Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅନୁପ୍ରବେଶ
ଅନୁପ୍ରବେଶ
★★★★★

© SIPRA NAMTA

Others

9 Minutes   648    60


Content Ranking

ସୁହାସୀ ଭୀଷଣ ଉତକ୍ଷିପ୍ତ ।

ନା ...ଆଜି ସେ କୌଣସି ପ୍ରକାରେ ସୌମେନଙ୍କୁ ସହଯୋଗ କରିବନି ।ଅଫିସ ରୁ ଫେରିବା ପରେ ରାନ୍ଧୁଣିଆ ଗୋଟେ ଯୋଗାଡ କରିବାରେ ବ୍ୟସ୍ତ ରହିଲା ସେ । ନା ,ଆଉ ରାନ୍ଧି ବାଢି ଦେଇପାରିବନି ସେ ।ଛୋଟ ଲୋକଟାଏ ବୋଲି କହିଲେ ସୌମେନ ।

ପୁରୁଷ ତା'ର ପୌରୁଷତ୍ୱର ଅହଙ୍କାରରେ ନାରୀକୁ ତୁଛ ବୋଲି ଭାବେ । କିନ୍ତୁ କାହିଁକି ? ପୃଥିବୀର ସବୁଠାରୁ ସୁନ୍ଦର ସର୍ଜନା ନାରୀ ..., ପୁରୁଷର ସମସ୍ତ କାମନା ,ବାସନାର ଚରିତାର୍ଥ ପାଇଁ ...,ସବୁ ଦୁଃଖ ସୁଖ ଭାଗ କରି ଭୋଗି ନେବା ପାଇଁ ......,ସବୁ ତ୍ୟାଗ କରିବା ଏବଂ ସବୁ କିଛି ସହିବା..... କେବଳ ନାରୀର ଧର୍ମ ବୋଲି କାହିଁକି କୁହାଯାଏ ? କାହିଁକି ଲେଖାଯାଏ ? ହୁଏତ ନାରୀ କେବଳ ହିଁ "ନାରୀ " ବୋଲି ।

ହେଃ ....ଏଇ ପଦଟା ର କିଛି ବିଶ୍ଳେଷଣ କରାଯାଇ ରେ ?

ଆଜିକାଲି ଲୋକେ କହୁଛନ୍ତି , " ଏକବିଂଶ ଶତାବ୍ଦୀରେ ନାରୀ ଆଜି ଉନ୍ମୁକ୍ତ , ସବୁ ବାଧା ବନ୍ଧନ ରୁ ,ପୁରୁଷ ରୂପକ ଅକ୍ଟୋପାସ ର ବନ୍ଧନ ରେ ଆଉ କବଳିତ ନୁହେଁ ।ନାରୀ ଏବେ ସ୍ୱାବଲମ୍ବୀ ହେଲେଣି ।କିନ୍ତୁ କାହିଁ ସେ ତ କିଛି ଜାଣିପାରୁନି ।ଯେତେ ଆଧୁନିକତାର ଦ୍ୱାହି ଦେଲେ ବି ଯୁଗେ ଯୁଗେ ନାରୀ ପୁରୁଷ ପଦବାଚ୍ୟ ମଣିଷ ଭିତରେ ନିଜର ଆତ୍ମ ସତ୍ତା କୁ ହିଁ ଖୋଜେ ,ଖୋଜି ଆସୁଛି ଆଉ ଖୋଜିଆସୁଥିବ ।ଏଇଟା ହିଁ ନାରୀ ଜୀବନର ସମ୍ପୂର୍ଣ୍ଣ ସତ୍ୟତା । କେବଳ ଛଳନା ର ମୁଖା ପିନ୍ଧି ସବୁ ସତ୍ୟ କୁ ମିଛ ର ପର୍ଦ୍ଦା ରେ ଲୁଚାଇ ରଖିବା ହିଁ ସାର ।

ତେବେ ପୁରୁଷ ଟା ଏତେ ପାରିବାପଣିଆର ହେଲା ଯେ ତାକୁ ନ ନେଇ କିଛି କଳ୍ପନା କରାଯାଇ ପାରେନା ।ଏଇ ଯେମିତି ଶୈଳେଶ ।ସେଦିନ ତା'ର କଥା କୁ ଅନୁଶୀଳନ କରୁଥିଲା ସୁହାସୀ ।।

""ଦେହ ଭୋଗ ର ସାଇକୋଲୋଜି କୁ ଯିଏ ଅସ୍ବୀକାର କରି ପ୍ରେମ ର ବ୍ୟାଖ୍ୟା କରେ ସେ କେବଳ ଛଳନା କରେ ।କାରଣ ଶରୀରକୁ ସ୍ପର୍ଶ ନ କରି ପ୍ରେମ କଣ ସମ୍ଭବ ? ?

ମୋ ମତ ରେ .....ନା ,ହୋଇପାରେନା ...ଟିକିଏ ତ ଛୁଆଁ ଦରକାର । ଗଭୀର ପ୍ରେମାପ୍ଳୁତ ହୃଦୟର ସର୍ବଶେଷ ଆବେଗ

ପ୍ରେମୀ ର ଏତେ ଟିକେ ଛୁଆଁ ରେ ହିଁ ମୋକ୍ଷତ୍ୱ ପ୍ରାପ୍ତି କରେ ।

ଆଃ..... ଶୈଳେଶ ର ପାପୁଲି ଭିତରେ ଚାପି ହୋଇ ଯାଇଥିଲା ସୁହାସୀ ର ହାତ ।ଝାଳେଇ ଯାଉଥାଏ ସୁହାସୀ ର ପାପୁଲି ଶୈଳେଶ ହାତ ର ଉଷ୍ମତାରେ ।ଶୈଳେଶ ଯୁବକବି ।ଆଉ ଲେଖକ ଜଗତ ରେ ଏଇମାତ୍ର ପାଦ ଥାପିଛି ସୁହାସୀ ।କିନ୍ତୁ ଅଳ୍ପ ଦିନ ର ଲେଖନୀ ଯାତ୍ରା ରେ ଅପୂର୍ବ ସଫଳତା ପ୍ରାପ୍ତ ହୋଇ ପାରିଛି ତାକୁ ।ଶୈଳେଶ ସହିତ ସାକ୍ଷାତ ଫେସବୁକ ମାଧ୍ୟମରେ ।ପରେ ପରେ ଅନେକ ସାହିତ୍ୟ ପରିଷଦ ରେ ଅନୁଷ୍ଠିତ ହେଉଥିବା ସଭା ,ସମିତି ,ଆଲୋଚନା ଭିତରେ ପରସ୍ପର ର ନିକଟବର୍ତ୍ତୀ ହୋଇପଡନ୍ତି ଦୁହେଁ । ଯଦିଓ ସେ କବିତା ବିଶେଷ ଲେଖେନି କିନ୍ତୁ ଶୈଳେଶ ର କବିତା ପଢିଲେ ସେ ମଧ୍ୟ ରୋମାଂଚିତ ହୁଏ ଏବଂ ପ୍ରତ୍ୟୁତ୍ତର ରେ କବିତ୍ୱ ଆପେ ଆପେ ଝରିଆସେ ।

ଛୋଟ ବେଳୁ ଲେଖିବା ତା'ର ଦୁର୍ବଳତା ଥିଲା ।ଏବେ ଏବେ ସବୁ ପେଡି ପୁଟୁରା ରୁ ଗୋଟେ ଗୋଟେ ହୋଇ ବାହାରୁଛନ୍ତି ।

ସେଥିପାଇଁ ମାଧ୍ୟମ ଦରକାର ଥିଲା ।ସେ ମାଧ୍ୟମ ହେଲା ଫେସବୁକ ।ଅନେକ ନିଆରା ପଣ ରେ ଆଚ୍ଛାଦିତ ମୁହୂର୍ତ୍ତ କୁ ଆପଣାର ଲାଗେ ।ନିର୍ଦ୍ୱନ୍ଦରେ ବିଚରଣ କରେ ସେ କଳ୍ପନା ରାଜ୍ୟ ରେ ।

ଏ ପର୍ଯ୍ୟନ୍ତ ଚାରୋଟି ଗଳ୍ପ ଓ ଦୁଇଟି କବିତା ସଂକଳନ ପ୍ରକାଶିତ ହୋଇସାରିଲାଣି ।କିନ୍ତୁ ଆତ୍ମତୃପ୍ତି ର ତୃଷ୍ଣା ମେଣ୍ଟିବା ବଦଳ ରେ ବଢି ଚାଲିଛି ।ଆହୁରି ଆଗକୁ ....ଆଗକୁ ....ଯିବା ପାଇଁ ଅଧୀର ମନ ।ମାତ୍ର ସେଥିରେ ପରିବାର ପକ୍ଷରୁ ବିଶେଷ ସମର୍ଥନ ମିଳେନା ।ସ୍ୱାମୀ ସୌମେନ ଆତ୍ମ କୈନ୍ଦ୍ରିକ ।

ଆତ୍ମ କୈନ୍ଦ୍ରିକ ଲୋକ ମାନେ ଭୀଷଣ ମୁଡି। ସେମାନଙ୍କ ମୁଡ କୁ ନେଇ କାମ କରିବା ଭୀଷଣ କଷ୍ଟକର ବ୍ୟାପାର । ପୁରୁଷ ପିଲା ଙ୍କ ପ୍ରେମ ପେଟ ପାଖରୁ ଆରମ୍ଭ ହୁଏ ବୋଲି ସେ ଅନେକ ଜାଗା ରେ ଶୁଣିଛି ଓ ଅନେକ ଫିଲ୍ମ ରେ ବି ଏ ଡାଇଲଗ ଥିବାର ଦୃଶ୍ୟ ଦେଖିଛି ।ସେଇଥିପାଇଁ ତାକୁ କିଛି କମ ପରିଶ୍ରମ କରିବାକୁ ପଡ଼ିନାହିଁ ନୂଆ ନୂଆ ।ତଥାପି ସୌମେନ ଯେମିତି ଆହୁରି କିଛି ଅଧିକ ଆଶା କରନ୍ତି ତା'ଠାରୁ ।ଚାକିରୀ ସହିତ ସଂସାର ଓ ସାହିତ୍ୟ କୁ ଖୁବ୍ ଭଲ କରି ବାଲାନ୍ସ କରି ଆଗେଇବାକୁ ପଡେ ।

ଆଜିକାଲି ସାହିତ୍ୟ କୁ ନେଇ ସଭା ଓ ସମିତି ରେ ଉପସ୍ଥାନ ଦେଲେ ସୌମେନ ବିରକ୍ତ ହେଉଛନ୍ତି ଓ ଚିଡି ଯାଉଛନ୍ତି ।ଠିକ୍ ଭାବେ କଥା ହେଉନାହାନ୍ତି ।ବିଭିନ୍ନ ସାହିତ୍ୟ ସମ୍ମିଳନୀରେ ଯୋଗ ଦେବା ବିଷୟ କୁ ନେଇ କେମିତି ଈର୍ଷ୍ୟାଳୁ ଲାଗୁଛନ୍ତି ।

ଅନେକ ଫୋନ ଆସୁଥିବାର ଦେଖି ଅସହିଷ୍ଣୁ ହେଉଛନ୍ତି ।

ସତ ରେ ,ସ୍ତ୍ରୀ ର ସମ୍ମାନ ଓ ଯଶ କୁ ସେ ସହିପାରୁନାହାନ୍ତି ନା ଅନ୍ୟ ପୁରୁଷ ବନ୍ଧୁଙ୍କ ସହ ଆଳାପ ଆଲୋଚନା କୁ ସେ ସହ୍ୟ କରିପାରୁ ନାହାନ୍ତି ସେକଥା ସୁହାସୀ ନିଜେ ଲେଖିକା ହୋଇ ମଧ୍ୟ ବୁଝି ପାରୁନି । ବେଳେ ବେଳେ ଅଯଥା ବାକ୍ୟ ବାଣ ରେ ଜର୍ଜରିତ କରୁଛନ୍ତି ହୃଦୟ କୁ ଯେ ସେଥିରେ ଲହୁ ଲୁହାଣ ହୋଇଯାଉଛି ଛାତି ଆଉ ପ୍ରାଣ । ଯୁଗେ ଯୁଗେ ପୁରୁଷ ତ ଏମିତି ।

ହଁ ଏମିତି ବି ହୁଏ ।କେବେ ଭାବନା ରାଇଜ ରେ ଘମାଘୋଟ ଲଢେଇ ବେଳେ ମନ ଟା ହାରିଯାଏ ସାମୟିକ ଦୁର୍ବଳତା

ପାଇଁ ।କିନ୍ତୁ ଲୋକ ବି ଏମିତି ପାରିବାପଣିଆ ଦେଖାଇ ହୁଅନ୍ତି ନିଜ ଅଙ୍ଗେ ନ ଲିଭାଇଥିଲେ ବୁଝିପାରି ନ ଥାନ୍ତା ।ପ୍ରେମ ତ ସବୁବେଳେ ଅନ୍ଧ ,ଯୋଉ ରୁଢ଼ି ଅଛି ।ସେ କଥା ସମ୍ପୂର୍ଣ୍ଣ ସତ ନ ହେଲେ ବି ,କଦାପି ମିଛ ନୁହେଁ ।ଏମିତି ଏକ ଦୁର୍ବଳ ମୁହୂର୍ତ୍ତ ର ଶୀକାର ହେବାକୁ ଥିଲା ସୁହାସୀ ର ଭାବିଲେ ଅନ୍ତରାତ୍ମା ଦୁଃଖୀ ହୋଇଯାଏ ।କ'ଣ ବା ଅଭାବ ଥିଲା ତା'ର ବା ସୌମେନ ଙ୍କର।

କିନ୍ତୁ ଅନେକ ଉପେକ୍ଷା ,ଅବହେଳା ର ପରବର୍ତ୍ତୀ ପର୍ଯ୍ୟାୟ ଅନ୍ୟ କାହା ର ଅନୁପ୍ରବେଶ କୁ ଆମନ୍ତ୍ରଣ ଜଣାଏ ଯେପରି ! ! ।

*********

---ହାଏ ,କଣ କରୁଛନ୍ତି ? ୟୁ ଆର ଭେରୀ ସୁଇଟ ।

---ପୁଣି କେବେ ଦେଖା ହେବ ? ଆଜି ଆସ ପାର୍କ ଆଡେ ।କିଛି କଥା ଥିଲା ଆଖିର ତୁମ ଆଖି ସାଥେ ।

ସୁହାସୀ ନିରୁତ୍ତର ଥିଲା ।

---ୟୁନିଭରସିଟି ପଛ ପଟକୁ ନିକାଂଚନ ଜାଗା ଅଛି ସେଇପଟେ ଆସ ମୁଁ ପହଂଚୁଛି ।

ପାଟି ଖୋଲିଲା ସୁହାସୀ ---ଡର ଲାଗିବନି ? କେହି କାଳେ ଦେଖିବେ ! !

----ଧେତ ! କିଛି ହେବ ନାହିଁ ତୁମ ଦେଇ ।

କେବେ କାହାକୁ ଭଲ ପାଇଥିଲ କି ନା ? କେମିତି ଯେ ଲେଖୁଛ କେଜାଣି ।କିଛି ମୁଡ ନ ଆସିଲେ ଲେଖି ହୁଏ ?ମୁଁ ତ ପାରେନି ।

ମୁଁ ଗୋଟେ ବୁଢା ଚୁର ଜାଣିଛ ।!

ହସିଲା ସୁହାସୀ ଖିଲି ଖିଲି ।ସେ ହସ ନିଜ କାନ କୁ ବି ଅଜବ ଲାଗୁଥିଲା କିନ୍ତୁ ଶୈଳେଶ କୁ ଏକ ଅଭିନବ ଖୋରାକ ଦେଉଥିଲା ସେ ହସ ।

କିଛିଦିନ ରାତି ରାତି ଉଜାଗର ହୋଇଯାଏ ସେ ଏକ ଖିଆଲୀ ପଣ ରେ ।କେବେ କେବେ ବିଳମ୍ବିତ ରାତିରେ ମେସେଜ ଦେଖେ ,"ତୁମ ବିନା ନିଦ୍ରାଦେବୀ କୋଳାଗ୍ରତ କରୁନାହାନ୍ତି ।"

ସେମିତି ବିଛଣାରେ ପଡି ପଡି କେତେବେଳେ ଆଖି ଲାଗିଯାଏ । ସୌମେନ ଙ୍କ ହାତ ଭିଡିନିଏ ତାକୁ ଅନ୍ଧାରି ମୂଲକ କୁ ।ଅସ୍ପଷ୍ଟ ସ୍ୱର ଆସେ ," କେତେ ଦେଖୁଛ ସେଇ ମୋବାଇଲ ରେ ,ତୁମକୁ ବିରକ୍ତ ଲାଗୁନି କେଜାଣି "।

ସତ ରେ କଣ ସେ କିଛି ଭୁଲ କରୁଛି ?

ଶୈଳେଶ ବି ତ ଏମିତି କହେ ," ଏବେ ରହୁଛି କିଛି ବାୟୋଲଜିକାଲ ନିଡ୍ସ ଅଛି ।"

କାହାର ନିଡ୍ସ ....ଶୈଳେଶ ର ନା ତା ସ୍ତ୍ରୀ ର ...?

ମାନସିକ ସ୍ତରରେ ପ୍ରସ୍ତୁତ ନ ଥାଇ କେମିତି ଜଣେ ଦେହ ସୁଖ ଟା କୁ ଭୋଗିପାରେ ଯେ ! ଅତି ବିଚିତ୍ର ପ୍ରାଣୀ ସତେ ଏଇ ମଣିଷ ।

---ଆଃ.... ଛୋଟ ଚିତ୍କାର ଟିଏ ଖସି ଆସେ ,ସୁହାସୀ ପାଟିରୁ ।

ରୋଷେଇ କରିବା ସମୟରେ ତେଲ ଛିଟିକା ଟିଏ ପଡି ଫୋଟୋକା ହୋଇଯାଇଛି ଚିବୁକ ର ଠିକ୍ ଉପରକୁ ।କ୍ଷତ ଉପରେ ପୁଣି କ୍ଷତ ।କିନ୍ତୁ ସୌମେନ ଙ୍କର କିଛି ପ୍ରତିକ୍ରିୟା ନ ଥାଏ ।ଘୃଣା ରେ ସାରା ଦେହ ଶିର ଶିର କରିଉଠେ ତା'ର ।

ସବୁ ପୁରୁଷ କଣ ସମାନ ? ? ନା ବୋଧ ହୁଏ ନୁହେଁ । ଶୈଳେଶ ତ ପୁଣି ତା ପତ୍ନୀ ର ଇଛା ଅନିଚ୍ଛା କୁ ସମ୍ମାନ ଦେଉଛି ।ତେବେ ସୌମେନ କାହିଁକି ଏମିତି ? ?

********

କିଛିଦିନ ପରେ ଫୋନ କଲ ଆସିଲା ""ହାଏ ,ସୁଇଟ ହାର୍ଟ , ଆପଣଙ୍କ ଘର ଠିକଣା କୁହନ୍ତୁ ତ ..."

କିଛି ନ ବୁଝି ନ ବିଚାରି କେମିତି ଯନ୍ତ୍ରଚାଳିତ ହୋଇ କହିଦେଲା ସେ ତା'ଘର ଠିକଣା ,ନିଜେ ବି ଜାଣେନି ।

ଅଧଘଣ୍ଟାଏ ପରେ ଆଗନ୍ତୁକ ଉପସ୍ଥିତ ହୋଇଗଲେ ତାଙ୍କ ଘର ଗେଟ ପାଖରେ ।

ଫୋନ ରେ ପୁଣି ସେଇ ଭସା ଭସା ସ୍ୱର ଭାସି ଆସିଲା ---

"ହ୍ୟାଲୋ ,ମାଡ଼ମ ଆପଣଙ୍କ ଘର ସାମ୍ନା ରେ ଅଛି ।"

ଓଃ ,କି ଭୟଙ୍କର ଲୋକ ।ଝଡ ପରି ମାଡି ଆସିଲେ ...।

ନିଜକୁ ପ୍ରକୃତିସ୍ଥ କରି ପାହାଚ ଓଲ୍ହାଇ ଅଗତ୍ୟା ଗେଟ ପାଖକୁ ଆସିଲା ସୁହାସୀ ।

ସେତେବେଳେ ନୂଆ ନୂଆ ଲେଖୁଥିଲା ସେ ।ଯୁବ କବି ଶୈଳେଶ । ଫେସ ବୁକ ରେ ଫ୍ରେଣ୍ଡ ହେବା ପରେ ସେଥିରେ କିପରି ପୋଷ୍ଟିଂ କରିହେବ ସେସବୁ ଉପରେ ଆଲୋଚନା କରୁ କରୁ ନିକଟତର ହେବା ଟା ସ୍ୱାଭାବିକ ଥିଲା ।କାରଣ ସୌମେନ ପାଖରୁ ଏସବୁ ସାହାଯ୍ୟ ପାଇବା ବୃଥା ଥିଲା ।

- --" ଆରେ ମନ ଖୁସି ପାଇଁ ତ ଲେଖା ଗୋଟେ ଦୁଇଟା ମାଗଜିନ ରେ ଦେଉଛ ।ପୁଣି ଏ ଫେସବୁକ କଣ ।ବେକାର

କାମ ସବୁ ଦେଖିବ ୟା ପାଖରେ ।ଗୁଡାଏ ଲୋକ ଫେସବୁକ ରେ ଆସିବେ ।ଅଧେ ତ ଖାଲି ମେସେଞ୍ଜର ରେ ଚାଟିଂ ପାଇଁ ଫ୍ରେଣ୍ଡ ହେବେ ।ଆଉ ତୁମ ପରି ସୁନ୍ଦରୀ ନାରୀ କବି ଙ୍କ ପଛରେ ପଡିବେ ।ସେତେବେଳେ ........"।

- --ବାସ ବାସ ଥାଉ ଥାଉ ,ଆଉ ଦରକାର ନାହିଁ ମୋର ତୁମ ପାଖରୁ ସାହାଯ୍ୟ । ମୁଁ ମୋର ଶିଖିଯିବି ।

ସୁହାସୀ ସୌମେନ ର କଥା କୁ ପୂରା କରିବାକୁ ନ ଦେଇ କହିଲା ।ସୁହାସୀ କୁ ଦୁଇ ହାତ ରେ ଟାଣି ନେଇ ଆଲିଙ୍ଗନ କରି ସୌମେନ କହିଥିଲେ ," ମୋ ପାଖରୁ ମନ ଛାଡି ଗଲାଣି କି ,?କୋଉଠି ଊଣା ରହିଲା କୁହ ?

----- ହେଃ ଯେତେସବୁ ବାଜେ କଥା ,ବନ୍ଦ କର ।

ରାଗ ତମ ତମ ହୋଇ ସୁହାସୀ ଚାଲିଆସିଥିଲା ସେ ଦିନ ସୌମେନ ପାଖରୁ ।

କିନ୍ତୁ ତା ପରଠାରୁ ସୌମେନ ଙ୍କର କଠୋରତା ଧୀରେ ଧୀରେ ବଢି ଯାଉଥିଲା ବେଳେ ସୁହାସୀ ମୋବାଇଲ ଫୋନ ର ଯାନ୍ତ୍ରିକ କୌଶଳ କୁ ଶିଖିବାରେ ବ୍ୟସ୍ତ ଥିଲା ।ଓଃ ! !ସତ ରେ ଭାରି ବିରକ୍ତପୂର୍ଣ୍ଣ ଏଇ କାମ ସବୁ ।ବିରକ୍ତିରେ ଥରେ ଥରେ ମନ ଭରିଯାଏ ସୁହାସୀ ର ।ତାକୁ ଲାଗେ ସେ ଯେପରି ପାଠ ପଢିନି ,ଗୋଟାପଣେ ମୂର୍ଖ ,ମଫ ସୁଦୁ ଅପାଠୋଇ ଟିଏ ।ଅତି ସାମାନ୍ୟ କଥା ଟିକୁ ମଧ୍ୟ ସେ ଭଲ କରି ଶିଖି ପାରୁ ନାହିଁ ।ଶୈଳେଶ ଙ୍କର ଆନ୍ତରିକତା କେତେବେଳେ ନିଜ ଭିତରେ ଘର କରିସାରିଥାଏ ନିଜ ଅଜାଣତରେ ।ବର୍ଷ ବର୍ଷ ଧରି ଚୁଲ୍ଲା ଚୌକା ରୁ ଫୁରୁସତ ,ପାଇବାର ଗୋଟେ ଅବସର କୁ ହାତଛଡା କରିବାକୁ ଯେମିତି ମନ ଚାହୁଁ ନ ଥିଲା ।ଶୈଳେଶ ର ଅପନତ୍ଵ ବେଶ ଭଲ ଲାଗୁଥିଲା ତାକୁ ।ଅନେକ ଥର ସେ କହିଛି ଶୈଳେଶ କୁ ଯେ ସେ ତା ଠାରୁ ବୟସ ରେ ବଡ ଏବଂ ସେ ବି କବିତ୍ୱ ରେ ବିଶେଷ ପାରଦର୍ଶୀ ନୁହଁ ।ତା'ର ମେନ ଥିମ ଗଳ୍ପ ,ଉପନ୍ୟାସ ,ନାଟକ ରେ ପର୍ଯବସିତ ।ଆଉ ଶୈଳେଶ ହେଲେ କବି ଲୋକ ।ତେଣୁ କବି ରୂପେ ତା ସହିତ ପରିହାସ ମୂଳକ କଥା ବାର୍ତ୍ତା ଯେମିତି ସେ ନ କରନ୍ତୁ । କିନ୍ତୁ ସେ ଯେମିତି ନୋଛଡ଼ବନ୍ଧା ।

ଆଜି ତ ସତ ରେ ଗଜବ କରିଦେଲେ ।ଆସି ଘର ଧରିଗଲେ ଯେ ...! ! ଦିନ ରେ ଖାଇବା ସମୟ ରେ ଆସିଛନ୍ତି । ସେଦିନ କିନ୍ତୁ ରୋଷେଇ ର କୌଣସି ବିଶେଷ ଯୋଜନା ନ ଥାଏ ।କାରଣ ଶାଶୁ ଶ୍ବଶୁର ଜଣେ ଆତ୍ମୀୟ ଙ୍କ ଗୃହ ପ୍ରବେଶ ଉପଲକ୍ଷେ ନିମନ୍ତ୍ରିତ ହୋଇଥାନ୍ତି ।ସେମାନେ ଘରେ ନ ଥିଲେ ।ସୌମେନ ଅଫିସ ଟୁର ରେ ଯାଇଛନ୍ତି ଯେ ଦୁଇଦିନ ହେଲାଣି ଘରେ ନାହାନ୍ତି ।ଆଉ ସେ ନିଜେ ସାମାନ୍ୟ ଅସୁସ୍ଥ ବୋଲି ଛୁଟି ନେଇ ରହିଛି । ତାଙ୍କ ସହିତ ସାମାନ୍ୟ କଥୋପକଥୋନ ପରେ ସୁହାସୀ ଖାଇବାର ଆୟୋଜନ କଲା ।ଖୁବ୍ ଶୀଘ୍ର ଦୁଇ, ତିନୋଟି ଆଇଟମ ବନେଇ ସେ ଶୈଳେଶ କୁ ଖାଦ୍ୟ ପରଶି ଦେଲା ।ପାଖରେ ଅନ୍ୟ ବନ୍ଧୁ ଘରେ ନିମନ୍ତ୍ରଣ ଅଛି ବୋଲି ଯଦିଓ ଶୈଳେଶ କହି ହେଉଥିଲା ।ମାନବିକତା ର ସ୍ପର୍ଶ ରେ କେମିତି ସେମିତି ଚାଲିଯିବାପାଇଁ ଦେଇଥାନ୍ତା ସେ ?

---"ଆପଣ ବାସ୍ତବରେ ବହୁତ ବେଶୀ ଭଲ । "ହାତଧୋଉ ଧୋଉ କହୁଥିଲେ ଶୈଳେଶ ।ଆଉ ଦୁଇ ଚାରିପଦ ଘର ବାଡି ବିଷୟରେ କଥା ହୋଇ ବିଦାୟ ନେଇଥିଲେ ସେ ।

ଏ କଥା ସତ ଯେ ଶୈଳେଶ ର କବିତା ପଢିଲେ ଆପେ ଆପେ ତା ହାତ ଲେଖିବାକୁ ଦୌଡିଯାଉଥିଲା ।କିଛି ଗୋଟେ ନୂତନତ୍ଵ ର ଆଭାସ ମିଳୁଥିଲା ତାକୁ ।କଳ୍ପନା ରାଜ୍ୟ କୁ ଯାଇ ଅନେକ କଥା ଚିନ୍ତା କରୁଥିଲା ସେ ।ଭଲପାଇବା ରଙ୍ଗ ର ଭିନ୍ନ ଭିନ୍ନ ଦିଗ କୁ ତୌଲୁଥିଲା ମନ ର ନିକିତି ରେ । କେତେ ଅଳୀକ ,କ୍ଷଣିକ ସତେ ସେ ମୁହୂର୍ତ୍ତ ।ଏମିତି ବି ଯୌବନର ମଝିପାହାଚ ରେ ଜୀବନ କୁ ନୂଆ କରି ଦେଖିବାର ଉତ୍ତେଜନା ସବୁକିଛି ଓଲଟାଇ ଦେଉଥିଲା ...ତା ସ୍ଥିତି କୁ ,ଦୋହଲାଇ ଦେଉଥିଲା ତା ଅସ୍ତିତ୍ୱକୁ ....ତା ସତ୍ତାକୁ ...ଯେତେବେଳେ ଶୈଳେଶ କହୁଥିଲେ , "ସୁଇଟ ହାର୍ଟ , ଆପଣ ପରିବର୍ତ୍ତେ ତୁମେ ଆଉ ସେ ଶବ୍ଦ ଝଙ୍କାର , " କେମିତି କହିବି ,ମୁଁ ଗୋଟେ ବୁଢା ଚୋର । ତୁମକୁ ତୁମଠାରୁ ଚୋରେଇ ନେବି । "

ଫୋନ ଟା ଶବ୍ଦ କରିବାରୁ ଏକାଗ୍ରତା ଭଙ୍ଗ ହେଲା ।

----ହ୍ୟାଲୋ ....

----ହାଏ ,ସୁଇଟ ହାର୍ଟ ।

--କୋଉଠି ଅଛନ୍ତି ?

---ତୁମ ପାଖରୁ ମାତ୍ର ପଇଁତିରିସ କି. ମି.

ଦୂରରେ ।

---- "କୋଉଠି ଅଛନ୍ତି ? " ରିପିଟ କଲା ସୁହାସୀ ।

---ବୁଢା ବରଗଛ ପାଖରେ ,ଖୋଲା ଆକାଶ ତଳେ ,ବାଇକ ଉପରେ ଶୋଇ ଉପଭୋଗ କରୁଛି ପ୍ରକୃତି ର ନୈସର୍ଗିକ ସୌନ୍ଦର୍ଯ୍ୟ ସହିତ ମୋ ହୃଦୟ ର ଦେବୀ ର ହୃଦୟ କୁ ।

----ଆଉ କିଛି ଉପମା ମିଳିଲାନି ?

-----ଖରାପ ତ ଲାଗିବା କଥା ନୁହେଁ ! !ନିହାତି ଅଶାଳୀନ କି ?

---ଓଃ ହୋ ,ମୁଁ ସେକଥା କହୁନି ।କହୁଛି ମୁଁ ଆପଣଙ୍କ ଠାରୁ ବଡ ।ତେଣୁ ଏ ପ୍ରକାର ରଙ୍ଗ ଭରା କଥା ମୋ ସହିତ .....

-----ପ୍ରେମ କଣ ବଡ ସାନ ମାନେ ? ? ମୁଁ ସେଥିରେ ବିଶ୍ୱାସ କରେନା ।ଅନେକ ବଡ ସାନ ଦମ୍ପତ୍ତି ତ ଅଛନ୍ତି ଯେଉଁମାନଙ୍କ ର ପତ୍ନୀ ପତି ଦେବ ଙ୍କ ଠାରୁ ବଡ ।ଏଇ ଯେମିତି .....

---ବାସ ବାସ ଥାଉ ,ଆଉ ଉଦାହରଣ ଶୁଣିବାକୁ ମୁଁ ଚାହେଁନା ।

-----ଆଉ ଥରେ ପୁଣି କେବେ ଦେଖାହେବ ?

---ଯେବେ ହେବାର ଥିବ ....ହା ...ହା.... ହା ।

ଅନେକ ଥର ଦେଖା ହୋଇଛି ।କଥା ବାର୍ତ୍ତା ଆଳାପ ଆଲୋଚନା କେତେବେଳେ ହୁଏ ବା ହୁଏନାହିଁ ସମୟ ର ଗୁରୁତ୍ୱ କୁ ନେଇ ।କିନ୍ତୁ ସମ୍ପର୍କ ବଢିଛି ଆଖିରେ ,ଆଖିରେ,, ହୃଦୟ ରେ ଆଉ ଥରେ ଅଧେ ଗାଲ ସହିତ ଓଠ ର । ଶୈଳେଶ ର କଥାରେ ଦେହ କୁ ନ ଛୁଇଁ କେବେ ପ୍ରେମ କରିହୁଏ ? ଯେଉଁମାନେ କୁହନ୍ତି .....ସେମାନେ ନିଶ୍ଚୟ ଛଳନା କରନ୍ତି ,ହୁଏତ ଅତି ଘୃଣିତ ପରକୀୟା ପ୍ରେମ ନ ହୋଇପାରେ ।

କିନ୍ତୁ ସେଇ ସାଧାରଣ ଛୁଆଁ ଭିତରେ ବି ସବୁ କିଛି ଭୋଗ କରିବାର ଲାଳସା ତୀବ୍ରତର ହୋଇଉଠେ ।ହାତ ମିଳେଇବା ଭିତରେ ବି ଦେହ କୁ ଜଡାଇ ଧରିବାର ଅଦ୍ଭୁତ ଅନୁଭବ ...ଘୁରିପଡି ହାତ ଛାଟି ଦେଇ ଶୈଳେଶ ର ଓଠ ଚାଲିଆସେ ସୁହାସୀ ର ବନ୍ଦ ଆଖି ପତା ଉପରକୁ ।ସ୍ନିଗ୍ଧ ଶାନ୍ତ ସ୍ପର୍ଶ ର ଛିଟିକା ସୁହାସୀ କୁ ଜଡ କରିଦିଏ ।ହୃଦୟ ର କେଉଁ ଏକ ନିଭୃତ କୋଣ ରେ ବାଜି ଉଠେ କାରୁଣ୍ୟ ଆଳାପ ।ଶିହରିତ ହୋଇଉଠେ ସର୍ବାଙ୍ଗ ।ରୋମକୂପ ସବୁ ଅଜଣା ଆଶଙ୍କା ରେ ଠିଆହୋଇ ଯାନ୍ତି ।ସୁହାସୀ ର ଅସ୍ପଷ୍ଟ କଣ୍ଠସ୍ୱର ରୁ ଶୁଭେ ----"ସତ ରେ ତମେ ଏକ ବୁଢା ଚୋର ।"

ସାତ ତଳ ପାଣି ତଳେ ରାଜ ଉଆସ ।ସେ ଉଆସ ର ଗୁପ୍ତ କୋଠରୀ ରେ ଏକ ପଞ୍ଜୁରୀ ।ପଞ୍ଜୁରୀ ଭିତରେ ଶୁଭ୍ର ,ଶୁକ୍ଳ ବର୍ଣ୍ଣ ର ଶୁଆ ଟିଏ ।ଶୁଆ ବେକ ରେ ମାଳ ଟିଏ ।ସେ ମାଳ ଉପରେ ଭଅଁର ଟିଏ ।ସେ ଭଅଁର କେବକ ବସିବ ,ଉଡ଼ିବୁଲିବ ସେଇ ମାଳ ରେ ।ସେ ମାଳ ରେ ଅତି ସୁଗନ୍ଧିତ ଫୁଲ ଟିଏ ଲକେଟ ହୋଇ ଝୁଲୁଥିବା ଫୁଲ ରେ ତା 'ର ମନ । ଶୈଳେଶ ଯେ ସେଠାକୁ ଅନୁପ୍ରବେଶ କରିଛି ,ତା 'ମନ କୁ ଚୋରେଇ ନେଇଛି ।କେମିତି ସମ୍ଭବ ହେଲା ? ସୌମେନ ର ଅବହେଳା ,ପଶୁତ୍ବ ର କାମନା ,କିମ୍ବା ତା'ର ନିଜ ଉପରୁ ଆତ୍ମବିଶ୍ବାସ ର ପ୍ରତ୍ୟୟ ହୀନତା !

******

ସିପ୍ରା ନାମତା ,ନମ୍ରତା

ବାରିପଦା

8249850168

ଅନୁପ୍ରବେଶ ସହଯୋଗ ଅନୁଶୀଳନ

Rate the content


Originality
Flow
Language
Cover design

Comments

Post

Some text some message..