ଖୁସି
ଖୁସି
ଲିଜା ଓ ଖୁସି ଦୁଇ ଜଣ ଏକା ସ୍କୁଲରେ ପଢୁଥିଲେ ।ପାଠପଢା ସହ ଦୁଇଜଣଙ୍କର ନାଚ ଓ ଖେଳକୁଦରେ ମଧ୍ୟ ଋଚି ରହିଥିଲା ।ଖୁସିର ସବୁବେଳେ ଖୁସି ରହିବାର ଅଭ୍ୟାସକୁ ଦେଖି ଲିଜା ବେଳେ ବେଳେ ଆଶ୍ଚର୍ଯ୍ୟ ହେଉଥିଲା । ହେଲେ ସେ ଏ ବିଷୟରେ କେବେ ଖୁସିକୁ ପଚାରି ପାରୁ ନଥିଲା ।ବିଦ୍ୟାଳୟର ବାର୍ଷିକ ପ୍ରତିଯୋଗିତାସହ ବିଶେଷ ଅବସରରେ ହେଉଥିବା ସମସ୍ତ ପ୍ରତିଯୋଗିତାରେ ଅନ୍ୟ ସାଙ୍ଗମାନଙ୍କସହ ସେମାନେ ମଧ୍ୟ ଅଂଶଗ୍ରହଣ କରୁଥିଲେ ।ଏଥରର ବିଦ୍ୟାଳୟ ବାର୍ଷିକ ପ୍ରତିଯୋଗିତାରେ ଉଭୟ ଅଂଶ ଗ୍ରହଣ କରିଥିଲେ ।ଏହି ପ୍ରତିଯୋଗିତାର ପାଞ୍ଚଟି ବିଭାଗରୁ କେବଳ ତିନିଟି ବିଭାଗରେ ଲିଜା ପୁରସ୍କାର ପାଇଲା,କିନ୍ତୁ ଖୁସି ସମସ୍ତ ବିଭାଗରେ ପୁରସ୍କାର ଜିଣି ଚମ୍ପୀୟାନ ହୋଇ ଟ୍ରଫି ପାଇଲା ।ଖୁସିର ଏଭଳି ସଫଳତା ଓ ନିଜର ବିଫଳତାକୁ ଲିଜା ସହଜରେ ଗ୍ରହଣ କରି ପାରିଲା ନାହିଁ ।ସେ ବହୁତ ଦୁଃଖୀ ଥିଲା । ସେ ଖୁସିକୁ ସେଥିପାଇଁ ମନେ ମନେ ବହୁତ ଇର୍ଷା କଲା । ସେ ଘରକୁ ଫେରି ଖୁସିକୁ ଫୋନରେ ମଧ୍ୟ ଶୁଭେଚ୍ଛା ଜଣାଇଲା ନାହିଁ । ସେପଟେ ଖୁସି ଓ ତା ଅନ୍ୟ ସାଙ୍ଗମାନଙ୍କ ସଫଳତାରେ ଖୁସିର ବାବା ବହୁତ ଖୁସିଥିଲେ । ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଖୁସିଘରେ କେକ୍ କଟାଗଲା ।ଖୁସି ଏଥିପାଇଁ ଲିଜାକୁ ନିମନ୍ତ୍ରଣ କରିଥିଲେ ମଧ୍ୟ ସେ ଆସି ନଥିଲା।ଏବେ ଖୁସିର ହ୍ବାଟସ ଅପ ଷ୍ଟାଟସରେ କେକ୍ ଫଟୋ ଦେଖି ଲିଜା ଇର୍ଷାରେ ଆହୁରି ଜଳି ଯାଇଥିଲା ।
ସେଦିନ ଗାନ୍ଧୀ ଜୟନ୍ତୀ ଅବସରରେ ଦଶଟି ବିଦ୍ୟାଳୟର ପିଲାଙ୍କୁ ନେଇ ଆନ୍ତଃ ବିଦ୍ୟାଳୟ ପ୍ରତିଯୋଗିତା ଆୟୋଜିତ ହେଉଥାଏ ।ଏହି ପ୍ରତିଯୋଗିତାରେ ମଧ୍ୟ ଉଭୟ ଅଂଶଗ୍ରହଣ କରିଥିଲେ । ଏଥର କିନ୍ତୁ ଲିଜା ଅଧିକାଂଶ ପ୍ରତିଯୋଗିତରେ ବାଜି ମାରିନେଇଥିଲା ।ଖୁସି ମାତ୍ର ତିନୋଟି ପ୍ରତିଯୋଗିତାରେ ଜିଣିଥିଲା । ପ୍ରତିଯୋଗିତାର ନିୟମ ଅନୁସାରେ ଲିଜା ଟ୍ରଫିର ହକଦାର ହେଲା । ବିଦ୍ୟାଳୟସ୍ତରୀୟ ଏହି ସଫଳତା ପାଇଁ ଖୁସି ଲିଜାକୁ ଶୁଭେଚ୍ଛା ଓ ହୃଦୟଭରା ଅଭିନନ୍ଦନ ଜଣାଇଲା । ସେ ଘରେ ପହଞ୍ଚି ଲିଜାର ହ୍ବାଟସଅପ୍ ଷ୍ଚାଟସରେ ଥମସଅପ ଇମୋଜି ମଧ୍ୟ ଦେଲା । ଲିଜାର ସଫଳତା ପାଇଁ କେକ୍ ଆଣି ଉତ୍ସବ ପାଳନ କରିବା ପାଇଁ ସେ ତା ବାବାଙ୍କୁ କହିଲା ।ଠିକ ସମୟରେ ଉଭୟ ପରିବାର, ସେମାନଙ୍କ ଶିକ୍ଷକ ଓ ସାଙ୍ଗସାଥୀମାନେ ଏକାଠି ହେଲେ । ଲିଜା ଏହି ଉତ୍ସବରେ ଖୁସିରେ କାନ୍ଦି ପକାଇଲା ଓ ଖୁସିକୁ ପ୍ରଥମେ କେକ କାଟିବାକୁ ଅନୁରୋଧ କଲା ।ଖୁସି ଲିଜା ହାତକୁ ଭିଡି ଧରିଲା ।ଦୁହେଁ ଏକସଙ୍ଗେ କେକ କାଟି ପରଷ୍ପରକୁ ଶୁଭେଚ୍ଛା ଜଣାଉଥିଲେ । ଏ ଦୃଶ୍ୟଦେଖି ପ୍ରଧାନ ଶିକ୍ଷକ କହିଲେ ପିଲେ ଖୁସି ବାଣ୍ଟିଲେ ଖୁସି ବଢିଥାଏ । ଅନ୍ୟପ୍ରତି ଇର୍ଷା ଦ୍ବେଷ ଓ ଖରାପ ଭାବନା ରଖିଲେ ସେଭଳି ସଫଳତାରେ ମଧ୍ୟ ଖୁସି ଆସି ନଥାଏ । ସାରଙ୍କ କଥା ଲିଜା ମନରେ ଗଭୀର ପ୍ରଭାବ ପକାଇଲା । ସେ ପୁର୍ବ ପ୍ରତିଯୋଗିତାଗୁଡିକରେ ଖୁସିକୁ ଶୁଭେଚ୍ଛା ଜଣାଇ ନଥିବାରୁ ମନେ ମନେ ବହୁତ ଅନୁତାପ କରୁଥିଲା । ସେ ଖୁସିର ସବୁବେଳେ ଖୁସି ରହିବାର ରହସ୍ୟକୁ ଜାଣି ମନେ ମନେ ବହୁତ ଖୁସି ହେଉଥିଲା ଓ ନିଜ ମଧ୍ୟରେ ସଂସ୍କାର ଆଣିବା ପାଇଁ ପ୍ରତିଜ୍ଞା କରିଥିଲା ।
