Bishnupriya Palatasingh

Others

4.9  

Bishnupriya Palatasingh

Others

କାଶତଣ୍ଡୀ ଫୁଲ

କାଶତଣ୍ଡୀ ଫୁଲ

3 mins
577


କଲେଜ୍ ରୁ ଫେରୁଥାଏ ଅଟୋରେ l ଆଜି Education practical ଥିଲା ତ ତେଣୁ ଫେରୁ ଫେରୁ ସନ୍ଧ୍ୟା ହେଇଗଲା l ଏମିତି ନଜର ଯାଇ ଅଟକି ଗଲା କାଶତଣ୍ଡୀ ଫୁଲ ଉପରେ, ଆଉ ମନେପଡ଼ିଗଲା ପିଲାଦିନ

ବହୁତ ଦୁଷ୍ଟ ହୁଏ ମୁଁ, ଘର ଲୋକଙ୍କ ନଜରକୁ ଚକମା ଦେଇ ଖସିଯାଏ l ଶିବଙ୍କ ବେଲପତ୍ର ବନ୍ଦ ହେଇଯିବ ହେଲେ ମୋର ନିତିଦିନ ମାଡ ଖାଇବା ବନ୍ଦ ହୁଏନି l ଆମ ଗାଁ ରେ ଦଶହରା ଖୁବ୍ ଭଲରେ ପାଳନ ହୁଏ l ମାସକ ଆଗରୁ ମୂର୍ତ୍ତି ତିଆରି ଆରମ୍ଭ ହେଇଯାଏ l ମୋର ଅପେକ୍ଷା ତ ଦଶହରା ଛୁଟିକୁ ଥାଏ, କେବେ ହେବ ଦିନ ଗଣିବା ଆରମ୍ଭ କରିଦିଏ l ସ୍କୁଲ୍ ରୁ ଘରକୁ ଖାଇବା ପାଇଁ ଆସିଲା ବେଳେ ମୁଁ ଟିକେ ଦେବୀ ମୂର୍ତ୍ତି ତିଆରି ଦେଖିବା ପାଇଁ ଚାଲିଯାଏ l ଡେରିରେ ସ୍କୁଲ୍ ରେ ପହଞ୍ଚି ମାଡ ମଧ୍ୟ ଖାଏ l ହେଲେ ମୋ ମନଟା କୋଉ ଥୟ ଧରି ରୁହେ! ମାଡ ଖାଏ ପଛେ ନିତିଦିନ ଏମିତି ହିଁ ହୁଏ l ଆଜି ସେ ସମୟଟା ଆସିଛି, ଆଜି ହିଁ ସ୍କୁଲ୍ ଛୁଟି ଦିଆ ହେବ ମୋ ଖୁସି କହିଲେ ନ ସରେ l ସାର୍ ଆସି ଛୁଟି ଖୋଷଣା କଲେ ଆଉ ଛୁଟିରେ ପାଠ ମଧ୍ୟ କରିବା ପାଇଁ ଦେଲେ l ମୁଁ ଡେଇଁ ଡେଇଁ ଘରକୁ ଆସି ବ୍ୟାଗ ଫୋପାଡ଼ି ଦେଇ ଯାଇ ପହଞ୍ଚି ଗଲି ଦେବୀ ମଣ୍ଡପ ପାଖରେ l କିଛି ସମୟ ପରେ ଦାଦା ଯାଇ ଅମରୀ ଛାଟରେ ପିଟି ପିଟି ଘରକୁ ନେଇ ଆସିଲେ l

 ସକାଳୁ ଉଠି ଖାଇ ଦେଇ ବହିପତ୍ର ଆଡେଇ ବସିପଡ଼ିଲି l ଘରେ ସବୁ ଦେଖି ଆଶ୍ଚର୍ଯ୍ୟ ଛୁଟିରେ ବହି ଧରି ବସିଛି! ହେଲେ ମୁଁ ଜାଣିଛି ଛୁଟିରେ ଦିଆଯାଇଥିବା ପାଠକୁ ଗୋଟେ ଦିନରେ ସାରିଦେଲେ ଆଉ କହିବା ପାଇଁ କେହି ନାହିଁ l ସବୁ ଦିନ ଖେଳ ପଡିଆ ଆଉ ଦେବୀ ମଣ୍ଡପରେ ଡେଇଁବା ଜମିବ l ପାଠ କଷ୍ଟେ ମଷ୍ଟେ ସରିଗଲା ଗୋଟେ ଦିନରେ l ଦଶହରା ଛୁଟି ସହ ଆରମ୍ଭ ହେଇଗଲା ମୋ ଦୁଷ୍ଟାମୀର ପର୍ବ l ଖେଳପଡିଆରେ କ୍ରିକେଟ୍ ଖେଳ ଆଉ ଦୁର୍ଗା ମଣ୍ଡପ ପଡିଆରେ ଆମ ପିଲାଙ୍କ ଖେଳ l ଗହଳିରେ ଆମ ଗାଁ ପଡୁଥାଏ ଆଉ ଉଠୁଥାଏ l ପଥର ଡିଆଁ, ଡାଳମାଙ୍କୁଡ଼ି, ଲୁଚା ଲୁଚି, ବୋହୂ ଚୋରି ଏମିତି କେତେ ପ୍ରକାର ଖେଳ l ପୋଡ଼ାମୁହାଁ ସନ୍ଧ୍ୟାଟା ପୁଣି ହାଜର ହେଇଯାଏ l ଦାଦା ଆସି ପିଟି ପିଟି ମୋତେ ଘରକୁ ନିଅନ୍ତି l ସବୁ ସନ୍ଧ୍ୟାରେ ମୁଁ ମାଡ ଖାଇ ଘରକୁ ଫେରେ ମୋର ତ ଜମା ଘରକୁ ଫେରିବା ପାଇଁ ମନ ନୁହଁ l ଦାଦାଙ୍କ ଡରରେ ଯାହା ମୁଁ ଘରକୁ ଫେରେ ଜୋରଜବଦସ୍ତି l ଘରକୁ ଆସି କାନ୍ଦେ ବୋଉ ବୁଝାଏ ମୋତେ, ତୁ ଏବେ ଛୋଟ ପିଲାଟା ବାୟା ନେଇଯିବ ସେଥିପାଇଁ ଦାଦା ତତେ ଘରକୁ ଆଣିଦେଉଛନ୍ତି l ଯେବେ ତୁ ବଡ ହେଇଯିବୁ ସେବେ ତୁ ତୋ ଇଚ୍ଛାରେ ବୁଲିବୁ ଖେଳିବୁ ଆଉ ତତେ କଣ କିଏ ବାଡ଼େଇବେ l ମୁଁ ବୁଝିଯାଏ ଆଉ ଖାଇ ଦେଇ ଶୋଇପଡେ l

 ଦେବୀ ପୂଜା ଆରମ୍ଭ ହୁଏ, ଗାଁ ଟା ଧୂପ, ଝୁଣା, ଘଣ୍ଟ ଘଣ୍ଟା, ଢୋଲ ରେ କମ୍ପୁ ଥାଏ l ଆମେ ସବୁ ସାଙ୍ଗ ମିଶି କାଶତଣ୍ଡୀ ଫୁଲ ପାଇଁ ଯାଉ ଆମ ଗାଁ ନଈ କୂଳକୁ l ନଈ ଧାରେ ଧାରେ କାଶତଣ୍ଡୀ ଫୁଲ କେଡେ ସୁନ୍ଦର ଦିଶୁଥାଏ l ମୋର ଇଚ୍ଛା ହେଉଥାଏ ଫୁଲ ସବୁ ତୋଳି ଆଣି ଆମ ଘରେ ରଖି ଦିଅନ୍ତି l ମାଡଗୋଡି ହେଇ ଫୁଲ ସବୁ ତୋଳି ନେଇଯାନ୍ତି ପିଲା ଆଉ ମୋ ଭାବନା ସରିବା ବେଳକୁ ଫୁଲ ନଥାଏ କି ସେ ବୁଦା ସବୁ ଠିଆ ହେଇବି ନଥାଏ l ମୁଁ ଖାଲି ହାତରେ ଘରକୁ ଫେରେ l ଦଶହରାର ଦଶଦିନ ଯାକ ଏମିତି ହିଁ ହୁଏ l କାଶତଣ୍ଡୀ ଫୁଲ ତୋଳିକି ଆଣିବା ଅପେକ୍ଷା ଦେଖିବା ପାଇଁ ମୋତେ ବେଶୀ ଭଲଲାଗେ l

 ଆଜି ସେ ସ୍କୁଲ୍ ଦିନ ନାହିଁ କି ସେ ପିଲାଦିନର ଦୁଷ୍ଟାମୀ l ଭବିଷ୍ୟତ ଗଢିବାର ବ୍ୟସ୍ତତାରେ ମୁଁ ଅନେକ ବର୍ଷ ହେବ ମୋ ଗାଁ କୁ ଯାଇନି l ସେ ନଈ ଧାରେ କାଶତଣ୍ଡୀ ଫୁଲ, ଦଶହରା ଛୁଟିରେ ଦୁଷ୍ଟାମୀ, ସାଙ୍ଗ ମାନଙ୍କ ସହ ଝଗଡା, ଗାଁ ଯାତ୍ରା, ପୁଣି ଦଶହରାର ଦଶଦିନ ଯାକ ସନ୍ଧ୍ୟା ରେ ଅମରୀ ଛାଟରେ ମାଡ଼ l ଆଜି ସବୁ କିଛି ସ୍ମୁତି l ବୋଉ କହୁଥିଲା ମୁଁ ବଡ ହେଲେ ମୋତେ କେହି ଆଉ ବାଡ଼େଇବେନି ମୁଁ ମୋ ଇଚ୍ଛାରେ ବୁଲିବି l ହେଲେ ଏବେ ବଡହେଲା ପରେ ବୁଝୁଛି ଏବେ ପିଲା ଚୋର ନୁହେଁ ଇଜ୍ଜତ୍ ଲୁଟେରା ମାନଙ୍କ ଡର ବେଶୀ l ଅଟୋ ଵାଲା ଏବେ ମୋ ଜାଗାରେ ନେଇ ପହଞ୍ଚେଇ ସାରିଥିଲା ଆଉ ମୋ ମନ ଅତୀତ ପାଖରୁ ଫେରି ଆସିଥିଲା

ସେ ଅତୀତ ଆଉ କେବେ ଫେରିବନି ଏହା ଜାଣି ମଧ୍ୟ ମୁଁ ବାରମ୍ବାର ପାଖରେ ପାଇବା ପାଇଁ ଚାହେଁ ମୋର ସେ ଅଝଟିଆ ପିଲାଦିନକୁ l ସେ ଆଶ୍ୱିନମାସ ସନ୍ଧ୍ୟା ଖାସ୍ ଫେରନ୍ତାକି ।



Rate this content
Log in