ମଇନା
ମଇନା


ବିହଙ୍ଗ ସବୁବେଳ ପାଇଁ ମୁକ୍ତ ରହିବାକୁ ଭଲପାଏ. ପଞ୍ଜୁରୀ ଭିତରେ ରଖିଲେ ତା ଆନନ୍ଦ ରହେନାହିଁ. ଶୁଆ ମଣିଷ ପରି କଥା କହୁଥିବାରୁ ତାକୁ ମଣିଷ ପୋଷାମନେଇ ପଞ୍ଜୁରୀ ଭିତରେ ରଖେ କିନ୍ତୁ ସ୍ବାଧୀନତା ହରାଇ ମୁକ୍ତି ପାଇବାକୁ ଚାଁହୁଁ ଚାଁହୁଁ ଶୁଆଟି ପୋଷା ମାନିଯାଇଥିଲା ଆଜିକାଲି ନୁହେଁ ଦୀର୍ଘ ଛବିଶ ବର୍ଷ ହେଲାଣି, ଅଳକାଙ୍କ ବାହାଘର ପାଖରୁ, ତାଙ୍କ ଶାଶୁଘରେ . ପରିବାର ଭିତରେ ଗୁଣ ଅବିଗୁଣ ଭିତରେ ତଥା ମାନ ମନାନ୍ତର ଭିତରେ ପ୍ରତ୍ୟେକ ସଦସ୍ୟ ପ୍ରତ୍ୟେକଙ୍କର ବିଶ୍ଵସ୍ତ ତଥା ନିଜର ହୋଇଯାଉଥିବା ବେଳେ ଶୁଆ ସହିତ ଅଳକାଙ୍କର ହୋଇଯାଇଥିଲା ପ୍ରେମଭରା ଭଲପାଇବା. ସତେ ଯେମିତି ସନ୍ତାନଟିଏ ସେ ଅଳକାଙ୍କର ତ ଆସିଯାଇଥିଲା ଆନ୍ତରିକତାପୂର୍ଣ୍ଣ ମମତାର ସାନିଧ୍ୟ, ସୌହାର୍ଦ୍ୟ ଓ ସମ୍ପର୍କ ଶୁଆଟି ସହିତ.
ଏ ଭିତରେ ଅଳକାଙ୍କର ଦୁଇଝିଅ ବାହା ହୋଇ ଶାଶୁଘର ଗଲେଣି କିନ୍ତୁ ଶୁଆ ପିଞ୍ଜୁରାବଦ୍ଧ ରହିଛି. ଅଳକା ହାତରୁ ଭାତ ଖାଉଛି, ପାଣି ପିଉଛି, ଗଦି ପାରିଦେଲେ ଶୋଇଯାଉଛି. ପାଚିଲା ପିଜୁଳି ଖାଇଲେ ମତୁଆଲି ହେଉଛି. ଅଳକାଙ୍କ ଘରେ ପହଁଞ୍ଚି ସୁରଭି ଦେଖିଲେ ଶୁଆ ସମ୍ପୂର୍ଣ୍ଣ ବଦଳି ଯାଇଛି. ଚଳ ଚଞ୍ଚଳତା ହଜି ଯାଇଛି ତାର, ମାଆ ମାଆ ଓ ବାବା ବାବା ଡାକ ମଧ୍ୟ ବନ୍ଦ ହୋଇଯାଇଛି. ସ୍ତବ୍ଧ ହେଲେ ସୁରଭି. ଭାବିଲେ ସାଥି ଖୋଜୁଛି ଶୁଆ ବା ମୁକ୍ତ ବିହଙ୍ଗ ଜୀଵନ ଚାଁହୁଛି ହେଲେ ଅଳକା ମନା କଲେ. ସେସବୁ ସମୟ ତାର ସରିଯାଇଛି. ସୁଯୋଗ ପାଇଥିଲେ ବି ସାଥି ସହ ଉଡିଯାଇନି ଦୂର ଆକାଶକୁ ମୁକ୍ତ ବିହଙ୍ଗ ପରି ବରଂ ପଞ୍ଜୁରୀ ଖୋଲି ଦେଇଥିଲେ ମଧ୍ୟ ଉଡିଆସି ଚଞ୍ଚୁରେ ଚଞ୍ଚୁ ଘସୁଥିବା ଶୁଆଟିକୁ ଆକ୍ରମଣ କରି ଅଳକାଙ୍କ ହାତରେ ବସି ଗେଲ ହୋଇଛି, ଝିଅ ଦୁହିଁଙ୍କ ନାମ ଧରି ଡାକିଛି ତ ସେ ଦୁହେଁ ଶାଶୁଘରୁ ଆସି ମଇନାକୁ ଦେଖିଯାଇଛନ୍ତି ହେଲେ ଅଳକା ତାର ପ୍ରିୟ ମଣିଷ ଆଉ କେଵେ କେଵେ ବାନ୍ଧବୀ ସୁରଭି ଆସିଲେ ତାଙ୍କ ହାତରୁ ପାଚିଲା ପିଜୁଳି ଖାଇ ଡାକୁଥାଏ କୁଣିଆ, କୁଣିଆ ଆସିଲେ. ଆଉ ଏବେ ସବୁ ବନ୍ଦ. ଫେରିଲା ବେଳେ ସୁରଭି ଶୁଣିଥିଲେ ଅଳକା କୋହ ଭରା କଣ୍ଠରେ କହୁଥିଲେ ମଇନାର ମୁକ୍ତ ବିହଙ୍ଗ ହେବାର ସମୟ ଆସିଯାଇଛି. ହୁଏତ ତୁମେ ଆରଥର ଆସିବା ବେଳେ ସେ ନଥିବ. ସୁରଭି ଆଖିରୁ ଝରିପଡିଥିଲା ତତଲା ଲୁହ ଦୁଇ ଧାର.