ଗାନ୍ଧୀ ମାଙ୍କଡ
ଗାନ୍ଧୀ ମାଙ୍କଡ
ନାଥୁରାମ୍ ଙ୍କ ଗୁଳିଚୋଟରେ ଗାନ୍ଧୀ ଇହଧାମ ତ୍ୟାଗକଲେ l ସ୍ୱାଭାବିକଭାବେ ଯେଉଁଜୀବ ଇହଲୀଳା ସମ୍ବରଣ କରିବ ସେ ଯମାଳୟ ପହଞ୍ଚିବ l ଗାନ୍ଧୀଙ୍କ କ୍ଷେତ୍ରରେ ମଧ୍ୟ ତାହାହିଁ ହେଲା l ଗାନ୍ଧୀଙ୍କ ବିଚାର ଆରମ୍ଭ ହେଲା ଯମଙ୍କ ଦରବାରରେ l ଯେହେତୁ ଗାନ୍ଧୀ ଜଣେ ଓକିଲ ଥିଲେ ସେ ନିଜ ସପକ୍ଷରେ ତର୍କ ବାଢିବାକୁ ଯାଇ କହିଲେଲେ, "ମୁଁ ସମାଜ ପାଇଁ ଅନେକ ଭଲକାମ କରିଛି l ତନ୍ମଧ୍ୟରୁ ମୋ ତିନିମାଙ୍କଡ଼ ସମ୍ପୂର୍ଣ ଭିନ୍ନ l ମୋର ସେ ତିନିମାଙ୍କଡ଼ ଗଲେ କୁଆଡେ?"
ଉତ୍ତରରେ ଯମଦେବ କହିଲେ, "ସେମାନଙ୍କ ବିଚାର ସରିବାପରେ ସ୍ଵର୍ଗରେ ଥିବା ସୁପ୍ରିମକୋର୍ଟ ବୈକୁଣ୍ଠପୁରକୁ ତାଙ୍କୁ ପଠାଯାଇଛି l" ଗାନ୍ଧୀ କହିଲେ, "ଠିକ ଅଛି, ମୁଁ ସେମାନଙ୍କୁ ଭେଟିବାକୁ ଯିବି l ମତେ ଅନୁମତି ମିଳୁ l" ଯମଦେବ ବାଧ୍ୟହୋଇ ସର୍ତ୍ତମୂଳକ ଗାନ୍ଧୀଙ୍କୁ ଛାଡିଲେ l ଗାନ୍ଧୀ ପହଞ୍ଚିଲେ ବୈକୁଣ୍ଠରେ l ଭଗବାନଙ୍କୁ ଦେଖି ହାତଯୋଡ଼ି ଓକିଲାତି ଢଙ୍ଗରେ ପଚାରିଲେ," ପ୍ରଭୁ ମୋର ତିନିମାଙ୍କଡ଼ ଗଲେ କୁଆଡେ, ମୁଁ ସେମାନଙ୍କୁ ଟିକେ ଦେଖିବି l "
ଭଗବାନ ବଡ଼ ଦୟାଳୁ,କହିଲେ --" ବତ୍ସ, ବ୍ୟସ୍ତ ହେବାର କୌଣସି କାରଣ ନାହିଁ l ମୁଁ ତୁମ ତିନିମାଙ୍କଡ଼ଙ୍କୁ ତାଙ୍କ ଉଚିତପ୍ରାପ୍ୟ ଦେଇ ସେମାନଙ୍କୁ ସମାଜରେ ପ୍ରତିଷ୍ଠା ଦେଇସାରିଛି l ଆଖି ବନ୍ଦ ରଖିଥିବା ବା ଅନ୍ଧ ମାଙ୍କଡ଼ଙ୍କୁ ନ୍ୟାୟପାଳିକା, କାନବନ୍ଦ ରଖିଥିବା ବା କାଲା ମାଙ୍କଡ଼ଙ୍କୁ ସରକାର ଓ ମୁହଁ ବନ୍ଦ ରଖିଥିବା ବା ମୁକ ମାଙ୍କଡ଼ଙ୍କୁ ଜନତା ସ୍ୱରୂପରେ ଭାରତରେ ପ୍ରତିଷ୍ଠା ଦେଇଛି l" ଏ କଥା ଶୁଣି ଗାନ୍ଧୀଙ୍କ ମନ ବ୍ୟାକୁଳିତ ହେଲା ସେମାନଙ୍କୁ ଭେଟିବାକୁ l ପ୍ରଭୁ ଏକଥା ବୁଝିପାରି କହିଲେ, "ବତ୍ସ, ବ୍ୟସ୍ତ ହୁଅନି.... ତୁମ ମନ ଲାଖି ବ୍ୟବସ୍ଥା ମଧ୍ୟ ଅଛି l ତୁମକୁ କେଉଁ ମାଙ୍କଡ ଅଧିକ ଭଲପାଉଥିଲେ ତାହା ତୁମେ ନିଜେ ଅନୁଭବ କରିପାରିବ l"
ଏକଥା ପରେ ଭାଗବାନ ଗାନ୍ଧୀଙ୍କୁ ଭାରତର କୋଣଅନୁକୋଣ ରେ ପ୍ରତିଷ୍ଠା ଦେବାପାଇଁ ତତ୍କାଳୀନ ସରକାରଙ୍କ ମନରେ ନିଜର ମାୟାଦ୍ୱାରା କଥାଟିଏ ପୁରାଇଲେ l ଯାହାକି ସରକାର ତାଙ୍କୁ ପ୍ରତ୍ୟେକଟି ଭାରତୀୟ ମୁଦ୍ରାରେ ରଖିବେ l ସେଇଠି ରହି ତାଙ୍କ ସୁନାର ଭାରତରେ ରାମରାଜ୍ୟ ଦେଖି ଖୁସି ହେବେ l ତାହାହିଁ ହେଲା ।
