STORYMIRROR

Lina Dhal

Others

3  

Lina Dhal

Others

ପରିଚୟ

ପରିଚୟ

2 mins
1.6K


ଲିନା ରାଣୀ ଧଳମଙ୍ଗରାଜ

ଏକ ଦାମୀଗାଡିରୁ ସପିଙ୍ଗମଲ୍ ପାଖରେ ଓହ୍ଲେଇ ଶୀଘ୍ର ଶୀଘ୍ର ଭିତରକୁ ଚାଲିଯାଉଥିଲେ ଅବିନାଶ । ଗୋଟିଏ ବଡ ଚାକିରୀ, ଅତ୍ଯାଧୁନିକା ସୁନ୍ଦରୀ ସ୍ତ୍ରୀ, ଓ ଲିପୁନ୍ ଭଳି ଗୁଲଗୁଲିଆ ଛୁଆଟେ ଅବିନାଶ ର ସୁଖର ପରିସୀମାକୁ ବଢେଇଦିଏ । ସେ ନିଜର ଖୁସିର ଦୁନିଆରେ ଥିଲାବେଳେ ତାକୁ ଅନ୍ଯସବୁକିଛି ତୁଚ୍ଛଲାଗେ । ସାମ୍ନାରୁ ଆସି କୁଣ୍ଢେଇ ପକେଇଲା ସୁଜିତ । କିନ୍ତୁ ସୁଜିତ୍ ର ମଳିମୁଣ୍ଡିଆ ରୂପଭେକକୁ ଦେଖି ,ଅବିନାଶ ବହୁତ୍ କାମ ଅଛି କହି ଏକପ୍ରକାର ଆଭଏଡ୍ କରି ଚାଲିଗଲେ।ସତରେ କଣ ଜଣଙର ରୂପଭେକ ଅତି ପ୍ରିୟ ପରିଚିତ ଲୋକପାଇଁ ବି ଆବଶ୍ୟକ ହୋଇପାରେ ।

ଫାଷ୍ଟଫ୍ଲୋର୍ ରୁ ପାପାଙ୍କୁ ଅପେକ୍ଷା କରିଥିବା ଲିପୁନ୍ ଦୂରରୁ ଦେଖୁଥିଲା ଏ ସବୁ।ତାଙ୍କ ସାଙ୍ଗରେ ସୁଜିତ କୁ ଦେଖି ଖୁସିରେ ଆଖି ଝଲସିଉଠୁଥିଲା ଲିପୁନ୍ ର । ଅବିନାଶ ଏହାର କାରଣ ଖୋଜିପାଇବା ଆଗରୁ ଲିପୁନ୍ ର ଆଖି ଖୋଜିପକଉଥିଲା କିଛି।

ପାପା ତମେ ସେ ଅଙ୍କଲ୍‌ଙ୍କୁ ଜାଣିଛ । ସେ କଣ ତମର ସାଙ୍ଗ।

ତମେ କାହିଁକି ତାଙ୍କୁ ଛାଡିଦେଲଯେ,ମୁଁ ତାଙ୍କ ସହିତ ସେଲଫି ନେଇଥାନ୍ତି।ମୋ ସାଙ୍ଗମାନଙ୍କୁ ସ୍କୁଲରେ ଦେଖେଇଥାନ୍ତି।ପାପା ତମେ ଜାଣିଛ, ହି ଇଜ୍ ଏ ଗ୍ରେଟ ମ୍ଯାନ୍।

ଲାଷ୍ଟ ସଣ୍ଡେ 'ସତ୍ଯମେବ ଜୟତେ' ରେ ଅମିର୍ ଖାନ୍ ଙ୍କ ସହିତ ତାଙ୍କର ସାକ୍ଷାତକାର ଦେଇଥିଲା । ତମେ ଜାଣ ପାପା ସେ ଗୋଟିଏ ଚା' ଦୋକାନ କରି 750 ପିଲାଙ୍କୁପାଠ ପଢାନ୍ତି । 250 ଅନାଥ ଓ ଗରୀବ ପିଲାମାନଙ୍କୁ ରଖି ତାଙ୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ସହିତ ସମ୍ପୂର୍ଣ୍ଣ ପାଠପଢ଼ାର ବ୍ୟବସ୍ଥା ମଧ୍ୟ କରିଛନ୍ତି ।

ମୋବାଇଲ୍ ଟା ତାଙ୍କ ହାତରୁ ନେଇ ୟୁଟିୟୁବ୍ ଲଗେଇ ଲିପୁନ୍ ଦେଖଉଥିଲା 'ସତ୍ଯମେବ ଜୟତେ' ର ଲାଷ୍ଟ ଏପିସୋଡ।

ଆଜି ପୁଅ ଆଖିରେ ସୁଜିତ ସହିତ ସେଲଫି ନେବାର ଲାଳସା ଦେଖି ତା କଥାସବୁ ମନେପଡିଯାଉଥିଲା।ଏତେ ଅନ୍ତରଙ୍ଗ ଆଉ ଘନିଷ୍ଠ ଥିବା ସୁଜିତ ଯେ ଦିନେ ସବୁ ଅଭାବ ଅନଟନ,ଝଡବର୍ଷା,ବାଆବତାସ ବେଳେ ଗୋଟେ କାଠବେଣ୍ଟର ବଡଛତା ଧରିକି ତାଙ୍କ ପାଖରେ ଛିଡ଼ା ହୋଇଯାଉଥିଲା ।

ଆଇ:ଆଇ:ଟି ଦିଲ୍ଲୀ ରେ ପଢିଲାବେଳେ ଛୁଟିରେ ଯେବେ ଗାଁ କୁ ଆସୁଥିଲା ,ତାକୁ କାନ୍ଧରେ ବସେଇ ଘେରାଏ ବୁଲିଆସେ । ଛାତି କୁଣ୍ଢେମୋଟ କରିକି କୁହେ- ଆରେ ସମସ୍ତେ ଶୁଣ ଇଏ ମୋ ସାଙ୍ଗ ବଡ ଇଁଜିନିୟର୍ । ବଡ ହାକିମ ହେବ।ଖୁସି ଯେମିତି ତା କଲିଜା ଚିରି ଆଖିବାଟେ ଲୁହ ହୋଇ ବାହାରିଯାଏ । ସାଙ୍ଗେ ସାଙ୍ଗେ ନଈରୁଜାଲ ପକେଇ ମାଛ ଆଣିବାଠୁ,କରିମ୍ ମିଆଁ ଠୁଁ ପିଓର୍ ଖାସିମାଂସ ଆଣି ସବୁ ସାଙ୍ଗଙ୍କୁ ଡାକି ଭୋଜିକରିକି ଖୁଆଇବା ପର୍ଯ୍ୟନ୍ତ ତା ଗୋଡ ତଳେ ଲାଗୁନଥିବ । ସାଇକେଲ ପଛରେ ବସେଇ ଆମ୍ବତୋଟାଠୁଁ ବ୍ରାହ୍ମଣସାହି,ପଦୁଅଁ ପୋଖରୀଠୁଁ ମଠ,ମଶାଣୀଠୁଁ ଜାଗୁଳେଇ ପୀଠ ପର୍ଯ୍ୟନ୍ତ ସବୁଆଡେ ବୁଲେଇ ଆଣେ।

ପାପା ପାପା ତମେ ତାଙ୍କୁ ଚିହ୍ନିଛନା । ଆମ ଘରକୁ ତାଙ୍କୁ ଇନଭାଇଟ୍ କରନା ଥରେ । ଲିପୁନ୍ ର ଡାକରେ ପ୍ରକୃତିସ୍ଥ ହେଲେ ଅବିନାଶ । ଲିପୁନ୍ ର ଆଗ୍ରହ ଆଗରେ,ଆଜି ତା'ଙ୍କର ଦାମିକିଆ ପୋଷାକ ସୁଜିତ ର ମଳିମୁଣ୍ଡିଆ ପୋଷାକ ପାଖରେ ଭାରି ମଳିନ ଲାଗୁଥିଲା।

ମଣିଷର ଯୋଗ୍ଯତା,ପାରିବାପଣିଆ ହିଁ ତାକୁ ପରିଚୟ ପ୍ରଦାନ କରେ।ରୂପଭେକ ନୁହେଁ । ଯେଉଁମାନେ ଦିନେ ଅନଉନଥିବେ,ସେଇମାନେ ଯେ ଥରଟେ କଥା ହେବାପାଇଁ ବ୍ଯାକୁଳ ହୋଇଉଠିବେ ଏକଥା କୁ ଆଜିଯେମିତି ପ୍ରଥମଥର ପାଇଁ ଉପଲବ୍ଧି କରୁଛନ୍ତି ପ୍ରଶାସନିକ ଅଧିକାରୀ ଅବିନାଶ।

ମାର୍ଫତ : ଶ୍ରୀ ଏଲ୍.କେ ମଙ୍ଗରାଜ

ଇଉନିଟ୍8

ଶତାବ୍ଦୀ ନଗର

ଭୂବନେଶ୍ବର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍