Akhila Padhi

Children Stories Inspirational

2  

Akhila Padhi

Children Stories Inspirational

ବୁଢା ମାଙ୍କଡ଼ ଓ ବଣି

ବୁଢା ମାଙ୍କଡ଼ ଓ ବଣି

2 mins
512


ଗାଁ ମୁଣ୍ଡରେ ଜାମ୍ବ ଗଛଟିଏ । ଗଛରେ ବଣିଟିଏ ବସା ବାନ୍ଧି ରହୁଥାଏ । ବସାରେ ଦୁଇଟି ଅଣ୍ଡା । ବଣିର ସଂସାର ।


ଦିନେ ଗୋଟିଏ ବୁଢା ମାଙ୍କଡ଼ ଆସି ସେ ଗଛ ତଳେ ବସିଲା । ବାର୍ଦ୍ଧକ୍ୟର ଚରମ ସୀମାରେ ପହଞ୍ଚିଛି । ଗଛ ଚଢିବାର ବଳ ନାହିଁ । ଗଛରେ ଫଳିଥିବା ଜାମ୍ବ ଦେଖି ଦେଖି ବସିଥାଏ।


ବଣି ଦେଖିଲା ଘଣ୍ଟାଏ ହେଲାଣି, ମାଙ୍କଡ଼ ସେମିତି ବସିଛି । ବଣି ଦୁଇଟି ଜାମ୍ବ ତଳେ ପକାଇଲା । ମାଙ୍କଡ଼ ଖୁସି ମନରେ ଜାମ୍ବ ଖାଇଲା, ଆଉ ଗଛରେ ଆଉଜି ହୋଇ ଶୋଇ ପଡିଲା ।


କିଛି ସମୟ ପରେ ବଣି ଉଡି ଚାଲିଲା ଆହାର ଆଣିବା ପାଇଁ । ସେତିକି ବେଳକୁ ଗୋଟିଏ ସାପ ଗଛ ଡାଳରେ ଚଢିଲା । ମାଙ୍କଡ଼ ତ ଆଉ ଗଛ ଚଢି ପାରୁନି । କଣ କରିବ ବିଚାର କଲା । ଖଣ୍ଡେ ଦୂରରେ ଗୋଟିଏ ଲମ୍ବା ବାଡି ପଡିଥିଲା । ମାଙ୍କଡ଼ ସେ ବାଡିରେ ବସାଟିକୁ ଧିରେ ତଳକୁ ଆଣିଲା । ଆଉ କୋଳରେ ଧରି ଶୋଇ ପଡିଲା ।


କିଛି ସମୟ ପରେ ବଣି ଆସି ଦେଖିଲା, ବସା ଗଛରେ ନାହିଁ । ରାଗ ତମ ତମ ହୋଇ ସେ ମାଙ୍କଡ଼କୁ ମନ ଇଛା ଗାଳି କଲା । ମାଙ୍କଡ଼ ଯେତେ କହିବାକୁ ଚେଷ୍ଟା କଲେ ବି ବଣି କିଛି ଶୁଣିଲାନି । କାନ୍ଦ କାନ୍ଦ ମୁହଁ କରି ମାଙ୍କଡ଼ ତା ପାଖ ଗଛ ମୂଳରେ ବସିଲା ।


ତା' ପର ଦିନ । ସେମିତି ବଣି ଯାଇଥାଏ ଆହାର ଆଣିବା ପାଇଁ । ସାପ ପୁଣି ଚଢିଲା ଗଛ ଉପରକୁ । ମାଙ୍କଡ଼ ଭାବିଲା, "ଆଜି ଯଦି ବସା ବାହାର କରିବି, ବଣି ମୋତେ ପୁଣି ଗାଳି କରିବ, ନ ବାହାର କଲେ ସାପ ଅଣ୍ଡା ଖାଇ ଦେବ । "

ଏମିତି ଭାବି ସେ ଗୋଟିଏ ଉପାୟ ପାଞ୍ଚିଲା । ଲମ୍ବା ବାରିରେ ଧିରେ ବସା ଟିକୁ ତଳକୁ ଆଣିଲା । ଅଣ୍ଡା ଦୁଇଟି ବାହାର କରି ତା ସ୍ଥାନରେ ମାଟିର ଅଣ୍ଡା ରଖିଦେଲା । ଆଉ ଅଣ୍ଡା ଦୁଇଟି ଧରି ପାଖ ଗଛର ତଳେ ଯାଇ ଶୋଇଲା ।


ସାପ ଧିରେ ଧିରେ ବସାକୁ ଗଲା । ଅଣ୍ଡା ଭାବି ମାଟି ଗୁଳା ଗିଳିଲା । ମାଟି ଗୁଳା ତଣ୍ଟିରେ ଲାଗି ଯିବାରୁ ସେ ଛଟପଟ ହେବାରେ ଲାଗିଲା ।


ଏପଟେ ବଣି ଫେରି ଦେଖିଲା, ବସାରେ ସାପଟେ ବସି ଛଟପଟ ହେଉଛି । ସେ ତା' ଅଣ୍ଡା ଖୋଜିବାରେ ଲାଗିଲା । ବସାରେ ଅଣ୍ଡା ନ ଦେଖି କାନ୍ଦିବାରେ ଲାଗିଲା ।ବୁଢା ମାଙ୍କଡ଼ ବଣି ପାଖକୁ ଯାଇ କହିଲା, ତମ ଅଣ୍ଡା ମୋ ପାଖରେ ଅଛି । ବଣି ପୂର୍ବ ଦିନର କଥା ପାଇଁ କ୍ଷମା ମାଗିଲା । ମାଙ୍କଡ଼ କହିଲା, "ମୁଁ ବାର୍ଦ୍ଧକ୍ୟକୁ ବାହାନା କରି କିଛି ନ କରିଥିଲେ ତମେ ମୋତେ କାଲି ଦୋଷ ଦେଇ ନ ଥାଆନ୍ତ । କାଲିର କଥାକୁ ବାହାନା କରି ଆଜି ଏମିତି ନ କରିଥିଲେ ତୁମେ ସତ ଜାଣି ପାରି ନ ଥାଆନ୍ତ । ଏଣୁ କେବେ ବି 'ମୁଁ ପାରିବିନି' ଚିନ୍ତା ନ କରି 'କେମିତି ପାରିବି' ଏ କଥା ଚିନ୍ତା କର ।"



Rate this content
Log in