ସାଉଁଟା ଶୈଶବର ସ୍ମୃତି_ଭାଗ 1
ସାଉଁଟା ଶୈଶବର ସ୍ମୃତି_ଭାଗ 1
ସମୟ ସୁଅରେ ଭାସି ଭାସି କେତେ ବନ୍ଧୁର ପଥ ଅତିକ୍ରମୀ ଘାତ ପ୍ରତିଘାତ ସହି ସହି କେତେବେଳେ ଯେ ଜୀବନ ଅପରାହ୍ନରେ ପହଞ୍ଚି ଯାଇଛି ଭାବିଲେ ସବୁ ପ୍ରହେଳିକା ଲାଗେ |ସତରେ ଏ ଦୁନିଆଁ ଏକ ରଙ୍ଗମଞ୍ଚ |ଆମେ ସମସ୍ତେ ଗୋଟେ ଗୋଟେ କଳାକାର |ନିଜ ନିଜ ଅଭିନୟ କରିବାକୁ ପଡିବ ଶେଷ ଦୃଶ୍ୟ ପର୍ଯ୍ୟନ୍ତ ଥାଉ ସୁଖ ଅବା ଦୁଃଖ |ବାତାୟନ ଫାଙ୍କେ ଚାହିଁଲେ ଦୂର ଦିଗନ୍ତକୁ ସବୁ କିଛି ଝାପ୍ସା ଝାପ୍ସା ଦିଶେ |ଦୂର ତାଳ ବଣେ ବାଇଆ ଚଢେଇର ବସା ଦୋହଲୁଛି |ନାରିକେଳର ମଥାନତ କିଶଳୟ ଫାଙ୍କେ ସୁନେଲି ସୁରୂଯ ବୁଣିଦେଇଛି ଆଲୁଅର ମୂରୁଜ |ବିତର୍କିତ ଅପରାହ୍ନ |କାକଳି କରି ଵିହଗମାନେ ଫେରନ୍ତା ପଥରେ ନୀଡ଼କୁ |ହମ୍ବାରଡ଼ି ଛାଡି ଧେନୁପଲ ଘର ଲେଉଟାଣି ଗୋଠରୁ |ଧୀରେ ଧୀରେ ଉଦୟ ତପନ ଗତିଶୀଳ ହୋଇ ପ୍ରଦୋଷରେ ଅସ୍ତରାଗର ସୂରୁଜ ହେବାକୁ ବସିଲେଣି |ନୀଳାକାଶ ପ୍ରାଚୀଦିଗେ ସୃଷ୍ଟିକରିଛି ଲାଲ ହରିଦ୍ରା ବର୍ଣ୍ଣ ଛିଟାର ଅପୂର୍ବ ବର୍ଣ୍ଣାଳୀ |ବର୍ଷା ଥମିଯାଇଛି |ଅତି ସୁନ୍ଦର ସେ ଦୃଶ୍ୟ ଆନମନା କରୁଥିଲା ମନକୁ | ବାଲ୍ୟଚପଳତାରେ ବିଭୋର ହୋଇ ପିଲାମାନେ ଧାଁ ଧଉଡ ଖେଳୁଥାନ୍ତି |ସନ୍ଧ୍ୟା ଉପସ୍ଥିତ ହେଲେ ବି ଖେଳ ତାଙ୍କର ସରୁନି |ଭାବୁଥିଲି ସତରେ ପିଲାଦିନର ସମୟ କେତେ ଖୁସି ପୂର୍ଣ୍ଣ |ରଙ୍ଗୀନ ପ୍ରଜାପତି ପରି ଉଡ଼ିବୁଲିବା ଏକ ମାତ୍ର ଭାବନା ଥିଲା |ସଂସାର ବୋଝ କିଛି ନ ଥିଲା |
ଏ ସବୁ ଭିତରେ ଆନମନା ହୋଇ ଫେରି ଯାଇଥିଲି ସେଇ ପିଲାଦିନକୁ |ବୋଉର ସେ ସମୟରେ ଚିକିତ୍ସାର ସୁବିଧା ନ ଥିବାରୁ ସବୁ ଛୁଆ ଗୋଡ଼ ତଳୁ ମରିଯାଉଥାଆନ୍ତି | ବଞ୍ଚିଯାଇଥିଲୁ ଆମେ ତିନି ଝିଅ | ମୋ ଜନ୍ମ ବେଳେ }ବଡ଼ ଭାଉଜ କହିଲେ, ଖୁଡି!ଏ ଝିଅ ମରିବନି |ଦେଖ ୟା ପାଦରେ ଆଙ୍ଗୁଠି ଗୋଟେ ବଙ୍କା ୟାକୁ ଯମ ନେବନି | ମୋ ପରେ ପୁଅଟି ବଞ୍ଚିଲା ବୋଲି ମୁଁ କାଳି ରଙ୍ଗର ହେଲେ ମଧ୍ୟ ବାପା ବୋଉଙ୍କର ସ୍ନେହ ଅଧିକ ପାଇଥିଲି |
ପିଲାଦିନୁ ସ୍ୱାଭିମାନୀ ଥିଲି ବୋଲି ବଡ଼ମାଆ କହେ |ସବୁଦିନ ଦାଣ୍ଡ ବାଲିରେ କାଞ୍ଚିକୁଂଚୁଲି (ମାଟି ତିଆରି ଖେଳନା )ନେଇ ଖେଳେ ସନ୍ଧ୍ୟାରେ ବାଲିଚାଙ୍ଗୁଡ଼ି ସହ କାଞ୍ଚି କୁଞ୍ଚୁଲୀ ସବୁ ଆଣି ତାଙ୍କ ପିଣ୍ଡାରେ ରଖିଲି |ସେତେବେଳେ ନନା ଙ୍କର ଚାରି ଭାଇ ଗୋଟିଏ ଜାଗାରେ ତଳ ଉପର ହୋଇ ଦୁଇ ଦୁଇ ବଖରା କରି ରହୁଥିଲେ |ତେଣୁ ବଡ଼ମାଆ ଉପର ପଟେ ଥିବାରୁ ସେଠି ଚାଙ୍ଗୁଡ଼ି ରଖିଦେଲି |ବଡ଼ମାଆ କହିଲା, ଆଲୋ,!ବାଲିଗୁଡା କାହିଁ କି ଆଣିଲୁ? କାଲି ତ ପୁଣି ସେଠି ଖେଳିବୁ |ଏ କଥା ଶୁଣି ତାକୁ କିଛି ନ କହି ବାଲିଚାଙ୍ଗୁଡ଼ି ଧରି କାଞ୍ଚି କୁଞ୍ଚୁଲୀ ସହ ତଳ ପଟକୁ ଚାଲିଲି |ସେ ଡାକ ପକାଇଲା |କୁଆଡେ ଯାଉଛୁ |ମୁଁ କହିଲି, ଆମ ପିଣ୍ଡାରେ ରଖିବି |ସେ ଯେତେ ଡାକିଲା ମୁଁ ଶୁଣି ନ ଥିଲି |ସେ ମନ ଦୁଃଖ କଲା |ମୁଁ ବଡ଼ ହେଲା ପରେ କହିଥିଲା |ମନେ ପଡୁଛି ଆଜି | ସମୟ ସୁଅରେ ସେମାନେ କୁଆଡେ ହଜିଗଲେଣି |ସବୁ ସ୍ମୃତି ସାଇତା ମନ ଗନ୍ତାଘରେ |ପ୍ରଥମ ଶ୍ରେଣୀରେ ନନା ନାଁ ଲେଖାଇ ଦେଲେ |ସାର କେତେ ମଜ୍ଜା ଗପ କୁହନ୍ତି |ବାର୍ଷିକ ପରୀକ୍ଷାରେ ମୋ କଲମ ଚାଲିଲାନି |କେମିତି ଲେଖିବି? ପାଖରେ ରମା ମୋ ସାଙ୍ଗ ବସିଥିଲା |କିଛି ଲେଖୁ ନ ଥିଲା |ତାକୁ ମାଗିଆଣି ମୁଁ ଲେଖିଦେଲି ସବୁ |ପରୀକ୍ଷା ସରିଲାପରେ ସ୍କୁଲ ସାମ୍ନା ରେ ତାଙ୍କ ଘରକୁ ଯାଇ ସେ କହିଦେଲା |ତା ବୋଉ ମୋତେ ଗାଳି ଦେଲା |ତୁ ତ ମୋ ଝିଅ କଲମ ନେଇ ଗଲୁ |ମୋ ଝିଅ କେମିତି ଲେଖିବ? ମୁଁ କହିଲି, ସେ ଲେଖୁ ନ ଥିଲା ବୋଲି ମୁଁ ମାଗି କି ଆଣିଲି| ଏବେବି ମନେ ଅଛି |କାରଣ, ସେ ଫେଲ ହେଲା |ମୁଁ ଫାଷ୍ଟ ହୋଇଥିଲି |ପଡିଶା ଘର ସାଙ୍ଗ ବିଦୁର ଭାଇ ପଚାରିଲେ, ଆଜି ରେଜଲ୍ଟ କଣ ହେଲା |ସେ କହିଲା, ସ୍ବର୍ଣ୍ଣ ଫାଷ୍ଟରେ ପାଶ କରିଛି |ମୁଁ ଫାଷ୍ଟରେ ଫେଲ ହୋଇଚି |ସମସ୍ତେ ହସି ହସି ବେଦମ ହୋଇଥିଲେ |ସତରେ କେତେ ନିଷ୍କପଟ ପିଲା ମନ? ରମା କିନ୍ତୁ ଅଳ୍ପ ପଢି ଆମ ଗାଁ ସରପଞ୍ଚ ହୋଇଥିଲା |ବହୁ ବର୍ଷ ପରେ ଭେଟା ଭେଟି ହେଲୁ ଗାଁରେ |ସେ ଚିହ୍ନା ଦେଲା |ଦୁହେଁ କୋଳାକୋଳି ହେଲୁ | ସେ ଥିଲା ଏକ ଖୁସିର ମୁହୂର୍ତ୍ତ |
ପଞ୍ଚମ ଶ୍ରେଣୀରେ ପ୍ରଧାନ ଶିକ୍ଷକ ରଥ ସାର ଗଣିତ ପଢ଼ାନ୍ତି |ପ୍ରବଳ ମାଡ଼ ଦିଅନ୍ତି |]ସବୁଦିନ ଲେଖା ପଢା ସାରି ଆମେ ଦୁଇସାଙ୍ଗ କୁମା ଆଉ ମୁଁ କୁମାଘର ଛାତରେ ବସି ଧ୍ୟାନ କରୁ ମାଡ଼ ନ ଖାଇବା ପାଇଁ |ସାର ଆମ ଘର ପାଖରେ ଭଡା ରହୁଥିଲେ |ଆମେ ମାଡ଼ ଭୟରେ ତାଙ୍କ ପାଇଁ ନଦୀରୁ ପାଣି ଆଣିଦେଉ |ମାଟି ଘର ହୋଇଥିବାରୁ ଗୋବରରେ ଶନିବାରେ ଲିପିଦେଉ |ବୋଉ ମନା କରିବ ଗାଳି କରିବ ବୋଲି ଲୁଚି ଲୁଚି ଯାଇ ତାଙ୍କ କାମ କରିଦିଏ |ପଞ୍ଚମରେ ପ୍ରଥମ ହୋଇ ପାଶ କଲି |
ସେ ବର୍ଷ ଖରା ଛୁଟିରେ ଆମ ଶ୍ରେଣୀ ପୁଅ ମାନଙ୍କୁ ନେଇ ଗଣେଶ ଗୀତିନାଟ୍ୟ ଡ୍ରାମା କରିବାକୁ ଠିକ କଲେ ଗ୍ରାମର ଯୁବକ ମାନେ |ପ୍ରତି ବର୍ଷ ଖରା ଛୁଟିରେ ଗାଁରେ ଡ୍ରାମା ହୁଏ |ଆମ ବଡ଼ ବାପାଙ୍କ ପୁଅ ଭାଇନା ଥିଲେ ଡାଇରେକ୍ଟର |ସେ କହିଲେ, ଏ ବର୍ଷ ଝିଅ ମାନଙ୍କୁ ନାଚ ଶିଖାଇ ଡ୍ରାମା ମଝିରେ ଓଡ଼ଶୀ କଲ
େ ଭଲ ହେବ |ସମସ୍ତେ ରାଜି ହେଲେ |ସେତେବେଳେ ପୁଅମାନେ ଝିଅ ଅଭିନୟ କରନ୍ତି |ହେଲେ ପ୍ରଥମ କରି ଭାଈନା ଝିଅଙ୍କୁ ସୁଯୋଗ ଦେଲେ | ପରେ 4ର୍ଥ,5ମ ଝିଅଙ୍କୁ ନେଇ ମାନଭଞ୍ଜନ ଶିଖାଇଲେ |ମାତ୍ର ଆମର ବ୍ରାହ୍ମଣ ପରିବାର ହୋଇଥିବାରୁ ଭରି ରକ୍ଷଣସଶୀଳ ଥିଲେ |ଝିଅମାନେ ଘରୁ ବାହାରିବା ମନା |ସେଥିପାଇଁ ମୋ ଗୋଡ଼ରେ ବେଡି ଥିଲା |ହେଲେ ସାଙ୍ଗମାନଙ୍କ ସହ ମିଶି ପାଦରେ ଘୁଙ୍ଗୁର ବାନ୍ଧି ଛମ ଛମ କରି ନାଚିବାକୁ ପ୍ରବଳ ଇଛା ହେଉଥାଏ |ରହିପାରିଲିନି |ଖରାବେଳେ ସମସ୍ତେ ଶୋଇଲାବେଳେ ଲୁଚିକି ସ୍କୁଲକୁ ଗଲି |ସେମାନେ ପାର୍ଟ ବାଣ୍ଟି ଅଭିନୟ କରୁଥିଲେ |ମୁଁ ଦୂରରେ ଥାଇ ଦେଖୁଥାଏ |ସୌଦାମିନୀକୁ ଓଡ଼ଶୀ ଶିଖାଉଥାଆନ୍ତି |ସେ ପାଦ ଠିକରେ ପକାଇପାରୁନଥାଏ |ମୁଁ ତାକୁ କହୁଥାଏ ଏମିତି ନାଚେ |ମୋତେ ଦେଖି ଭାଇନା କହିଲେ, ଆସିଲୁ ତୁ କେମିତି ନାଚୁଛୁ ଦେଖିବା |
ମୁଁ ଡରି ଡରି ଗଲି |ସେ ବତାଇଦେଲେ |କାଶୀ ଭାଇନାଙ୍କ ତଵଲାର ତାଳର ବୋଲରେ ନାଚିଲି ଯେ ନାଚିଲି |ଟିକେ ବି ଭୁଲ ହୋଇନଥିଲା |ସମସ୍ତେ ତାଳି ମାରିଲେ |ମାତ୍ର,ଲୁଚିକି ଯାଇ ନାଚ ଶିଖିବା ଭୟ ପ୍ରବଳ ଥିଲା |ବୋଉ ଜାଣିଲେ ଗାଳିଦେବ ପିଟିପକାଇବ |ତଥାପି ଓଡ଼ଶୀ ଆଉ ଭୂତ କେଳି ନୃତ୍ୟନାଟିକା ରେ କୃଷ୍ଣ ରୋଲ ନେଇଥାଏ ପ୍ରଥମ ଗଣେଶ ବନ୍ଦନା ମଧ୍ୟ ମୋର ଥିଲା | ଯେତେବେଳେ ଷ୍ଟେଜ ରିହାଲସେଲ ରାତିରେ ହେଲା ବୋଉ ଜାଣିଲା |ଆଦୌ ରାଜି ହେଲାନି ବୋଉ ||ଗାଁର ପୁଅମାନେ ଆସି ବହୁତ ବୁଝାଇଲେ |ସେ ଭଲ ନାଚୁଛି |କକେଇ ସେ ନ ଗଲେ ଡ୍ରାମା ହେଇପାରିବନି |ବହୁତ ବୁଝାଇଲା ପରେ ବୋଉ ଛାଡିଲା |ନୃତ୍ୟ କରି ଅନେକ ପ୍ରଶଂସା ଆଉ ପୁରସ୍କାର ପାଇଥିଲି |ଗାଁ ସାରା ଲୋକଙ୍କ ସ୍ନେହ ଭଲପାଇବା ପାଇଥିଲି |ବୋଉ ମନେ ମନେଖୁସି ହେଉଥିଲା |
ତଥାପି ଘରର ରକ୍ଷଣଶୀଳ ପରିବାର ପାଇଁ ମୋତେ ପାଠ ପଢିବାକୁ ଅନେକ ସଂଘର୍ଷ କରିବାକୁ ପଡିଥିଲା |ଶିକ୍ଷକତା କରୁଥିଲେବାପା ଆଉ ମାଆ ମଧ୍ୟ୍ୟ ସେତେବେଳର ଶିକ୍ଷିତା ଥିଲା |ସେ କୁହେ 3ୟ ପଢିଲା ବେଳେ ଇଂରେଜ ଇନିସ୍ପେକଟର ଙ୍କୁ ଫୁଲମାଳ ଦେଇଥିଲା |ତାକୁ ସେତେବେଳେ ଶିକ୍ଷକତା କରିବାର ସୁଯୋଗ ଥିଲା |ଝିଅଚାକିରୀ କରିବା ମନା |ତେଣୁ ବାହାରକୁ ସେ ଯାଈ ପାରିନଥିଲା |~ସେଇ କଥା ସେ ମୋ ଉପରେ ମଧ୍ୟ ଲାଗୁକଲା |ତେଣୁ 7ମ ବୃତ୍ତି ପାଇଁ ଭୁବନେଶ୍ୱର ଯାଇଥିଲି ସାର ଓ ନନାଙ୍କ ସାଥିରେ ||ସାର ଅଲଗା ରହିଲେ |ଆମେ ପିଉସୀ ପୁଅ ଭାଇଙ୍କ ଘରେ ରହିଲୁ |ପରୀକ୍ଷା ଦେଲି |
ଘରକୁ ଫେରିବା ପରେ ଗାଁରେ ହାଇସ୍କୁଲ ଥିଲେ ବି ବୋଉ ମନା କଲା |ଝିଅପିଲା ଆଉ ପଢିବା ଦରକାର ନାହିଁ |ସମସ୍ତେ ଆଡମିଶନ କରୁଥିଲେ |7ମ ଶ୍ରେଣୀ ଉତ୍ତୀର୍ଣ୍ଣ ସାର୍ଟିଫିକେଟM.E ସ୍କୁଲରୁ ଆଣିବା ପାଇଁ ମୁଁ ମୋ ସଙ୍ଗାତ ମଞ୍ଜୁ ସାଙ୍ଗ ହୋଇ ଗଲୁ |ସାଥିରେତା ରାମଭାଇ ଯାଇଥିଲେ |ସେ ସାର୍ଟିଫିକେଟ ଆଣି ସିଧା ହାଇସ୍କୁଲକୁ ଗଲା ତା ଭାଇ ମୋତେ ବାଧ୍ୟ କରି ହାଇସ୍କୁଲକୁ ନେଇଗଲେ |କହିଲେ, ସାର୍ଟିଫିକେଟ ଦେଇଦେ |ପରେ ନନା ଆସି ଦସ୍ତଖତ କରିଦେବେ |ତାଙ୍କ ଲାଗି ସାହସ କରି ସାର୍ଟିଫିକେଟ ଦେଇ ଆସିଲି ହାଇସ୍କୁଲରେ ପଢ଼ିବାର ଆଗ୍ରହଥିବାରୁ ଏମିତି କଲି |ଘରକୁ ଆସି ବୋଉକୁ କହିଲି ରାମ ଭାଇ ବାଧ୍ୟ କଲେ ସେଥିପାଇଁ ଦେଇଦେଲି |ବୋଉ ବହୁତ ଗାଳିଦେଲା |ତୋର ସାହସ କମ ନୁହଁ |ମୁଁ ମନାକଲା ପରେ ତୁ ମନଇଛା ଏମିତି କଲୁ ?ତୁ କେମିତି ପଢ଼ିବୁ ଦେଖିବା |ଉତ୍ତର ଦେଲିନି |ଖାଲି କାନ୍ଦିଲି |ସମସ୍ତେ ନାଁ ଲେଖାଇଲେଣି |ମୁଁ ନଯିବାରୁ ସବୁ ସାର ମିଶିକି ଆମ ଘରକୁ ଆସି ବହୁତ ବୁଝାଇଲେ |ସେମାନେ କହିଁଲେ‹ସ୍କଲାର ପିଲା ଯଦି ପାଠ ନ ପଢିବ କିଏ ଆଉ ପଢିବ |ଯୁଗ ବଦଳିଲାଣି |ଏମିତି ଅନେକ ବୁଝାଇବା ପରେ ମୋତେ 36ରେ ନାମ ଲେଖାଇବାକୁ ପଡିଲା| [ଆଖ ପାଖ ଅନେକ ଗାଁରୁ ପିଲା ଆସି ପଢୁଥିଲେ |ତେଣୁ ପଢ଼ାରେ ପ୍ରତିଯୋଗିତା ହୁଏ ଅଧ ବାର୍ଷିକ ପରୀକ୍ଷାରେ ମୋର ସର୍ବାଧିକ ନମ୍ବର ଥିଲା |ତେଣୁ ସବୁ ସାର ଶ୍ରେଣୀକୁ ଆସି, who is 36? ବୋଲି ପଚାରୁ ଥାଆନ୍ତି | ମୁଁ ବହୁତ ଡରି ଯାଇଥିଲି |କିଛି ତ ଭୁଲ କରିନି |ଏମିତି ପଚା ରୁ ଛନ୍ତି କାହିଁକି? ଖେଳ ଛୁଟିରେ 9ମ ଶ୍ରେଣୀ ସାଙ୍ଗ କହିଲା ତୁମେ ତୁମ ଶ୍ରେଣୀରେ ଟପ୍ପର ହୋଇଛ |ଓହୋଃ ମୋ ଦେହରେ ଜୀବନ ପଶିଲା |ଗଣିତ ସାର ପୁରସ୍କୃତ କରିଥିଲେ |ସବୁ ଶ୍ରେଣୀରେ ଟପ୍ପର ହୋଇ ମାଟ୍ରିକ ରେ ପ୍ରଥମ ଶ୍ରେଣୀରେ ପାଶ କଲି |ହେଲେ ଅଧିକ ପଢିବାରେ ପୁଣି ପ୍ରତିବନ୍ଧକ ସାଜିଲା ଭାଇ |ବୋଉ କହିଲା, ପୁଅ ପଢିଲେ ପୋଷିବ |ତୁ ତ ଶାଶୂଘରକୁ ଯିବୁ |ଆଉ ପଢ଼େନା |ମାତ୍ର ପଢିବା ମୋର ନିଶା ଥିଲା |ତେଣୁ ଅନେକ ଘାତ ପ୍ରତିଘାତରେ ±2,±3ପାଶକରି ସିଟି ଟ୍ରେନିଂ ପକାଇଥିଲି |ହେଲେ ବୋଉ ଟ୍ରେନିଂ ନ ଛାଡି ବିବାହ କରିଦେଲା |ମାତ୍ର ମନୋବଳ ଦୃଢ଼ କରି ଟ୍ରେନିଂ ନେଇ ଶିକ୍ଷକତା କରିଥିଲି |
ସଂସାର ସଡ଼କରେ ଜୀବନ ଗାଡ଼ିଟା ଅନେକ ଘାତ ପ୍ରତିଘାତ
ସହି ଗଡି ଗଡି ଯାଇଥିଲା | ବାଲ୍ୟ ଚପଳତାର ସୁଖଦ ମୁହୂର୍ତ୍ତ ବୟସର ଅପରାହ୍ନରେ ଥିଲେ ବି ମନ ଗନ୍ତାଘରେ ଚିରଦିନ ସାଇତା |ସେ ଅତୀତ ର ସ୍ମୃତି ବହଳ ଦିନ ଗୁଡିକ ଅହରହ ଉଙ୍କିମାରେ ନୀରବ ମୁହୂର୍ତ୍ତରେ |