STORYMIRROR

Sanjya Tripathy

Others

3  

Sanjya Tripathy

Others

କରୋନା

କରୋନା

3 mins
371

ଅଫୁରନ୍ତ ପ୍ରାଣଶକ୍ତିରେ ଭରପୁର ସେ ଯୁବକ ଜଣକ ଯେ ପୁଣି ଅବସ୍ଥାଚକ୍ରରେ ପଡି ଶ୍ରୀହୀନ ହୋଇଯିବେ, ଏହା ମୋର କଳନା ବାହାରେ ଥିଲା ।ଏବେ ତାଙ୍କରି କାହାଣୀ କହୁଛି ।

ବିଳୟ ଜଣେ ଉଚ୍ଚଶିକ୍ଷିତ ସରକାରୀ କର୍ମଚାରୀ । ଯଥାରୀତିରେ ତାର ବିବାହ ସମ୍ପନ୍ନ ହୋଇଛି ଓ ଝିଅଟିଏ ବି ଅଛି । ଏହି କୁନି ଘରସଂସାରଟି ବିନା ବାଧା ବିଘ୍ନରେ ଆରାମରେ ଚଳୁଥିଲା । ହଠାତ୍ ମହାମାରୀ କରୋନା ମାଡି ଆସିଲା ଓ ଖୁବ କମ ସମୟରେ ସମଗ୍ର ବିଶ୍ୱକୁ କବଳିତ କରି ନେଲା । ଏହାର ପ୍ରତିଷେଧକ ଟୀକା ଏ ପର୍ଯ୍ୟନ୍ତ ବାହାରି ନଥିବାରୁ ଏହା ହୁ ହୁ ହୋଇ ମାଡି ଚାଲିଛି- ପଲ୍ଲୀରୁ ଦିଲ୍ଲୀ, ସମ୍ବଲପୁରରୁ ମାନହଟନ୍ । ପ୍ରତିରୋଧକ ବ୍ୟବସ୍ଥା ଯେପରିକି ସାମାଜିକ

ଦୂରତ୍ୱ, ମୁଖା, ବିଶୋଧକର ବ୍ୟବହାର, ଲକଡାଉନ୍, ସଟଡାଉନ, ସଙ୍ଗରୋଧ କେନ୍ଦ୍ର, ସଂସ୍ପର୍ଶ ଚିହ୍ନଟ, ଆବଦ୍ଧାଚଳ ସବୁ ଚାଲିଥିବା ସତ୍ତ୍ୱେ କରୋନା ଏବେ ସ୍ଥାନୀୟ ସଂକ୍ରମଣର ରୂପ ନେଲାଣି । ବିଜୟର ଅଫିସରେ ବି ୫୦ ପ୍ରତିଶତ କର୍ମଚାରୀରେ କାମ ଚାଲିଛି ଓ ରୋଷ୍ଟର ପ୍ରଚଳିତ ହୋଇଛି । ଏତେ ପ୍ରତିରୋଧକ ବ୍ୟବସ୍ଥା ସତ୍ତ୍ୱେ ହଠାତ୍ ଦିନେ ଖବର ଆସିଲା- ବିଜୟର ପତ୍ନୀ ଅରୁଣାର ସ୍ଵାବ୍ ରିପୋର୍ଟ ପଜିଟିଭ ଆସିଛି । ବିଜୟର ମୁଣ୍ଡ ଉପରେ ବକ୍ର ପଡିଲା ଯେମିତି । ତା ଆଖି ସାମନାରେ ସ୍ୱାସ୍ଥ୍ୟକର୍ମୀମାନେ ଆସି ଅରୁଣାକୁ ଆମ୍ବୁଲାନସରେ କୋଭିଡ୍ କେୟାର ହୋମକୁ ନେଇଗଲେ। ପୁଣି ବିଜୟ ଓ ତା କୁନି ଝିଅ ସ୍ମିତାକୁ ସଙ୍ଗରୋଧ କେନ୍ଦ୍ରକୁ ନେଇଗଲେ- ବିଜୟର ଘରକୁ ବିଶୋଧିତ ଓ ସିଲ କରିବା ପାଇଁ । ବିଜୟ ଏ ଯାଏ ଜାଣିପାରୁନାହିଁ ଅରୁଣା କେମିତି କରୋନା ଆକ୍ରାନ୍ତ ହେଲା । ଅଧିକାରୀମାନେ ସଂସ୍ପର୍ଶ ଚିହ୍ନଟ କରିବା ପାଇଁ ଆସି ବିଜୟକୁ ନାନାଦି ପ୍ରଶ୍ନବାଣରେ ବ୍ୟତିବସ୍ତ କରି ପକାଇଲେ । ଅବଶ୍ୟ ଏହାର ଗୋଟିଏ ସୁଫଳ ବାହାରିଲା ଯେ ଅରୁଣା କେବେ ପାଖ ପଡୋଶୀଙ୍କ ଘରକୁ ଯାଉନଥିବାରୁ ସମସ୍ତଙ୍କର ସନ୍ଦେହ କେନ୍ଦ୍ରୀଭୂତ ହେଲା ଘରର ଚାକରାଣୀ ମିନତୀ ଉପରେ ଯାହା କି ପରେ ସତ୍ୟ ପ୍ରମାଣିତ ହେଲା । ମିନତୀର ସ୍ୱାବ୍ ରିପୋର୍ଟ ପଜିଟିଭ ଆସିବାରୁ । ବିଜୟ ତା ସ୍ତ୍ରୀକୁ ବହୁତ ଭଲ ପାଉଥିଲା ଓ ତା ଜାଣତରେ ସେ ଅରୁଣା ମନରେ ଆଘାତ ଦେବା ଭଳି କାମ ଏ ଯାଏ କରିନାହିଁ । ଅରୁଣା ବି ପ୍ରକୃତ ଅର୍ଥରେ ପତିବ୍ରତା ଥିଲା ଓ ଉଭୟଙ୍କର ପାରସ୍ପରିକ ପ୍ରେମର ପ୍ରତୀକ କୁନିସଂସାରଟି ସ୍ଵର୍ଗ ସମ ପ୍ରତିଭାତ ହେଉଥିଲା । ଯେଉଁଥିର ପାରିଜାତ ଥିଲା ସ୍ମିତା । ତିନି ବର୍ଷର ଝିଅ ସ୍ମିତାର ଏ ଯାଏ ବୋଧ ଶକ୍ତି ଆସି ନାହିଁ । ତେଣୁ ତା ଚାରିପାଖରେ ଘଟି ଯାଉଥିବା ଘଟଣାବଳୀ ତା ପାଇଁ ରହସ୍ୟାବୃତ ହୋଇ ରହିଛି । ବିଜୟକୁ ପଚାରିଲା- ବାପା- ମାଆ କାହିଁ ? ଅନନ୍ୟୋପାୟ ହୋଇ ବିଜୟ ଉତ୍ତର ଦେଲା- ତୋ ମାଆ ମାମୁଁ ଘରକୁ ଯାଇଛି- ଏଇ ଦିନ ଚାରିଟାରେ ଫେରି ଆସିବ ଯେ । ଦିନ ଦୁଇଟା ପରେ ଖବର ଆସିଲା- ଅରୁଣାର ଶେଷ ସମୟ ଆଗତ ପ୍ରାୟ ଓ ସେ ବିଜୟ ଓ ସ୍ମିତାକୁ ଶେଷଥର ପାଇଁ ଦେଖୁବା ପାଇଁ ଚାହୁଁଛି । ଅଗତ୍ୟା ବିଜୟ ତା ଝିଅକୁ ନେଇ ଅରୁଣା ପାଖରେ ପହଞ୍ଚିଲା ।

ବିଜୟ ଓ ସ୍ମିତାକୁ ଦେଖ୍ ଅରୁଣାର ଜୀବନ ପ୍ରଦୀପ ଲିଭିବା ପୂର୍ବରୁ ଉଜ୍ଜ୍ୱଳ ହୋଇ ଜଳି ଉଠିଲା ଯେମିତି- ଶତ ସିଂହର ବଳ ପାଇଲା ପରି କମ୍ପିତ କଣ୍ଠରେ ସେ କହିଲା- ସ୍ମିତା ତୁମକୁ ଲାଗିଲା । ତାକୁ ଡାକ୍ତରାଣୀ ବନାଇବ ନିଶ୍ଚୟ ।

ବାଷ୍ପରୁଦ୍ଧ କଣ୍ଠରେ ଅରୁଣାର ହାତ ପାପୁଲିକୁ ଚୁମି ବିଜୟ କହିଲା- ତୁମର ଇଚ୍ଛା ପୂରଣ ହେବ ନିଶ୍ଚୟ। ଆଉ ମୁଁ ମଧ୍ୟ ସରକାରୀ ବଞ୍ଚାଇ ନପାରିଲେ କଣ ହେଲା । ଜଣେ ସମ୍ମୁଖ ଭାଗର କୋଭିଡ୍ ଯୋଦ୍ଧା ହୋଇ ଆଉ କେଇ ଜଣଙ୍କର ପ୍ରାଣ ବଞ୍ଚାଇଲେ ତା ହେବ ତୁମ ପ୍ରତି ମୋର ଶ୍ରେଷ୍ଠଶ୍ରଦ୍ଧାଞ୍ଜଳି ।

ତାପରେ ଅରୁଣାର ଆଖି ବୁଜି ହୋଇଗଲା ଚିରଦିନ ପାଇଁ । କିନ୍ତୁ ବିଜୟ ଆରେ ଲୁହ ଟୋପାଏ ନାହିଁ । ତାର ସବୁ ଲୁହ, ସବୁ ଯନ୍ତ୍ରଣା ଯେମିତି ଅରୁଣା ନେଇ ଯାଇଛି ତା ସାଙ୍ଗରେ । ନିଜର କଥା ରକ୍ଷା କରି ବିଜୟ ହୋଇଛି ଜଣେ ସ୍ୱତଃପ୍ରବୃତ ସ୍ୱାସ୍ଥ୍ୟକର୍ମୀ । ଝିଅର କଥା ବୁଝି ବାକି ସମୟରେ ଲଢୁଛି କରୋନା ସହ । କେ ଜାଣେ କେବେ ଅନ୍ତ ହେବ ଏ ଲଢ଼େଇ ।



Rate this content
Log in