ସତ୍ୟତା ର ସନ୍ଧାନ
ସତ୍ୟତା ର ସନ୍ଧାନ
ମା... ମା... ମା.. ମତେ କଥା ଦେ ମା ମତେ ଛାଡି ତୁ କୁଆଡେ ବି ଯିବୁନୁ ପିଲାଦିନର ଚାରିକାନ୍ଥ ମଧ୍ୟରେ ଶୁଭୁଥାଏ ଏହି ଶବ୍ଦ l ମା ବି ବଡ ଦୟାଳୁ l ଦଶମାସ ଦଶଦିନ ଗର୍ଭରେ ଧରି ଜନ୍ମ ଦେଇଛି ସେ l କିପରି ବା ସେ ଚାହିଁବ ପିଲାକୁ ଛାଡି ରହିବା ପାଇଁ l ଆଗ ପଛ ବିଚାର ନ କରି କଥାଦେଇ ସେ କହେ ନା ରେ ବାପ ତୁ ପରା ମୋର ପ୍ରାଣ l ପ୍ରାଣକୁ ଛାଡି ଏ ମାଂସରକ୍ତ ର ନିର୍ଜୀବ ମଣିଷଟା କଣ ରହିପାରିବ l ପିଲାଦିନର ସେ କୋହଭରା କଣ୍ଠ ଆଜି ହୁଏ ଅଲୋଡ଼ା I ଯେଉଁ ପୁଅ ଦିନେ ନିଜ ମା କୁ ନ ଦେଖିଲେ ଗୋଟେ ମୁହୂର୍ତ୍ତ ବି ରହିପାରୁନଥିଲା, ସେ ପୁଅ ଆଜି କହେ ମା ତୋର ବୟସ ହୋଇଗଲାଣି ତୁ ଏଠି ରହିଲେ ତୋର ବହୁତ ଗୁଡ଼ାଏ ଅସୁବିଧା ହେଉଛି I ବରଂ ଭଲ ହେବ ତୁ ଵୃଦ୍ଧାଶ୍ରମକୁ ଯାଇ ସେଠି ତୋ ବୟସର ନାରୀ ମାନଙ୍କ ସହ ଖୁସିରେ ରହ l ମା ର ହୃଦୟ ବଡ କଠିନ l ସେ ପୁଅ ଆଗରେ କିଛି କହିପାରେ ନାହିଁ l ତା ହୃଦୟରେ ସେ ଏହି ଗଭୀର ଯନ୍ତ୍ରଣାକୁ ଚାପିରଖି ପୁଅର ଶୁଭ ମନାସି ଠାକୁରଙ୍କୁ କେବଳ ଏତିକି ପ୍ରାର୍ଥନା କରେ ମୋ ପୁଅ ଯେଭଳି ସୁଖରେ ରହୁ l
ରେ ସ୍ୱାର୍ଥପର ମଣିଷ ଯେଉଁ ମାଆ ତତେ ଦିନେ କାଖେଇ କୋଳେଇ ଏତେ ବଡ କଲା, ନିଜେ ନ ଖାଇ ତତେ ଖାଇବାକୁ ଦେଲା ସେହି ମାଆକୁ ତୁ ଆଜି ଵୃଦ୍ଧାଶ୍ରମ ଯିବାପାଇଁ କହୁଛୁ l ଧିକ ତୋ ମଣିଷପଣିଆ l ତୋ ବିବେକ ତତେ ଟିକେ ବି ବାଧା ଦେଲାନି l ବିଚିତ୍ର ଏ ସମାଜ ସମାଜର ଏହି ନିରାଟ ସତ୍ୟତା ମଧ୍ୟରେ ମନେପଡେ ଆଜି ସେହି ମହାପୁରୁଷଙ୍କ ମାତୃଭକ୍ତି ର ଜ୍ୱଳନ୍ତ ଉଦାହରଣ l ରାମକୃଷ୍ଣଙ୍କ ପରମ ଭକ୍ତ ଯୋଗଜନ୍ମା ବିବେକାନନ୍ଦ ଥିଲେ ଅସଂଖ୍ୟ ଜ୍ଞାନର ଗନ୍ତାଘର l ଜ୍ଞାନର ଗନ୍ତାଘର ହୋଇ ମଧ୍ୟ ମାଙ୍କ ପ୍ରତି ସେ କେବେବି କଠିନ ହୋଇନାହାନ୍ତି... ପୁଣି ଏହି ସମାଜକୁ ବାର୍ତ୍ତା ଦେଇ ସେ କହିଛନ୍ତି - ଯେଉଁ ବ୍ୟକ୍ତି ନିଜ ମାଆକୁ ଯଥାର୍ଥରେ ପୂଜା କରେ ସେ ନିଶ୍ଚିତ ଜଣେ ଉତ୍ତମ ବ୍ୟକ୍ତି ରୂପେ ପରିଣତ ହୁଏ l ଏହା ସତ୍ୟ ଯେ ଆଜିର ଏହି ସମାଜ ଅମୂଲ୍ୟ ବାଣୀ ରୂପୀ ଅଳଙ୍କାରକୁ ଧାରଣ କରେ ମାତ୍ର ତାହାର ମାର୍ମିକ ଆଲେଖ୍ୟ କୁ କାର୍ଯ୍ୟରେ ପରିଣତ କରିବାକୁ ଚେଷ୍ଟା କରେ ନାହିଁ l
