ଶୈଶବର ସ୍ମୃତି
ଶୈଶବର ସ୍ମୃତି
ବାଲ୍ୟ ଜୀବନର ଚପଳତା ପଣ ମନ ଇଲାକାରେ ଏକ ନିଆରା ଅଭୁଲା ସ୍ମୃତି ହୋଇ ରହିଯାଇଛି | ଗୋଟି ଗୋଟି ହୋଇ ସାଇତା ଅଲିଭା ଅକ୍ଷରେ ମନ ପାନ୍ଥଶାଳା କାନ୍ଥରେ |ସେଇ ପିଲାଦିନ କେତେ ଆପଣାର ଥିଲା | ନ ଥିଲା ଦୁଃଖ ସୁଖର ଅନୁଭବ | ଖାଲି ଚୁଲବୁଲି ପ୍ରଜାପତି ପରି ଉଡ଼ିବୁଲିବା କୁ ମନ ଲୋଡ଼େ |
ପଞ୍ଚମ ଶ୍ରେଣୀ ପାଶ ପରେ ଏମ.ଇ. ସ୍କୁଲ ରେ ନାମ ଲେଖାଇଲି |ଇଂରାଜୀ ପଢ଼ାଉଥିଲେ ନିରଞ୍ଜନ ସାର | ଭାରି ରାଗି |ୱାର୍ଡ ଘୋଷିକି ଆସିବାକୁ ପ୍ରତିଦିନ କହନ୍ତି | ପଚାରନ୍ତି ଭୁଲ ହେଲେ ପ୍ରବଳ ମାଡ଼ ଦିଅନ୍ତି | ମୋତେ ଥରେ ପଚାରିଲେ ମାଉଁଟେନ ସ୍ପେଲିଙ୍ଗ କର | ମୁଁ ଠିଆହୋଇ କହିଲି | ହେଲେ ସେ କଳାପଟାରେ ଯାଇ ଲେଖିବାକୁ କହିଲେ | କଳାପଟା ପାଖକୁ ଯାଇ ଲେଖୁ ଲେଖୁ ଭୟରେ a ଟି ଛାଡିଦେଲି | ଗଣି ଗଣି ଚଉଦ ପାହାର ହାତରେ କଷି ଦେଲେ |ସବୁଦିନ ପାଇଁ ମନେ ରହିଲା | ସେଇଦିନୁ ଠିକରେ ପଢିକି ଯାଏ |ଆଉ କେବେ ମାଡ଼ ଖାଇନି
ପିଲାବୁଦ୍ଧିରେ ଥରେ ଆମ ଶ୍ରେଣୀର ବିଶ୍ୱନାଥ କଣ କହିଥିଲା କେଜାଣି ମନେନାହିଁ | ମାତ୍ର ତାକୁ ବାଡେଇ ପକାଇଥିଲି | ସମସ୍ତେ କହିଲେ, ତୋର ତ ଭାରି ସାହସ |ପୁଅପିଲାକୁ ବାଡ଼େଇଲୁ | ମନେ ପଡିଲେ ହସ ଲାଗେ |
ଷଷ୍ଠ ଓ ସପ୍ତମ ଦୁଇ ଶ୍ରେଣୀରେ ଫୁଲ ବଗିଚା କରିବା ପ୍ରତିଯୋଗିତା ଚାଲେ |ସ୍କୁଲ ପଛ ପଟେପନିପରିବା ଲଗାଇବା ଇତ୍ୟାଦି କାମ ମିଳିମିଶି କରୁ |ଦିନେ ଦିନେ ସପ୍ତମରେ ରିସେସରେ ସମସ୍ତେ ମୁଢିମିଶ୍ଚର, କେବେ ବରା ଚପ ଆଣି କ୍ଲାସ ସାମ୍ନାରେ ଗାମୁଛା ପାରି ଢାଳି ଏକାଠିଖାଉ | ସାର ମଧ୍ୟ୍ ଆମସହ ମିଶି ଖାଆନ୍ତି | କେତେ ସ୍ନେହ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସମ୍ପର୍କ ଥିଲା ଶିକ୍ଷକ ଛାତ୍ର ଛାତ୍ର ମଧ୍ୟରେ | ଆଜିଯାଏଁ ସେ ସମ୍ପର୍କ ରହିଛି ଉଚ୍ଚବିଦ୍ୟାଳୟରେ ପାଠ ପଢା ଅନେକ ଘଟଣାବଳୀ ଆଖି ଆଗେ ଉଭା ହୁଏ | ଖେଳ ଶିକ୍ଷକ ପ୍ରଫୁଲ୍ଲ ସାର ଗଣିତ ପଢାଇବାରେ ଭାରି ଆଗ୍ରହ |ତେଣୁ ସେ ଆମର ଗଣିତ ଓ ଭୂଗୋଳ ପଢ଼ାନ୍ତି |ଅତି ସୁନ୍ଦର ଭାବରେ ବୁଝାନ୍ତି |ପ୍ରତି ସପ୍ତାହରେ ପରୀକ୍ଷା କରନ୍ତି |ପୂର୍ଣ୍ଣ ସଂଖ୍ୟା ରୁ ଯେତିକି କମିବ ସେତିକି ପାହାର ମାଡ଼ ହୁଏ |ମାଡ଼କୁ ଡରି ସମସ୍ତେ ପଢିକି ଆସନ୍ତି |ଥରେ ଗଣିତ ପରୀକ୍ଷା ହୋଇଥାଏ | ପରୀକ୍ଷା ଖାତା ଭଲ ପିଲାଙ୍କୁ ଦେଖିବାକୁ ଦିଅନ୍ତି |ଆମ ଭିତରେ ଅଦଳ ବଦଳ କରି ଖାତା ଦିଅନ୍ତି |ମୋଖାତା ବିଶ୍ୱନାଥ ପାଖରେ ତା ଖାତା ମୋ ପାଖରେ ପଡିଥିଲା |ମୁଁ ଦେଖିଲି ସବୁ ଠିକ ଅଛି |ଫୁଲ ମାର୍କ ପାଇବ | କଣ କରିବି | ମୋ ମୁଣ୍ଡ କାମ କଲାନି | ଯଦି ମୋର ମାର୍କ କମିଥିବ ମାଡ଼ ଖାଇବି |ରାତିରେ ଆଉ ନିଦ ହେଲାନି | ପୁଣି 4ଟା ରାତିରୁ ଉଠି ତା ଖାତା ଦେଖିଲି |ଜ୍ୟାମିତିର ବାହୁ ଦୁଇଟି ଓଲଟାଇ ଲେଖିଥିଲା ଜାଣିପାରିଲି | ସେ ନମ୍ବର ଟି ଭୁଲ ହେଲା ପାଞ୍ଚ ମାର୍କ କଟିଗଲା | ମୋର ଫୁଲ ମାର୍କ ଥିଲା ସେଥିପାଇଁ ମାଡ଼ରୁ ରକ୍ଷା ପାଇଗଲି | ପ୍ରତି ବର୍ଷ ସବୁଠାରୁ ଅଧିକ ନମ୍ବର ରଖି ଗଣିତରେ ପୁରସ୍କାର ଆଣେ ସେଇ ସାରଙ୍କ ଠାରୁ |ଏବେ ବି ଦେଖିଲେ ଭକ୍ତିରେ କି ଭୟରେ ତାଙ୍କ ସାମ୍ନାରେ ଠିଆ ହୋଇ କଥା ହେବାକୁ ଭୟ ଲାଗେ |ମାତ୍ର ଶିକ୍ଷକଙ୍କର ଆମ ପ୍ରତି ସ୍ନେହ ଥିଲା ଅମାପ |ଆଜିଯାଏଁ ଉଜ୍ଜୀବିତ ହୋଇ ରହିଛି |
ଘର ବାଡ଼ିପଟେ କୁଆଁରିଆ ନଈଟା କୁଳୁକୁଳୁ ହୋଇ ବହିଯାଉଛି | ଯିଏ ଥିଲା ଅତି ଆପଣାର | ସାଇଯାକ ଝିଅ ଏକାଠି ହୋଇ ଦୁଇ ବେଳା ନଈକୁ ଗାଧୋଇ ଯାଉ |ସକାଳ ବେଳା ଘର କାମ ପାଇଁ ଶୀଘ୍ର ଗାଧୋଇ ପଳାଇ ଆସୁ |ହେଲେ ଉପର ବେଳା ସମସ୍ତେ ଆମ ବାଡ଼ିପଟ କୂଅ ମୂଳେ ଏକାଠି ହେଲାପରେ ନଈକୁ ଯାଉ | ନଦୀରୁ ପାଣି ଆଣି ପିଉ |ତେଣୁ ସାଙ୍ଗରେ ଗରା ଗିନା ପାଣି ଛେଦେଇବା ପାଇଁ ଧରି ଚାଲିଯାଉ | ଖରାଦିନେ ତ ନଦୀରେ ପାଣି ନ ଥାଏ | କାଠରେ ଛନ୍ଦ ପୋତା ଯାଇଥାଏ |ପାଣିଝରାଇ ଫୁଲ ହୋଇଥାଏ |ଗରା ବାଲ୍ଟି ବୁଡାଇ ପାଣି ଆଣି ଗାଧୋଉ |ହେଲେ ବର୍ଷା ଦିନେ ଅନେକ ଥର ବର୍ଷା ମାଡ଼ ଖାଇ ଗାଧୋଇଛୁ |କୁଆପଥର ମାଡ଼ ଖାଇଛୁ |ବର୍ଷା ଭିଜିବା ମଜ୍ଜା ନିଆରା |ମାତ୍ର ଶୀତ ଦିନେ ସମସ୍ତେ ଶୁଖିଲା ଶାଢ଼ୀ ଧରି ବାଲିରେ କୋଠରୀ ତିଆରି କରି ରଖୁ ଗାଧୋଇ ସାରି ପିନ୍ଧିକି ଆସିବା ପାଇଁ |ନଦୀଉପରକୁ ଲାଟିନ ଯାଉ |କୂଳେ କୂଳେଦୂରକୁ ଚାଲିଯାଉ | ବୁଦା ଉହାଡ଼େ ଟିକେ ଲୁଚକାଳି ଖେଳ ହୁଏ | ଗପ ସପ ହସ ଖୁସି କରି ସ୍ନାନ ଶୌଚ ସାରି ଗରାରେ ପାଣିଭର୍ତ୍ତୀ କରି ଅଣ୍ଟାରେ ଧରି ଫେରିଲା ବେଳକୁ ସନ୍ଧ୍ୟା ହୋଇଯାଏ |ବୋଉ ରାଗିଯାଇ କହେ, ନଦୀଟା କଣ ଘୁଞ୍ଚି ଯାଇଥିଲା? କିଛି ନ କହି ଚୁପ ରହେ |ସାଙ୍ଗମାନେ ଏତେ ମଜ୍ଜା କରୁ କହିଲେ ନ ସରେ | ପ୍ରାୟ ପ୍ରତିସପ୍ତାହରେ ଭୋଜି ଭାତ ଆୟୋଜନ
ହୁଏ |ଜଣ ଜଣକ ଘରେ ବି ହୁଏ | ଭୋଜିରେ ଭାତ ବଳିଲେ ପଖାଳ ଭୋଜି ହୁଏ ତା ପରଦିନ |ପଖାଳ ସାଥିରେ ଥରେ ଲେଉଟିଆ ଶାଗ ସହିତ ମାଛ ମୁଣ୍ଡ ପକାଇ ରାନ୍ଧିଦେଇଥିଲି |ସମସ୍ତେ ଖାଇ ପ୍ରଶଂସା ମୁଖର ହେଲେ |ଏବେ ବି ସାଙ୍ଗମାନେ କିଏ ଦେଖାହେଲେ ସେଇ କଥା ମନେ ପକାନ୍ତି |କେତେ ସ୍ନେହସମ୍ପର୍କ ଥିଲା ସାଙ୍ଗ ସାଥୀଙ୍କ ଭିତରେ |ଗ୍ରାମ୍ୟ ଜୀବନର ସରଳତା ଅତି ମଧୁର |ମନରେ ନ ଥିଲା ଆବିଳତା |ରାଗରୁଷାଘଡ଼ିକରେ ତୁଟିଯାଏ |ଗୋଟିଏ ଜୀବନ ହୋଇ ଦିନ କାଟୁଥିଲୁ |
ଖାଇସାରିବା ପରେ ଆରମ୍ଭ ହୁଏ ଖରାବେଳେ ଖେଳ | ପଡିଶା ଘର ବଡ଼ ମାଆ ବୋହୁପରଷା ଗଣ୍ଡେ ଖାଇ ଦେଇ ଅନାଇଁ ବସିଥାଏ ଆମ ସହ ଖେଳିବାକୁ |ଆମେ ଖାଇପିଇ ଛୁଟିରେ ତାଙ୍କ ଘରେ ପହଞ୍ଚୁ | ଖେଳ ଆରମ୍ଭ ହୁଏ |କିଏ କିଏ କାଞ୍ଜିପଟାରେ ଗାତ ଭିତରେ ଗିଲ ଥୋଇ ଖେଳନ୍ତି ଆଉ କିଏ ତାସ ପାଲିରେ ବସିଯାଆନ୍ତି | ପୁଣି ଆଉ ଚାରିଜଣ ପଶାପାଲିରେ ଆଠ ପଚିଶ ଖେଳନ୍ତି | ବେଳେ ବେଳେ ଦୁଇ ଜଣ କନିଅର ମଞ୍ଜିରେ ଖୁଣ୍ଟେଇ ଖେଳ କରନ୍ତି #| ଶେଷରେ ପଶା ପାଲିରେ କେବଳ ଆଠ ପଚିଶ ଦାନରେ ହାଡ଼ିହାଡ଼ିଆଣୀ ଖେଳ ହୁଏ |ଦାନରେ ପାଚିଲେ ତ ଜିତିବ ହେଲେ ହାରିଲେ ହାଡ଼ି ଘରକୁ ଯିବ. ଏହି ଖେଳରେ ଯିଏହାରିବ ସେ ହିଁ ହାଡ଼ିଘରକୁ ଯିବ |ପଶାପାଲି ନିକଟରେ ଘରଟିଏ କରିଦିଆଯାଇ ଥାଏଯିଏହାରିଲା ସେଦିନସାଙ୍ଗମାନଙ୍କଥଟ୍ଟାରେ ସିଏ ମଲା |ତାକୁ ଚିଡାଇ ଚିଡାଇ ଲଜ୍ଜିତ କରିଦିଅନ୍ତି |
ସାଙ୍ଗ ସାଥୀମାନେ କିଏ କେଉଁଆଡେ ଶାଶୁଘର ଚାଲିଗଲେଣି |ସହଜରେ ଦେଖାହେବା ମଧ୍ୟ ହେବା ଭାଗ୍ୟରେ ଯୁଟୁନି |ସମୟ ସୁଅରେ ଅଲଗା ହେଲେବି ସେଇ ଶୈଶବର ଅଭୁଲା ସ୍ମୃତି ବାପଘରର ସୁଖଦ ମୁହୂର୍ତ୍ତ ଉଙ୍କିମାରେ ମନ ରାଜ୍ୟରେ ନିରୋଳା ମୁହୂର୍ତ୍ତରେ |
ନନାଙ୍କର (ବାପାଙ୍କୁ ନନା ଡାକୁ )ଆଉ ତିନିଟି ଭାଇ ଥିଲେ | ମୋ ପିଲାବେଳୁ ତାଙ୍କର ଦୁଇ ଭାଇ ଆର ପାରିକୁ ଚାଲିଯାଇଥିଲେ |ତଥାପି ଚାରିପରିବାର ବିଞ୍ଚିଣୀ ବାଣ୍ଟ କରି ଏକାଠି ରହୁଥିଲେ |ସମସ୍ତଙ୍କର ଦୁଇଟି ଲେଖାଏଁ ବଖରା |ଗୋଟିଏ ରୋଷେଇ ଘର |ସେଇ ଘରେ ହାଣ୍ଡିଶାଳ, ଠାକୁର, ଭାଡ଼ିକରି ଧାନ ଡୋଲି, ଆଉ ସବୁ ଜିନିଷ ସଜାଇ ହୋଇ ରହିଥାଏ | ଶୋଇବା ଘରେ ନାନଵୋଉ ଆମେ ଭାଇଭଉଣୀ ଏକାଠି ରହୁ | ଦାଣ୍ଡରୁ ବାଡ଼ିଯାଏ ଯିବା ଆସିବା ପାଇଁ ଗୋଟିଏ ବାଟ |ସମସ୍ତେ ଏକାଠି ହସ ଖୁସିରେ ରହିଥିଲୁ | ସନ୍ଧ୍ୟା ହେଲେ ଆମଘର ମଝିରେ ଥିବାରୁ ସମସ୍ତେ ଆସି ବସନ୍ତି ||ଢ଼ିଙ୍କିଶାଳୁ ଢେଙ୍କାନାଳ ଯାଏ କଥା ଆଲୋଚନା ହୁଏ |ସମସ୍ତେ ଦିନଯାକର ନିଜରଅନୁଭୂତିକୁ ବଖାଣି ବସନ୍ତି |ନନା ଗୀତା ଭାଗବତ ପଢ଼ନ୍ତି |ବ୍ରାହ୍ମଣ ପରିବାର ହୋଇଥିବାରୁ ସମସ୍ତ ସଂସ୍କାର ନୀତି ନିୟମରେ ଘର ଚଳେ |ପୁରୁଣା କାଳିଆ ଲୋକ ହେଲେବି ହିନ୍ଦୀଅକ୍ଷର ମୋ ଠାରୁ ଶିଖି ଗୀତା ବିନା ଚଷମାରେ ପଢିପାରୁଥିଲେ |ଖୁସି ଲାଗେ |ବୋଉ ମଙ୍ଗଳା ସ୍ତୁତି ପଢେ |ଧର୍ମ ଆଲୋଚନା କରି ଏକ ଆଧ୍ୟାତ୍ମିକ ପରିବେଶ ସ୍ତୁଷ୍ଟି ହୋଇଥାଏ |ତା ଭିତରେ ରେଡ଼ିଓ ପ୍ରୋଗ୍ରାମ, ସମ୍ବାଦପତ୍ର କଥା, ନୂଆ ନୂଆ ଫିଲ୍ମି ଇତ୍ୟାଦି ଯିଏ ଯାହା ଜାଣିଥାଏ କହେ |ପିଲାରୁ ବଡ଼ ସମସ୍ତେ ଖୁସିରେ ସମୟ କାଟି ନଅ ଟା ବାଜିଲେ ବୋଉ ଗରମ ଗରମ ରାନ୍ଧି ଦିଏ |ସମସ୍ତେ ଯେଝାଘରକୁ ଯାଇ ଖାଇପିଇ ଶୋଇ ଯାଆନ୍ତି |
ଦେଠେଇ (ବଡ଼ ମାଆକୁ ଦେଠେଇ ଡାକୁ ) ଆମରଭାରି ପ୍ରିୟ | ତାର ପିଲାପିଲି ନ ଥାନ୍ତି | ତେଣୁ ସେ ଆମକୁ ନିଜ ପିଲା ପରି ସ୍ନେହ କରେ | ଶୀତ ଦିନେ ସନ୍ଧ୍ୟା ହେଲେ ଖାଇସାରି ଆସି ଆମ ଚୁଲିକୁ ଆବୋରି ବସେ ମୁହଁ ଘୋଡାଇ /|କଥା ପଦେ ପଦେ କହୁଥିବ ମଝିରେ ମଝିରେ ଘୁମାଉଥିବ |ଡାକ ପକାଏମୁଁ, ଆଲୋ ଦେଠେଇ, କଣ ଘୁମାଉଛୁ |? ପଡ଼ିଯିବୁଟିଚୁଲିରେ aସେ କିନ୍ତୁ ସଙ୍ଗେ ସଙ୍ଗେ ଉତ୍ତରଦିଏ | ହଁ ଲୋ ଝିଅ ଗୋଟେ ସପନ ଦେଖିଲି |ଆମେ ସମସ୍ତେ ହସି ହସି ଗଡୁ |କହେଦେଖମ ଦେଖମ ବସି ବସି ସପନ ଦେଖୁଚି |
ତା ପାଖରେ ମୁଁ ସବୁବେଳେ ଶୁଏ |ସାରା ରାଇଜର ଦୁଃଖ ସୁଖ ହୋଇ ଶୋଉ |ପୁଣି 4ଟା ରାତିରୁ ଉଠି ପାଠ ପଢେ |ପାଠ ପଢ଼ିସାରିବାପରେ ପ୍ରାତଃ ଅବକାଶ ଆରମ୍ଭ ହୁଏ |କେତେ ଭଜନ ଜଣାଣ ପଢି ମନେ ରଖିଥିଲି |ସେ ସବୁ ଆଜି ହଜି ଯାଇଛି |ଦିନ ସରିଯାଇଛି |ହେଲେ ସ୍ମୃତି ସବୁ ସାଇତା ମନର ନିଭୃତ କୋଣରେ ଅଜଣା ଇଲାକାରେ |ରହିଥିବ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ |ଅନାବନା ଭାବନାରେ ସମୟ ଆଗକୁ ଗଡିଗଲାଣି |ରାତି ଅନେକ ହେଲାଣି |ଘର ବାହାର ନୀରବ ନିସ୍ତବ୍ଧ |ପ୍ରକୁତିସ୍ଥ ହେଲାବେଳକୁ ଭାରି ନିଛାଟିଆ ଲାଗିଲା |ଆଖି ବୁଜି ଶୋଇ ପଡିଲି କମଳଭିତରେ ଖୋଜି ଖୋଜି ବଡ଼ ଦେଠେଇର ସାନ୍ନିଧ୍ୟ |ଆଉ ସବୁ ଆର ଥରକୁ |