ହୁଅ ନୁଆ ଦୁନିଆର କର୍ଣ୍ଣଧାର
ହୁଅ ନୁଆ ଦୁନିଆର କର୍ଣ୍ଣଧାର
ସୃଷ୍ଟି ସହିତ ଶବ୍ଦର ସୃଷ୍ଟି. ଶୀଳା ଲେଖା ପରେ କ୍ରମଶଃ ଲେଖନୀ ମୁନରେ, ପରକଲମରେ, କାଠ କଲମରେ, ଝର କଲମରେ, ଡଟ କଲମରେ, ବଲ କଲମରେ ଟାଇପ ରାଇଟରରେ, ଛାପା ଖାନାରେ ପୁଣି ଏବେ ମୋବାଇଲ ଉପରେ ଟିପ ଛୁଆଁରେ ମନର ଭାବକୁ ଶବ୍ଦରେ ତରଙ୍ଗାୟିତ ହେଲେ ଆମେ ତାକୁ ସାହିତ୍ୟ ବୋଲି ରୂପ ଦେଉଛେ. ଶବ୍ଦ ରୂପରେ ସୃଷ୍ଟି ସହ ସୃଷ୍ଟିର ବିଭିନ୍ନ ରୂପକୁ ବିଭିନ୍ନ ବର୍ଣରେ ରୂପ ଦେଇ ଗଳ୍ପ, କବିତା, ନାଟକ ଅବା ପ୍ରବନ୍ଧର ନାମ ଦେଇ ସାହିତ୍ୟର ସୃଷ୍ଟି ହୋଇଛି. ସମୟର କାଳଚକ୍ର ଅନୁସାରେ ପରିବର୍ତ୍ତନ କରି ଏ ସବୁର ମାଧ୍ୟମରେ ସମାଜ "ସହିତ" ରହି ହିତ ସାଧନାରେ ବ୍ରତୀଥିବାରୁ ତାର ନାମ ହେଉଛି ସାହିତ୍ୟ.
କିଛି କୁହନ୍ତି ତ୍ରେତୟାରେ ରାମ ରାଜ୍ୟ ପରି ରାଜ୍ୟ ଆଉ କେଉଁ ଯୁଗରେ ନଥିଲା. ଦ୍ଵାପର ଯୁଗକୁ ଧରମ ଓ ଅଧର୍ମର ଯୁଦ୍ଧର ଯୁଗ ବୋଲି କହୁଛନ୍ତି. ବର୍ତ୍ତମାନ କଳିଯୁଗକୁ ଅଧର୍ମର ଯୁଗ ବୋଲି କହୁଛନ୍ତି. କିଏ କୁହେ ଏ ସଂସାର ମାୟାର ସଂସାର, ମିଥ୍ୟାର ସଂସାର ଆଉ ସ୍ୱାର୍ଥପରତାର ସଂସାର. କହିବାକୁ କାହାରିକୁ ମନା ନାହିଁ.
ମୁଁ ପ୍ରଶ୍ନ କରୁଛି କୁହ କେଉଁ ଯୁଗରେ ମଣିଷର ନିଜର ଅହଂ ପୂର୍ଣ୍ଣ ଜୀବନ ଶୈଳୀ ନଥିଲା? କେଉଁ ଯୁଗରେ ହତାଶ ନୈରlଶ୍ୟପୂର୍ଣ୍ଣ ଶୁଷ୍କ ଜୀବନ, ସୁଖ ଓ ଦୁଃଖ ନଥିଲା?
ସୃଷ୍ଟି ଆଦ୍ୟକାଳରୁ ଦେବତା ମାନଵ ଦୈତ୍ୟ ଅଛନ୍ତି ଓ ରହିବେ. ଦେବତାଙ୍କ ଗୁରୁ ବୃହସ୍ପତି ଦୈତ୍ୟଂକର ଶୁକ୍ରାଚାର୍ଯ୍ୟ ଭଳି ଗୁରୁ ଅଛନ୍ତି ଓ ରହିବେ. ରୋମ ନଗରୀରେ ମହା ଦାର୍ଶନିକ ଜ୍ଞାନୀ ପ୍ଲାଟୋ, ସକ୍ରେଟିସ, ଆରିଷ୍ଟୋଟଲ, ହେଗେଲ, କାର୍ଲ ମାର୍କସ୍ ଗାନ୍ଧୀ ଭଳି ଜ୍ଞାନୀ ରହିଥିଲେ ଓ ଉଭାହେବେ. ତାର ପ୍ରଭାବରେ ସାହିତ୍ୟର ପରିବର୍ତ୍ତନ ହୁଏ ଓ ହେବ. ଏହା ଧୃବ ସତ୍ୟ. ଏହି ସତ୍ୟକୁ ଯିଏ ଭୁଲି ଯାଏ, ସେ ପୁରୁଣା କୁସଂସ୍କାର ଚିନ୍ତାଧାରାକୁ ଧରି ଇତିହାସ ପୃଷ୍ଠାରେ ଲୁପ୍ତ ହୋଇଯିବ. ତାର ସାହିତ୍ୟ ସୃଷ୍ଟି ସମାଜର ହିତ ସାଧନରେ ବିନିଯୋଗ ହେବ ନାହିଁ. ତେଣୁ, ହେ ବର୍ତ୍ତମାନ ଓ ଭବିଷ୍ୟତର ସାହିତ୍ୟିକ ହୁଅ ସଭିଙ୍କର ଗୁରୁ. ତୁମର ଭାବନାରେ ଅନ୍ଧାରରୁ ଆଲୋକ ବର୍ତ୍ତିକା ବନି ହୁଅ ନୁଆ ଦୁନିଆର କର୍ଣ୍ଣଧାର.
