ସଂସ୍କୃତି ପ୍ରୀତି ଛଡ଼ାଏ ଭୀତି
ସଂସ୍କୃତି ପ୍ରୀତି ଛଡ଼ାଏ ଭୀତି
ଘାଇ ମୁଣ୍ଡରେ ବର୍ଷା ଲାଗିରହି ପାଣି ଉଛୁଳୁଛି ତ ଜେଜେମାଆ ମୁନା ମୁନିଙ୍କୁ ଜଗିରହିଛନ୍ତି. ମୁନା ବିରକ୍ତ ହୋଇ କହିଲା ଆସନ୍ତା କାଲି ଶିଶୁ ଦିବସ ପାଇଁ ମତେ କିଛି ଲେଖିବାକୁ ହେବ. ମୁନି ମଧ୍ୟ କହୁଥିଲା ମତେ ମଧ୍ୟ ଶିଶୁଦିବସ ଉପରେ ପ୍ରବନ୍ଧ ଲେଖିବାକୁ ଓ ବକୃତା ଦେବାକୁ କୁହାଯାଇଛି ତୁମେ ଆମକୁ ଏମିତି ଜଗି ରହିଲେ ଆମେ କାଲି ସ୍କୁଲରେ କରିବୁ କଣ!ଜେଜେମାଆ କହିଲେ କାଲି ସ୍କୁଲ ଯିବା କୁ ମନା କରୁନି କିନ୍ତୁ ଆଜି ଘାଇ ମୁଣ୍ଡ ଫୁଲି ବନ୍ୟା ପାଣି ଯଦି ଗାଁରେ ପଶିବ ଆମେ ସତର୍କ ରହିବା ନା ନାହିଁ. ବରଂ ମୁଁ ଶିଶୁଦିବସ ଉପରେ କହୁଛି ଶୁଣ. ତା ପରେ ପରିସ୍ଥିତି ଦେଖି ଯାହା କରିବା. ଏହା କହି ଜେଜେମାଆ ଆରମ୍ଭ କଲେ
ମଣିଷର ଜନ୍ମ ଆଉ ମୃତ୍ୟୁ ଚିରନ୍ତନ ସତ୍ୟ. ଯେଉଁ ଵ୍ୟକ୍ତି ଇଶ୍ୱରଙ୍କ ଆଶୀର୍ବାଦ ନେଇ ଜନ୍ମ ଗ୍ରହଣ କରିଥାଏ ସେ ନିଜ କର୍ମ ବଳେ ଦେଶ ଓ ଜାତିର ମୁଖ ଉଜ୍ଜ୍ୱଳ କରିଥାଏ. ସେହିଭଳି ଜଣେ ଵ୍ୟକ୍ତି ଏହି ଧରା ପୃଷ୍ଠରେ 1889ମସିହା ନଭେମ୍ବର 14ତାରିଖରେ ଆଲ୍ହାବାଦର ଆନନ୍ଦ ଭବନରେ ପିତା ମୋତିଲାଲ ନେହେରୁ ଓ ମାତା ସ୍ୱରୂପାରାଣୀ ଙ୍କ କୋଳରେ ଜନ୍ମ ଗ୍ରହଣ କରିଥିଲେ. ତାଙ୍କ ସାଧନା ଓ କର୍ମ ବଳରେ ତାଙ୍କ ନଶ୍ଵର ଦେହ ଇଶ୍ୱର ନେଇଗଲେ ମଧ୍ୟ ସେ ଆଜି ବି ମନେପଡ଼ନ୍ତି କାଳଜୟୀ ସ୍ରଷ୍ଟା ରୂପେ. ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ. ତାଙ୍କ ପରି ମଣିଷ ମରଦେହରେ ପାଲଟି ଯାଇଛନ୍ତି ଅମରମଣିଷ. ତାଙ୍କପରି ମଣିଷ ଙ୍କ ଜନ୍ମ ମୃତ୍ୟୁ ମାନବ ସମାଜ ପାଇଁ ହୋଇଯାଏ ସ୍ମରଣୀୟ. ଆମ ଦେଶ ଭାରତ ତଥା ପୃଥିବୀରେ ବହୁ ସ୍ମରଣୀୟ ଦିବସ ପାଳନ କରାଯାଉଛି. ନେହେରୁଙ୍କ ଜନ୍ମ ଦିବସକୁ ଶିଶୁ ଦିବସ ରୂପେ ପାଳନ କରାଯାଉଛି. ସେ କହୁଥିଲେ ଶିଶୁମାନେ ଭବିଷ୍ୟତ ର ନାଗରିକ ତଥା କର୍ଣ୍ଣଧାର. ଶିଶୁମାନେ ଦେଶର ପ୍ରଗତି ଓ ଶକ୍ତି. ଦେଶର ସାମଗ୍ରିକ ବିକାଶ ଶିଶୁମାନଙ୍କ ଉପରେ ନିର୍ଭର କରେ ତେଣୁ ସେମାନଙ୍କ ସର୍ବାଙ୍ଗୀନ ଉର୍ନ୍ନତି ଦେଶ ଓ ଜାତିର ପରମ କର୍ତ୍ତବ୍ୟ.
ପୃଥିବୀର ଅନ୍ୟତମ ଶ୍ରେଷ୍ଠ ରାଜନୀତିଜ୍ଞ, ପଣ୍ଡିତ ଜବାହାରଲାଲ ନେହେରୁ କହିଥିଲେ ମରିବାକୁ ଚାହେଁ ମୁହିଁ ସୁନ୍ଦର ଭୁବନେ..... ବଞ୍ଚିବାକୁ ଚାହେଁ ମୁହିଁ ଶିଶୁଙ୍କ ଗହଣେ. ଏହି ପଦ୍ୟାଂଶଟି ତାଙ୍କ ଶିଶୁମାନଙ୍କ ପ୍ରତି ଗଭୀର ପ୍ରେମର ଏକ ଭାବ ଉକ୍ତି. ତାଙ୍କ ହୃଦୟ ଥିଲା ଶିଶୁ ମନ ପରି ସ୍ୱଚ୍ଛ ଓ ନିର୍ମଳ. ହସ ଓ କାନ୍ଦ ଦୁନିଆଁରେ ସେ ଯେମିତି ଗୋଟେ ଚଳଚଞ୍ଚଳ ଶିଶୁ ଥିଲେ. ଶିଶୁମାନେ ଥିଲେ ସତେ ଯେପରି ତାଙ୍କ ହୃଦୟରେ ବନ୍ଧୁ. ଶିଶୁମାନଙ୍କ ଉଦେଶ୍ୟ ରେ ସେ ନିଜ କାହାଣୀ ଶୁଣେଇବାକୁ ଯାଇ କହିଛନ୍ତି ଯେ ଶିଶୁମାନଙ୍କ ସହ ଗପ କଲେ ଜୀବନର ସକଳ ଦୁଃଖ ଭୁଲି ହୋଇଯାଏ. ଭୁଲିହୋଇଯାଏ ବାର୍ଦ୍ଧକ୍ୟ, ଫେରିଆସେ ସୁନ୍ଦର ସରସ ଶୈଶବ, ସକଳ ଜଞ୍ଜାଳ ଭିତରେ ହୃଦୟରେ ଶାନ୍ତି ବିରାଜ କରେ, ପ୍ରକୃତିରେ ଥିବା ଅପରୂପ କାନ୍ତି ଭରା ଫୁଲ, ଫଳ, ବୃକ୍ଷ, ଲତା, ନଦୀ, ଜଳ ତଥା ପକ୍ଷୀର କାକଳୀ ସବୁର ସମାହାର ଅନୁଭବ ହୁଏ. ନେହେରୁ ବୁଝିଥିଲେ ଶିଶୁମାନେ ହେଉଛନ୍ତି ସରଳ, କୋମଳ ଓ ନିଷ୍ପାପ ହୃଦୟ. ଶିଶୁମାନଙ୍କ ଗହଣରୁ ଶାନ୍ତି ଓ ନୈସର୍ଗୀକ ଆନନ୍ଦ ମିଳୁଥିବାରୁ ସେ ଶିଶୁମାନଙ୍କୁ ପ୍ରାଣଭାରି ଭଲପାଉଥିଲେ. ଏସବୁ ଲକ୍ଷକରି ଜାତିର ପିତା ମହାତ୍ମା ଗାନ୍ଧିଜୀ କହିଥିଲେ ନେହେରୁ ହେଉଛନ୍ତି ସ୍ଫଟିକ ପରି ସ୍ୱଚ୍ଛ. ନେହେରୁଙ୍କ ଶିଶୁ ବତ୍ସଳତା ସମ୍ପର୍କରେ ଅନ୍ୟ ଏକ କଥା ଶୁଣାଯାଏ ଯେ ତାଙ୍କ ଯାତ୍ରା ସମୟରେ ନିଜ କାର ଧକ୍କାରେ ଗୋଲାପ ନାମ୍ନୀ ବାଳିକାର ନିହତ ରେ ସେ ମ୍ରିୟମାଣ ହୋଇପଡ଼ିଥିଲେ. ପୋଷାକରେ ନିୟମିତ ଗୋଲାପ ଫୁଲ ଖୋସି ତାର ସ୍ମୃତି ଓ ସ୍ମାରକୀ ବହନ କରି ତାକୁ ମନ ଓ ହୃଦୟ କନ୍ଦରରେ ସ୍ଥାନ ଦେଇଥିଲେ. ଶିଶୁମାନଙ୍କ ଦୃଷ୍ଟିରେ ସେ ପ୍ରଧାନ ମନ୍ତ୍ରୀ ବା ରାଷ୍ଟ୍ରନାୟକ ନୁଁହଁ ବରଂ ଅତିପ୍ରିୟ ଚାଚା ନେହେରୁ ଯିଏ ନିଜ ଜନ୍ମଦିନକୁ ଶିଶୁମାନଙ୍କ ପାଇଁ ଉତ୍ସର୍ଗ କରିଦେଇ ଅମର ହୋଇଯାଇଛନ୍ତି.
ଚାଚା ନେହେରୁଙ୍କ ପିତା ମୋତିଲାଲ ନେହେରୁ ଜଣେ ଧନାଢ୍ୟ ଵ୍ୟକ୍ତି ତଥା ବିଶିଷ୍ଟ ଆଇନଜ୍ଞ ଥିବାରୁ ନେହେରୁ ମାତ୍ର ପନ୍ଦର ବର୍ଷ ବୟସରେ ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାତ୍ରା କରି ବିଖ୍ୟାତ ହାରୋ ସ୍କୁଲ ଓ କେମ୍ବ୍ରିଜ ର ଟ୍ରିନିଟ କଲେଜରେ ଅଧ୍ୟୟନ କରି ଓକିଲାତି ପାଶ ପରେ ବାରିଷ୍ଟର ମଧ୍ୟ ହୋଇଥିଲେ. ଭାରତ ପ୍ରତ୍ୟାବର୍ତ୍ତନ ପରେ ଗାନ୍ଧୀଙ୍କ ନେତୃତ୍ୱରେ ଆଫ୍ରିକାର ଘଟଣାବଳୀ ଓ ଭାରତରେ ସଂଗଠିତ ଘଟଣାବଳୀ ଖବରକାଗଜ ପୃଷ୍ଠାରୁ ପଢି ଓ ଜାଣି ଗାନ୍ଧି ଙ୍କ ଅହିଂସା ନୀତି ପ୍ରତି ଆକୃଷ୍ଠ ହୋଇ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ. ସେ 1929ମସିହା ରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ପଦରେ ନିଯୁକ୍ତ ହୋଇ ଘୋଷଣା କରିଥିଲେ କି ପୂର୍ଣ୍ଣ ସ୍ୱରାଜ ହେଉଛି କଂଗ୍ରେସ ର ମୂଳ ଲକ୍ଷ ଓ ପରବର୍ତ୍ତୀ ସମୟରେ ଜାନୁଆରି 26,1930ତାରିଖକୁ ପୂର୍ଣ୍ଣ ସ୍ଵରାଜ ଦିବସ ରୂପେ ଘୋଷଣା କରାଯାଇଥିଲା. 1947ମସିହା ଅଗଷ୍ଟ 15ରେ ଦେଶ ସ୍ବାଧୀନତା ହାସଲ କରିବା ପରେ ତାଙ୍କୁ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ରୂପେ ମନୋନୀତ କରାଯାଇଥିଲା. ତାଙ୍କ ଧର୍ମନିରପେକ୍ଷତା ଓ ପଞ୍ଚାଶୀଳ ନୀତି ପାଇଁ ସେ ବିଶ୍ୱ ପ୍ରସିଦ୍ଧ. କୃଷି ଓ ଶିଳ୍ପ କୁ ପ୍ରାଧାନ୍ୟ ଦେଇ ସେ ଦେଶକୁ ସମୃଦ୍ଧଶାଳୀ କରିବା ସହ ବିବିଧତା ମଧ୍ୟରେ ଏକତା କୁ ଗୁରୁତ୍ୱ ଦେଉଥିଲେ. ସମ୍ବଳ ପାଇଁ ଶିଳ୍ପାୟନ ଜରୁରୀ ବୁଝି ସାମ୍ପ୍ରଦାୟିକତା କୁ ବିରୋଧ କରି ଗୋଷ୍ଠୀ ଆନ୍ଦୋଳନ ର ମୂଳଦୁଆ ପକାଇ ଭାରତର ଶକ୍ତି ଓ ସାମର୍ଥ୍ୟ ବଢ଼ାଇବା ଦିଗରେ ଅଗ୍ରସର ହେଲା ବେଳେ ସାହିତ୍ୟ, କଳା, ସଂସ୍କୃତି, ଭାଷା, ପତ୍ରକାରିକା, ସିନେମା ଇତ୍ୟାଦି କ୍ଷେତ୍ରରେ ସେ ବୈଜ୍ଞାନିକ ଚିନ୍ତାଧାରା ଏବଂ ଧର୍ମନିରପେକ୍ଷତା ଦୃଷ୍ଟିକୋଣ ରଖିବାକୁ ପ୍ରୋତ୍ସାହିତ କରୁଥିଲେ. ନେହେରୁ ହୋମି ଜାହାଙ୍ଗୀର ଭାବା ଓ ଶାନ୍ତି ସ୍ୱରୂପ ଭଟ୍ଟନାଗର ଙ୍କ ଭଳି ବୈଜ୍ଞାନିକମାନଙ୍କ ସହ ମିଶି ଆଧୁନିକ ଭାରତର ବିଜ୍ଞାନ ଓ ପ୍ରଯୁକ୍ତି ର ମୂଳଦୁଆ ପକେଇଥିଲେ. ତା ସହ ସେ IIT, CSIR, DRDO ଭଳି ଉଚ୍ଚ ସଂସ୍ଥା ସବୁ ପ୍ରତିଷ୍ଠା କରିଥିଲେ. ଜଣେ ସଫଳ ରାଜନେତା ସହିତ ସେ ଜଣେ କୁଶଳୀ ଲେଖକ ମଧ୍ୟ ଥିଲେ. Discovery of India, Glimpses of World History, An Autobiography ନାମରେ ତିନିଗୋଟି ପୁସ୍ତକ ରଚନା କରିଥିଲେ.ଭାରତକୁ ଦୀର୍ଘ ଅଠର ବର୍ଷ ଶାସନ ସହିତ ତାଙ୍କ ପଞ୍ଚାଶୀଳ ନୀତି ତାଙ୍କୁ ଅଦ୍ୱିତୀୟ କରିପାରିଥିଲା.ମହାତ୍ମାଗାନ୍ଧୀଙ୍କ ପରେ ସେ ସର୍ବାଧିକ ଜନପ୍ରିୟ ନେତା ଥିଲେ.
ସେ କହୁଥିଲେ ଜାତିର ଭବିଷ୍ୟତ ନାଗରିକ ଓ କର୍ଣ୍ଣଧାର ଶିଶୁମାନଙ୍କ ପ୍ରତି ଅବହେଳା ଏକ ଅକ୍ଷମଣୀୟ ଜାତୀୟ ଅପରାଧ. ଶୈଶବରୁ ଶିଶୁମାନଙ୍କ ପ୍ରତି ଅବହେଳା ଯେମିତି ଅନୁଚିତ ତାଙ୍କ ସର୍ବାଙ୍ଗୀନ ଉର୍ନ୍ନତି ଓ ବିକାଶ ଦିଗରେ ଧ୍ୟାନ ଦେବା ସେତିକି ଜରୁରୀ ଅଟେ. ଶିଶୁ ଶ୍ରମିକ ହେବା କଥା ଉଛେଦ ସାଧନ କରି ଆସ ଶିଶୁଦିବସର ତାତ୍ପର୍ଯ୍ୟ ରଖି ଶିଶୁ ସୁରକ୍ଷା ଦେଶର ସୁରକ୍ଷା ସ୍ଲୋଗାନ ଦେଇ ନେହେରୁଙ୍କ ଆତ୍ମା ପ୍ରତି ସମ୍ମାନ ଜଣେଇ ଶିଶୁମାନଙ୍କ ସାମଗ୍ରିକ କଲ୍ୟାଣ ସା୍ଧିତ କରିବା ସଙ୍ଗେ ସଙ୍ଗେ ମିଳିତ ଜାତିସଙ୍ଘ, ପିତା ମାତା ଓ ଜନସାଧାରଣମାନେ ଶିଶୁ ସୁରକ୍ଷା ଜାତୀୟ ସୁରକ୍ଷା ରକ୍ଷା ପାଇଁ ଯତ୍ନବାନ ହେବା.
ଏସବୁ ଶୁଣି ମୁନା ମୁନି ଖୁବ ଖୁସି. କାରଣ ତାଙ୍କୁ ଅନେକ ତଥ୍ୟ ମିଳିଯାଇଥିଲା ଶିଶୁଦିବସ ଉପରେ କହିବାକୁ ତଥା ଲେଖିବାକୁ. ଏବେ ଏବେ ବାପା ଆସି ଜଣେଇଲେ ଯେ ଘାଇ ମୁଣ୍ଡରେ ପାଣି କମୁଛି. ଏଥର ଜୀବନ ଯାତ୍ରା ମଣିଷର ସୁଗମ ହେବ. ବୋଉ ଏତେ ବର୍ଷାରେ ମଧ୍ୟ ମାର୍ଗଶୀର ମାସର ପ୍ରଥମ ଲାଗି ପାଳିରେ ଯାବତୀୟ ପୂଜା ସାରି ମାଆ ଲଷ୍ମୀ ଙ୍କୁ ଧୂପ ଦୀପ ଦେଇ ଓ ଭୋଗ ରାଗ ସାରି କାଞ୍ଜିଅଁଳା ପୂଜା କରି ସାତ ବୋହୁଙ୍କୁ ବସେଇ ସାରୁ ବୁଦା ଥୋଇ, ଚେଙ୍ଗ ମାଛ ଛାଡ଼ି ପୂଜା କରୁ କରୁ କହୁଥିଲା ଆମେ ଆମ ସଂସ୍କୃତି ଓ ପରମ୍ପରା ପାଳନ କରିଚାଲିଲେ ପ୍ରକୃତି ସ୍ଥିର ରହିବ. ସମସ୍ତେ ବୋଉକଥା ଶୁଣି ମୁଗ୍ଧ ହୋଇଯାଇଥିଲେ.
