ଶୁଷ୍କ ପୃଥିବୀ
ଶୁଷ୍କ ପୃଥିବୀ
ଏମିତି ତ ସବୁଦିନେ କିଛି ସ୍ଵପ୍ନ ଦେଖେ । ହେଲେ ଏ ସ୍ଵପ୍ନଟି ନିଦ ହଜାଇ ଦେଇଛି । ଦେଖୁଛି କେତେ ପକ୍ଷୀ ଉଡିଉଡି ଯାଉଛନ୍ତି । ପାଣିବୁନ୍ଦା ଯେମିତି ମୋ ଉପରେ ପଡିଲା ପରି ଲାଗିଲା । ମୋ ହାତଦିଟା ଡେଣା ପାଲଟିଲା ଆଉ ତାଙ୍କ ପଛରେ ଉଡିବାକୁ ଲାଗିଲି। ସେମାନେ ଉଡିଉଡି ଗୋଟିଏ ଉଜ୍ଜ୍ୱଳ ଜ୍ୟୋତି ପାଖରେ ଅଟକିଲେ । ମୁଁ ସେମାନଙ୍କ ପଛରେ ଅଟକିଗଲି । ଜ୍ୟୋତିର ଦୈବିକ ପ୍ରକାଶ ପାଇଁ କିଛି ଦିଶୁ ନଥାଏ । ସେଥିରୁ ଧ୍ୱନି ଶୁଭିଲା,କାହିଁକି କାନ୍ଦୁଛ ପିଲେ? ପକ୍ଷୀମାନେ ଜଣକ ପରେ ଜଣେ କହିଚାଲିଲେ,"ଆପଣଙ୍କ ସୃଷ୍ଟିରେ ରହିବା ଅସମ୍ଭବ ପ୍ରଭୁ,ସବୁଆଡେ ଗଛକଟା,ପାହାଡପର୍ବତ ହଣାଚାଲିଛି,ସେଥିରେ ପୁଣି ପ୍ଲାଷ୍ଟିକ ପାଇଁ ସମୁଦ୍ର ଅସ୍ତିତ୍ଵ ହରାଉଛି । ଆମେ ବସା କରିପାରୁଛୁ ନା ପାଣି ପିଇପାରୁଛୁ? ବାୟୁମଣ୍ଡଳ କଥା ନ କହିବା ଭଲ । ଧିରେ ଧିରେ ଜ୍ୟୋତିରୁ ବିଶ୍ଵରୂପ ପ୍ରକଟ ହେବାର ଦେଖି ଚମକିପଡିଲି ! ବ୍ରହ୍ମାଣ୍ଡ ଚାଳକ ହାତ ପ୍ରସାରୀ କହିଲେ "ଦେଖ,ମୋ ମଣିଷ ପିଲା ଯଦି ସୁଧୁରି ଯାଆନ୍ତେ, ପୃଥିବୀ ଏମିତି ସୁନ୍ଦର ହୋଇଯାଆନ୍ତା। ସତରେ, ସେ ଦିବ୍ୟସୃଷ୍ଟିକୁ ଦେଖି ଆନନ୍ଦର ସୀମା ରହିଲାନି । ପୁଣି ତାଙ୍କ ପାଟିରୁ ଅଗ୍ନିବର୍ଷା ପରି ଧ୍ୱନି ବାହାରି ସାରାବିଶ୍ଵରେ ତରଙ୍ଗାୟିତ ହେଲା,ହେ ପ୍ରିୟ ସନ୍ତାନ,"ଏବେ ତ ବନ୍ଦ କର"!ଦେଖିଲି ଯେ ଲୋକମାନେ ଥରେ ଅନାଇ ପୁଣି ନିଜନିଜ କାମରେ ଲାଗିଗଲେ । ଭଗବାନ ପକ୍ଷୀମାନଙ୍କୁ କହିଲେ, "ପିଲାମାନେ ଜାଣିଶୁଣି ଅବୁଝା ହେବାରୁ ପ୍ରାକୃତିକ ଓ କୃତ୍ରିମ ବିପଦ ଭୋଗୁଛନ୍ତି । ମନ୍ଦିରରେ ପୁଜା କରୁଛନ୍ତି ହେଲେ ମୋ ଉପଦେଶ ମାନୁନାହାନ୍ତି । ମୁଁ ଆଉ କଣ କରିପାରିବି, କହି କାନ୍ଦି ପକାଇଲେ । ପ୍ରଭୁଙ୍କ କାନ୍ଦିବା ଦେଖି ସେମାନେ ଉଡିଗଲେ ଆଉ ମୁଁ ତଳେ କଚାଡିହୋଇ ପଡିଲି । ସ୍ଵପ୍ନ ଭାଙ୍ଗିବା ପରେ ଭାବିଲି , ମୁଁ କଣ ସେଇ ମଣିଷ ?
