STORYMIRROR

Santosh Kumar Ojha

Others

4  

Santosh Kumar Ojha

Others

ମାଆ ପରି ହେବ କିଏ

ମାଆ ପରି ହେବ କିଏ

2 mins
260


ଦେଏ କହିଲେ ମୁଁ    ଆକାଶ ଛାତିରୁ

     ଚାନ୍ଦ ତୋଳି ଆଣି ଦିଏ

ନେଏ କହିଲେ ମୁଁ    ହସି ଦେଇ କହେ

      ଧନ ତୁ ଖାଇ ଦେଏ

ମୋ' ମାଆ........ମୋ' ମାଆ.......

ମୋ' ମାଆ ପରି ହେବ କିଏ ? ।୧।


ସାଗର ଛାତିରୁ     ଶାମୁକା ସାଉଁଟି

      ହାତେ ମୋ ଧରେଇ ଦିଏ

ଝରି ପଡ଼େ ଯେବେ   ମୋ ଆଖିରୁ ଲୁହ

     ପଣତ ତା' ଚିରି ଯାଏ

ମୋ' ମାଆ...........ମୋ' ମାଆ.......

ମୋ' ମାଆ ପରି ହେବ କିଏ ? ।୨।


ମୋ' ଓଠର ହସ    ତା'ପାଇଁ ପିୟୁଷ 

      ଦୁଃଖ ଯେତେ ଭୁଲି ଯାଏ

ପାଦ ଲାଗେ ନାହିଁ    ବସୁଧାରେ ଆଉ

      ସରଗ ଦି'ହାତ ଥାଏ

ମୋ' ମାଆ........ମୋ' ମାଆ..........

ମୋ' ମାଆ ପରି ହେବ କିଏ ? ।୩।


ଦୁଃଖକୁ ସାଉଁଟି    ସୁଖ ଦିଏ ବାଣ୍ଟି

      କରିବାକୁ ସୁଖି ଟିଏ

ଦୁଃଖ ଦେଖି ଦେଲେ   କୋହ ତା' ସଂଚରେ

     ପାଦରୁ ମଗଜ ଯାଏଁ 

ମୋ' ମାଆ.............ମୋ' ମାଆ.........

ମୋ' ମାଆ ପରି ହେବ କିଏ ? ।୪।


ପେଟ ପାଇଁ ଦାନା   ପିଠି ପାଇଁ କନା

      ତା'ର କିବା ଆସେ ଯାଏ

ଊଣା କରେ ନାହିଁ    କାହିଁରେ ମୋ ପାଇଁ

      ଅଛି ନାହିଁ ଭାବୁ ଥାଏ

ମୋ' ମାଆ........ମୋ' ମାଆ........

ମୋ' ମାଆ ପରି ହେବ କିଏ ? ।୫।


ସାରା ଦିନ ଦୁଃଖ     ପଡ଼େନି ଫରକ

      କୋଳେ ଯେବେ ବସି ଯାଏ

ମମତାର ମହୁ   ଚଟେଇ ଦେଇକି

      ମନେ ମନେ ହସୁ ଥାଏ

ମୋ' ମାଆ..........ମୋ' ମାଆ..........

ମୋ' ମାଆ ପରି ହେବ କିଏ ? ।୬।


ରୁଷି ଯାଇ ଯେବେ   ଘର କୋଣେ କେବେ

       ମୁହଁ ମାଡ଼ି ଶୋଇ ଯାଏ

ତା' ଛାତି କଲିଜା   ମୋ' ହାତେ ଧରେଇ

       ଫଟା ଓଠେ ହସି ଦିଏ

ମୋ' ମାଆ.........ମୋ' ମାଆ..........

ମୋ' ମାଆ ପରି ହେବ କିଏ ? ।୭।


ବାପ ନାଲି ଆଖି    ମୋ' ଉପରେ ଦେଖି

      ଦାନ୍ତେ ଦାନ୍ତ କାଟୁ ଥାଏ

ଶାନ୍ତ , ସରଳ      ସ୍ନିଗ୍ଧ , ଶୀତଳ

      ରକ୍ତ ଚାଉଳ ଖାଏ

ମୋ' ମାଆ .........ମୋ' ମାଆ........

ମୋ' ମାଆ ପରି ହେବ କିଏ ? ।୮।


ଅଝଟ କରିଲେ     କୁଜ୍ଝଟ ଢାଙ୍କଇ

     ଯଦି କେବେ ମାରି ଥାଏ

ବାଉଳି ଚାଉଳି    ହୁଅଇ ପାଗଳୀ

     ସୁଖା କାନି ଭିଜି ଯାଏ

ମୋ' ମାଆ.........ମୋ' ମାଆ ........

ମୋ' ମାଆ ପରି ହେବ କିଏ ? ।୯।


ରୋଗେ ପଡ଼ିଗଲେ   ଭୋଗ ବାଢ଼ି ବସେ

       କେତେ ଦିଅଁ ପୂଜୁ ଥାଏ

ଦରଦୀ ହୃଦୟୁ      ଦରଦ ନିଗାଡ଼ି

      ଦରଜରେ ଲେପି ଦିଏ

ମୋ' ମାଆ.........ମୋ' ମାଆ.........

ମୋ' ମାଆ ପରି ହେବ କିଏ ? ।୧୦।


ଆସିଲେ ପ୍ରମାଦ    ହଜାଏ ସଂପଦ

      ବିପଦ ମୁଣ୍ଡେଇ ନିଏ

ସ୍ବାମୀ ଠାରୁ ବଡ଼    ସୁଖର ପାହାଡ଼

      ସନ୍ତାନକୁ ଭାବୁ ଥାଏ

ମୋ' ମାଆ...........ମୋ' ମାଆ.......

ମୋ' ମାଆ ପରି ହେବ କିଏ ? ।୧୧।


ମାଆର ମମତା    ନିଅଣ୍ଟେ କବିତା

     କବି ଲେଖି ଥକି ଯାଏ

ପାଏ ନାହିଁ ବେଦ    ଯା' ପ୍ରେମର ଭେଦ

      ବିଜ୍ଞାନୀ ଅଜ୍ଞାନ ହୁଏ

ମୋ' ମାଆ..........ମୋ' ମାଆ..........

ମୋ' ମାଆ ପରି ହେବ କିଏ ? ।୧୨।


Rate this content
Log in