ହାରିବାର ମଜା
ହାରିବାର ମଜା
ତମେ ତମଠୁ ହାରିଯିବା ପରେ
କିଂବା ଜିତିଯିବା ପରେ
ମୋ 'ଠି କ'ଣ ଆଉ
ବଳକା ଥିବ ପର୍ଯ୍ୟାପ୍ତ ଜୀବନ !
ଯାହାକୁ ନେଇ ମୋ ନାଲି ଦମକଳ
ପିଚକାରୀ ମାରି ଲିଭେଇପାରିବ
ତମ ଆଉ ଆମ ଗାଁ'ର ହୁତୁହୁତୁ ନିଆଁ ।
ନିଆଁ କଥା ଚୁଲିକି !
ତମେ ପରା ପାଣିକୁ ଡର , ଛେଳି ପରି ;
ନହେଲେ ପାଦୁଏ ପାଣି କ'ଣ କେବେ
ଭସେଇ ନେଇପାରେ କେଉଁ ସୁଂଦରୀ ?
ଅବା ତା' ସୁଂଦରତାକୁ ?
ତମ ପାଦ ସ୍ପର୍ଶ ଅଭିଳାଷରେ
ପଥର ଖଣ୍ଡିକ ପାଦ ତଳକୁ ଆସିଗଲା ବୋଲି
ଚିଲ୍ଲେଇଲ ଯେ ,
ଦୁହେଁ ପାଣିରେ ପଡି ଓଦା ହୋଇ ପୁଣି ଉଠିବା ଯାଏଁ
ତମେ ବୋଧେ ଭୁଲି ସାରିଥିବ ତାକୁ
ଦୁର୍ଘଟଣାଟେ ଭାବି ,
ମୁଁ କିନ୍ତୁ ଏବେବି ଧକ୍କା ହୁଏ ସେ ଅତୀତ ସହିତ
ଆଉ ଶୁଣିପାରେ ତମ ସେ ଚିଲ୍ଲେଇବା ଶବଦ ।
ହେତ୍.. ଛାଡ଼ମ , ଏତେ କଥା !
ନିଜଠୁ ନିଜେ ହାରିବାରେ କି ପାରଦର୍ଶିତା ?
ପାରୁଛ ଯଦି ମୋ ଠୁ ଥରେ ହାରିକିଦେଖ
ଜାଣିବ , ଜିତିବାଠୁଁ ହାରିବାରେ କେତେ ମଜା ।
ବଳବନ୍ତ ସାହୁ