Sanjya Tripathy

Others

2  

Sanjya Tripathy

Others

ପକେଟମାର

ପକେଟମାର

3 mins
115


ସ୍ଵାଧୀନତା ପରବର୍ତ୍ତୀ ସମୟର କଥା । କଟକର ବିଡନାସୀ ଅଞ୍ଚଳରେ ରହୁଥିଲା ରାଘବ । ବାପା ମାଆଙ୍କର ଗୋଟିଏ ସନ୍ତାନ କୁଳପ୍ରଦୀପ ବୋଲି ଅଯାଚିତ ସ୍ନେହ ଓ ଅମାପ ମମତାରେ ମାଆ ପାଳିଥିଲେ ତାଙ୍କ ଏକୋଇର ବଳା ବିଶିକେଶନକୁ । ଏମିତି ଅନ୍ଧ ପୁତ୍ର ପ୍ରେମ ଯେ ଗୁଣମଣିଙ୍କର ସମସ୍ତ ଖରାପ ଅଭ୍ୟାସ ଯେମିତିକି କ୍ଲାସ ମିସ୍ କରି ସିନେମା ଦେଖିଯିବା ପ୍ରଭୃତି ଖରାପ କର୍ମଗୁଡିକ ପ୍ରତି ଆଖୁ ବୁଜି ଦେଇଥିଲେ ରାଘବର ମାଆ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ରାଘବର ଖରାପ ପ୍ରବୃତ୍ତିଗୁଡିକ ମଧ୍ୟ ସୀମା ଲଙ୍ଘନ କଲା । ସେ କଟକର ଜନଗହଳି ଅଞ୍ଚଳମାନଙ୍କରେ ଲୋକଙ୍କ ପକେଟ୍ ମାରି ବସିଲା । ଯେତେଦିନ ଧରା ପଡୁ ନଥିଲା ସବୁ ଠିକ୍ ଠାକ୍ ଥିଲା । କିନ୍ତୁ ଚୋର ପାଇଁ ଘର ଅନ୍ଧାର ରହେନି ସଦାବେଳେ । ଦିନେ ଭିଡ ଭିତରେ ବ୍ଲେଡ୍ ଚଳେଇ ପକେଟ୍ ମାରୁ ମାରୁ ଆଉ ଜଣେ ଲୋକ ଦେଖି ପକାଇଲା ଓ ଖପ କିନା ରାଘବର ହାତକୁ ଧରି ପକାଇ ଚୋର ଚୋର ବୋଲି ରଡି ଛାଡିଲା । ସଙ୍ଗେ ସଙ୍ଗେ ସେଠି ଭିଡ ସମବେତ ହୋଇଗଲେ ଏବଂ ରାଘବକୁ ନେଇ ନିକଟସ୍ଥ ଥାନାରେ ପୋଲିସ ଜିମା ଦେଲେ । ଖବର ପାଇ ରାଘବର ବାପା ମାଆ ଦୌଡି ଆସିଲେ ଥାନାକୁ ଓ କିଛି ଅର୍ଥ ଫାଇନ ଦେଇ ଥାନା ବାବୁଙ୍କ ସାମ୍ନାରେ କାକୁତି ମିନତୀ ହେବାରୁ ଦୟା ବଶ ହୋଇ ଥାନା ବାବୁ ରାଘବକୁ ଛାଡି ଦେଲେ ଗୋଟିଏ ହାତଲେଖା ହଲପ ନାମ ବିନିମୟରେ ଯେ- ଭବିଷ୍ୟତରେ ଏପରି କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବାକୁ । ରାଘବ ଘରକୁ ଫେରି ଦେଖିଲା- ତାର ନବବିବାହିତ ସ୍ତ୍ରୀ ଗୁମସୁମ ହୋଇ ଘର କୋଣରେ ପଡି ରହିଛି ନିର୍ବେଦ, ଭାବଲେଶହୀନ ଚେହେରା ନେଇ । ରାତ୍ରି ଭୋଜନ ସରିବା ପର୍ଯ୍ୟନ୍ତ ରାଘବର ସ୍ତ୍ରୀ ତା ସହିତ କଥା ହେଲା ନାହିଁ । ତା ପରେ ଶୋଇବାକୁ ଗଲାବେଳେ କହିଲା- ମୋ ଦେହ ଭିତରେ ତୁମର ଅଂଶ ବଢ଼ି ଚାଲିଲାଣି । ସେ ଧରାପୃଷ୍ଠକୁ ଆସି ନ ଦେଖୁ ଯେ ତା ବାପା ଜଣେ ପକେଟମାର- ମାର୍କାମରା ଅପରାଧୀ । ସୁତରାଂ ମୁଁ ମନସ୍ଥ କରିଛି- କାଲି ସକାଳୁ ବଡି ଭୋରରୁ ମୋ ମାଆ ଘରକୁ ପଳେଇବି । କାରଣ ତୁମର ଅପରାଧର ଛାୟା ତା ଉପରେ ପଡୁ, ଏହା ମୁଁ କଦାପି ବରଦାସ୍ତ କରି ପାରିବି ନାହିଁ । ଏମିତି ସ୍ଥିତିରେ ରାଘବ ବା କଣ କହିବ ? ବାଷ୍ପରୁଦ୍ଧ କଣ୍ଠରେ କହିଲା- ତୁମ ଇଚ୍ଛାକୁ ମୁଁ ସମ୍ମାନ ଦେଉଛି । ବାପା ମଆଙ୍କ ଚିନ୍ତା ତମେ କରନି । ମୁଁ ସେମାନଙ୍କୁ ଭଲଭାବେ ବୁଝାଇ ଦେବି ଯେ ମୋର ଆଗାମୀ ସନ୍ତାନର ଲାଳନପାଳନ ପାଇଁ ଏଇଟା ପ୍ରକୃଷ୍ଟ ସ୍ଥାନ ନୁହେଁ । ୟା ପରେ କାଠଯୋଡିରେ ଅନେକ ପାଣି ବହି ଗଲାଣି । ପଚିଶଟି ବସନ୍ତ ଅତିକ୍ରମ ହେବା ପରେ ରାଘବର ବାପା ମାଆ ଆଉ ଇହଧାମରେ ନାହାନ୍ତି । ରାଘବ କିନ୍ତୁ ତାର ପୁରୁଣା ଅଭ୍ୟାସ ଛାଡି ନାହିଁ । ଏବେ ବି ଚୋରି, ପକେଟ ମାରି କରି ତାର ଗୁଜରାଣ ମେଣ୍ଟାଉଛି । ତା ସ୍ତ୍ରୀ ଓ ପୁତ୍ର ସେହି କଟକ ସହରରେ ତୁଳସୀପୁର ଠାରେ ଥିବା ତା ଶ୍ୱଶୁର ଘରେ ରହୁଛନ୍ତି । ରାଘବ ଶୁଣିବାକୁ ପାଉଛି ତା ପୁଅ ଗୋଟିଏ ବଡ ସରକାରୀ ଚାକିରୀ ପାଇଛି । କିନ୍ତୁ ଏ ଯାଏ ତା ପୁଅକୁ ସେ ଦେଖିନି । ବିଧୂର ବିଧାନ ବିଚିତ୍ର । ପୁଣି ଥରେ ଜୟଶ୍ରୀ ଟକିଜ୍ ଟିକେଟ୍ କାଉଣ୍ଟର ସାମନାରେ ରାଘବ ଜଣେ ଯୁବକର ପକେଟ କାଟିଲା । ଭିଡ ଭିତରେ ପିଲାଟି ବି ଜାଣି ପାରିଲାନି କି ରାଘବ ବି ଧରା ପଡିଲା ନାହିଁ । ପର୍ସ ଦେଖି ରାଘବ ଉତଫୁଲ୍ଲିତ । ନଗଦ ପାଞ୍ଚ ହଜାର ଟଙ୍କା କ୍ୟାସ । ସେ ଦିନ ରାଘବ ମନସ୍ଥ କଲା- ଆଜି ଯେମିତି ହେଲେ ତୁଳସୀପୁର ଯାଇ ତା ପୁଅକୁ ଟିକିଏ ଦେଖି ଆସିବି । ତା ଘର ପାଇଁ ମିଠା କେଜିଏ। ନେଇ ସେ ଗନ୍ତବ୍ୟ ପଥରେ ଆଗେଇଲା । ସେ ଅଞ୍ଚଳରେ ପହଞ୍ଚି ଲୋକଙ୍କୁ ପଚରାଉଚରା କରି ରାଘବ ତା ସ୍ତ୍ରୀର ଘର ଠାବ କଲା । ଘର ସାମନାରେ ପହଞ୍ଚି ଦେଖିଲା- ଘର ଭିତରୁ ତା ସ୍ତ୍ରୀର କ୍ରନ୍ଦନମିଶା କଥୋପକଥନ । ଜଣେ ଯୁବକ ତାକୁ କହୁଛି- ଗାଁ ଆଜି ଜୟଶ୍ରୀ ଟକିଜ ଯାଇଥିଲି ଫାଷ୍ଟ ସୋର ଟିକେଟ ଦୁଇଟା ଆଣିବା ପାଇଁ । ଟିକେଟ ପାଇଁ ପଇସା ଦେବା ପାଇଁ ପର୍ସ ଖୋଜିଲା ବେଲକୁ ଦେଖିଲି କିଏ ଜଣେ ପକେଟ ମାରି ନେଇଛି । ହଉ ତୁ ବେଶୀ କାନ୍ଦନା । ଆଜି ନ ହେଲେ କଣ ହେଲା- କାଲି ଆମେ ସିନେମା ଦେଖିବାକୁ ଯିବା । ରାଘବର ପାଦତଳୁ ପୃଥିବୀ ଖସିଗଲା । ତା ମୁଣ୍ଡ ଗୋଳମାଳ ହୋଇଗଲା । ଶେଷରେ ନିଜ ପୁଅର ପକେଟ ମାରିଲି । ସେ ଏକମୁହାଁ ହୋଇ ଥାନାକୁ ଗଲା ଓ ସେଠାରେ ନିଜର ଅପରାଧ ସ୍ୱୀକାର କରି ଟଙ୍କା ବି ଫେରସ୍ତ ଦେଲା । ଥାନା ବାବୁ କାଗଜପତ୍ର କରି ଚାଲିଲେ ରାଘବକୁ କୋର୍ଟ ଚାଲାଣ କରିବା ପାଇଁ । କାଳକ୍ରମେ ରାଘବର ବିଚାର ହେଲା ଓ ସ୍ୱଇଚ୍ଛାରେ ଦୋଷ ମାନି ଆତ୍ମସମର୍ପଣ କରିଥିବାରୁ ଚେତାବନୀ ସହ କୋର୍ଟ ତାକୁ ମୁକ୍ତି ଦେଲା ।

କିନ୍ତୁ ମୁକ୍ତ ରାଘବ ଏବେ ତା ଆତ୍ମାର ଦଂଶନରେ ବ୍ୟସ୍ତ ବିବ୍ରତ । ଆଉ ତ କୌଣସି ହାଲତରେ ତା ପୁଅକୁ ଦେଖିଯିବାକୁ ତାର ସାହସ ପାଉନି । ଆତ୍ମଗ୍ଲାନିରେ ଜର୍ଜରିତ ରାଘବର ଶବ ତା ପରଦିନ ଉଦ୍ଧାର ହେଲା ରେଳଲାଇନରେ । ଚଳନ୍ତା ଟ୍ରେନରେ ତା ମୁଣ୍ଡ କଟିଯାଇଛି । ଏହା ଆତ୍ମହତ୍ୟା ନୁହଁ ବରଂ ଇଚ୍ଛାମୃତ୍ୟୁ । କାରଣ ଅପରାଧୀ ନିଜେ ନିଜକୁ ଶାସ୍ତି ଦେଇ ବିଲୀନ ହୋଇଯାଉଛି ଅତଳ ସମୁଦ୍ରରେ- ଅନ୍ୟ ଆକାଶରେ । ଆଶା କରିବା- ଏ ଗପ ଶୁଣିଲେ ଆଉ କେତେ ଜଣ ରାଘବ ଅପରାଧ ଛାଡି ଦେବେ ଯେଉଁଥିରେ କି ରାଘବର ବି ପରଲୋକଗତ ଆତ୍ମା ଟିକିଏ ଶାନ୍ତି ପାଇବ ।



Rate this content
Log in