Narayan chandra Senapati

Others

3  

Narayan chandra Senapati

Others

ମିଛ ସମ୍ପର୍କ

ମିଛ ସମ୍ପର୍କ

4 mins
372


ଦେ..ତୋ ଶଙ୍ଖା ସିନ୍ଦୁର ମୋତେ ଦେ..।

ନାଁ..ମୁଁ ପରା ସଧବା.. ସମ୍ପର୍କର ଚିହ୍ନକି କେହି କ'ଣ ଦେଇପାରେ ?

ସମ୍ପର୍କ ଦେଖାଉଛୁ..ସମ୍ପର୍କ,ଏ ମିଛ ସମ୍ପର୍କକୁ ନେଇ କୁହୁଡି ପହଁରୁଛୁ।

କେହିଜଣେ ଜୋର ଜବରଦସ୍ଥ ଖୋଲୁଥାଏ ହାତର ଶଙ୍ଖାକୁ,ଚିତ୍କାର କରି ବାରଣ କରୁଥାଏ ମାନସୀ॥

ହଠାତ୍ ପାହାନ୍ତାର ଭୟାନକ ଦୁଃସ୍ୱପ୍ନ ମାନସୀର ତନ୍ତ୍ରୀକୁ ଥରାଇଦେଲା।ମାଘମାସ ବାଘଶୀତର ପ୍ରକମ୍ପ ପରି ଭୟରେ ଥରୁଥିଲା ତା ସର୍ବାଙ୍ଗ ଶରୀର।ମୁହଁରୁ ଝରୁଥାଏ ଆଶଙ୍କା ଜର୍ଜରିତ ଘର୍ମମାଳା।ମୁହୁର୍ତ୍ତଟା ପ୍ରକୃତିସ୍ଥ ହେବାପରେ ନିଜକୁ ସ୍ୱଭାବିକ ଅବସ୍ଥାକୁ ଆକର୍ଷି ନେଲା ସେ।ହେଲେ ବ୍ରାହ୍ମ ମୂହୁର୍ତ୍ତର ବିକଟାଳ ଦୁଃସ୍ୱପ୍ନ ଦୃଶ୍ୟ ଏବେ ବି ମହାବାତ୍ୟାର ଘନ ଗର୍ଜନ ପରି ହୁଙ୍କାର କରୁଥାଏ।ପାଖ ଗଛରୁ ଅଶୁଭ ପେଚାର ବିକଟାଳ ସ୍ୱର ଓ ଶ୍ୱାନ ଶୃଗାଳଙ୍କର କର୍କଶ ଅରୁଚିକର ଧ୍ୱନି ସତେ ଯେମିତି କର୍ଣ୍ଣପଟହକୁ ଧକ୍କା ମାରୁଥିଲା।ସାହସର ଅଣ୍ଟାଭିଡି ଫିଲଟରରୁ ପାଣିଗଡାଇ ପିଇବାକୁ ଉଦ୍ୟତ ହେବାବେଳେ ପାଖ କୋଠରୀ ରୁ ଶୁଭିଲା ଟେଲିଫୋନ୍ ର କ୍ରିଂ କ୍ରିଂ ଆୱାଜ।ଭୟ,ଆଶଙ୍କାବୋଳା କୌତୁହଳ ଉଙ୍କି ମାରିଲା ତା ସ୍ପନ୍ଦନରେ।ଫୋନ୍ କଲ୍ ଟି ଥିଲା ତା ଶ୍ୱସୁର ରଞ୍ଜିତ୍ ମହାପାତ୍ରଙ୍କର।ଯାହାଙ୍କର ସେ ଥିଲା ଗେହ୍ଲା ବୋହୂ।ମାତ୍ର ଆଜି ତା'ର କଳଙ୍କିତ କାର୍ଯ୍ୟକଳାପ ତାଙ୍କ ଫୋନ୍ କଲ୍ କୁ ରିସିଭ୍ କରିବାକୁ ବିବେକ ପ୍ରତିବାଦ କରୁଛି।ସମସ୍ତଙ୍କ ନ୍ୟାୟାଳୟରେ ସେ ଚରିତ୍ରହୀନା।ନିଜ ସ୍ୱାମୀ ମାନସ ମହାପାତ୍ରଙ୍କୁ ଛାଡି ସେ ବୟଫ୍ରେଣ୍ଡ ଅସାମାଜିକ ଅଗ୍ନି ସାମନ୍ତରାୟ ସହ ଘରଛାଡି ଚାଲିଯାଇଥିଲା।ଫୋନ୍..ପୁଣି ତାକୁ,ନିଶ୍ଚୟ ଗାଳି ବର୍ଷଣ,ନହେଲେ ଛାଡପତ୍ର ଦେବାକୁ ବାଧ୍ୟ କରିବେ..।ତାକୁ କ୍ଷମାବି କରିପାରନ୍ତି।ଏଇମିତି ଅସମାହିତ ପ୍ରଶ୍ନର ପ୍ରଶ୍ନାବଳି ଧରି ପ୍ରଶ୍ନମଞ୍ଚର ଅପ୍ରତିଦ୍ୱନ୍ଦି ଅଂଶଗ୍ରହଣକାରୀ ସେ।ନା ଆଉ କ'ଣ ହେଲା...?ସକାଳୁ ଏ ଦୁଃସ୍ୱପ୍ନ !ସନ୍ତର୍ପଣରେ ରିସିଭ୍ କଲା ଫୋନ୍ କଲ୍।

ବାପା ପ୍ରଣାମ, ଛେପ ଢୋକି ଢୋକି କହିଲା ମାନସୀ।

ହଁ ମାନସୀ ଅତ୍ୟନ୍ତ ଜରୁରୀ ଅଛି,ଯଥାଶୀଘ୍ର ପହଞ୍ଚ।

ଏଇ ଜରୁରୀ ଓ ଯଥାଶୀଘ୍ର ପରି ଦୁଇ ଆନ୍ଦୋଳିତ ଶବ୍ଦ ଦ୍ୱୟ ତା ଚିନ୍ତାର ବେଗକୁ ତ୍ୱରାନ୍ୱିତ କରୁଥାଏ।ଏଭଳି ବିପନ୍ନ ଶବ୍ଦ ଦ୍ୱୟକୁ କିଏ ବା ଆଶଙ୍କା ନ କରିବ?ମନରେ ସାହସ ଓ ଧୈର୍ଯ୍ୟ ସହନଶୀଳତାକୁ ଆମନ୍ତ୍ରଣ କରିଵବିଜୁଳି ବେଗରେ ପ୍ରସ୍ତୁତ ହେଲା ମାନସୀ।ସେଦିନର ସମ୍ଭ୍ରାନ୍ତ ଘରର ବୋହୂ ଆଜି ଅଟୋକୁ ଅପେକ୍ଷା କରି ଶେଷରେ ଯାତ୍ରା ଆରମ୍ଭ କଲା।ଭାବନାର ପଣ୍ୟଶାଳାରେ ଅନେକ ପ୍ରଶ୍ନର ଦୋକାନ।ପସନ୍ଦ ବି ନାହିଁ ତା ପାଖରେ।ଦୁଇ ନାବ ଆଜି ରାଗାକ୍ରାନ୍ତ।ନାଁ ମାନସଙ୍କର ସତୀ ସ୍ତ୍ରୀ ନା ଅସାମାଜିକ ପ୍ରେମିକ ଅଗ୍ନିର ସହଧର୍ମିଣୀ।ଚତୁରତାର ସହ ଘରୁ ନେଇ ଯାଇଥିବା ସୁନା ଗହଣା ଅଳଙ୍କାର ହରଲୁଟ୍ କରି ଓ ମାଡମାରି ଅଧାବାଟରେ ଛାଡି ଅଗ୍ନି ଚାଲିଗଲା ବିଦେଶ।ଏପଟେ ଶାଶୁ ଶ୍ୱସୁର ସମ୍ମାନରେ ଚୁନକାଳି ବୋଳିଥିବା ବୋହୂ କେଉଁ ଡାଳ ଧରିବ?ସେପଟେ ବାପାଙ୍କର ତେଜ୍ୟପୁତ୍ରୀ।ବିଚିତ୍ର ଦୁନିଆଁର ତ୍ରିଭଙ୍ଗୀ ଠାଣି।ଶୀତୁଆ ଦିନରେ ମାନସୀ ଦେହରୁ ଗମ୍ ଗମ୍ ଆଶଙ୍କାର ଝାଳ।ଇତି ମଧ୍ୟରେ ତା ଶ୍ୱସୁର ଘର ପାଣିପବନକୁ ଛୁଇଁଲା ତା ନିଃଶ୍ୱାସ।ବାଟରୁ ସ୍ୱାମୀ,ଶାସୁ ଶ୍ୱସୁରଙ୍କ ମନପସନ୍ଦ ଖାଇବା ଦରବ ନେବାକୁ ବି ଭୁଲି ନ ଥାଏ।ପହଞ୍ଚି କିଛି ଦେଖିବା ପୂର୍ବରୁ କାନ ଶୁଣିବାରୁ ବଞ୍ଚିତ ନ ଥିଲା..ଏଇ ଅଲକ୍ଷଣୀ ପାଇଁ ଏୟା ହେଲା।କି ବେଳରେ ଜନ୍ମ କରିଥିଲେ ୟା ବାପ ମାଆ ? କିଭଳି ପିଲା...ଆଜି ଚରିତ୍ରହୀନାଟା ପାଇଁ....।ଦେହ ମନ ଆଖି ସବୁକୁ କଳା ମୁଗୁନି ପଥର କରି ଦେଖିଲା ସମସ୍ତଙ୍କ ଆଖିରେ ଲୁହର ବନ୍ୟା,ବୁକୁଫଟା ଚିତ୍କାରରେ ଦୁଲୁକି ଯାଉଥିଲା ସେ ପରିସର।ସମସ୍ତଙ୍କୁ ତା ଆଖି ଛୁଇଁଲା..ହେଲେ ମାନସ କାହାଁନ୍ତି?ମୋ ଆସୁଥିବା ଶୁଣି ସେ ନିଶ୍ଚେ ଏ ଜାଗାଛାଡି ଚାଲିଯାଇଛନ୍ତି ।କେମିତି ନ କରିଥାନ୍ତେ..ସେ ଭୁଲ୍ ର କାଶ୍ମୀର ସୀମାକୁ ଅତିକ୍ରାନ୍ତ କରିଯାଇଛି।

ମୋତେ କ୍ଷମା କରିଦିଅ ବାପା..ମୋତେ କ୍ଷମା କରିଦିଅ ମାଆ କହି ଦୁହିଁଙ୍କ ଗୋଡ ଧରି କାନ୍ଦୁଥିବା ବେଳେ କ୍ଷୀଣ ସ୍ୱରର କଥା ଦୁଇ ପଦ ତାକୁ ଭୀମକୁଣ୍ଡର ଭଉଁରୀକୁ ନେଇଗଲା।

ତୁ ବହୁତ ବିଳମ୍ବ କରିଦେଲୁ ।

ଆଉ କିଛି ନାହିଁ।

ମାନସ ???

ଏଇ ଦେଖ...!!!

ପାଗଳି ପରି ନିମିଷକେ ଭରସାର ମାରାଥନ ନେଇଗଲା ତଳେ ଚିରଦିନପାଇଁ ଶୋଇବାକୁ ପ୍ରତିଜ୍ଞା କରିଥିବା ଭୀଷ୍ମ ପ୍ରତିଜ୍ଞ।ମୁହଁ ଉପରୁ ନିର୍ମଳ ପ୍ରତିଭାର ଧବଳ ଆବରଣ ଖୋଲି ଯାହା ଦେଖିଲା ..ତା ଜନ୍ମ ଜନ୍ମାନ୍ତରର ଆଶାର ପାହାଡଟା ଭାଙ୍ଗି ଚୁର୍ ମାର୍ ହୋଇଗଲା।ମୁଣ୍ଡକୁ କଚାଡି କାନ୍ଦି କାନ୍ଦି ଖାଲି କହୁଥିଲା..ଏ ମାନସ..ତମେ ମୋତେ କ୍ଷମା କରିପାରିଲ ନାହିଁ।ଆମର ନିବିଡ ନିଗୁଢ ସମ୍ପର୍କକୁ ମିଛ ସମ୍ପର୍କ କରିଦେଲ???

ବାରମ୍ବାର ଅଚେତ୍ ହୋଇପଡୁଥାଏ ମାନସୀ।ଧିରେ ଧିରେ ସେ ଅବାକ୍ ହୋଇଗଲା।ମନକୁ ଆସିଲା ତା'ର ବିଗତ ଦିନର ସ୍ମୃତି।

କଲେଜ୍ ତର୍କ ପ୍ରତିଯୋଗୀତାରେ ଦେଖା ହୋଇଥିଲା ତା'ର ମାନସ ସହ।ସେ ଥିଲା +୩ ପ୍ରଥମ ବର୍ଷର ଇଂରାଜୀ ସମ୍ମାନ ଛାତ୍ରୀ ମାତ୍ର ମାନସ ଥିଲା +୩ଦ୍ୱିତୀୟ ବର୍ଷର ଭୂତତ୍ତ୍ୱ ସମ୍ମାନ ଛାତ୍ର।ଅସାଧାରଣ ବାଗ୍ମୀତା।ପାଠ ସହ ପ୍ରତି ବିଭାଗରେ ସେ ପ୍ରଥମ।ଭଲ ପାଇଲା ତାକୁ।ନିବିଡତାର ସାଗର ଦରିଆରେ ଦୁହେଁ ଠିକ୍ କରିଥିଲେ ବିବାହ ବନ୍ଧନରେ ଛନ୍ଦିହେବାକୁ।ମାନସ ଥିଲା ଆଡଭୋକେଟ୍ ରଞ୍ଜିତ ମହାପାତ୍ରଙ୍କ ଏକୋଇର ବେଳା ବିଶିକେସନ।ମାତ୍ର ମାନସୀ ଥିଲା ଶିଳ୍ପପତି ଅଶାନ୍ତ ପଟ୍ଟନାୟକଙ୍କ ଗେହ୍ଲା ଝିଅ।ମାନସ ପୂର୍ବରୁ ସେ ଅବୈଧ ସମ୍ପର୍କ ଥିଲା ଅଗ୍ନିସହ।ବିବାହ ପରେ ଦୁହିଁଙ୍କ ମିଳାମିଶା,ପାର୍ଟି,ମଦ୍ୟପାନକୁ ବାରଣ କରିଥିଲେ ମାନସ ଓ ତା'ର ରକ୍ଷଣଶୀଳ ପରିବାର।ସ୍ୱେଚ୍ଛାଚାରିତାର କାଳସ୍ରୋତକୁ ଆବୋରି ମାନସୀ ଧକ୍କା ଦେଲା ଆମାୟିକ ହୃଦୟଙ୍କୁ।ଶେଷରେ ପ୍ରତାରଣା କଲା ସଭିଙ୍କୁ।ହେଲେ ମନେ ପଡୁଛି ତା'ର ସେଇ ବାର୍ଷିକ ଦିବସର କେଇପଦ କଥା।

ମାନସ ମୁ୍ଁ କିଛି ଭୁଲ୍ କଲେ ତୁମେ କ୍ଷମା କରିଦେବ?

ହଁ ମାନସୀ..ଆମ ସମ୍ପର୍କ କ'ଣ ମିଛ ସମ୍ପର୍କ ଯେ ତୁମକୁ ଭୁଲିଯିବି ???

ହଠାତ୍ କେହିଜଣେ ମାନସୀକୁ ଧରାଇଦେଲା ମାନସର ଶେଷଚିଠି॥

ଏ ମାନସୀ..ଆମେ ଦିନେ ସ୍ୱପ୍ନ ଦେଖିଥିଲେ ନାଁ ସତ ସମ୍ପର୍କ ଗଢିବାକୁ..।ହେଲେ ତୁମର ପ୍ରତାରଣା ବଦଳାଇଦେଲା ଆମ ସମ୍ପର୍କକୁ।କେମିତି ତୁମେ ବଦଳିଗଲ?

ତୁମେ ଛାଡିଗଲାପରେ ମୋ ପୌରୁଷତ୍ୟ ପ୍ରଶ୍ବାବାଚୀ ହେଲା,ଅସମ୍ମାନର ଶିକୁଳିଟା ମୋ ହୃଦୟକୁ ବନ୍ଦୀ କରିଦେଲା।ଧୈର୍ଯ୍ୟର ଅତଡାଟା ଖସିଗଲା।ସେଇ ଅତଡାରୁ ଖସି ମୁଁ ଚାଲିଯାଉଛି ସମ୍ପର୍କର ସୁଅରେ ବହୁ.....ଦୂରକୁ।ଯେଉଁଠିକି ଗଲେ କେହି ବି ଫେରନ୍ତି ନାହିଁ।ତୁମେ ନିଜକୁ ସଜାଡି ଦେବ,ଆର ଜନ୍ମରେ ଆମେ ସତ ସମ୍ପର୍କ କରିବା।ଯେବେ ତୁମ ଭୁଲ୍ ବୁଝିପାରିବ..ମୁଁ ତ ନ ଥିବି..ମୋ ବାପା ମାଆଙ୍କ ସେବା କରିବ ନା?ସେମାନେ ତୁମକୁ ମୋ ଠୁ ବି ଭଲ ପାଉଥିଲେ।ତାଙ୍କ ସହ ମିଛ ସମ୍ପର୍କ କେବେ ବି କରିବ ନାହିଁ..ନଚେତ୍ ଦୁନିଆଁ ହାଟରେ ତୁମେ ଠକିଯିବ।

ରହୁଛି।କାହାକୁ କେବେ କହିବ ନାହିଁ ଆମ ସମ୍ପର୍କ ମିଛ ସମ୍ପର୍କ ଥିଲା ବୋଲି।

ଇତି..ତୁମର ମାନସ॥

ନୀରବତା ତାକୁ ଧିକ୍କାର କରୁଥାଏ।କିଛି ସମୟ ଭାବିଲା..ଦୀର୍ଘଶ୍ୱାସ ଛାଡି କହିଲା...

ସତରେ ଆମ ସମ୍ପର୍କ କ'ଣ ମିଛ ସମ୍ପର୍କ॥

*ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର*


Rate this content
Log in