Dambarudhar Bag

Children Stories

2  

Dambarudhar Bag

Children Stories

ପରିତ୍ୟକ୍ତ କୂଅ

ପରିତ୍ୟକ୍ତ କୂଅ

5 mins
270


ଦୁଇଦିନ ହେଲାଣି ଝିଅଟିକୁ ଖୋଜି ଖୋଜି ଆମେ ସ୍ୱାମୀ ସ୍ତ୍ରୀ ଦୁଇଟା ନୟାନ୍ତ ହେଇଗଲୁଣି । ବିଦ୍ୟାଳୟଠାରୁ ଆରମ୍ଭ କରି ରେଲୱେ ଷ୍ଟେସନ ଯାଏ ଏପରିକି ଗାଁ କୂଅମୂଳ ପୋଖରୀତୁଠକୁ ବି ବାଦ୍ ଦେଇନୁ, କିନ୍ତୁ ବାବୁ ଝିଅର କିଛି ଖବର ମିଳୁନି। ସାଙ୍ଗସାଥି କେହି ବି କିଛି କହିପାରୁନାହାନ୍ତି। ଆମକୁ ଦୟା କରନ୍ତୁ ସାହେବ।" କାନ୍ଦି କାନ୍ଦି ଧନୁ ମୁଣ୍ଡା ପୁଲିସବାବୁଙ୍କୁ ଗୁହାରି କରୁଥିଲା ।

ହେଲେ ପୋଲିସ ବାବୁ ଗୁହାରି ଶୁଣିବେ କ'ଣ ? ଫୋନରେ କାହା ସହିତ ଗପୁଛନ୍ତି ଯେ ଗପୁଛନ୍ତି । ଦେଖୁ ଦେଖୁ ସଂଧ୍ୟା ୬ଟା ରୁ ରାତି ନଅ ଟା ହେଲାଣି । ପୋଲିସ ଷ୍ଟେସନ ଟା ଖାଁ ଖାଁ ଲାଗୁଛି । ଝିଅ ନିରୁଦ୍ଦିଷ୍ଟ ହେବାର ତିନି ଦିନ ହୋଇଗଲା । ଝିଅ ର କୌଣସି ପତ୍ତା ମିଳୁନି । ପୋଲିସ ବାବୁ ଙ୍କୁ ଗୁହାରି କରି ପୋଲିସ ଷ୍ଟେସନ ସାମନାରେ ଥିବା ବରଗଛ ମୂଳେ ବସିଛନ୍ତି ଧନୁମୁଣ୍ଡା ଆଉ ତା' ସ୍ତ୍ରୀ । ପେଟରେ ଭୋକ ମରିଗଲାଣି । ଦୁଇଦିନ ହେଲା କିଛି ବି ଖାଇ ନାହାନ୍ତି । କରିବେ କ'ଣ? ତାଙ୍କର କିଏ ସାହା ହେବେ ଯେ ! 

   ଏତିକିବେଳେ ପୋଲିସ ବାବୁ ଫୋନରେ କଥା ହେବା ବନ୍ଦ କରି ଧନୁକୁ ଡକାଇଲେ । ଜଣେ ଗୃହ ରକ୍ଷୀ ଆସି ଧନୁକୁ ଡାକିନେଲେ ସ୍ତ୍ରୀ ସହ ପୋଲିସ ବାବୁଙ୍କ ପାଖକୁ । ପୋଲିସ ଇଆଡୁ ସେଆଡୁ ଗୁଡେଇ ତୁଡେଇ ଅନେକ ପ୍ରଶ୍ନ ପଚାରିଲେ । ସମସ୍ତ ପ୍ରଶ୍ନର ଉତ୍ତର ଦେଇ ଦୁଇଜଣ ସ୍ବାମୀ ସ୍ତ୍ରୀ ନୟାନ୍ତ ହୋଇଗଲେଣି । ଝିଅ କେଉଁଠି ଅଛି କେମିତି ଅଛି ତା'ର ଖବର ଏବେ ପର୍ଯ୍ୟନ୍ତ ଜଣା ପଡିଲା ନାହିଁ । ପୋଲିସ ସେମାନଙ୍କୁ ଝିଅ କୁ ଖୋଜିବୁ କହି ଘରକୁ ଫେରି ଯିବାକୁ କହିଲେ ।

  ନିରାଶ ହୋଇ ରାତିରେ ଫେରିଲେ ସ୍ବାମୀ ସ୍ତ୍ରୀ ଦୁହେଁ ।

ବିବାହର ବାର ବର୍ଷ ପରେ ଝିଅ ଟିଏ ହୋଇଥିଲା ଧନୁର । କେତେ ପୂଜା କେତେ ଓଷା ପୁଣି କେତେ ବ୍ରତ କରି ନ ଥିଲେ ସେ ଦୁହେଁ। ଶେଷରେ ଝିଅ ହେଲା ନିରୁଦ୍ଦିଷ୍ଟ । ଏ ପର୍ଯ୍ୟନ୍ତ କୌଣସି ଖବର ନାହିଁ ।

ସ୍ତ୍ରୀ ତା'ର କାନ୍ଦି କାନ୍ଦି ଅସୁସ୍ଥ ହୋଇ ଗଲେଣି । ମନରେ ଅନେକ ଦୁଃଶ୍ଚିନ୍ତା । ଅନେକ ପାପ ଚିନ୍ତା । ଆଖିରେ ନିଦ ନାହିଁ ପୁଣି ପେଟରେ ଭୋକ ନାହିଁ । ସକାଳ ହେଲା। ଗାଁ ସାରା ଚହଳ ପଡ଼ିଗଲାଣି ଝିଅ ହଜିଯିବାର ଘଟଣା । କେତେ ଲୋକ କେତେ କଥା କହୁଛନ୍ତି । ଧନୁ ଆଉ ତା ସ୍ତ୍ରୀ ଶୁଣି ଶୁଣି ନ ଶୁଣିଲା ଭଳି ହେଉଛନ୍ତି । ଶୁଣିଲେ ହେଲେ କ'ଣ କରିବେ । ବିପଦ ତ ମାଡି ଆସୁଛି । କାହାକୁ କ'ଣ କହିବେ । ସବୁ ଭଗବାନଙ୍କ ଭରସା । ସେ ଚାହିଁଲେ ରଖିବେ ନ ଚାହିଁଲେ ନାହିଁ।

  ଏତିକି ବେଳେ ଗାଁର ରାଧୁ ନାମରେ ଜଣେ ବ୍ୟକ୍ତି କୌଣସି କାମରେ ବିଳକୁ ଯାଇଥିଲେ ଆଉ ବରକୋଳି ଗଛ ନିକଟରେ ଥିବା କୂଅ ରୁ ଗୋଟେ ଛୋଟ ଝିଅର କାନ୍ଦୁଥିବାର ସ୍ବର ଶୁଣିଲେ। ସେ ପ୍ରଥମେ ଡରିଗଲେ । କିନ୍ତୁ ପରେ ସାହାସ ବାନ୍ଧି କୂଅ ନିକଟକୁ ଯିବାରୁ ଦେଖିଲେ ସତକୁ ସତ ଝିଅଟିଏ କୂଅ ଭିତରେ ପଡିଛି । ଇଆଡେ ଗାଁ ସାରା ଚହଳ ପଡିଛି ଧନୁର ଝିଅ ତିନି ଦିନ ହେଲା ହଜିଛି ଘରେ ନାହିଁ । ଧନୁ ଝିଅ ସୁମିକୁ ଭଲ ଭାବେ ଚିହ୍ନିଛି ରାଧୁ। ରାଧୁ କୁ ସୁମି ଦେଖିବାରୁ ସୁମି ଚିତ୍କାର କରିଛି । ବିକଳ ସ୍ବରରେ କହି ଉଠିଛି ମଉସା ମଉସା ମୋତେ ବଞ୍ଚାଅ । ମୋତେ ବଞ୍ଚାଅ ମଉସା । ରାଧୁ ସୁମିର ଚିତ୍କାର ଶୁଣି ତା 'ର ଦେହରେ ଶିହରଣ ଖେଳିଯାଇଛି । ଆହା ! ଝିଅ ଟା କୂଅରେ ପଡି କେତେ କଷ୍ଟ ଭୋଗୁଛି । କ'ଣ କରିବ ସେ ଚିନ୍ତା କରି ପାରୁନଥିଲା । କେମିତି କାଢିବ କିଛି ବୁଦ୍ଧି ବାଟ ଦିଶିଲା ନାହିଁ । ଶେଷରେ କହିଲା ସୁମି ସୁମି ରହ ରେ ମା , ମୁଁ ଦଉଡି ଟେ ଆଣୁଛି ତତେ ଉଦ୍ଧାର କରିବି । ଡର ନି ରେ ମା । ମୁଁ ଅଛି । ହେଇ ଗଲି ଆଉ ଆସିଲି ।

ସାଙ୍ଗେ ସାଙ୍ଗେ ରାଧୁ ଏକ ମୁହାଁ ହୋଇ ଗାଁ ଆଡକୁ ଦୌଡିଛି । ରାଧୁ ବାବୁ ଧାଇଁ ଧାଇଁ ଆସିଲା ଆଉ ଧନୁକୁ ତା ଝିଅ ସୁମି ମିଳିଯାଇଛି ବୋଲି ପାଟି କରି କହି ଉଠିଲା । ଧନୁ ଧନୁ ତୋ ଝିଅ ମିଳିଯାଇଛିରେ । ଚାଲ ଯିବା ଆମ ଗାଁ ର ସେହି ବରକୋଳି ଗଛ ପାଖରେ ଥିବା ପୁରୁଣା ପରିତ୍ୟକ୍ତ କୂଅ ପାଖକୁ। ସେ କୂଅରେ ତୋ ଝିଅ ପଡିଛି । ଧନୁର ଆଉ ତା ସ୍ତ୍ରୀ ମୁହଁରେ ଗୋଟେ ପ୍ରକାର ହସର ଗାର ଟାଣି ହୋଇ ଗଲା । ସେମାନେ ଧଡପଡ ହୋଇ ଘରେ ଥିବା ଗୋଟେ ଦଉଡି ,ବାଉଁଶ ଲାଠି ଆଉ ବାଲଟି ଧରି ଧାଇଁ ଚାଲିଗଲେ ସେ କୂଅ ପାଖକୁ । ପଛେପଛେ ଦୌଡୁ ଥାଏ ରାଧୁ। ସୁମି ସୁମି ଜୋରରେ ଡାକ ଛାଡୁଥାନ୍ତି ସୁମିର ମାଁ । ମୋ ଝିଅ କୋଉଠି ଅଛୁ ଲୋ ମାଁ । ସୁମି କୁ କୂଅରେ ପଡିବାର ଚାରି ଦିନ ବିତିଗଲାଣି । ଛୋଟ ଝିଅ ଭୋକ ଉପାସରେ କେମିତି କଟେଇ ଥିବ ସେକଥା ଭଗବାନଙ୍କୁ ଜଣା । ଧନୁ ଆଉ ତା ସ୍ତ୍ରୀ କୂଅ ନିକଟକୁ ଯିବାରୁ ଦେଖିଲେ ସତକୁ ସତ ସୁମି କୂଅ ଭିତରେ । କୂଅରେ ପାଣି ଅଳ୍ପ ହେବ ଅଛି । ବିଚାରି ସୁମି ବରକୋଳି ଖାଇ ଆସିଥିଲା ସାଙ୍ଗ ସାଥି ମେଳରେ । ସମସ୍ତେ ବରକୋଳି ଖାଇ ସାରି ଚାଲିଗଲେ ଘରକୁ । ସୁମି କିନ୍ତୁ ପଛରେ ତା'ର ଚପଲ ଛାଡି ଦେଇଥିବାରୁ ଚପଲ ଖୋଜୁ ଖୋଜୁ ପଡି ଯାଇଥିଲା କୂଅ ଭିତରେ । ଆଉ କୂଅ ଭିତରେ ରହି ଯାଇଥିଲା । ଯାହା ହେଉ ପାଣି ଅଳ୍ପ ଥିଲା ବୋଲି ତା'ର କିଛି କ୍ଷତି ହୋଇ ନ ଥିଲା । କିମ୍ବା ଗୋଡ ହାତ କିଛି ଭାଙ୍ଗି ନ ଥିଲା । କାଳ ବିଳମ୍ବ ନ କରି ଦଉଡି ଆଉ ବାଲଟିକୁ କୂଅ ଭିତରକୁ ପକାଇଲେ । ପରେ ବାଉଁଶ ଲାଠି ସାହାଯ୍ୟରେ ରାଧୁ କୂଅକୁ ପଶିଲା ଆଉ ସୁମିକୁ ବାଲଟିରେ ବସାଇଦେଇ ଦଉଡ଼ିକୁ ହାତରେ ଧରିଥିବା କୁ କହିଲା । ଝିଅର ହାତ ଗୋଡ ଭୟରେ ଥରୁଥାଏ । ମାଆ ବାପାକୁ ପାଖରେ ଦେଖି ଝିଅ ପୁଣି କାନ୍ଦି ଉଠୁଥାଏ । ରାଧୁ ବାଉଁଶ ଲାଠି ସାହାଯ୍ୟରେ ବାହାରକୁ ଆସି ଧନୁ ସହ ଦୁଇ ଜଣ ମିଶି ଦଉଡି କୁ ଭିଡି ଧରି ଟାଣି ଆଣିଲେ ଆଉ ସୁମିକୁ କୂଅରୁ ଉଦ୍ଧାର କଲେ । ସୁମିର ମାଆ ସୁମିକୁ ପାଇ କୋଳକୁ ଟାଣି ନେଲେ ଆଉ ଝିଅକୁ ପୋଛା ପୋଛି କରି ଘରକୁ ଆଣିଲେ । ଘରକୁ ଆସିଲା ପରେ ତାକୁ ତା'ର ମା ଖାଇବା ପାଇଁ ପାଖ ଘରୁ କିଛି ପଖାଳ ମାଗି ଖୁଆଇଲେ । ଯାହା ହେଉ ଝିଅ ମିଳିଗଲା । ସ୍ବାମୀ ସ୍ତ୍ରୀ ଖୁସି ହେଲେ ।

  ହେଲେ ଯାହା ପାଇଁ ତା'ର ଝିଅ କୁ ପାଇଥିଲା ସେହି ଲୋକ ସହ କେବେ ବି ଧନୁ କଥା ହେଉ ନ ଥିଲା । ଦିନେ କୌଣସି ଗୋଟେ ଛୋଟମୋଟ କାମ ପାଇଁ କଥା କଟାକଟି ହୋଇଥିଲା ବୋଲି । ହେଲେ ରାଧୁ ସେମିତି ଲୋକ ନୁହଁନ୍ତି । ସେଦିନର ଝଗଡାକୁ ସେ କେବେ ଠାରୁ ଭୁଲି ଯାଇଥିଲେ । ହେଲେ ଧନୁ ଏ ଯାଏଁ ଭୁଲି ନ ଥିଲା ଆଉ ରାଧୁ କୁ କୁ ଦୃଷ୍ଟିରେ ଦେଖୁଥିଲା । ହେଲେ ଯେତେବେଳେ ଝିଅକୁ ବିପଦ ମୁହଁରୁ ଉଦ୍ଧାର କଲା ଧନୁ ତା'ର ଭୁଲକୁ ବୁଝି ପାରିଲା ।

ଆଉ ରାଧୁକୁ ନିଜ ଭୁଲ ପାଇଁ କ୍ଷମା ମାଗିଲା । ହେଲେ ରାଧୁ ତାକୁ କେବେ ଠୁ ତା'ର ସେ ଭୁଲକୁ କ୍ଷମା କରି ସାରିଛି ବୋଲି ଧନୁକୁ କୁଣ୍ଡେଇ ପକାଇଲା । ଆଉ ରାଧୁ ସେଠାରୁ ବିଦାୟ ନେଲା । ଏବେ ଧନୁ ଘରକୁ ଖୁସି ପୁଣି ଥରେ ଫେରି ଆସିଲା । ଝିଅ ସୁମି ଧିରେ ଧିରେ ବଡ ହେଲା ଆଉ ଭଲ ପାଠ ପଢି ନିଜର ମା ବାପାର ନାମ ରଖିଲା । ହେଲେ କେବେ ବି ଏକଲା କୌଣସି ଜାଗାକୁ ଯିବାକୁ ଆଉ ଚାହିଁଲା ନାହିଁ। ଆଉ ତା ମା ବାପା ଓ ରାଧୁ ମଉସା ସହ ସମସ୍ତ ଗୁରୁଜନ ମାନଙ୍କୁ ଚିରଦିନ ପାଇଁ ସମ୍ମାନ ଦେବାକୁ ଭୁଲିଲା ନାହିଁ ।


Rate this content
Log in