Chittaranjan Nanda

Others

3  

Chittaranjan Nanda

Others

କାର୍ତ୍ତିକ ପୂର୍ଣ୍ଣିମାବୋଇତ ବନ୍ଦାଣ

କାର୍ତ୍ତିକ ପୂର୍ଣ୍ଣିମାବୋଇତ ବନ୍ଦାଣ

2 mins
360



ମନେ ପଡେ ଆଜି ଉତ୍କଳର ବୋଇତ ବନ୍ଦାଣ କଥା.ରହି ଅଛି କାର୍ତ୍ତିକ ପୂର୍ଣ୍ଣିମା ବାଲିଯାତ୍ରା ସ୍ମୃତିର କେତେ ପ୍ରଥା. ଉତ୍କଳ ମାତାର ସାଧବ ପୁଅ କରୁଥିଲା କେତେ କାରବାର ଲଙ୍ଘି ତେରନଦୀ ପାରାବାର. ଆଷାଢ଼ ମାସରେ ଯାତ୍ରା ଆରମ୍ଭିଣ ଜାଭା ସୁମାତ୍ରାକୁ ଯାଇ ଆସୁଥିଲା ଧନ ଦଉଲତ ନେଇ. ଉତ୍କଳର ସୌଦାଗର ସନ୍ତାନ ମାନେ କେବଳ ମସଲାରେ ଭରା ଦ୍ଵୀପପୁଞ୍ଜ ପର୍ଯ୍ୟନ୍ତ ଯାତ୍ରା କରୁଥିବା ସୌଦାଗର ନଥିଲେ. ସେମାନେ ଥିଲେ ପଥଚାରୀ ବଣିକ ଏବଂ ତାଂକର ପଣ୍ୟ ସାମଗ୍ରୀ ବୋହି ନେଉଥିବା ଅସଂଖ୍ୟ ପଶୁଙ୍କ ପଦପାତ ଶବ୍ଦରେ ମୁଖର ହୋଇ ଉଠୁଥିଲା ଶ୍ୟାମ, ବ୍ରହ୍ମଦେଶ, ଚମ୍ପା, ଚୀନ, ତିବ୍ବତର ଦୁର୍ଗମ ଗିରିପଥ. ଜାଭା, ସୁମାତ୍ରା, ବାଲି ଦେଶକୁ ସେ ମେଲାଇ ଦେଉଥିଲେ ବୋଇତ. ମନେ ପକାଉଛେ କାର୍ତ୍ତିକ ମାସର ପୁନେଇଁକୁ ସମୁଦ୍ର ଜୁଆରପାଣି, ନଦୀମୁହାଁଣକୁ ଆସି ଥିବାରୁ ଜଳର ଗଭୀରତା ବଢି ଥାଏ. ନଦୀଵକ୍ଷରେ ଗୋରାପ ମେଲିବାର ସମୟ ଆସି ଯିବ ଏବଂ ଏଇ ମହାର୍ଘ ସମୟରେ ସଜ ହେଉଥିଲା ଓଡ଼ିଆ ସାଧଵପୁଅ, ସାତ ଦରିଆ ପାରି ହୋଇ କେତେ ଦୂର ଯିବ ସେ ! ଅନିଶ୍ଚିତ ଭବିଷ୍ୟତରେ ନଥିଲା ଦକା ନା ଶଙ୍କା ! ସେ ଯେ ସାଧଵ ! ମା' ମଙ୍ଗଳା ଅଛନ୍ତି ପରା, ଡର କାହାକୁ ! ସାଧବପୁଅ ବିଦାୟ ନେବ ପ୍ରାଣପ୍ରିୟା ପତ୍ନୀଠାରୁ, ପରିବାର ଠାରୁ.ସ୍ବାମୀ ଚାଲିଯିବ ଦରିଆ ପାରିକୁ ନିଜର ବୋଇତ ନେଇ. ସାଧବ ବୋହୁଟି ଦିନ କାଟିବ ତାର ଫେରିବା ବାଟକୁ ଚାହିଁ. ସ୍ବାମୀର ମଙ୍ଗଳ  କାମନା କରି ଭଲରେ ଭଲରେ ଫେରିଆସିବ ପ୍ରିୟ ତାର ବେପାର ବଣିଜ କରି. ହୃଦୟରେ ଵିଚ୍ଛେଦର କୋହକୁ ଲୁଚାଇ, ମୁହଁରେ ହସ ଫୁଟାଇ, ସାଧବାଣୀ ବନ୍ଦାଣ କରି ଶୁଭ ମନାସି ବିଦାୟ ଦେଉଥିଲା ପତିଙ୍କୁ ଆକାମାଵୈ ପାନ ଗୁଆ ଥୋଇ, କଜ୍ଜଳ ସିନ୍ଦୂର ମାଖି ଏବଂ ମାସକ ଧରମ ଦାନ ପୂଣ୍ୟ କର୍ମ ଧର୍ମର ଡଙ୍ଗାରେ ରଖି. ସାଧବ ବି ବୁଝିପାରୁଥିଲା ସଭିଙ୍କ ମନର ଭାଷା ! ଵୋଧ ଦିଏ ସମସ୍ତଙ୍କୁ ! ଦିଅଁଙ୍କ ନାଁ ନେଇ ଆଗେଇ ଯାଏ ବୋଇତ ଆଡ଼କୁ ଏକମୁହାଁ ହୋଇ ! ପଛରେ ରହିଯାଇଥିବା କେଇଯୋଡା ଭରା ଆଖିକୁ ସାମ୍ନା କରିବାର ସାହସ ନଥାଏ ତା'ର ! ଶାନ୍ତ ସାଗର ବୁକୁରେ ବି ଝଡ଼ ଆସେ. ଆଗତ ଭଵିଷ୍ୟତର କଳ୍ପନାରେ ମନ ହୁଏ ଆନମନା ! ଆଶାର ସଞ୍ଚାର ହୁଏ ସେଇ ଦୁକ୍ ଦୁକ୍ ହୃଦୟର ସ୍ପନ୍ଦନ ଭିତରେ ! ସାଧବ ପୁଅର ଓଠରେ ହସ, ମନରେ ଆଗେଇ ଯିବାର ଭାବ ଥାଏ ! ସେ କଳିଙ୍ଗା ସାହସିକା ସାଧବପୁଅ, ହାରିବା ଶିଖିନି ! ଧୈର୍ଯ୍ୟ ଓ ସାହସର ସହ ଲଢ଼ି ଲଢ଼ି ପ୍ରତିହତ କରେ ଯେତେ ସବୁ ପ୍ରତିକୂଳ ପରିସ୍ଥିତିକୁ. ଆଗେଇ ଚାଲୁଥିଲା ତାର ବୋଇତ, ସାଗରର ସ୍ରୋତକୁ କାଟି କାଟି . . କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ ବାଲି ଦ୍ଵୀପକୁ ଯାତରା ସ୍ମୃତିକୁ ଆଜି ଯାଵୁଡି ଧରିଛି ଉତ୍କଳୀୟ ପରମ୍ପରା. ପ୍ରତ୍ୟୁଷରୁ ସ୍ନାନ ସମାପନ କରି କଦଳୀର ପାଟୁକାରେ ଡଙ୍ଗାଟି ତିଆରି କରି ବନ୍ଦାପନା କରି ଭସାଉଛେ ଜଳରେ. ଅବଶ୍ୟ, ସେହି ପୂରୁବ ଐତିହ୍ୟ ଆଜି ଲୁପ୍ତ ପ୍ରାୟ. ସ୍ମୃତିରେ ଯା ରହିଛି ଖାଲି. ସେ ଦିନ ଚାଲି ଯାଇଛି ଛାଡ଼ିଦେଇ ଚିହ୍ନ ତାର ସାକ୍ଷୀ, ସେଇ ନଦୀପଠା ବାଲି.

ଏହି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ପୁଣ୍ୟ ଅବସରରେ ସେମାନଂକ ଚରଣରେ ଆଜି ଅର୍ପଣ କରୁଛି ସଶ୍ରଦ୍ଧ ଅର୍ଘ୍ୟ. ।


Rate this content
Log in