ଛୋଟପିଲା ହୃଦୟ
ଛୋଟପିଲା ହୃଦୟ
ଧାନ କଟା ଛୁଟିରେ ଗାଁକୁ ଆସିଥାଏ ମୁନା. ଗାଁରେ ଖୁବ ଶୀତ ହେଉଥାଏ. ମାର୍ଗଶୀର ମାସ ଗୁରୁବାର ଶେଷ ପାଳି ମାଣବସା ବେଳେ ଆସିଥିଲା ଏବେ ପୁଣି ମାଣ ଉଜୁଆଁ ପାଳି ଯୋଗୁଁ ମାଆ କାମରେ ବ୍ୟସ୍ତ ଥିଲା ବେଳେ, ମୁନା ଖାଇ ପିଇ ଶୋଇପଡ଼ିଥିଲା. ସେ ଦେଖିଲା ସେଦିନ କାଉ କାହିଁକି କା କା କରି ସକାଳୁ ଡାକୁ ନଥିଲା ତ ତା ନିଦ ସହ ଜଙ୍ଗଲ ପଶୁ ପକ୍ଷୀମାନଙ୍କ ନିଦ ଭାଙ୍ଗିଲା ନାହିଁ. ସମସ୍ତେ ସେଦିନ ଡେରିରେ ଉଠିବାରୁ କିଛିନା କିଛି ଅସୁବିଧା ହେଲା ତ ଠେକୁଆ କହିଲା କାଉ ଯୋଗୁଁ ସିନା ଆମ ନିଦ ଭାଙ୍ଗେ.ସେ ଆଜି କାହିଁକି ସକାଳୁ ବୋବାଇନି ଯାଇ ଦେଖିବା ଚାଲ. ଠେକୁଆ ଓ଼ ଝୀଂଟିକା ପହଁଞ୍ଚି ଦେଖିଲେ କାଉକୁ ଖୁବ ଜ୍ୱର. ସେ ନିଜେ ଉଠିପାରୁନି ତ ଝୀଂଟିକା କହିଲା ତାକୁ ବଇଦ ପାଖକୁ ନେଇଯିବା. ଜଙ୍ଗଲ ପଶୁ ପକ୍ଷୀଙ୍କର ଭାଲୁ ଥିଲା ବଇଦ. କାଉର ନାଡି ଚିପି ସେ କହିଲା ରୋହି ମାଛର ପିତ୍ତ ଖାଇଲେ କାଉ ଭଲ ହୋଇଯିବ. ଏକଥା ଶୁଣି ଝୀଂଟିକା ଓ଼ ଠେକୁଆ ଭାବିଲେ ମାଛତ ଜଳରେ ରହେ. ତାକୁ ଗଭୀର ଜଳରୁ ଧରିବା ଯେମିତି କଷ୍ଟ ତାକୁ ମାରିବା ସେପରି ଦୋଷ କାରଣ ଏବେ କାର୍ତ୍ତିକ ମାସରେ ବଗ ମଉସା ମାଉସୀ ମଧ୍ୟ ଆମିଷ ଖାଉନାହାଁନ୍ତି. କଣ କରିବା କାଉର ଦେହ ଭଲ ନହେଲେ ଆମେ ସମସ୍ତେ ଅଳସୁଆ ହୋଇଯିବା.
ଝୀଂଟିକା କହିଲା ହଁ ଅଳସୁଆ ହେଲେ ଦୁଃଖ ପାଇବା. ଥରେ ବର୍ଷା ଦିନେ ମୁଁ ଅଳସୁଆମି କରି ଖାଦ୍ୟ ସଞ୍ଚୟ କରି ରଖିନଥିବାରୁ ପିମ୍ପୁଡି ଧାର ଦେଇଥିଲା ସତ ହେଲେ ବହୁତ କଟୁ କଥା କହିଥିଲା. ଏଇ ସମୟରେ ଠେକୁଆ କହିଲା ସେ ପଛ କଥା ଛାଡେ ବର୍ତ୍ତମାନ କାଉର କିପରି ଜର ଭଲ ହେବ ଆଉ ସେ ଉଠି ସବୁଦିନ ସକାଳୁ ଉଡି ଉଡି କା କା ରାବିବ ଓ଼ ଆମ ନିଦ ସକାଳୁ ଭାଙ୍ଗିଲେ ଆମେ ଆମ କାମ ଠିକ ସମୟ ପୂର୍ବରୁ କରିପାରିବା. ସେହି କଥା ଭାବ.ଝୀଂଟିକା କହିଲା ଠିକ କଥା.
ଠେକୁଆ ଓ଼ ଝୀଂଟିକା ଦୁହେଁ ବାହାରିଗଲେ ବଣ ଭିତରକୁ. ଦୁ
ହେଁ ଭଳି ଭଳି ପତ୍ର ଆଣି ତାକୁ ରସ କରି କାଉକୁ ପିଆଇଲେ ମଧ୍ୟ କିଛି ଲାଭ ହେଲନାହିଁ କିନ୍ତୁ ଵିଶଲ୍ୟକରଣୀ ପତ୍ର ରସ ଦେଲାପରେ କାଉ ଆଖି ଖୋଲି ପାଣି ମାଗିଲା. ପିଇସାରିବା ପରେ କହିଲା ମତେ କଣ ଖାଇବାକୁ ଦେଲ ସମ୍ପୂର୍ଣ୍ଣ ସୁସ୍ଥ ଲାଗୁଛି ଓ଼ ଡେଣା ଝାଡ଼ି ଉଡିବାକୁ ଇଛା ହେଉଛି. ଏଥର ଠେକୁଆ ଓ଼ ଝୀଂଟିକା ଯେଉଁ ଯେଉଁ ପତ୍ର ରସ ଦେଇଥିଲେ ସେସବୁ ଶୁଣି କାଉ କହିଲା ସବୁ ଗଛ ପତ୍ର ରସରେ ଔଷଧୀୟ ଗୁଣ ରହିଛି. ଏବେ ଆମେ ସତର୍କ ରହିବା. ଜଙ୍ଗଳରୁ କେହି ଗଛତ ଗଛ ଘାସ ଦୁବ ଉପାଡ଼ିବାକୁ ବି ଦେବାନି. ସମସ୍ତେ ଏସବୁ ଶୁଣି ରାଜି ହେଲେ ଓ଼ କାଉକୁ ଆୟୁର୍ବେଦିକ ଡାକ୍ତର କଲେ. ସେ ପୁଣି ସକାଳୁ ଉଠି କା କା କହି ସମସ୍ତଙ୍କୁ ଉଠେଇବା ସହ ଜଙ୍ଗଲରେ ବାସ କରୁଥିବା ପଶୁ ପକ୍ଷୀଙ୍କର ଡାକ୍ତର ହୋଇ ସେବା କରି ପୁଣ୍ୟ ଅର୍ଜ୍ଜନ କରୁଛି.
ଏସବୁ ସ୍ବପ୍ନ ଦେଖି ସାରିବା ପରେ ମୁନା କହୁଥିଲା ମା ଜଙ୍ଗଲର ଜନ୍ତୁମାନେ ଏ ଶୀତରେ କେମିତି ରହୁଛନ୍ତି?ମାଆ କହିଲେ ସେମାନେ ଇଶ୍ୱରଙ୍କ ଠାରୁ ବର ପାଇଛନ୍ତି. ଶୀତ ଦିନେ କିଏ ଗାତରେ ତ କିଏ ମାଟି ତଳେ ରୁହେ.ତାକୁ ଆମ ବୈଜ୍ଞାନିକ ଭାଷାରେ ହାଇବରନେଟିଙ୍ଗ କୁହାଯାଏ. ଭାଲୁ ତ ଏହି ହାଇବରନେଟିଙ୍ଗ କାଳରେ ଛୁଆ ଦେଇ କୋରଡ଼ ଭିତରେ ଥାଏ. ସେ କଣ ଖାଏ ମାଆ? ସେ କିଛି ବି ଖାଇନାହିଁ ଏ ଶୀତ ଚାରିମାସ ପୂର୍ବରୁ ସେ ଏତେ ଖାଇଥାଏ ଯେ ଏ ଚାରିମାସ ତାକୁ ଖାଇବା ଦରକାର ହୁଏନାହିଁ. ମୁନା କଣ ବୁଝିଲା କେଜାଣି ଘରେ ଥିବା ପୁରୁଣା ଅଖା ସବୁ ଏକାଠି କରି ନେଇ ଶୀତ ଦିନେ ଦାଣ୍ଡରେ ଛୁଆ କରିଥିବା କୁକୁରku ତା ଛୁଆମାନଙ୍କ ସହ ଅଖା ଉପରେ ରଖି ଅଖା ଘୋଡେଇ ଦେଇଥିଲା. ମାଆ ମୁନାର ମୁଣ୍ଡ ଆଉଁସି ଦେଇ କହିଥିଲେ ଆମେ ପ୍ରତ୍ୟେକ ଆମ ନିଜ ଚତୁଃପାର୍ଶ୍ୱରେ ଥିବା ପଶୁ ପକ୍ଷୀଙ୍କର ଯତ୍ନ ନେଲେ ସେମାନେ ରତ୍ନ ପାଇଯାଆନ୍ତେ, ଅର୍ଥାତ ପଶୁ ପକ୍ଷୀଙ୍କର ଆଉ କିଛି ଅସୁବିଧା ନଥାନ୍ତା ।