ସିଦ୍ଧି ଲାଭ
ସିଦ୍ଧି ଲାଭ
ପାଠ ପଢ଼ାରେ ଆଦୌ ଇଚ୍ଛା ନ ଥିଲେ ବି ମାଆକୁ ଡରି ବହି ବ୍ୟାଗ ଧରି ରମୁ ସୁରେଶ ସହିତ ଚାଲିଲା ବିଦ୍ୟାଳୟକୁ | ଶ୍ରେଣୀରେ ଗୁରୁଜୀ ପ୍ରବେଶ କରି ସମସ୍ତଙ୍କୁ ଶୁଭ ସକାଳ ଜଣାଇ ପାଠ ପଢ଼ାଇବା ଆରମ୍ଭ କଲେ | ହେଲେ ପାଠ ପଢାଇବାରେ ଇଚ୍ଛା ନ ଥିବାରୁ ଅନ୍ୟମନସ୍କ ରହୁଥିଲା ରମୁ | ମନ ଯାଇ ଖେଳରେ |ପାଠ ତା ମୁଣ୍ଡରେ ପଶୁ ନ ଥିଲା | ଗୁରୁଜୀ ଏ କଥା ଲକ୍ଷ୍ୟ କରି ରମୁକୁ ପ୍ରଶ୍ନ ଟିଏ ପଚାରିଦେଲେ | ରମୁ କିଛି ଉତ୍ତର ଦେଇ ନ ପାରି ଚୁପଚାପ ଠିଆ ହେଲା | ସୁରେଶ କିନ୍ତୁ ସାଙ୍ଗେ ସାଙ୍ଗେ ଠିଆ ହୋଇ ଉତ୍ତରଦେଇଦେଲା | ଗୁରୁଜୀ ରାଗରେ ରମୁ ହାତରେ ଦୁଇ ପାହାର କଷି ଦେଲେ |
କାନ୍ଦି କାନ୍ଦି ଘରକୁ ଫେରି ମନ ଦୁଃଖରେ କିଛି ନ ଖାଇ ଟିଭି ଖୋଲି ବସିପଡ଼ିଲା ରମୁ | ସେତେବେଳକୁ ଜଣେ ପ୍ରବଚକ ମହାଶୟ ପ୍ରବଚନ ଦେଉଥାଆନ୍ତି ଟିଭିରେ | ଆଉ କହୁଥାନ୍ତି, ତୁମେମାନେ ଯଦି ଜୀବନରେ ସଫଳତା ପାଇପାରୁନ ତେବେ ଚିନ୍ତା କରନି | ହନୁମାନଜୀ ହେଉଛନ୍ତିସର୍ବସିଦ୍ଧିଦାତା| | ତାଙ୍କୁ ଭକ୍ତିଚିତ୍ତରେ ମନ ପ୍ରାଣ ଦେଇ ଧ୍ୟାନରେ ସ୍ମରଣ କଲେ, ସବୁ ମନ କାମନା ପୂରଣ ହେବ | ତାଙ୍କ ଆଶୀର୍ବାଦରୁ ସିଦ୍ଧିଲାଭ ହେବ ।
ଏ କଥା ଶୁଣି ରମୁ ମନକୁ ବେଶ ପାଇଲା | ସେ ମନେ ମନେ ଭାବିଲା ପରିଶ୍ରମ ନ କରି ଯଦି ଧ୍ୟାନ କଲେ ହନୁମାନଜୀ ମୋତେ ସିଦ୍ଧିଲାଭ ମନ୍ତ୍ର ଦିଅନ୍ତେ ମୋର ପାଠ ଭଲ ହୁଅନ୍ତା | ମୁଁ ଆଉ ଗୁରୁଜୀଙ୍କ ଠାରୁ ମାଡ଼ ଖାଆନ୍ତିନି କି ମାଆଙ୍କଠାରୁ ଗାଳି ଶୁଣନ୍ତିନି | ଏକଥା ଭାବି ସନ୍ଧ୍ୟା ସମୟରେ ଲୁଚି ଲୁଚି ସମସ୍ତଙ୍କ ଅଗୋଚରରେ ବାଡ଼ିପଟକୁ ଗଲା | ସେଠାରେ ଥିବା ବଡ଼ ଆମ୍ବ ଗଛ ପାଖ କଦଳୀ ଗଛ ମୂଳରେ ଧ୍ୟାନରେ ବସିଲା | ମାଆ କହନ୍ତି ବିବେକାନନ୍ଦ କୁଆଡେ କଦଳୀ ବଗିଚାରେ ଲୁଚିଥିଲେ ଓ ଧ୍ୟାନରେ ହନୁମାନଜୀଙ୍କୁ ଦର୍ଶନ କରିଥିଲେ | ତେଣୁ ଚକା ପକାଇ ବସି ଆଖି ବନ୍ଦ କରି ଜପିବାକୁ ଲାଗିଲା "ଜୟ ବଜରଙ୍ଗବାଲୀ କି ଜୟ "|
କିଛି ସମୟ ବସିରହିଲା ପରେ ତା କାନରେ ପଡିଲା କାହାର କଥା ବାର୍ତ୍ତା ହେବାର ସ୍ୱର | ସେ କାନ ପାତିଲା | ଶୁଣିଲା ପାଖ ଆମ୍ବ ଗଛ କୋରଡ଼ରେ ଦୁଇଟି ଶୁଆଶାରୀ ଗୁଣୁ ଗୁଣୁ ହୋଇ କଥା ହେଉଥିଲେ |ଶାରୀ କହୁଥାଏ,"ଆରେ ଶୁଆ! ଏଇ ପିଲାଟି ରାତିରେ ଗଛ ମୂଳରେ କଣ କରୁଛି| "ଶୁଆ ହସିଦେଇ କହିଲା, "ଆଲୋ,ଶାରୀ, ଏଇ ପିଲାଟି କଥା କଣ କହିବି? ଏ ଆମ ଘର ମାଲିକର ପୁଅ ରମୁ | ଭାରି ଅଳସୁଆ| ଗୋଟିଏ ପୁଅ ବୋଲି ଭାରି ଗେଲବସର | ତେଣୁ ସେ କାହା
କଥା ମାନୁନି କି ମନଦେଇ ପାଠ ପଢ଼ୁନି | ତେଣୁ ସବୁବେକେ ଗୁରୁଜୀଙ୍କଠାରୁ ମାଡ଼ଗାଳି ଖାଉଛି | ସେଥିପାଇଁ ଧ୍ୟାନରେ ହନୁମାନଜୀଙ୍କୁ ଡାକୁଚି | ପାଠ ଦେବେ ବୋଲି | ହେଲେ ବୋକାଟା ଜାଣିପାରୁନି ଯେ ଅଳସୁଆ ହୋଇ ଯୋଗଧ୍ୟାନ କଲେ ଠାକୁର ଫଳ ଦିଅନ୍ତିନି | ସେ କଣ ଦେଖୁନି ତାଙ୍କ ଚାକରର ପୁଅ ସୁରେଶ କେମିତି ମନପ୍ରାଣ ଦେଇ ପାଠ ପଢୁଛି | ଗୁରୁ ଗୁରୁଜନଙ୍କ କଥା ମାନୁଛି | ସବୁ ପ୍ରତିଯୋଗିତାରେ ପୁରସ୍କାର ପାଉଛି | ସେ ଯଦି ବୁଝିପାରନ୍ତା ଯେ ଯୋଗ ଧ୍ୟାନ ନୁହେଁ ବରଂ ପରିଶ୍ରମ କରି ପାଠ ପଢିଲେ ସିଦ୍ଧି ଲାଭ କରିବ | ଓ ଦିନେ ନା ଦିନେ ଭଲ ପଢିସୁରେଶଠାରୁ ଅଧିକ ସୁନାମ ରଖିବ | ଏବେ ଛୋଟପିଲା ବୁଝିପାରୁନି | ଯେତେବେଳେ ବୁଝିବ ବାଟରେ ଚାଲିବ | ଭଲ ପିଲା ହେବ | ହଉ ହଉ, ଚାଲ ;ରାତି ଅନେକ ହେଲାଣି | ଆମେ ଶୋଇବା |
ଧ୍ୟାନରେ ବସି ରମୁ ହନୁମାନଙ୍କୁ ଜପିବ କଣ ଶୁଆଶାରୀଙ୍କ କଥା ମନଦେଇ ଶୁଣୁଥିଲା | ଏବଂ ନିଜ ଭୁଲ ନିଜେ ବୁଝିପାରିଥିଲା | ମନେ ମନେ ଠିକ କଲା ଏଥର ମନଦେଇ ପାଠ ନିଶ୍ଚୟ ପଢିବ | ତା ଧ୍ୟାନ ଭଙ୍ଗ ହୋଇଯାଇଥିଲା | ଠିକ ସେତିକିବେଳକୁ ମାଆ ଘର ସାରା ଖୋଜିଖୋଜି ବାଡ଼ି ପଟକୁ ଆସି ଡାକ ପକାଇଲେ | ଟର୍ଚ୍ଚ ପକାଇ ଦେଖିଲେ ରମୁ ଠିଆ ହୋଇଛି | ମାଆ ଡାକିଲେ,<ଆରେ ରମୁ, ତୁ ଏଠି? ମୁଁ ତେଣେ ଘର ସାରା ଖୋଜିଲିଣି | ଆ ଘରକୁ | ରମୁ କିଛି ନ କହି ଚୁପଚାପ ମାଆଙ୍କ ପଛରେ ଘରକୁ ଗଲା | ମନଲଗାଇ ପାଠ ପଢିଲା | ଟିଉସନ ଗଲା | ପ୍ରତ୍ୟେକ ପ୍ରତିଯୋଗିତାରେ ଭାଗ ନେଇ ଅନେକ ପୁରସ୍କାର ପାଇଲା | ଏବଂ ସପ୍ତମଵୃତ୍ତି ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହେଲା | ସୁରଭିରେ ସୃଜନାତ୍ମକ ଲିଖନରେ ପ୍ରଥମ ହୋଇ ପୁରସ୍କୃତ ହେଲା | ଶିଶୁଦିବସରେ ସଭାରେ ପ୍ରଧାନ ଶିକ୍ଷକ ରମୁକୁ ବହୁତ ପ୍ରଶଂସା କଲେ ଏବଂ ସମ୍ବର୍ଦ୍ଧିନା କଲେ ଓ ତାକୁ ପଚାରିଲେ ସଫଳତାର କାରଣକୁ |" ହନୁମାନ ମୋତେ ସିଦ୍ଧିଲାଭ ମନ୍ତ୍ର ଦେଲେ"କହିଲା ରମୁ | ଏ କଥା ଶୁଣି ଗୁରୁଜୀ କହିଲେ, "ଖୋଲିକି କୁହ | ରମୁ କହିଲା, ଆଜ୍ଞା, ମୋ ଭୁଲ ମୁଁ ବୁଝିପାରିଲି | ତାପରେ ସବୁକଥା କହିଲା | ନିଜେ ନିଜେ ମୁଁ ପରିବର୍ତ୍ତନ ହୋଇଛି | ବାସ୍ତବରେ ଉପଯୁକ୍ତ କର୍ତ୍ତବ୍ୟ ଓ କର୍ମ କଲେ ସବୁକିଛି ସମ୍ଭବ | ସମସ୍ତେ ତାଳିମାରି ରମୁକୁ ସ୍ୱାଗତ କଲେ | ରମୁର ବାପାମାଆ ମଧ୍ୟ୍ସେଠାରେ ଉପସ୍ଥିତ ଥିଲେ | ରମୁ ପୁରସ୍କାର ଧରି ଗୁରୁଜୀ, ଗୁରୁମା ଏବଂ ବାପା ମାଆଙ୍କୁ ପାଦ ଛୁଇଁ ପ୍ରଣାମ କଲା | ବାପା ରମୁକୁ କୁଣ୍ଢାଇ ପକାଇଲେ | ମାଆଙ୍କ ଆଖିରୁ ଝରୁଥିଲା ଆନନ୍ଦାଶ୍ରୁ |