Debasmita Jena

Others

3  

Debasmita Jena

Others

ଲେଖକ ର ବ୍ୟଥା

ଲେଖକ ର ବ୍ୟଥା

3 mins
12.2K


ଶାନ୍ତ ଅପରାହ୍ନ, ମଳୟ ପବନ ର ଶୀତଳ ପରଶ ସାଙ୍ଗକୁ ଆକାଶ ରେ ଅସ୍ତଗାମୀ ସୂର୍ଯ୍ୟ ର ରକ୍ତିମ ଆଭା,ପୁରା ଲେଖକୀୟ ପରିବେଶ,ଆଉ ଏହାର ଭରପୁର ଫାଇଦା ଉଠେଇବା ପାଇଁ ବସିପଡିଛନ୍ତି ବିନୋଦ ବାବୁ, ବଗିଚା ରେ ଫୁଟିଥିବା ରଙ୍ଗ ବେରଙ୍ଗ ର ଫୁଲ ର ମହକ ସାଙ୍ଗକୁ ମହୁମାଛି,ଭ୍ରମର ଆଉ ପ୍ରଜାପତି ର ମେଳ ରେ ନିଜକୁ ପୁରା ହଜେଇ ଦେଇଛନ୍ତି ସେ, ଶବ୍ଦ ଖୋଜୁଛନ୍ତି ତାଙ୍କ ନୂତନ ସୃଷ୍ଟି ପାଇଁ , ବିନୋଦ ବାବୁ ପେଶା ରେ ଜଣେ ଶିକ୍ଷକ ଆଉ ନିଶା ରେ.... ନିଶା ରେ ଜଣେ ଲେଖକ । ଏ ଏମିତ ସେମିତି ନିଶା ନୁହେଁ ପୁରା ମତୁଆଲା କରିଦେଲା ପରି ନିଶା । ମଣିଷ ଥରେ ଏ ନିଶା ରେ ବୁଡ଼ିଗଲେ ଚାରିଆଡ଼ ତାକୁ ସୁନ୍ଦର ଲାଗେ,ଆଉ ମନ ପ୍ରଜାପତି ପରି ଘୁରି ବୁଲୁଥାଏ ନୂତନ ସୃଷ୍ଟି ର ସମ୍ଭାର ପାଇଁ । ବିନୋଦ ବାବୁ ବି ଖୋଜି ବୁଲୁଛନ୍ତି ନୂଆ ଏକ ଭାବନା,ନୂଆ ନୂଆ ଶବ୍ଦ,ଖୁବ ଚିନ୍ତନଶୀଳ ମୁଦ୍ରାରେ, ଠିକ ଏତିକ ବେଳେ କାହାର ପାଟି ଶୁଭିଲା, ଗେଟ ପାଖରେ କିଛି ପିଲା ବାରମଜା(ଝାଲ ମୁଢି) ର ମଜା ନେଉଛନ୍ତି, ବିନୋଦ ବାବୁ ବି ବସି ବସି ତାଙ୍କ ପାଟି ଯେମିତି ଅଠାଳିଆ ହେଇଯାଉଥିଲ, ମନ ଖୋଜୁଥିଲା କିଛି ଚଟପଟ ଖାଇବାକୁ ଆଉ ଚାହା କପେ ପିବାକୁ,ହେଲେ ତାଙ୍କ ଶ୍ରୀମତୀ ତ ବାପ ଘରକୁ ଯାଇଛନ୍ତି,ପିଲା ମାନେ ନିଜ ନିଜ କର୍ମ କ୍ଷେତ୍ରରେ, ଏକଲା ମଣିଷ, କଣ ବା କରିବେ, ନିଜ ଭାବନା ରାଜ୍ୟ ରେ ଘୁରି ବୁଲୁଛନ୍ତି, ଯାହା ହଉ କହି ପକେଟ ରୁ 10 ଟଙ୍କିଆ ନୋଟ ଟିଏ କାଢି ବଢ଼େଇ ଦେଲେ ସେଇ ବାରମଜା ବିକ୍ରି କରୁଥିବା ଲୋକ ଜଣଙ୍କୁ,ଆଉ ସେ ଖଣ୍ଡିଏ କାଗଜ ରେ କିଛି ବାରମଜା ଆଣି ଧରେଇ ଦେଲା ବିନୋଦ ବାବୁ ଙ୍କ ହାତକୁ, ଓଃ ମଜା ଆସିଗଲା, ମଦ ସାଙ୍ଗରେ ଚାଖଣା ଖାଇବା ପରି ଲେଖିବା ର ନିଶା ଭିତରେ ଏ ଗୋଟେ ଭଲ ଚାଖଣା ହେଇଗଲା, ଏଥର ଲେଖିବା ରେ ଅଧିକ ମନୋ ନିବେଶ ହେବ, ବିନୋଦ ବାବୁ ପୁଣି ତାଙ୍କ ଲେଖା ଆଡକୁ କେନ୍ଦ୍ରୀଭୂତ ହେଲେ, ଲେଖା ଚାଲିଥାଏ ଆଉ ତା ସହ ବାରମଜା ବି । କିଛି ସମୟ ପରେ ସବୁ ସରିଗଲା, ଖାଲି କାଗଜ ଖଣ୍ଡିକ ହାତରେ ଅଛି, ତାକୁ ଦସ୍ତବିନ କୁ ପକାଇବାକୁ ଉଦ୍ୟତ ହେଲା ବେଳେ ତାଙ୍କ ଆଖିରେ ପଡିଗଲା ସେଇ କାଗଜ ରେ ଲେଖା ହେଇଥିବା ଏକ ଅନୁଛେଦ ଉପରେ, ସେ ସ୍ତବ୍ଧ ହେଇଗ୍ସଲେ,ଲେଖା ଟା ତାଙ୍କରି ସୃଷ୍ଟି ଥିଲା । ଏଇ ଲେଖା ପାଇଁ ସେ କମ ପରିଶ୍ରମ କରିନାହାନ୍ତି, ପ୍ରାୟେ 15 ଦିନ ର କଳ୍ପନା ଜଳ୍ପନା, ଶବ୍ଦ ସଂଯୋଜନା ଆଉ ପରିଶ୍ରମ ରୁ ଏ ସୃଷ୍ଟି, ଘରଣୀ କୁ ସମୟ ନଦେଇ କେତେ ଶୀତଳ ଯୁଦ୍ଧ ହେଇଚି ଏଇ ଲେଖା ପାଇଁ, ଆଉ ଆଜି ଏଇଟା ଅଳିଆ ଗଦା କୁ ଯାଉଥିଲା, ନିଜ ରକ୍ତରୁ ତିଆରି ମଣିଷ ଛୁଆଟିକୁ ଅଳିଆ ଗଦା ଭିତରକୁ ଫୋପାଡି ଦେଲା ପରି ଲାଗୁଥିଲା, ଏଇ କଣ ଜଣେ ଲେଖକ ର ମୂଲ । ଜଣେ ଚାଷୀ ଯେମିତି ନିଜ ଲୁହ ଲହୁ କୁ ଏକ କରି ସୁନା ର ଫସଲ ଫୁଟାଏ ଠିକ ସେମିତି ଗୋଟେ ଲେଖକ ବି ନିଜ କର୍ମ ମୟ ଜୀବନ ରୁ ସମୟ ବାହାର କରି ନୂଆ ନୂଆ ଭାବନା ଭାଷା ରେ ନିମଗ୍ନ ହୋଇ ସୃଷ୍ଟି କରେ ନୂଆ ରଚନା,ଯାହାକି ସମାଜ କୁ ଦିଏ ଏକ ବାର୍ତ୍ତା, କାହାକୁ ଦିଏ ନୂଆ ପ୍ରେରଣା ପୁଣି କାହାକୁ ଶିଖାଏ ବଞ୍ଚିବାର ଶୈଳୀ ।ହେଲେ ପ୍ରତିବଦଳରେ ଜଣେ ଲେଖକ କଣ ପାଏ ? ଏଇ ରାସ୍ତା କଡର ପାନ ଦୋକାନ ର ଗୁଡା ହୋଇ ବିକୁ ଥିବା ପାନ କି ବରା, ଆଉ ତାକୁ ତ କେହି ପ୍ରେରଣା ଦିଅନ୍ତିନି । ଗୋଟେ ଲେଖା ପଢି ଜଣେ ପାଠକ ର ସୁଚିନ୍ତିତ ମତାମତ ଯଦି ଆସେ ସେଇଟା ଗୋଟେ ଲେଖକ ପାଇଁ ବଡ ପୁରସ୍କାର । ହେଲେ ଆଜିର ବ୍ୟସ୍ତ ବହୁଳ ଜୀବନ ରେ କାହାକୁ ସମୟ ଅଛି ଏସବୁ ପଢିବାକୁ । ହଁ କଣ ଗୋଟେ ଲେଖା ହେଇଚି କହି ଆଡେଇ ଦେଇ ଚାଲନ୍ତି ପାଦ ତଳେ । ସଂସାର ଆଉ କର୍ମ ଭିତରେ ବି ଲେଖକ ଅବିଶ୍ରାନ୍ତ ତା କର୍ମ କରେ, ଠିକ ଗୋଟେ ମଧୁ ମଖି ପରି । ହେଲେ ନା ଅଛି ଆଦର ନା ଅଛି ପୁରସ୍କାର । ଏସବୁ ଭାବି ଭାବି ସିକ୍ତ ହେଇଯାଉଥାଏ ବିନୋଦ ବାବୁ ଙ୍କ ଆଖି, ଲେଖକ ର ବ୍ୟଥା କିଏ ବା ବୁଝେ? ନା ସେ କାନ୍ଦି ପାରେ ନା କାହାକୁ କନ୍ଦାଏ । ଦେହ ମନ କୁ ଟାଣ କରି ପୁଣି ନିଜ ଭାବନା ରାଜ୍ୟ କୁ ଫେରିଗଲେ ବିନୋଦ ବାବୁ । ପୁଣି ରଚନା କରିବାକୁ ନୂଆ ଏକ ସୃଷ୍ଟି । କାହିଁକି ନା ଏଇଠୁ ତ ଆରମ୍ଭ ସବୁ କିଛି ।


Rate this content
Log in