ଏକ ଚଢ଼େଇ ବସା
ଏକ ଚଢ଼େଇ ବସା
ଦିନେ ଝଡ଼ ବର୍ଷାର ତାଣ୍ଡବ ପରେ ମୁଁ ବାହାରିଲି ଆମ ବାଡ଼ି ବଗିଚାର ସ୍ଥିତି ପରଖିବାକୁ ବଗିଚାକୁ ଯାଇ ଦେଖିଲି କେତେ ଗୁଡ଼ାଏ ଗଛର ଡାଳ ଭାଙ୍ଗି ଭୁଇଁରେ ପଡିଛି ତା ସାଥେ ସାଥେ କିଛି ଫୁଲ ଫଳ ମଧ୍ୟ ନଷ୍ଟ ହୋଇଥିବାର ଦେଖିବାକୁ ପାଇଲି | ଆଉ କିଛି ବାଟ ଆଗକୁ ଗଲା ପରେ କିଛି ଚଢ଼େଇର ବିକଳ ଚିତ୍କାରର ଧ୍ୱନି ଶୁଣିବାକୁ ପାଇଲି | ମୋ ମନରେ ସନ୍ଦେହର ଗାର ସୃଷ୍ଟି ହୋଇଗଲା, ମୁଁ ଦୌଡ଼ିଗଲି ସେଇ କିଚିରି ମିଚିରିର ଧ୍ୱନି ଭାସି ଆସୁଥିବା ଦିଗରେ | ଏବଂ ପହଞ୍ଚିଲି ଯାଇ ଏକ ବିରାଟ ଆମ୍ବ ଗଛ ମୂଳରେ | ସେଇ ଗଛ ମୂଳର ଦୃଶ୍ୟ ଦେଖି ମୋ ଆଖିର ପାଣିକୁ ରୋକି ପାରିଲି ନାହିଁ |
ସେ ଦୃଶ୍ୟ ଥିଲା, ଏକ ପରିବାରର କଷ୍ଟ, ଯନ୍ତ୍ରଣା ଓ ଦୁଃଖର ସମୟ | ଏକ ମାଆ ଚଢ଼େଇ ସେ ଗଛ ଚାରିପଟେ ଉଡ଼ି ବୁଲି ଚିତ୍କାର କରୁଥାଏ | ସେ ତା ଚିତ୍କାରରେ ଭିକ୍ଷା କରୁଥିଲା ସାହାଯ୍ୟ କାରଣ ଗତ ବର୍ଷାର ପବନ ବେଗରେ ତା ଛୋଟ ଘରଟି ବା ବସାଟି ଭାଙ୍ଗି ତଳେ ପଡ଼ି ଯାଇଛି | ତାର ଛୋଟ ଛୋଟ ଛୁଆ ସବୁ ତଳେ ପଡ଼ି ଉଡ଼ିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଉଡ଼ି ପାରୁନାହାନ୍ତି | ସେ କୋହ ଭରା ଦୃଶ୍ୟ ଦେଖି ମୋ ମନ କଦାପି ସହ୍ୟ କରି ପାରିଲା ନାହିଁ |
ସେ ଆମ୍ବ ଗଛର ଚାରି ପାଖରୁ ଖୋଜି ଖୋଜି କାଠି, କୁଟା ଓ କିଛି ଘାସ ଯୋଗାଡ଼ କଲି ଏବଂ ସେ ସବୁ ନେଇ ଚଢ଼ିଗଲି ସେଇ ଆମ୍ବ ଗଛରେ | ତା ବସାକୁ ସୁନ୍ଦର ଭାବରେ ଗଢ଼ି ତୋଳିବାରେ ମୋ ମନ ଧ୍ୟାନ ସବୁ ଲଗେଇଦେଲି | ମୁଁ ତା ବସା ତିଆର କରିବାର ଦେଖି ସେ ମାଆ ଚଢେଇଟିର ଚିତ୍କାର ଟିକେ ବନ୍ଦ ହେଲା ଏବଂ ସେ ଉଡ଼ି ଉଡ଼ି ଆସି ମୋ ପାଖରେ ଏକ ଡାଳ ଉପରେ ବସିଲା ମତେ ଯେମିତି ଲାଗିଲା କି ସେ ତା ଖୁସିକୁ ପ୍ରକାଶ କରିବର ରାହା ପାଉନି | ସେ ଚଢ଼େଇର ଖୁସି ଦେଖି ମୁଁ ବି ମନେ ମନେ ବହୁତ ଖୁସି ହେଲି | ବସାଟି ସମ୍ପୂର୍ଣ୍ଣ ଭାବେ ତିଆରି ସାରି ତାର ଛୋଟ ଛୋଟ ଛୁଆ ମାନଙ୍କୁ ନେଇ ବସାରେ ପହଞ୍ଚାଇ ଦେଲି | ତା ପରର ଦୃଶ୍ୟ କହିଲେ ନ ସରେ ସେଇ ମାଆ ଚଢ଼େଇର ସ୍ନେହ ଆଦର ଭଲପାଇବା ସବୁ ଯେମିତି ଅଜାଡ଼ି ହୋଇ ପଡୁଥିଲା | ଏହା ଦେଖି ସତରେ ମନରେ ଗୋଟେ ଅକୁହା ଖୁସି ଚେଇଁ ଉଠିଲା |
ସେ ମଣିଷ ହେଉ କି ପଶୁ ପକ୍ଷୀ ଆମକୁ ପରୋପକାରୀ ହେବା ଉଚିତ | ଆପଣମାନଙ୍କୁ ଥରେ ଅନୁଭବ ହେଲେ ହିଁ ସେ ଖୁସିର ସ୍ୱାଦକୁ ଚାଖି ପରିବେ, ଅସୁବିଧାରେ ଥିବା ଜୀବଟିଏ ଯେତେବେଳେ ଆପଣଙ୍କ ସାହାଯ୍ୟ ବଳରେ ଖୁସି ହୁଏ | ସେତେବେଳେ ଆପଣଙ୍କ ମନରେ ଜାଗ୍ରତ ହୋଇଥିବା ଖୁସି ଗୋଟେ ଅଲଗା ପ୍ରକାର ଖୁସି |