ନିରୀହ ଚେହେରା
ନିରୀହ ଚେହେରା
ଆମ ସ୍କୁଲ ହଷ୍ଚେଲ ପାଖକୁ ଲାଗି ରହିଛି ମୀନା ମାଉସୀର ଘର । ସେଦିନ ତା'ଘରୁ ଛୋଟ ପିଲାଟିର କାନ୍ଦ ଶୁଣି ମୁଁ ଝରକାରେ ତଳକୁ ଅନେଇଲି । ଦେଖିଲି ପିଲାଟିକୁ ତା ମାଆ ପିଟିବା ସହ ନିଜେ ମଧ୍ୟ କାନ୍ଦୁଥିଲା । ପିତୃହୀନ ପିଲାଟି ପ୍ରତି ମୋର ଦୟା ଆସିଲା । କାରଣ ପଚାରିବାରୁ ମୀନା ମାଉସୀ କହିଲା ସବୁବେଳେ ସ୍କୁଲକୁ ଡେରିରେ ଯାଉଛି ଓ ଛୁଟି ପରେ ଘରେ ମଧ୍ୟ ବିଳମ୍ବରେ ପହଞ୍ଚୁଛି । କାରଣ ପଚାରିଲେ କିଛି କହୁନି । ପିଲାଟିର ନିରୀହ ଚେହେରା ଦେଖି ମୋତେ ତା'ପ୍ରତି ଦୟା ଆସିଲା । ମାଆକୁ ଆକଟକରି ମୁଁ ନିଜ ପାଠରେ ଆଗକୁ ବଢିଲି । କ୍ଲାସ ସମୟରେ ମୋର ମନ ସେଇ ପିଲାଟି ପାଖରେ ଥିଲା । ଆରଦିନ ସେଇ ପିଲାଟି ଡେରିରେ ସ୍କୁଲ ଯାଉଥିବାର ଦେଖିଲି । ତାକୁ ପିଛାକରି ପାଖରେ ଥିବା ତା'ସ୍କୁଲକୁ ଗଲି । ଡେରିରେ ପହଞ୍ଚିଥିବାରୁ ପିଲାଟିକୁ ଶିକ୍ଷକ କଠୋର ଭାବେ ବେତ୍ରାଘାତ କରୁଥିଲେ । ମୋତେ ଦେଖି ଶିକ୍ଷକ ପିଲାଟି ବିଷୟରେ କହିଲେ । ଛୋଟ ପିଲାଟିକୁ କଠୋରଭାବେ ମାଡ ନଦେବା ପାଇଁ ଅନୁରୋଧ ଦେଇ ମୁଁ କ୍ଲାସକୁ ଫେରିଲି । ପିଲାଟିର ଦୁଇଦିନର ଘଟଣା ମୋ ମନକୁ ବିଚଳିତ କରୁଥାଏ । ସଂଧ୍ୟାରେ ହଷ୍ଟେଲ କ୍ୟାମଣ୍ଟିନରେ ପହଞ୍ଚି ସୀମାକୁ ଫୋନ କଲି । ସୀମା ଆସି ପହଞ୍ଚିଲା । ମଙ୍ଗୁ ମଉସା ଚା କପ୍ ବଢେଇ ଦେଲେ । ପିଇବା ସମୟରେ ମୋତେ ଅନ୍ୟମନସ୍କକ ଥିବାର ଲକ୍ଷ୍ୟକରି ସୀମା ମୋତେ ପ୍ରଶ୍ନ ପଚାରିବାରୁ ମୁଁ ସେଇ ପିଲାଟିର ଘଟଣାସବୁ କହିଲି । ଚା ଟେବୁଲରେ ଆମର ଆଲୋଚନା ହେଲା । ଆମକୁ ସେଇ ପିଲାଟିକୁ ସାହାଯ୍ୟ କରିବା ଉଚିତ । ଏହା ଆମେ ନିଷ୍ପତ୍ତି ନେଲୁ । ସେଦିନ ସୀମା ସେଇ ପିଲାଟିର ଗତିବିଧି ଜାଣିବା ପାଇଁ ତା' ମାଆ ଓ ଶ୍ରେଣୀ ଶିକ୍ଷକଙ୍କୁ ଭେଟିଲା । ଯୋଜନା ଅନୁସାରେ ତା ଅଜାଣତରେ ଆମେ ସମସ୍ତେ ତାକୁ ପିଛାକଲୁ । ପିଲାଟି ଜଣେ ପରିବା ଦୋକାନୀ ପାଖରେ ପହଞ୍ଚି ଗୋଟିଏ ବଡ ବ୍ୟାଗରେ ପାଖାପାଖି ୨୦କୁ ୩୦ଟି ପରିବା ବନ୍ଧା ଛୋଟ ଛୋଟ ପାକେଟ ନେଇ ସାଇକେଲରେ ଆଗକୁ ବଢିଲା । ଆମେ ଏସବୁ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେଲୁ । ପରିବା ଦୋକାନୀକୁ ଏ ବିଷୟରେ ପଚାରିବାରୁ ସେ ନିଜକୁ ସେଇ ପିଲାର ବାପାଙ୍କ ବନ୍ଧୁ ବୋଲି ପରିତୟ ଦେଲେ । ତା' ବାପାଙ୍କ ମୃତ୍ୟୁପରେ ପରିବାରର ଖରାପ ପରିସ୍ଥିତି ବିଷୟରେ ସେ ପିଲାଠାରୁ ଜାଣିବାକୁ ପାଇଲି । ଏଇ ପାଖ କଲୋନୀରେ ୩୦ ପରିବାର ରହୁଛନ୍ତି । ମୁଁ ସୋସାଇଟିର ମ୍ୟାନେଜରଙ୍କ ସହ କଥା ହୋଇ ସକାଳ ନଅଟା ଓ ସଂଧ୍ୟା ସାଢେ ଚାରିଟା ସମୟରେ "ପରିବା ହୋମ ଡେଲିଭରି ବୟେ" କାମରେ ତା ପାଇଁ ଦୈନିକ ମଜୁରିରେ କାମର ବ୍ୟବସ୍ଥା କରିଛି । ସେ ଦିନକୁ ଘଣ୍ଟେ ବା ଦେଢ ଘଣ୍ଟା ପାର୍ଟ ଟାଇମ କାମକରି ସ୍କୁଲକୁ ଯାଏ ।
ପରିବା ଦୋକାନୀଠୁ ଏସବୁ ଖବର ପାଇ ଆମ ମୁହଁରେ ଆଉ କୌଣସି ପ୍ରଶ୍ନ ହିଁ ନଥିଲା । ଆର ଦିନ ସଂଧ୍ୟାରେ ପିଲାଟିର ମାଆ ଓ ଶିକ୍ଷକ ଆମ ନିମନ୍ତ୍ରଣ ରକ୍ଷାକରି ହଷ୍ଚେଲ କ୍ୟାଣ୍ଟିନରେ ଏକାଠି ହେଲେ । ଚା'ର ଆସର ମଧ୍ୟରେ ଶିକ୍ଷକ କହିଲେ ପିଲେ, କେବଳ ବଡମାନେ ନୁହନ୍ତି, ସାନମାନେ ମଧ୍ୟ ଧରମା ସାଜି ସମସ୍ୟାର ସମାଧାନ କରି ପାରନ୍ତି ।
