STORYMIRROR

Chittaranjan Nanda

Others

2  

Chittaranjan Nanda

Others

ବଣ୍ଡା ଓ ଗାଦବା ଜନଜାତି

ବଣ୍ଡା ଓ ଗାଦବା ଜନଜାତି

3 mins
88

ବୋଧହୁଏ ଏକ ସମୟରେ ବଣ୍ଡା ଓ ଗାଦବା, ଦୁଇଜାତି ଏକାଠେଇଁ ଵାସ କରୁଥିଲେ କିନ୍ତୁ କୌଣସି କାରଣରୁ ସେମାନେ ଭିନ୍ନ ଭିନ୍ନ ଅଞ୍ଚଳରେ ଵସଵାସ କଲେ ଫଳତଃ ଏହି ଲୋକକଥାଟି ସୃଷ୍ଟି ହୋଇଅଛି ।

ଅଵିଭକ୍ତ କୋରାପୁଟ ଜିଲ୍ଲାର କୁଟୁଣିମାଳା ପାହାଡ଼। ଏହି ପାହାଡରେ ଦୁଇ ଭାଇ ଓ ତାଙ୍କର ସାନ ଭଉଣୀ ଅତି ଆନନ୍ଦରେ ରହୁଥିଲେ। ବଡ଼ ଭାଇର ନାଆଁ ବଣ୍ଡା ଓ ସାନ ଭାଇର ନାଆଁ ଗାଦବା। ସେମାନଙ୍କର ଗୋଟିଏ ପୋଷା କୁକୁର ଥାଏ। ପ୍ରତିଦିନ ଦୁଇଭାଇ ଜଙ୍ଗଲକୁ ଶିକାର ପାଇଁ ଯାଆନ୍ତି। ସଙ୍ଗରେ କୁକୁରଟି ବି ଯାଏ। ଭଉଣୀଟି କୁଟୁଣୀ ସାହାଯ୍ୟରେ ଏକ ପଥର ଦେହରେ ଥିଵା ଗର୍ଭରେ ଧାନକୁଟେ। ଭାଇମାନେ ଶିକାରରୁ ଆଣିଥିଵା ମାଂସ ରାନ୍ଧି ଦୁହିଁଙ୍କୁ ପରଷି ଦିଏ।

 ପ୍ରତିଦିନ ଧାନକୁଟିଵା ସମୟରେ ସେ ଅଣ୍ଟାରେ ଗୁଡେଇଥିଵା କନାଟି ରଖି ଦେଇ ଉଲଗ୍ନ ହୋଇ ତାର ଘର କାମ ସାରିଥାଏ। ଭାଇମାନେ ଜଙ୍ଗଲରୁ ଫେରିଵା ପୂର୍ଵରୁ ତାଙ୍କ ଆଗମନର ସଙ୍କେତ ସ୍ଵରୂପ କୁକୁରଟିକୁ ପଠାଇଥାନ୍ତି। ଭଉଣୀ କୁକୁରଟିକୁ ଦେଖି ଭାଇମାନଙ୍କ ଆସିଵା କଥା ଜାଣି ଲୁଗା ପିନ୍ଧେ ଓ ତିନିହେଁ ଏକାଠି ବସି ଭୋଜନ କରିଥାନ୍ତି। ଦିନେ କୌଣସି ଶିକାରୀର ଶରାଘାତରେ କୁକୁରଟି ପ୍ରାଣ ହରାଇଲା। ଦୁଇ ଭାଇ ମନ ଦୁଃଖରେ ଘରକୁ ଫେରିଲେ। ଭଉଣୀଟି କୁକୁରଟିର ଅନୁପସ୍ଥିତିରେ ଭାଇମାନଙ୍କ ଆଗମନ ଜାଣିପାରିଲାନି। ଏଣୁ ଉଲଗ୍ନ ହୋଇ ଧାନ କୁଟୁଥାଏ। ଭାଇ ମାନଙ୍କୁ ଆସୁଥିଵାର ଦେଖି ଭଉଣୀଟି ଲଜ୍ଜାରେ ଡୁଡୁମାଜଳପ୍ରପାତ ଆଡ଼କୁ ଧାଇଁଗଲା ଓ ପ୍ରଖର ଜଳସ୍ରୋତରେ ଲମ୍ଫ ପ୍ରଦାନ କରି ପ୍ରାଣ ଵସର୍ଜନ କଲା। ନିଜ ଗେହ୍ଲା ଭଉଣୀର ସନ୍ଧାନରେ ବଡଭାଇ ବଣ୍ଡା ବଣ ଜଙ୍ଗଲ ସବୁ ବୁଲିବୁଲି ଶେଷରେ ଜାଙ୍ଗିର ପାହାଡ଼ର ପାଦଦେଶରେ ମୁଦୁଲିପଡା଼ଠାରେ ପହଞ୍ଚିଲା। ଭଉଣୀର କୌଣସି ସନ୍ଧାନ ନପାଇ ସେ ସେଠାରେ ରହିଲା।

 ଏଣେ ସାନଭାଇ ଗାଦବା ଭଉଣୀକୁ ବହୁତ ଖୋଜିଖୋଜି କୌଣସି ସନ୍ଧାନ ନପାଇ ଭଉଣୀ ଧାନକୁଟୁଥିଵା କୁଟୁଣୀମାଳା ପାହାଡକୁ ଫେରି ମନଦୁଃଖରେ ସେଠାରେ ରହିଲା। ଏମାନଙ୍କର ଵଂଶଧରମାନେ ବଣ୍ଡା ଓ ଗାଦବା ନାମରେ ଅଭିହିତ ହେଲେ।

 ଏହି ଦୁଇ ଜନଜାତୀୟ ଗୋଷ୍ଠୀ ଅତୀତରେ ଏକ ପରିଵାର ଭୁକ୍ତ ଥିଲେ। ଆଜି ସୁଦ୍ଧା ଗାଦବାମାନେ ବଣ୍ଡାମାନଙ୍କୁ ସେମାନଙ୍କର ବଡଭାଇ ବୋଲି ମାନ୍ୟତା ପ୍ରଦାନ କରନ୍ତି।  ଆଉ ଏକ କାହାଣୀ ପ୍ରଚଳିତ। ତୁଲ୍'ସା ଡଙ୍ଗର ଉପରେ ଥିଵା କୌଣସି ଗାଁରେ ରହୁଥିଲେ ଭାଇ ଭଉଣୀ ଦୁଇପ୍ରାଣୀ। ଏକଦା ଏହା ଘନ ଜଙ୍ଗଲପୂର୍ଣ୍ଣ ଥିଲା ଓ ବହୁ ପ୍ରକାରର ଜୀଵଜନ୍ତୁ ଯଥା - ବଣ ମଇଁଷୀ, ଗୟଳ, ବଳିଆକୁକର, ଖଗ ଓ ମହାବଳ ବାଘ ଇତ୍ୟାଦିଙ୍କ ଦ୍ବାରା ଏ ଅଞ୍ଚଳ ପରିପୂର୍ଣ୍ଣ ଥିଲା। ଭାଇର ନାଆଁ ବଣ୍ଡା। ସେ ସବୁଦିନେ ଇଡ଼ି ବାନ୍ଧିଵାବେଳେ ପିନ୍ଧା ଲୁଗା ଅର୍ଥାତ୍ ଲେଙ୍ଗୁଟି ମଇଳା ହୋଇଯିଵା ଭୟରେ ବାଣ୍ଡା ଵା ଡୁମ୍ଡ଼ା (ଲଙ୍ଗଳା) ହୋଇ ରହେ। ଭଉଣୀକୁ ସେ କହିଥାଏ ଆଡ଼ବେଳିଆ ପେଜ ଆସିଲାବେଳେ କୁକୁର ବେକରେ ଘଣ୍ଟି ବାନ୍ଧି ନେଇ ଆସିଵ। ଘଣ୍ଟି ଶବ୍ଦ ଶୁଣିଲେ ଭାଇଟି ନିଜର ଲେଙ୍ଗୁଟି ପିନ୍ଧି ନିଏ। ଦିନେ ଭଉଣୀ ଭାବିଲା ଭାଇ କ’ଣ କରୁଛି, କାହିଁକି ଘଣ୍ଟି ବାନ୍ଧି କୁକୁରଟିକୁ ଆଣିଵାକୁ କହୁଛି, ନିଶ୍ଚୟ ପରୀକ୍ଷା କରି ଦେଖିବ। ତେଣୁ ସେ ଦିନେ କୁକୁର ବେକରେ ଘଣ୍ଟି ନବାନ୍ଧି ଆସିଲା ଏଵଂ ଉଲଗ୍ନ ଭାଇକୁ ଦେଖିଦେଲା। ଭଉଣୀକୁ ଦେଖି ଲାଜରେ ସେ ବାଣ୍ଡାଭାଇ ପାଖରେ ଥିବା କୁଣ୍ଡକୁ ଅର୍ଥାତ୍‌ ନଦୀକୁ ଡେଇଁ ପଡ଼ିଲା। ଭାଇକୁ ଡେଇଁଵା ଦେଖି ତା ପଛେପଛେ କୁକୁର ମିଶା ସେହି କୁଣ୍ଡକୁ ଡେଇଁ ପଡ଼ିଲା। ବଣ୍ଡା ଭାଇଟି ସେହି କୁଣ୍ଡରୁ ଆଉ ଉଠିଲା ନାହିଁ। ସେହିଦିନୁ ସେ କୁଣ୍ଡର ନାମ ହେଲା ‘ ବଣ୍ଡାକୁଣ୍ଡ’। ତା ପଛେପଛେ ଡେଇଁ ପଡ଼ିଥିବା କୁକୁର ଭାସି ଭାସି ଆସି ପର୍ବତ ତଳେ ଥିବା କୁଣ୍ଡରେ ଆସି ଉଠିଲା। ତେଣୁ ପର୍ବତ ତଳ କୁଣ୍ଡର ନାମ ହେଲା ‘ କୁକୁର କୁଣ୍ଡ’।  ଅଵିଭକ୍ତ କୋରାପୁଟର ଦୁଇଟି ଝରଣା ବଣ୍ଡାକୁଣ୍ଡ ଓ କୁକୁର କୁଣ୍ଡକୁ ଆଧାର କରି ଏହି ଲୋକକଥାର ସୃଷ୍ଟି। ତୁଲସା ଡଙ୍ଗର ଉପରେ ବଣ୍ଡାକୁଣ୍ଡ ଓ ତା ତଳକୁ କୁକୁର କୁଣ୍ଡ ଝରଣା ଅଵସ୍ଥିତ।

ବଣ୍ଡା ଏକ ଆଦିମ ଜନଜାତୀୟ ସଂପ୍ରଦାୟ ଏମାନେ ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଅଞ୍ଚଳରେ ଵାସ କରୁଥିଵା ଆଦିମ ଜନଜାତି ଗୋଷ୍ଠୀ। ବଣ୍ଡାମାନେ ନିଜକୁ ରେମୋ ବୋଲି ପରିଚୟ ଦିଅନ୍ତି ଯାହାର ଆକ୍ଷରିକ ଅର୍ଥ ମନୁଷ୍ୟ। ଓଡ଼ିଶାରେ ଅଧୁନା ୧୨୦୦୦ରୁ ଅଧିକ ବଣ୍ଡା ଵସଵାସ କରୁଛନ୍ତି। ବଣ୍ଡା ପାହାଡ଼ର ୧୫୦ ଵର୍ଗ କି।ମି। ଅଞ୍ଚଳରେ ଵାସ କରୁଥିଵା ଏଵଂ କେଵଳ ପୋଡୁଚାଷ ଉପରେ ନିର୍ଭର କରୁଥିଵା ଏହି ବଣ୍ଡାମାନଙ୍କର ଗାଁ ସବୁ ସମୁଦ୍ରପତ୍ତନ ସ୍ତରକୁ ପାଞ୍ଚହଜାର ଫୁଟରେ ଅବସ୍ଥିତ। ବଣ୍ଡା ଜନଜାତି ଦୁଇ ଭାଗରେ ଵିଭକ୍ତ, ଯଥା ଉପର ବଣ୍ଡା ଏଵଂ ତଳୁଆ ବଣ୍ଡା। ଏମାନେ ଯେତିକି ସରଳ ସେତିକି ଦୁର୍ଦ୍ଧାନ୍ତ। ତଥା କଥିତ ସଭ୍ୟତା ଓ ଆଇନକାନୁନ୍ ପ୍ରତି ଏମାନେ ଏକାନ୍ତ ଵିମୁଖ। ସେଥିପାଇଁ ତେରଟି ଆଦିମ ଜନଜାତି ଭିତରୁ ଏମାନଙ୍କୁ ଅନ୍ୟତମ ବୋଲି ଗଣନା କରାଯାଏ। ବଣ୍ଡା ଜନଜାତିର ଭାଷାକୁ ରେମୋ କୁହାଯାଏ ଏଵଂ ଏମାନେ ଭାଷାକୁ ସାମ କହିଥାନ୍ତି। ଏହା ଅଷ୍ଟ୍ରୋଏସିଆଟିକ ଭାଷା ପରିବାରର ମୁଣ୍ଡା ଭାଷା ଶାଖା ଅନ୍ତର୍ଗତ ଏକ ଭାଷା। ବଣ୍ଡା ଭାଷା ପାଇଁ କୌଣସି ଵିଧିବଦ୍ଧ ଲିପି ନଥିଵା ବେଳେ ଓଡ଼ିଶାରେ ରହୁଥିଵା ବଣ୍ଡାଭାଷୀମାନେ କେତେକ କ୍ଷେତ୍ରରେ ଓଡ଼ିଆ ଲିପି ଵ୍ୟଵହାର କରିଥାନ୍ତି। ଏହାର ନିକଟସ୍ଥ ଭାଷା ଗୁତବ ଵା ଗଦବା। ସେହିପରି ଗାଦବା ଜନଜାତି ଵିଷୟରେ ଦେଶିଆ ଜ୍ଞାନକୋଷରେ ଉଲ୍ଲେଖ ଅଛି ଯେ।।।

ଗଦଵା ଵା ଗାଦଵା ଏକ ଜନଜାତୀୟ ସଂପ୍ରଦାୟ ଵିଶେଷ। କୋରାପୁଟ ଜିଲ୍ଲାର ନନ୍ଦପୁର, ପାଡୁଆ, ଢୋଲାପୁଟ, ବୈପାରୀଗୁଡ଼ା, କୁନ୍ଦ୍ରା ଆଦି ଵିସ୍ତୀର୍ଣ୍ଣ ଅଞ୍ଚଳରେ ଵାସ କରୁଥିଵା ଏହି ପୁରାତନ ଜନଜାତୀୟ ସଂପ୍ରଦାୟକୁ ଗଦବା କୁହାଯାଏ। ଏମାନଙ୍କର ଭାଷାର ନାମ ଗୁତବ୍।

ଗାଦବାମାନେ ଆନ୍ଧ୍ରପ୍ରଦେଶର ଗୋଦାଵରୀ ନଦୀ ଅଵଵାହିକାରୁ ଆସିଥିଵାରୁ ଏମାନଙ୍କର ନାମକରଣ ଗାଦବା ହୋଇଥିଵା ଗଵେଷକଙ୍କ ମତ । ନିଜର ସାମାଜିକ କାର୍ଯ୍ୟଧାରାକୁ ନେଇ ଗାଦବାମାନେ ତିନିଶ୍ରେଣୀରେ ଵିଭକ୍ତ ହୋଇ ଯାଇଛନ୍ତି

 ଯଥା —

 (୧) ବଣ୍ଡା ଗାଦବା

 (୨) ଓଲାର ଗାଦବା

 (୩) ପାରେଙ୍ଗା ବା ଉରାଙ୍ଗ ଗାଦବା ।

ବଣ୍ଡା ଓ ଗାଦଵା ଉଭୟ ଆଷ୍ଟ୍ରୋଏସୀୟ ଜନଜାତିର ଲୋକ ଏଵଂ ଏମାନଙ୍କର ଭାଷା ମଧ୍ୟ ଆଷ୍ଟ୍ରୋଏସୀୟ ଭାଷା ପରିଵାରର ଅନ୍ତର୍ଗତ ଥିଵା ମୁଣ୍ଡାଶାଖାର ଅଟବଣ୍ଡା ଓ ଗାଦଵାଙ୍କୁ ସେଥିପାଇଁ ଦୁଇ ଭାଇ ଅଭିହିତ କରାଯାଇଛି।  



Rate this content
Log in