କାଳିଜାଈ
କାଳିଜାଈ
କିଛିବି ବଦଳିନି କି ବଦଳିବାର ସମ୍ଭାବନା ବି ନାହିଁ। ନୀରବ ନିଶ୍ଚଳ ସଦୃଶ ଆଜି ବି ଚିଲିକା ର ଗଭୀର ଜଳରାଶି ମରୀଚିକା ପରି ଚାହିଁରହିଛି ନିଜର ଅଶାନ୍ତ ବୁକୁ ରେ ପୁଣ୍ୟ ଆତ୍ମାର ପ୍ରଦୀପ କୁ ପ୍ରଜ୍ବଳନ କରିବା ପାଇଁ। ନାହିଁ ନଥିବା ହୃଦୟ ବିଦାରକ ପରିସ୍ଥିତି ର ସାମ୍ନା କରିଛି ସମଗ୍ର ମାନବ ସମାଜ।
ଗୋଟିଏ ଅକାତକାତ ଗଣ୍ଡର କଳା ମଚମଚ ପାଣି ତା ଭିତରେ ମୁଁହ ଲୁଚେଇ ବସି ରହିଛନ୍ତି ଅନେକ ସାମୁଦ୍ରିକ ଜୀବ,ପଥର , ଟାପୁ...... ହଠାତ୍ ଆକାଶ ରେ ଘୋଟି ଆସେ ମେଘମାଳ ର ବେଦନା ଭରା ଷଡଯନ୍ତ୍ର ! ସତେ ଯେପରି ମେଘମାଳ ଆସିଥିଲା ମୃତ୍ୟୁ ର ତାଣ୍ଡବ ରଚନା କରିବା ପାଇଁ.....ଗଣ୍ଡ ର ଗର୍ଭ ଦେଶରେ ନିଜର ମାୟବିନି ଜାଲ କୁ ବିଛାଇ ଦେଇ ସତେ ଯେପରି ଆଢ଼ୁଆଳରେ ଲୁଚି ରହିଥିଲା ଏସବୁ କୁ ଉପୋଭୋଗ କରିବା ପାଇଁ ।
କଣ ଏତିକି ଯଥେଷ୍ଟ ନଥିଲା କାହାର ସ୍ବପ୍ନ କୁ ଭାଙ୍ଗିଦେବା ପାଇଁ..? କଣ ଏତିକି ଯଥେଷ୍ଟ ନଥିଲା ରୋଧିଦେବା ପାଇଁ ଜୀବନ ର ନୌଯାତ୍ରା କୁ...? କଣ ଏତିକି ଯଥେଷ୍ଟ ନଥିଲା ପରିବାର ଠାରୁ ସବୁଦିନ ପାଇଁ ଅଲଗା କରିବାର ବିଧିବଦ୍ଧ ହତ୍ୟା? ଏହା ତ ଥିଲା ପ୍ରକୃତି ର ଏକ ଘୃନ୍ୟ ଷଡଯନ୍ତ୍ର....!!
ଆଜି ସେ ନିଜକୁ ନିଜେ ପ୍ରଶ୍ନ ପଚାରୁଛି ସତରେ କଣ ମୋ ଅଜାଣ ତ ରେ ମୋ ଭାଗ୍ୟ ର ସିଲଟରେ କିଏ ଲେଖିଯାଇଛି "ଦୁହିତା ଦୁଇ କୂଳ କୁ ହିତା"
ସତରେ ମୁଁ କଣ ଦୁଇ କୂଳ ପାଇଁ ଜନ୍ମ ନେଇଥିଲି । ତାହେଲେ ବିଧିର ବିଧାନ ଏତେ କୋଠର ପାଷାଣ ସଦୃଶ କେମିତି ବସିରହିଛି।
ବେଳେବେଳେ ଭାବିଛି ଉତାରି ଦେବି ଦେହରୁ ଏ ମହନୀୟତାର ପଗଡ଼ି କୁ ଯାହା ପ୍ରତି ମୁହୂର୍ତ୍ତରେ ମତେ ମାରି ଚାଲିଛି ମୋ ଭିତରେ କୋଉ ଅଜଣା ରୋଗ ପରି । ମୁକ୍ତ ଆକାଶ କୁ ଅନାଇକି କହିବି ନିଅ ମୁଁ ଫେରାଇ ଦେଲି ପୃଥିବୀ ର ସବୁ ସହନଶୀଳତା କୁ....କାରଣ ଏହା ଏବେ ଅସହ୍ୟ ମୋ ପାଇଁ!ମୋର କୋମଳ ଶରୀର ରେ ଆଉ ଶକ୍ତି ନାହିଁ ତାର କଷଣ ସହିବାକୁ ...ମୁ ଏବେ ନିରୁପାୟ
ନିଅ ମୁଁ ଏବେ ଫେରାଇ ଦେଲି ଫୁଲପରି ମୋର କୋମଳ ଶରୀର ଆଉ ଆତ୍ମା କୁ କାହିଁକିନା ମୋ ଦେହ ଏବେ ପାଷାଣ ପରି ଶକ୍ତ । ନିଅ ମୁଁ ଫେରାଇ ଦେଲି ଅଶାନ୍ତ ସୁନୀଲ ଗଗନ ଆଉ ମୋର ଧର୍ଯ୍ୟ ନାହିଁ ଡେଣା ଝାଡିଝାଡି ଉଡିବାକୁ ଏବେ ମୁଁ ସାଦାସିଧା ନାରୀ ଟିଏ!ସୁନୀଲ ଆକାଶ ଠୁ ପ୍ରିୟ ଏବେ ମୋର ପଞ୍ଜୁରିର ସୀମିତ ଗୃହ......!
ଏବେ ମୁଁ କାହାର ଭଗିନୀ, ଜନନୀ, ଜାୟା ନୁହେଁ...ନିଅ ମୁଁ ତୁଟେଇଦେଲି ସବୁ ଚୁକ୍ତି ଆଉ ସ୍ୱାକ୍ଷର,ମୋହ ଆଉ ମାୟା । ମୁଁ ବୁଝିପାରେନି କାହିଁକି ମୋର ଏକ ନିର୍ଦ୍ଧିଷ୍ଟ କୂଳ ନଥାଏ।ପ୍ରତି ମୁହୂର୍ତ୍ତ ରେ ମୁଁ ନୂତନ କୂଳ ର ସନ୍ଧାନ ରେ ବାହାରିଯାଏ । ସେ କୂଳ ରୁ ଏ କୂଳ ଏ କୂଳ ରୁ ସେ କୂଳ ଦୁଇ କୂଳ ର ହିତ ପାଇଁ ଜୀବନ କୁ ମୁଁ ସମର୍ପିତ କରିଦିଏ.... ପ୍ରତି ମୁହୂର୍ତ୍ତରେ ଅଗ୍ନିପରୀକ୍ଷା ର କଷଣ ସହିବାକୁ ପଡେ....।
କାହିଁକି ସମାଜ ଭାବିନିଏ ନାରୀର କିଛି ମନ ନାହିଁ ଆଶା ଅଭିଳାଷ ନାହିଁ! କାହିଁକି ସମାଜ ନାରୀ କୁ ଦେବୀ ର ଦରଜା ଦେଇଛି କଣ ନିୟତି ର କଷଣ ସହିବାକୁ ନା ସମାଜ ର ତାଡନା ସହିବାକୁ????
ସେମିତି କିଛି ଇଚ୍ଛା ଆଉ ଅଭିଳାଷ ନାହିଁ ମୋର କୋଉ ଅଜଣା କୂଳର ମଙ୍ଗଳକାମନା କରିବାକୁ ତଥାପି ନିୟତି ଆଗରେ ହର ମାନିଛି ମୋର ସବୁ ଇଚ୍ଛା ଆଉ ଆବେଗ ମୁଁ ନିରୁପାୟ ପରିସ୍ଥିତି ପାଖରେ ସମାଜ ପାଖରେ ଓ ନିଜ ପାଖରେ ମଧ୍ୟ ।
ସେଥିପାଇଁ ଡଙ୍ଗା ରେ ବସିଲା ବେଳେ ମନର ଦୁଃଖ କୁ ସେଠି ହିଁ ମାରିଦେଇଥିଲି କାହିଁକିନା ମୁଁ ପରା ଦୁହିତା ଦୁଇ କୂଳ ପାଇଁ ମୋର ଜୀବନ...ବୋଉ କୁ କହି ଯାଇଥିଲି ଆଉ ମତେ ନଖୋଜିବା ପାଇଁ ।
ହଠାତ ଅଶାନ୍ତ ବୁକୁଚିରୀ ମେଘର ଗର୍ଜନ ରେ ପ୍ରକମ୍ପିତ ହୁଏ ଚତୁର୍ଦ୍ଦିଗ....ନାହିଁ ନଥିବା ପବନ ସାଙ୍ଗକୁ ଘଡ଼ଘଡି ର ରଣହୁଙ୍କାର ଶବ୍ଦ ରେ କମ୍ପି ଉଠିଥିଲା ଭୂଭାଗ । ହଠାତ ଗଭୀର ଗଣ୍ଡଦେଶ ରେ ଡଙ୍ଗା ଥଳକୂଳ ନପାଇଁ ପଲଟି ଗଲା ଓ ନାଉରିଆ ନିଜର ଜୀବନ ବଞ୍ଚାଇବାକୁ ଅତି ନିର୍ଦ୍ଦୟ ଭାବରେ ମତେ ଛାଡ଼ିଦେଇ ଚାଲିଗଲା ।
ମେଘ କୁ କହିଛି ଏମିତି ଅଚାନକ ଆସିବୁନି କିଛି ସୂଚନା ନିଶ୍ଚିନ୍ତ ଦେବୁ । ପବନ କୁ କହିଛି ଏଥର ଧିରେ ଧିରେ ବହିବୁ ତୋର ଜ୍ଵାଳା ଶରୀର ରୋଧି ଦେଉଛି । ନାଉରିଆ କୁ କହିଛି ଡଙ୍ଗା କୁ ଏମିତି ଛାଡ଼ି ଛତ୍ର ଭଙ୍ଗଦେଇ ଦେଇ ଯିବାର କିଛି ପ୍ରୟାସ ନକରିବା ପାଇଁ ।ବାପା ଙ୍କୁ କହିଛି ଫେରିଯାଇ ଗାଁ ରେ କହିବ ଦୁଇ କୂଳର ହିତ ପାଇଁ ଯାଇଥିବା ଦୁହିତା ଆଜି ଅଜଣା ରାଇଜର ବାସିନ୍ଦା ହେଇସାରିଛି ।
ନିଜ ରାସ୍ତା ନିଜେ ବାଛି ସାରିଛି ମୃତ୍ୟ ର ପାଦଦେଶ ରେ ପାଦ ରଖିସାରିଛି କାହିଁକି ନା ମୁଁ ପରା ଦୁହିତା.....
ଅଜଣା ବେଦନା ରେ ମୁଁ ଆଜି ଜର୍ଜରିତ ...ଅକୁହା ବ୍ୟଥା ଅନ୍ତର କୁ ଫାଡ଼ି ବିଳାପ ଓ ତାଡନା ର ପ୍ରତିଧ୍ଵନି କୁ ସମସ୍ତ ଙ୍କ ପାଖରେ ପହଞ୍ଚାଇବାକୁ ବ୍ୟାକୁଳ ହେଉଛି....ଆଜି ବି ଗୁମୁରି ଗୁମୁରି କାନ୍ଦୁଛି ଆଉ ନାରୀ ହେବା କଣ ସତରେ ଭୁଲ ନା ନାରୀ କୁ ଦେବୀ ର ଦରଜା ଦେଇ କଷ୍ଟ ଦେବା ଭୁଲ....ନା ନାରୀ କୁ ଦୁହିତା ର ଆଖ୍ୟା ଦେଇ କୂଳ ର ଉଦ୍ଧାର କରିବା ଭୁଲ ...ତାହେଲେ ଭୁଲ ଆଉ ଠିକ୍ କୋଉଟା ମୋର ଜନ୍ମ ନା ମୋର ମୃତ୍ୟୁ ??
ପାଣିର ଗଭୀର ଦେଶରେ ନିସ୍ତେଜ୍ ଭାବରେ ପଡିରହିଥିବା ପଥର ଆଉ ପାହାଡ ମାନଙ୍କୁ କହୁଛି ଧିରେ ଧିରେ ଉଠି ଆସିବୁ ଗଣ୍ଡଦେଶ ଦେଇ ଆଉ ସମସ୍ତେ ଦେଖିବେ କେମିତି ମୁଁ ମୋ ନିଜ ଖୁସିରେ ଡେଇଁ ପଡୁଛି ବାରମ୍ବାର ପାଣି ଭିତରକୁ ନିଜ କୂଳ ନିଜେ ଖୋଜିବାକୁ ।
ବହୁତ କଷ୍ଟ ଆଉ ଯନ୍ତ୍ରଣା ହେଉଛି କିନ୍ତୁ କଣ କରିବି ବୋଉ ମତେ କହିଥିଲା ତୁ ପରା ଦୁହିତା ସବୁ କଷ୍ଟ ଆଉ ଯନ୍ତ୍ରଣା ସହିବାକୁ ତୁ ବାଧ୍ୟ....ତୋର ଏ ଶରୀର ଆଉ ଆତ୍ମା କୂଳ ର ଆଉ ସମାଜ ର ମଙ୍ଗଳ ପାଇଁ....ତେଣୁ ମୁଁ ବି ଆଜି ନୀରବ ଆଉ ନିଶ୍ଚଳ ଓ ନିସ୍ତେଜ୍ ପଥର ସଦୃଶ ଗଭୀର ଗଣ୍ଡଦେଶ ରେ ବସି ରହିଛି ଆଉ ଦେଖୁଛି ସମାଜ କୁ ଓ ତାର ଦୁଇକୂଳ ହିତ ର କାହାଣୀ ।।
