିନା ମୁରୁଖଟା, ନିଜ ମନରୁ କିଛି ଜାଣି ନାହିଁ ହେଲେ ଆମ ସାନ କମଳଟା ପରା ବଡ଼ ପାଠୁଆ।ସେ ପଢିଲା ବେଳେ ମୁଁ ତାକୁ ଏ ରାଜ ନୀତି ବିଷୟରେ ବୁଝିଛି,ଏ ପରା ରାଜାଙ୍କର ନୀତି।ଏହା କେବଳ ଭାଗ୍ୟବାନଙ୍କୁ ହିଁ ମିଳିଥାଏ।ପର ମଣିଷକୁ ନିଜର...ନିଜ ପୁଅ,ଝିଅ ପରି ପାଳିବା ନେତା,ମନ୍ତ୍ରୀଙ୍କର କାଳେ ମୁଖ୍ୟ କାମ।ଆଗ କାଳରେ ରାଜାମାନେ ଯେମିତି ପ୍ରଜା ମାନଙ୍କର ଭଲ ମନ୍ଦ ବୁଝୁଥିଲେ,ସ୍ନେହ ଶ୍ରଦ୍ଧାଦେଇ ପାଳନ କରୁଥିଲେ,ସେଇମିତି ଯେଉଁମାନେ ଜିତିବେ ଆମକୁ ପରିବାର ଲୋକ ପରି ପାଳିବେ।ଦୁଃଖରେ,ବିପଦରେ ଆମ ମାଟିରେ ପାଦଦେଇ,କାନ୍ଧଦେଇ,ମୁଣ୍ଡଲଗାଇ ସେବା କରିବେ।ଦୋଷୀକୁ ଦଣ୍ଡ ଦେବେ ଆଉ ନ୍ୟାୟ ଦେବେ।

 ତୁ ଠିକ୍ କହିଛୁରେ ମଣିଆ,ତୋ ଭାଇ କମଳ ବହୁତ ପାଠୁଆ,ଯାହା କହିଛି ସବୁ ବହିରୁ ପଢି ଠିକ୍ କହିଛି।ପୂର୍ବ ଦିନଗୁଡିକର କଥାକୁ କହିଛି।ହେଲେ ଯୁଗ ପରା ବଦଳିଛି।ପରିବେଶ ପରିସ୍ଥିତି ବି ବଦଳି ଯାଇଛି।ଏ ଦୂଷିତ ପରିବେଶରେ ବିଶୁଦ୍ଧର ଛୁଆଁ କେମିତି ତୁ ପାଇବୁ?ଏଇ ମୋହନ ମାଷ୍ଟ୍ରେ ଆସିଲେଣି।ସେ ତ ପାଠରେ ଶାଠରେ ଏ ରାଜନୀତିରେ ଏ ଖଣ୍ଡ ମଣ୍ଡଳରେ ପୁରା ପୋକ।ତୋତେ ସବୁ ବୁଝାଇଦେବେ।

ମୋହନ ମାଷ୍ଟ୍ରେ ସବୁ ଶୁଣିଲେ ଓ ଚାନ୍ଦିନୀ ଉପରେ ସଭିଙ୍କ ମେଳରେ ବସି ଆରମ୍ଭ କଲେ ତାଙ୍କ ଅଭିଜ୍ଞତାର ରାଜନୀତି ଇତିହାସ।କହିଲେ, ଆରେ ମଣିଆ,ତୁ ଏବେ ଯାହା ସବୁ ଦେଖୁଛୁ ସେସବୁ ତାହା ନୁହଁ,କେବଳ ମିଛ ଅଭିନୟ।କହିଲୁ ଦେଖି ଏ ଗାଡି,ପ୍ରଚାର,ମଦ,ମାଂସ ଯାହା ଖର୍ଚ୍ଚ ହେଉଛି ତାହା କେଉଁଠୁ ଆସୁଛି ଓ କଣ ପାଇଁ?ଲୋକ ମାନଙ୍କୁ ଯେଉଁ ଭୋଟ୍ ପାଇଁ ନୋଟ୍ ଦିଆଯାଉଛି,ସେ ସବୁ ଆସୁଛି କେଉଁଠୁ ?ଜଣେ ବିନା ସ୍ୱାର୍ଥରେ କାହିଁକି ଏପରି ଖର୍ଚ୍ଚ କରେ ? ଜିତିବା ପରେ ଚାଲିବ ଆମ ଠାରୁ ଶୋଷଣ,ଦରଦାମ୍ ବୃଦ୍ଧି କରି,ଆମ ଠାରୁ ଋଣ ପାଇଁ ଲାଞ୍ଚ,ଆମ ନାଁ ରେ କେତେ ଠକେଇ।ରାସ୍ତାକାମ ଖଇଚା,ପୋଲକାମ ପୋଲା, ଘର ଭୁଷୁଡା ହେବାଭଳି।ସେଥିରୁ ମୋଟା ଲାଞ୍ଚ।ଶେଷରେ ଆମ ଜୀବନଟା ଚାଲିଯାଏ।ସେମାନେ ଆଡ଼୍ଡା ମାରି,ଗାଡି ଘୋଡା,ବ୍ୟାଙ୍କ ବାଲାନ୍ସ,ନିଜ ନାଁରେ ସହରରେ ଜାଗା,ଫ୍ଲାଟ୍ ଭବିଷ୍ୟତରେ ନିର୍ବାଚନ ଲଢ଼ିବାକୁ ସାଇତା ଅର୍ଥ।ଆଜି ଯିଏ ଯାତ୍ରା ପାର୍ଟୀ ପରି ଅଭିନୟ କରି କେତେ ମା,ଭାଇ,ଭଉଣୀ ସମ୍ବୋଧନ କରି ହାତ ଯୋଡୁଛି,ମୁଣ୍ଡ ନୂଆଉଛି,ପାଖରେ ବାସୁଛି,କାନ୍ଧରେ ହାତ ପକାଉଛି,ନାରୀ ଦେବୀ ବୋଲି କହୁଛି, କାଲି ଜିତିବା ପରେ ପଚାରିବ.. ତୁ କିଏ ରେ ? ତାକୁ ଜୁହାର ନ ହେଲେ ରଖିବ ରାଗ,ପାଖରେ ବସିବା ଦୂରର କଥା ଛିଡାହେଲେ ବି କହିବ, ସାହସ ତ ବହୁତ ଏମ୍. ଏଲ. ଏମ୍. ପି. ପାଖରେ ସାଙ୍ଗ ପରି ଛିଡା ହେଉଛି।ଖାଲି ସେତିକି ନୁହେଁ ଝିଅ ବୋହୁଙ୍କ ଉପରେ ନଜର ପକାଇବେ,ଦରକାରବେଳେ ଇଜ୍ଜତ ନେବେ, କି ଆତ୍ମହତ୍ୟା ପାଇଁ ଅସ୍ତ୍ର ହେବେ।ପୂର୍ବରୁ ଯେଉଁ କଥା କଥାକେ ହରି,ରାମ,ବନ୍ଦେ ମାତରଂ,ଭାରତ ମାତା କୀ ଜୟ,ଶବ୍ଦ ଶୁଭୁଥିଲା ସେତେବେଳେ ଭଗବାନ ବି ତାଙ୍କ ଠୁ ଛୋଟ ହୋଇଯିବେ,ମଦ ମାଂସ ହୋଇଯିବ ଠାକୁରଙ୍କ ଭୋଗ,ଦେଶ ଜାତି କଥା ଛାଡ,କହିବେ,ଜଗତ ଜୀବନ ପଛେ ନରକେ ପଡ଼ିଥାଉ ମୁଁ ଉଦ୍ଧାର ପାଏ,ମିଶୁ ଦେଶ ପାଣ୍ଠି ମୋ'ରି ପାଣ୍ଠିରେ।ଟଙ୍କା ପାଇଲେ ନିଜ ପଡୋଶୀ,ରାଜ୍ୟ,ଦେଶକୁ ବି ବିଜ୍ରି କରିଦେବେ।ସବୁଠୁ ଦୁଃଖ କଥା ଯେଉଁମାନେ ନେତା ପାଇଁ ଟିଜେଟ୍ ପାଆନ୍ତି,ସେମାନେ ବି ଚିହ୍ନା ଜଣା,କିମ୍ବା ଅଧିକ ଟଙ୍କା, ଦଳର ମୁଖ୍ୟକୁ ଦେଇ ବା ଅନ୍ୟ ଉପାୟରେ ଖୁସି କରାଇପାରିଲେ ହେବ।

ମଣିଆ କହିଲା, ବାପ୍ ରେ ବାପ୍,ମାଷ୍ଟ୍ରେ,ଏମନ୍ତ କଥା,ଏଗୁଡାକ ପୁରା ସୈତାନ।ମୁଁ ଦେଖୁଛି କେତେକ ଚାକିରୀ,ବ୍ୟବସାୟ,କାମ ଛାଡି ରାଜନୀତିକୁ ଆସୁଛନ୍ତି,ଏଥିରେ ଏତେ ସମସ୍ୟା କିନ୍ତୁ ଲାଭ କ'ଣ ହେଉଛି?

ମୋହନ ମାଷ୍ଟ୍ରେ କହିଲେ,ଆରେ ଏ ରାଜନୀତିଟା ଏବେ ସବୁଠାରୁ ବଡ଼ ବେପାର । ଜୀବନ ସାରା ଚାକିରୀ କରି ଜଣେ ଯେତିକି ରୋଜଗାର କରି ପାରେନି, ସେ ପାଞ୍ଚ ବର୍ଷ ଭିତରେ କୋଟିପତି।ଯିଏ ଦିନ ରାତି ଖଟି ଛୁଆଁକୁ ଖଣ୍ଡେ ଜାମା ଦେଇପାରୁନ ଥିଲା ସେ ଯାଉଛି ଏ.ସି. କାରରେ।

ମଣିଆ କହିଲା ସତ କଥା ଆଜ୍ଞା, ଆଇତିପୁର ଗାଁର ସୁର ସାହୁ,କାଲିପରି ଫଟା ପ୍ୟାଣ୍ଟ୍ ପିନ୍ଧୁଥିଲା,ଧଡରା ସାଇକେଲ ଖଟର ଖଟର କରି ଚଳାଉଥିଲା, ସେ ଆଜି ପାଦରୁ ବୁଟ୍ ଖୋଲୁନି,ଆଖିରୁ ଚଷମା ଖୋଲୁନି,ଯାଉଛି ସ୍କରଫିଓ ଗାଡ଼ିରେ । ଏଇ ଚିଲିଦାର ନାରଣ ଖଣ୍ଡୁଆର ଘରେ ଦିନରେ ଜହ୍ନ ରାତିରେ ଜହ୍ନ ଦେଖାଯାଉଥିଲା,ବାପା ଲୋ,ଆଜି ତା ଘରକୁ ଆଖି ଉଠାଇ ଚାହିଁ ହେଉନି । ଏଗୁଡା ପକ୍କା ଚୋର । ଏମାନେ ତ ସରପଞ୍ଚ,ସଭ୍ୟ... . ହେଲେ ଯିଏ ଏମ୍ ଏଲ ଏ. ଓ ଏମ୍ ପି ହେଉଥିବେ, ମନ୍ତ୍ରୀ ହେଉଥିବେ.. ସେମାନେ ତ ପବନରେ ପହଁରୁଥିବେ।ଏଗୁଡା ପକ୍କା ଚୋର।ଜାଣିଲେ ମାଷ୍ଟ୍ରେ ମୁଁ ସେଦିନ ଶୁଣିଛି ଦି ଜଣ।କଥା ହେଉଥିଲେ, ପାଠପଢି ପଇସା,ଖର୍ଚ୍ଚ କରିବୁ କାହିଁକି ନେତା ହୋ,କାରଖାନାରେ ଖଟିଲେ କେତେ ଟଙ୍କା ରୋଜଗାର କରିବୁଚାଷ କଲେ ମରିଗଲେ ବି ଘରଟେ କରିପାରିବୁନି,ରାଜନୀତି କରିବା,କଣ୍ଟ୍ରାକ୍ଟି କରିବା ଲାଲେଲାଲ୍ ହୋଇଯିବା।ମାଷ୍ଟ୍ରେ କହିଲେ ଠିକ୍ ଶୁଣିଛୁ ମଣିଆ, କଥାରେ ପରା ଅଛି,ଭଲ ବ୍ୟବସାୟ ରାଜନୀତି,କୋଠା ବାଡ଼େଇବୁ ରାତାରାତି । ତେଣୁ କେତେକ ହୋଟେଲ,ଦୋକାନରେ କାମ ନ କରି ପରା ରାଜନୀତି କରୁଛନ୍ତି।

ଏ ମାଷ୍ଟ୍ରେ ଜିତିଲେ ତ ଭଲ କିନ୍ତୁ ଯଦି କିଏ ହାରେ, ତେବେ?

ଆଉ କ'ଣ କରିବ ? ଦାଦାଗିରି କରିବ,ବିରୋଧୀ ଦଳକୁ ନେଇ ଧମକ ଚମକ ହେବ,ନ ହେଲେ ଜିତିବ ଲୋକଟାକୁ ସୁଯୋଗ ଦେଖି ମାରି ପୁଣି ନିର୍ବାଚନ କରାଇ ଜିତିବ।

ମଣିଆ ଚମକି କହିଲା, ଏମାନଙ୍କୁ ଧରମ ସହିବ ତ?

ହଁ ରେ ମଣିଆ,ରାଜନୀତିରେ ଧରମ କ'ଣ?ଆଜି ଯିଏ ମିତ୍ର, ସ୍ୱାର୍ଥ ନ ମିଳିଲେ ସେ ହେବ ଶତ୍ରୁ ଓ ହେବ ତାର ମୃତ୍ୟୁର କାରଣ।ଯିଏ ଥିବ ଶତ୍ରୁ ଗୋଟିଏ ଦଳରେ ପାନରୁ ଚୁନ ଖସିଗଲେ ସେ ହେବ ଶତ୍ରୁ,ଅନ୍ୟ ଦଳ ବଦଳାଇ ଯିବ, ଆଉ ନେତା ବି ବଦଳିଯିବ।ଯିଏ ଯେତେ ତେଲ ମାରିଲା,ସେ ହେଲା ଭଲ।ଯିଏ ବୈମାନ,ସୈତାନ,ପାଜି ସେ ସେତେ ଅଧିକ ତିଷ୍ଠିବ।ଦିନ ଥିଲା ମଧିବାବୁ ସମ୍ମାନ ସ୍ୱାଭିମାନ ପାଇଁ ମନ୍ତ୍ରୀପଦ ତ୍ୟାଗକରିଦେଲେ ସ୍ୱଇଛରେ।ଆଜି ନେତା ପଦବୀ ପାଇଁ ବିକ୍ରିକରୁଛି ଝିଅ,ସ୍ତ୍ରୀ,ସାଜୁଛି ଦେଶଦ୍ରୋହୀ,ଜାତିଦ୍ରୋହୀ । ଯିଏ ଯେତେ ଜିନ୍ଦାବାଦ୍ ପକାଇଲା,ଶତ୍ରୁକୁ ମୂର୍ଦ୍ଦାବାଡଦ ପକାଇଲା ସିଏ ହେଲା ପ୍ରିୟ।ଯିଏ ଲୋକଙ୍କୁ ଭୁଆଁ ବୁଲାଇ ନେତା ମନ୍ତ୍ରୀ ସଭାକୁ ଆଣିବ,ଆଉ ତୋସାମଦିଆ ହୋଇ ମିଠା ତେଲିଆ କଥା କହି ଟେକୁଥିବ,ଆଉ ଯେତେ ମିଛ କହି ସବୁବେଳେ ଦୁର୍ନୀତି ହଟାଅ କହୁଥିବ, ଲୋକମାନେ କହିବେ, ଏ ଆମ ଭଲ ନେତା।ନ ହେଲେ କାହାର ଟିକେ ଦୁର୍ବଳ ଦେଖିଲେ ଗଣ୍ଡଗୋଳ କରି ଯିଏ ନିଜର ନାଁ କମେଇବ ସେ ହୋଇଯିବ ଭଲ ନେତା।

ସତରେ ମାଷ୍ଟ୍ରେ ଏମନ୍ତ କଥା ଅଛି,ମୋତେ ତ ଏ ସବୁ ସିନେମା ଦେଖିଲା ପରି ଲାଗୁଛି।ମାଷ୍ଟ୍ରେ ଏସବୁ ଶୁଣିଲା ପରେ ମୋତେ ଏ ନେତାଙ୍କୁ ଘୃଣା ଲାଗୁଛି,ଆଉ ଏ ରାଜନୀତିକୁ ଆମ ଦେଶରୁ ନିପାତ କରିବାକୁ ଇଚ୍ଛା ହେଉଛି।ଏସବୁ ଆଗରୁ କ'ଣ ଥିଲା, ନାଁ ଆମ ଆଜିର ମଣିଷ, ଅମଣିଷ ହୋଇ ଏମିତି କରୁଛି ?

ମାଷ୍ଟ୍ରେ ନିଜ ପକେଟରୁ ମୋବାଇଲ୍ ଖୋଲି ସେଦିନର ରାଜନୀତି ଆଧାରିତ ଚଳଚ୍ଚିତ୍ର ଜଗାବଳିଆର ପାନ ଗୁଆ ଖଇର ଗୁଆକାତି..ଗୀତଟି ଶୁଣାଇଲେ।ଖାଲି ମଣିଆ ନୁହଁ ତା ସହ ସମସ୍ତେ ଶୁଣି ଓ ଦେଖି ରାଜନୀତି କେତେ ଅଳିଆ ଜାଣି ଆଶ୍ଚର୍ଯ୍ୟ ହେଲେ।ମଣିଆ କହିଲା, ମାଷ୍ଟ୍ରେ.... କି ମଇଳା, କି ଅସନା ଏ ରାଜନୀତି।ଯୋଉଠି ବି ଦେଖିବ କଷଣ,ଶୋଷଣ,ଲୁଣ୍ଠନ ଆଉ ପ୍ରିୟାପ୍ରୀତି।ଲୋକଗୁଡ଼ାକ କେତେ ଆଶା ନେଇ ଏମାନଙ୍କୁ ସିଂହାସନରେ ବସାଉଛନ୍ତି,ଏ ଧର୍ମଛଡ଼ା ଗୁଡାକ ବିଶ୍ୱାସରେ ବିଷ ମିଶାଉଛନ୍ତି ! ଏମାନଙ୍କୁ ଧରମ ସହିବ ନାହିଁ । ଗରିବ ଗୁରୁବା ଯେତେ, କେତେ କଷ୍ଟ କରି ବି କେତେବେଳେ ପେଟରେ ଓଦାକନା ଦେଇ ବୁଲୁଛନ୍ତି, ଏ ଖଣ୍ଡିଆ ଗୁଡାକ କାମ ନ କରି,ଦୋକାନ,ହାଟ-ବଜାର,କମ୍ପାନୀ କି ହୋଟେଲରେ କାମ ନ କରି ଆମ ହାଡ଼ଭଙ୍ଗାଧନକୁ ଲୁଟି ଉଆସରେ ବସୁଛନ୍ତି ? ଆମେ ଖଟି ଖଟି ମରୁଛୁ, ଏମାନେ କାରରେ ବସି ଅୟସି କରୁଛନ୍ତି । ଛି.. ଛି.. ଗୋଲାମ ଗୁଡାକ,ନିଜ ବାପା ମା'କୁ ତ ପଚାରୁନ,ଶଳେ ଏ ନେତାଙ୍କ ଜୋତା ଚାଟୁଛ ? ତାଙ୍କ କଚ୍ଛା ଧରୁଛ ? ଅଇଁଠା ଉଠାଉଛ ? ମାଷ୍ଟ୍ରେ ମୋର ସନ୍ଦେହ ହେଉଛି,ଏଗୁଡ଼ାକ ସେ ବିଦେଶୀ ଇଂରେଜଙ୍କ ଛୁଆ ନୁହଁ ତ?ପୁଣି ଭୋଟ୍ ପାଇଁ ନିଜ ଭାଇ,ସାଙ୍ଗ,ବାପ ମା' ସବୁକୁ ବି ମାରିବାକୁ ପଛାଉନାହାଁନ୍ତି।

ହେଲେ ମାଷ୍ଟ୍ରେ, ଆଉ ସେମାନଙ୍କର ଚାଲାକି ହାର୍ କିନୀ ଦେଖା ଚାଲିବ ନାହିଁ। ଆରେ..କ'ଣ ଭାବୁଛ ଆମକୁ। ? ଆମ ଟଙ୍କାରେ ଖାଇ. ଶୋଇ, ଆମ ଆଗରେ ସାହେବ ଦେଖେଇବ ? ଏହା କହି ସମସ୍ତଙ୍କୁ କହିଲା...ଆମେ ମାନେ ସଵୁ ଠିକ୍ ହୋଇଯିବା,ଲୋକଙ୍କୁ କହିବା; କେହି ଟଙ୍କାନେଇ ଭୋଟ୍ ଦେବେନାହିଁ,ଯଦି ଖାଉଛ ଖାଇ ଦିଅ କିନ୍ତୁ ଅସଲ ଲୋକକୁ ଭୋଟ୍ ଦିଅ। ମାଷ୍ଟ୍ରେ ବହୁତ ଖୁସି ହୋଇ ମଣିଆ ପିଠିରେ ହାତ ମାରି କହିଲେ ସାବାସ୍ ମଣିଆ ସାବାସ୍।ଏହିପରି ଲୋକ ଆମ ଦେଶରେ ଜନ୍ମ ହେଲେ ଆମ ଦେଶ ରାମରାଜ୍ୟ ହୋଇଯାନ୍ତା।

ମଣିଆ କହିଲା, ଛି ଛି...ଥୁ ଥୁ...ସେ ଅଲାଜୁକଙ୍କୁ,ଆମକୁ ଦେଖାଉଛନ୍ତି ଏମାନେ ରାଜନୀତି,ରାଜନୀତି ତ ନୁହଁ... କୁକୁରିଆ ରାଜନୀତି।  ଆସୁଛି ମାଷ୍ଟ୍ରେ, ଜୁହାର,ଦେଖିବେ ଏଥର ନିର୍ବାଚନରେ ଏ କୁକୁରିଆଙ୍କୁ ଯଦି ମୂଳପୋଛ ନ କରିଛୁ... ତାହେଲେ...ଆମ ନାଁରେ କୁତା ପାଳିବ।


Rate this content
Log in