The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Mr.GAGAN BIHARI NAYAK

Others

3  

Mr.GAGAN BIHARI NAYAK

Others

ଗରିବର ହସ

ଗରିବର ହସ

5 mins
409


    ଆଦେଶନାମାରେ ନିଲମ୍ବନ ଆଦେଶ ଦେଇ, ଅଧିକାରୀ ହସୁଥିଲେ । ଦୁଃଖରେ ଭାଙ୍ଗି ପଡିଥିଲା ପିଅନ-ଶ୍ରୀଧର । ଭାଗ୍ୟ ଓ ଭଗବାନକୁ ଦ୍ଵାହି ଦେଉଥିଲା ବାରମ୍ବାର । ଅଧିକାରୀ ଭାବୁଥିଲେ ଏତେ ଦିନପରେ ଯେତେବେଳେ ଗୋଟିଏ ପୂଣ୍ୟ କାମ ମିଳିଛି ଯେତେବେଳେ ତାକୁ ହାତ ଛଡା କରିବେ କେମିତି । କାରଣ ସେ ଭାବୁଥିଲେ ସମାଜରେ ଏଇମାନେ ମଇଳା । ଏଇମାନଙ୍କ ପାଇଁ ସବୁ କାମ ବିଗିଡି ଯାଏ । ଏଇମାନେ ଅଧିକାରୀ ମାନଙ୍କ ନାମରେ ମିଛ ସତ କହି, ବାହାର ଲୋକମାନଙ୍କ ଠାରୁ ଧପେଇ ଚପେଇ ପଇସା କମେଇ ଧନୀବାନ ହୁଅନ୍ତି । ଅଧିକାରୀକୁ ବଦନାମ କରନ୍ତି । ଶେଷରେ ଧରେଇ ଦିଅନ୍ତି ଥାନା ପୋଲିସି ହାତରେ, ଭ୍ରଷ୍ଟାଚାରର କଳଙ୍କରେ କଳଙ୍କିତ ହୁଅନ୍ତି ଅଧିକାରୀ ଆଉ ସ୍ୱଳ୍ପ ଦରମାର ଚାକିରିଆ ଭାବି ସମସ୍ତେ ଦୟା କରୁଣାର ଆଶିଷ ବରଷାନ୍ତି ଏଇଭଳି ପିଅନମାନଙ୍କ ଉପରେ । ଚତୁରତାର ସହିତ ଖସି ଯାଇ ଉପର ମହଲାରେ ବେଶ ଭଲ ନାଁ‘ ରଖି ଖୁବ ସୁନା ପିଲା ହେଇଯାନ୍ତି । ଭ୍ରଷ୍ଟାଚାର ଆରୋପରେ ଛନ୍ଦି ହେଇ ଆମ ଭଳି ଆଦର୍ଶବାନ ଅଧିକାରୀ ବଡ ହନ୍ତସନ୍ତ ହେଇଥାନ୍ତି ।ଏଇ ମାନଙ୍କର ଚରିତ୍ରକୁ ସଫାସୁତୁରା କରିବାକୁ ବାପୁ ବୋଧେ ଦେଖୁଥିଲେ ସ୍ଵଛ ଭାରତ ନିର୍ମାଣର ସ୍ଵପ୍ନ ।

        ଶ୍ରୀଧର ବାର ମ୍ବାର ପଢୁଥିଲା ଆଦେଶନାମା ଆଉ ବୁଝୁଥିଲେ ଲେଖାଥିବା କେଇଟା ଅଙ୍କାବଙ୍କା ଅକ୍ଷରରେ କିଛି ଶବ୍ଦ ଶବ୍ଦାବଳୀର ବର୍ଣ୍ଣମାଳା ଭିତରେ ତା’ ଅନ୍ଧକାରାଚ୍ଛନ୍ନ ଅନ୍ନ ସଂସ୍ଥାନର ଜୀବନ ଓ ଜୀବିକା । ଆସନ୍ନ ବିଷର୍ଣ୍ଣତା ଭିତରେ ତା’ ସୁନ୍ଦର ଗୋରା ଚେହେରା ବିବର୍ଣ୍ଣ ହେଇ ଯାଇଥିଲା । ସେ ଦେଖୁଥିଲା ନିଜକୁ ଓ ଆତ୍ମବିଶ୍ଵାସ ସହିତ କାମ କରି ଆସିଥିବା ତା’ ଉଚ୍ଚ ଅଧିକାରୀର କଠୋର ଆନୁଶାସନିକ ଶାନ୍ତିର କାର୍ଯ୍ୟ।ନୁଷ୍ଠାନ ପଦକ୍ଷେପକୁ । ଅନେକ ରାତି ଆସିଛି । ସେ କେବେ ଅନୁଭବ କରିନି ଅନ୍ଧାର । ଦିନ ସରିଛି ସେ କେବେ ଦେଖି ନାହିଁ ସୁଖର ଆଲୋକ । ଦୁଃଖ ସୁଖ ଭରା ଛାଇ ଆଲୁଅର ଲୁଚକାଳୀ ଭିତରେ ସେ ଓ ତାର କର୍ମମୟ ଜୀବନ । ଶିଥିଳ କ୍ଳାନ୍ତ ଅବୟବ ଦେହଟା କେତେବେଳେ ତା,ର କର୍ମ ଅବ୍ୟବହିତ ପରେ ଲୋଟିପଡେ ସେଇ ଦୋଳାୟମାନ ନଡ଼ିଆ କତା ରସିର ବୁଣା ଦଉଡିଆ ଖଟିଆ ଉପରେ । ସେ ଜାଣି ପାରେନା । ଆଖି ବନ୍ଦ କଲେ ଅନ୍ଧାର ଭିତରେ ହଜି ଯାଏ ତାର କର୍ମକ୍ଳାନ୍ତ ଶରୀରଟା । ଆଖି ଖୋଲିଲା ବେଳକୁ ସକାଳର ସୂରୁଜ ଓ କାକଳିର ସଙ୍ଗୀତ । ତାପରେ ନସର ପସର ହେଇ ନଈରେ ବୁଡ ପକେଇ ଦେଇ ସେଇ ଝାଳ ନାଳରେ ଭିଜି ଥିବା ପେଣ୍ଟ ସାର୍ଟ ଦିଟା ପିନ୍ଧି ଆପଣାର ପ୍ରିୟ ସାଇକେଲଟି ଧରି ଅଫିସିକୁ ଦଉଡିବାର ନିତିଦିନିଆ କାମ । କିନ୍ତୁ ଆସନ୍ତା କାଲି ଠାରୁ ତାହା ଆଉ ହେବନି । କିଏ ଜାଣେ କଣ ଘଟିବ । ଏମିତି ଅନେକ କିଛି ଭାବି ଚାଲିଥିଲା-ଶ୍ରୀଧର ।

      ଅନେକ ଦିନ ଧରି ସେଇ ସଂସ୍ଥାରେ ସେ କାମ କରି ଆସିଛି । ଅଫିସିର ପାଣି ପବନ ସବୁ ଚିହ୍ନି ଯାଇଛନ୍ତି । କେମିତି ତାଙ୍କୁ ପର କରି ରହିବ ସେ । ଏଇକଥା ତାକୁ ବଡ ଦୁଃଖସାଗରରେ ବୁଡେଇ ରଖିଥିଲା । ସେ ଜାଣେ, ତାକୁ ସମସ୍ତେ ଭଲ ପାଆନ୍ତି । ଚର୍ଚ୍ଚିତ ନାଆଁ ଓ ପରିଚିତ ଚେହେରା । ତାପରେ ଉଚ୍ଚ ଶିକ୍ଷିତ କର୍ମବୀର-ଶ୍ରୀଧର । ଉଚ୍ଚାଭିଳାଷର ସ୍ଵପ୍ନ ନାହିଁ, କିନ୍ତୁ କର୍ମର କଷଟି ପଥରରେ ସେ ପରୀକ୍ଷିତ ଚରିତ୍ରଟିଏ । ଶିକ୍ଷାଗତ ଯୋଗ୍ୟତାର ମାଇଲଖୁଣ୍ଟକୁ ଧୀରେ ଧୀରେ ଅତିକ୍ରମ କରି ସେ ଆଜି ପହଞ୍ଚିଛି ପୋଷ୍ଟ-ଗ୍ରାଜୁଏଟ ଲକ୍ଷସ୍ଥଳରେ । ହେଲେ ଯେଉଁଠି ଭ୍ରଷ୍ଟ-ଚରିତ୍ରମାନେ ନଗ୍ନ ନୃତ୍ତ୍ୟ କରନ୍ତି । ସେଠାରେ ଶ୍ରୀଧର ଭଳି ସତ-ଚରିତ୍ରମାନଙ୍କୁ ପଚାରେ କିଏ । ସେ କେବଳ ଗୋଟିଏ ପିଅନ । ବାଶ-ଏଇ ତାର ସ୍ଵଛ ନିଷ୍କପଟ ପରିଚୟ ଟିଏ । ସେ ଜାଣେ, ଯେଉଁଠି ମହାନ ଦାର୍ଶନିକମାନଙ୍କ ସନ୍ଦର୍ଭକୁ ନକଲ କରି ନେଇ ନିଆଯାଇ ନିଜ ନାମରେ ନାମିତ କରି, ସମ୍ମାନିତ ଡକ୍ଟୋରେଟ ଉପାଧି ହାସଲ କରି ସର୍ବେ ସର୍ବା ହେବାର ପାଇଁ ପ୍ରବଳ ପ୍ରତିଯୋଗୀତା । ସେଇ ଦେଶରେ ସେ ଜଣେ ସଚ୍ଚା ମଣିଷ ପଣିଆ ନେଇ ବଞ୍ଚିଛି ସେଇ ତାର ସବୁଠାରୁ ବଡ ଯୋଗ୍ୟତା ଓ ଦେଶର ମାନ୍ୟତା । ଯେଉଁ ମାନ୍ୟତା ଦେଇଛନ୍ତି ଏ ଦେଶର ସମଗ୍ର ଜନତା । ଦି’ ପାଦ ଭୁଇଁ ଚେନାଏଁ ଆକାଶ ସବୁ ଦିନ ପାଇଁ ତ କେବଳ ତା’ର । ଜନ୍ମ ସିଧ୍ୟ ଅଧିକାର । 

        ବେଳେ ବେଳେ ଭାବ ପ୍ରବଣ ହେଇ ଉଠେ ତାର ମନ । ପାଗଳାମି ପ୍ରଳ।ପ ଭିତରେ ଲୁଚି ରହିଥିବା ନିଜ ଅନ୍ତରର କଥା କହି ବୁଲେ କେତେ କାହାକୁ । କହିଲା ବେଳେ ସେ ଟିକେ ହସେ କହେ-‘’ମୁଁ ପିଅନ । କିନ୍ତୁ ମୁଁ ସତରେ କଣ ପିଅନ । ମୋତେ ପିଅନ କରି ରଖା ଯାଇଛି । କାରଣ ମୋତେ ମୂଲ୍ୟାଙ୍କନ କରିପାରୁ ନଥିବା ଲୋକଟି ହିଁ ପିଅନ ଯୋଗ୍ୟତା ଠାରୁ ବୋଧେ ନିମ୍ନ ।‘’ ବ୍ରିଟିଶ ସମୟର ଶୁଣା କଥାକୁ କହି ବୁଲେ– ଦିନେ,ଭାରତର କିଛି ଲୋକଙ୍କୁ ବ୍ରିଟିଶ-ଇଣ୍ଡିଆ ସରକାର, ନ୍ୟାୟାଳୟରେ ନିଯୁକ୍ତି ନ ଦେଇ, ବିଚାରଗତ ଅକ୍ଷମତା ଦର୍ଶାଇ, କେବଳ କିରାଣୀ ହେବାର ନିଯୁକ୍ତିକୁ ପ୍ରାଧାନ୍ୟ ଦେଉଥିଲା, ଆଉ ସେ ସେଇ ଦେଶର ଜନତା କିଏ ତାର ଚରିତ୍ରକୁ ମୂଲ୍ୟାଙ୍କନ କରିବ । ନିଜ ମନକୁ ବୁଝେଇ ଦିଏ । ତଥାପି କାରଣ ନ ଦର୍ଶାଇ ସେ ଆଜି ଉଚ୍ଚ ପଦବୀ ମିଳିବା ପରିବର୍ତ୍ତେ ନିଲମ୍ବନ ଆଦେଶ । ହତଭାଗା ପିଅନ ଶ୍ରୀଧର ଭାଙ୍ଗି ପଡିଛି । ନିଲମ୍ବନ ଆଦେଶକୁ ବାରମ୍ବାର ପଢୁଛି ।

         ଏମିତି ଏକ ହତାଶର ଧୂଳିଝଡ ଭିତରେ ସେ କୂଳ କିନାରା ପାଉ ନ ଥିବା ବେଳେ, ହଠାତ କାର୍ଯାଳୟ ପରିଦର୍ଶନରେ ଆସି ପହଞ୍ଚିଛନ୍ତି ବିଭାଗୀୟ ମନ୍ତ୍ରୀ ଓ ଉପରିସ୍ଥ ସର୍ବୋଚ୍ଚ ଅଧିକାରୀ । ସମସ୍ତେ ଚଳଚଞ୍ଚଳ ହେଇ ଉଠିଲେ । କିଛି ଜାଣିବା ଆଗରୁ ଆଗନ୍ତୁକ ଅଧିକାରୀ ମାଗୁଥିଲେ କିଛି ଗତ ବର୍ଷର ହିସାବ। ଅଫିସିର ତଳ ପାହାଚରେ ବସି ଶ୍ରୀଧର ଦେଖୁଥିଲେ ତା’ ଉଚ୍ଚ ଅଧିକାରୀର ଚରିତ୍ରରେ ଥିବା କାର୍ଯ୍ୟ ଦକ୍ଷତାର ନୀଚ କାରିତା ।

        ମନ୍ତ୍ରୀ ମହୋଦୟ ଉପବେଶନ କରି ପଢୁଥିଲେ ଖବର କାଗଜ । ଖେଳ, ବାଣିଜ୍ୟ ଓ ଅନ୍ୟାନ୍ୟ ବିଷୟ ପଢିବା ପରେ ତାଙ୍କ ଆଖିଟି ଲାଖି ଯାଇଥିଲା ଗୋଟିଏ କବିତାଂଶରେ । ସାହିତ୍ୟାନୁରାଗୀ ମନ୍ତ୍ରୀ ତା’ର ମାର୍ମିକ ଅର୍ଥ ବୁଝିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସଠିକ ଉତ୍ତର ପାଇବା କଷ୍ଟ ସାଧ୍ୟ ଥିଲା । ଏମିତି ଏକ ଲେଖା ଥିବା କବିତା ଉପରେ ତାଙ୍କ ଆଖି ପଡିଲା । ସେ ତାକୁ ପଢିବାକୁ ଆରମ୍ଭ କରିବା ପୂର୍ବରୁ ଖୁସିରେ ହସି ଉଠିଲେ । କାରଣ କବିତାତିର ଲେଖକ ଥିଲେ – ଶ୍ରୀଧର ଆଉ ଠିକଣା ଥିଲା ତାଙ୍କ ନିଜ ବିଭାଗର । କବିତାଟିର ବିଷୟ ବସ୍ତୁ ଯାହା ହେଉନା କାହିଁକି ଶୀର୍ଷକ ଥିଲା- ‘’ଗରିବର ହସ’’ । କୌତୁହଳ ବଶତଃ ଓ ଆଗ୍ରହ ସହିତ ପଢିବାକୁ ଲାଗିଲେ ରଚିତ କବିତାଟି । ବେଶ ଉପାଦେୟ ସାମାଜିକ ଧର୍ମୀ କବିତା । ତାଙ୍କ ପଛପଟେ ଠିଆ ହୋଇ ନିରୀକ୍ଷଣ କରୁଥିଲେ ସଚିବ ମହୋଦୟ । ଶ୍ରୀଧରକୁ ଡାକିଲେ । ଶ୍ରୀଧର ଆଖିରୁ ଲୁହ ପୋଛୁଥିଲା । କହିଲେ- ଶ୍ରୀଧର ବାବୁ ପ୍ରକୃତରେ ତୁମେ ପିଅନ ନୁହଁ । ତୁମକୁ ପିଅନ କରି ରଖିଥିବା,ଏ ଲୋକତନ୍ତ୍ର ସଞ୍ଚାଳକ ହିଁ ପିଅନ ଠାରୁ ନିମ୍ନ କର୍ମ କରି ତୁମ ଭଳି ମେଧାବୀ ମାନଙ୍କ ପ୍ରତି ଅବହେଳା କରିଥାନ୍ତି । ମୁଁ ତୁମ ପଦୋନ୍ନତି ପାଇଁ ସୁପାରିଶ କରୁଛି । ହାତରେ ଧରି ଥିବା କାଗଜଟି ବଢେଇ ଦେଲା ଶ୍ରୀଧର । ସଚିବ ମହୋଦୟ ତାକୁ ପଢି ରାଗରେ ଚିରି ଟୁକୁଡା ଟୁକୁଡା କରି ଫିଙ୍ଗି ଦେଲେ ଡଷ୍ଟବିନକୁ, ହାତରେ ଧରି ଥିବା ବିଭାଗୀୟ ଅଧିକାରୀ ମହେଶ ବାବୁଙ୍କ ଟଙ୍କା ହେରଫେର କରିଥିବା ଅଭିଯୋଗରେ ନିଲମ୍ବନ ଆଦେଶକୁ ଶ୍ରୀଧର ହାତରେ ଦେଇ କହିଲେ ଏଇ ନିଅ ତୁମ ପିଅନ ବହିରେ ଏଇମାନଙ୍କ ଭଳି ଦୁଶ୍ଚରିତ୍ର ଅଧିକାରୀଙ୍କ ଦସ୍ତଖତ କରେଇ ସାଇତି ରଖ । ସାଥିରେ ଆସିଥିବା ଅଧିକାରୀମାନେ ଖୋଜି ଚାଲିଥିଲେ କିଛି ଫାଇଲି ଭିତରେ ବନ୍ଧା ଥିବା ମଇଳା କାମର ମୂଳ ରହସ୍ୟ । ମନ୍ତ୍ରୀ ହସୁଥିଲେ ରାଜା ହସ । ଶ୍ରୀଧର ଭାବୁଥିଲେ ସତରେ ମୋ କବିତା ମୋତେ ଏତେ ମହାନ କରି ପାରେ ।

         ଶ୍ରୀଧର ନିଲମ୍ବନ ଆଦେଶ ପ୍ରତ୍ୟାହାର କରି, ପ୍ରତି ବଦଳରେ ମହେଶ ବାବୁଙ୍କୁ ଦିଆଯାଇଥିଲା ସବୁଦିନ ପାଇଁ ବହିଷ୍କାର ଆଦେଶ । କିନ୍ତୁ, ଶ୍ରୀଧର ନିଜ ଅଧିକାରୀ ପ୍ରତି ସଦୟ ହେଇ ଗୋଟିଏ ଥର କ୍ଷମା ଦେବାକୁ ଅନୁନୟ ବିନୟ ହେଇ ପ୍ରାର୍ଥନା କରୁଥିଲେ । ମହେଶ ବାବୁ ନିଜ ଚରିତ୍ର ସହିତ ଶ୍ରୀଧର ଚରିତ୍ରକୁ ଯୋଡି ଦେଖୁଥିଲେ ଆଉ ଭାବୁଥିଲେ ସତରେ ସେ କେତେ ତଳେ ଆଉ ତାଙ୍କ ଅଧିନସ୍ଥ ପିଅନ ଶ୍ରୀଧର .... ।

ପରିଦର୍ଶନରେ ଆସିଥିବା ସରକାରୀ ଦଳ ଓ ସ୍ଥାନୀୟ ମନ୍ତ୍ରୀଙ୍କ ଗାଡି ଧୂଆଁରେ ଅସ୍ପଷ୍ଟରୁ ଅସ୍ପଷ୍ଟ ଦେଖା ଯାଉଥିଲା ମହେଶ ବାବୁଙ୍କ ଚେହେରା । ସେ ନିଜ ତଳିଆ କର୍ମଚାରୀ ଶ୍ରୀଧରଙ୍କ ପାଇଁ କ୍ଷମା ପାଇ ଥିବାରୁ ଶ୍ରୀଧର ଆଗରେ ଠିଆ ହେବାକୁ ସାହସ ନଥିଲା । ଗରିବର ଚରିତ୍ରକୁ ନିଜ ଜୀବନର କଷଟି ପଥରରେ ପରୀକ୍ଷା କରି ଲେଖିଥିବା କବିତାଟିର ଅର୍ଥ ବୁଝୁଥିଲେ ଅଧିକାରୀ –ମହେଶ ବାବୁ । 

ସଞ୍ଜ ନଇଁ ଆସୁଥିଲା । ଆକାଶ ଓ ପୃଥିବୀର ମିଶ୍ରଣର ଦିଗବଳୟ ଭିତରେ ଲାଳିମାର ମୁରୁଜ ବୁଣି ଆତ୍ମଗୋପନ କରୁଥିଲା ସେଇ ଶୁଭ ମାଙ୍ଗଳିକ ନେଇ ଆସିଥିବା ଦିନଟି ଦେଖିବାକୁ ଗରିବର ଓଠରେ ଶୁଖିଲା ଦରଦୀ ହସ ।

                                                           


Rate this content
Log in