Bidyadhar Dalabehera

Children Stories

4.4  

Bidyadhar Dalabehera

Children Stories

ବିଚାର

ବିଚାର

5 mins
296


 ସେଦିନ ଭାରି ଟାଣ ଖରା ହେଉଥାଏ । ନଦୀର ପାଣି ସରୁ ଧାର ଟିଏ ହୋଇ ବୋହି ଯାଉଛି । ନଦୀ ଧାରେ ଧାରେ ବୁଦୁ ବୁଦିଆ ଗଛ କେତୋଟି ଛାଡ଼ିଦେଲେ ଆଉ କିଛି ବଡ଼ ଗଛ ପ୍ରାୟ ନଥିଲା । କାରଣ ଏଇଟା ଗୋଟେ ଗୋଡ଼ିଆ ପଥୁରିଆ ଜାଗା । ଏଇ ବଣ ମୁଲକ ରେ ବିଶେଷ ଭାବେ ଜୀବ ଜନ୍ତୁ ନଥାନ୍ତି । ହାତଗଣତି ପଶୁ ପକ୍ଷୀଙ୍କୁ ଛାଡ଼ି ଦେଲେ ଆଉ କେହି ରହୁ ନଥାନ୍ତି । ତେଣୁ ଏଇ ବଣ ରାଇଜରେ ଭାଲୁ ରାଜା ଓ ବିଲୁଆ ମନ୍ତ୍ରୀ ହୋଇ ଶାସନ କରୁଥାନ୍ତି। 

    ଏଠି ତ ସବୁ ଆଡେ ଛୋଟ ଛୋଟ ଗଛ ଲତା ଅଛି ହେଲେ କିଛି ଦୂରରେ ଗୋଟାଏ ବଡ ଗଛ ଦେଖା ଯାଉଛି । ଦିନେ ରାଜ କୁମାର ଭାଲୁଙ୍କର ଇଚ୍ଛା ହେଲା ସେ ଗଛ ପାଖକୁ ଯାଇ ବୁଲି ଆସିବା ପାଇଁ । ହେଲେ ମହାରାଜାଙ୍କ ନିର୍ଦ୍ଦେଶ କେହି ବି ସେ ଗଛ ପାଖକୁ ନଯିବା ପାଇଁ । ରାଜ କୁମାର ଭାଲୁ ଇଚ୍ଛା ହେଉଛି ମାନେ ଯେମିତି ହେଲେ ସେ ଯିବେ । ଏ କଥା ମନେ ମନେ ସ୍ଥିର କଲେ। ତା ପର ଦିନ ମନ୍ତ୍ରୀଙ୍କ ପୁଅକୁ ଡାକି ଧୀରେ କହିଲେ ।ଚାଲ ଆମେ ସେ ଗଛ ଆଡ଼େ ଯାଇ ବୁଲି ଆସିବା । ମନ୍ତ୍ରୀ ପୁଅ କହିଲା ସେଠି କୁଆଡେ ଗୋଟେ ବିଷାକ୍ତ ଜିନିଷ ଅଛି ସେଠିକି ଯିଏ ଯିବ ସେ ମରିଯିବ। ସେଥିପାଇଁ ରାଜା ଆଦେଶ ଦେଇଛନ୍ତି ସେଠାକୁ କେହି ନଯିବା ପାଇଁ । 

     ରାଜ କୁମାର କହିଲେ ହଉ ଠିକ୍ ଅଛି । କିଛି ଗୋଟେ ଉପାୟ କରି ସେଠାକୁ ଯିବାକୁ ପଡ଼ିବ । ରାଜ କୁମାର କହିଲେ ଚାଲ ଆମେ ଯିବା ଟିକେ ଦୂରରେ ରହି ଦେଖିବା ସେଠାରେ କଣ ଅଛି । ଏ କଥା ବିଲୁଆ ମନ୍ତ୍ରୀ ର ପୁଅର ମନକୁ ପାଇଲା । ସେ କହିଲା ହଉ ଠିକ୍ ଅଛି ତାହା ହେଲେ ଚାଲ ଶିଘ୍ର ଯିବା ଶିଘ୍ର ଫେରି ଆସିବା। ନଚେତ୍ ଘରେ ଜାଣିଲେ ଆମ ପିଠିରେ କୂଅ ଖୋଲିଦେବେ। ଦୁହେଁ କଥା ବାର୍ତ୍ତା ହୋଇ ବାହାରି ପଡ଼ିଲେ । ଟାଣ ଖରା ହେଉଥାଏ । କିଛି ସମୟ ଚାଲିବା ପରେ ସେ ଗଛ ପାଖ ପାଖି କିଛି ନେଉଳ ଛୁଆ ମନ ଆନନ୍ଦରେ କଣ ଗୋଟେ ଖାଉଛନ୍ତି । ଏହା ଦେଖି ରାଜ କୁମାର କହିଲେ ଆଚ୍ଛା ମୋତେ କହିଲ ସେମାନେ ସେ ଗଛ ପାଖା ପାଖି କଣ ଖାଉଛନ୍ତି। ସେମାନେ ସେ ଗଛ ବିଷୟରେ ବେଶ୍ ଭଲ ଭାବରେ ଜାଣିଥିବେ।ଚାଲ ଆମେ ତାଙ୍କୁ ପଚାରି ବୁଝିବା । କହି ସେମାନଙ୍କ ପାଖକୁ ଯିବା ପାଇଁ ଅଗ୍ରସର ହେଲେ । 

        ଏମାନେ ତାଙ୍କ ଅଭିମୁଖେ ଆସୁଥିବାର ଦେଖି ନେଉଳ ଛୁଆ ମାନେ ଗୋଟାଏ ଗାତ ଭିତରେ ପଶିଗଲେ । ଏହା ଦେଖି ଯୁବରାଜ ଭଲୁକ କହିଲେ । ଆରେ ହେ ଆଉ କଣ ତୁମେ କହୁଥିଲ ସେଠିକି ଯିଏ ଜୀବ ମରିଯିବ। ଚାଲ ସେଠିକି ଯିବା ତାଙ୍କୁ ପଚାରିବା ସେ ଗଛର ରହସ୍ୟ କଣ। ମନ୍ତ୍ରୀ କୁମାର ବିଲୁଆ କହିଲା ଯୁବରାଜ ଆପଣ ସିନା ଜିଦ୍ କରି ସେଠାକୁ ଯିବାକୁ କହିଛନ୍ତି ହେଲେ ରାଜା ସାହେବ ଜାଣିଲେ ମୋ ଜୀବନ ରହିବ ନାହିଁ। ଯୁବରାଜ ଭାଲୁ କହିଲେ ସେ କଥା ମୁଁ ବୁଝିବି ତୁମେ ମୋ ସହିତ ଚାଲ ।

      ଦୁଇଜଣ ଆଗପଛ ହୋଇ ସେ ଗଛ ପାଖରେ ପହଞ୍ଚି ଗଲେ । ଏମାନେ ଆସିବା ଦେଖି ନେଉଳ ଛୁଆ ମାନେ ଗାତ ଭିତରକୁ ପଶିଗଲେ । ଏବଂ ତାଙ୍କ ମାଙ୍କୁ କହିଲେ ଦୁଇଟା ବଡ଼ ବଡ଼ ଜୀବ ଆମ ପାଖକୁ ଆସିଛନ୍ତି। ମାଆ ନେଉଳ ଗାତ ଭିତରୁ ବାହାରି ଆସି ଦେଖିଲା ଦୁଇ ଜଣ ଠିଆ ହୋଇଛନ୍ତି। ମା ନେଉଳ ପଚାରିଲା ବାବୁ ମାନେ ତୁମେ କିଏ ? ତୁମେ ମାନେ ଏଠାକୁ କାହିଁକି ଆସିଛ ? ଭାଲୁ ମହାରାଜ ଜାଣିଲେ ତୁମମାନଙ୍କୁ ଦଣ୍ଡ ଦେବେ । ଏହା ଶୁଣି ରାଜ କୁମାର ଭାଲୁ କହିଲେ ମୁଁ ହେଉଛି ରାଜକୁମାର ବିରେନ୍ ଆଉ ଇଏ ମୋ ସାଥୀ ମନ୍ତ୍ରୀଙ୍କ ପୁଅ ବିଶ୍ବାସ । ଆମେ ଦୁହେଁ ଏ ଗଛର ରହସ୍ୟ ଜାଣିବା ପାଇଁ ଏଠାକୁ ଆସିଅଛୁ । ଆମ ରାଜ୍ୟରେ ଖାଦ୍ୟ ର ଘୋର ଅଭାବ ହେଲେ ମୁଁ ଦେଖୁଛି ଏ ଗଛର ଚାରିପାଖରେ ପଡ଼ିଥିବା ଫଳ ଗୁଡ଼ିକ ଉତ୍ତମ ସୁଗନ୍ଧ ଦେଉଚି ।ତୁମେ ମାନେ ଏହାକୁ ଖାଉଛ ବୋଧେ ।

ରାଜ କୁମାରଙ୍କ ପରିଚୟ ପାଇବା କ୍ଷଣି ନିଜ ଲାଞ୍ଜରେ ଦୁଇଟି ପଥରକୁ ଝାଡି ଦେଇ ସଫା କରିଦେଲା ଏବଂ ବସିବାକୁ କହିଲା। ଦୁଇଜଣ ବସିବା କ୍ଷଣି ଦୁଇଟି ପତ୍ର ରେ କିଛି ଖାଦ୍ୟ ଆଣି ପରଷି ଦେଲା। ଆଉ ଖାଇବାପାଇଁ ଅନୁରୋଧ କଲା ।

ଦୁହେଁ ମହା ଆନନ୍ଦରେ ଖାଇଲେ । କହିଲେ ଏତେ ସୁଆଦିଆ ଖାଦ୍ୟ ତୁମେ କେଉଁଠୁ ପାଉଛ ? ନେଉଳ କହିଲା ଯୁବରାଜ ଆପଣ ପ୍ରଥମେ ଏ ଗଛ ବିଷୟରେ ଜାଣନ୍ତୁ ତା ପରେ ଏ ଖାଇବା ବିଷୟରେ କହିବି । 

        ରାଜ କୁମାର କହିଲେ ହଉ ତାହା ହେଲେ କୁହ ।

ନେଉଳ ଦୀର୍ଘ ନିଶ୍ଵାସ ଟିଏ ନେଇ କହିବା ଆରମ୍ଭ କଲା ।

ପାଞ୍ଚ କି ସାତ ବର୍ଷ ତଳର କଥା ସେ ବର୍ଷ ଖୁବ୍ ମରୁଡି ପଡ଼ିଥାଏ । ଖାଇବା ପାଇଁ ସମସ୍ତେ ଡହଳ ବିକଳ ହେଉଥାନ୍ତି। ମୁଁ ଏଇ ନଦୀ ଧାରେ ଧାରେ ଖାଦ୍ୟ ଖୋଜୁ ଖୋଜୁ କିଛି ମଞ୍ଜି ଏକାଠି ପଡିଥିବାର ଦେଖିଲି । ମୁଁ ବହୁତ ଭୋକିଲା ଥିଲି ତେଣୁ କିଛି ମଞ୍ଜି ଖାଇ ନେଲି । ଆଉ କିଛି ମଞ୍ଜି ଅଣି ଏଇଠି ଗାତ ଖୋଳି ଲୁଚାଇ ଦେଲି । ସେଇ ମଞ୍ଜି ବର୍ଷା ହେବା ପରେ ଗଛ ହେଇଗଲା । ସୁନ୍ଦର ଓ ଛନ ଛନିଆ ଗଛ ଦେଖି ମୁ ଭାରି ଖୁସି ହୋଇ ଖେଳୁ ଥିଲି । ଦିନେ ମନ୍ତ୍ରୀ ମୋତେ ଦେଖି କହିଲେ ହାଇହୋ ନେଉଳ ବଇଦେ ଆଜି କଣ ଭାରି ଖୁସି ?

    ମୁଁ ଏ ଗଛ ଉତ୍ପତ୍ତି ବିଷୟରେ ସବୁ କହିଲି । ଏହା ଶୁଣି ସେ ଈର୍ଷା ରେ କହିଲେ ଏହାକୁ ତୁରନ୍ତ ମାରିଦିଅ ନଚେତ ଏହା ଦ୍ବାରା ଆମ ରାଜ୍ୟର ବହୁତ କ୍ଷତି ଘଟିବ । ମୁଁ ଯାହା ଅନୁମାନ କରୁଛି ଏହା ନିଶ୍ଚିତ କିଛି ବିଷାକ୍ତ ଜିନିଷ ନହେଲେ ମାଟି ତଳେ ଏତେ ଦିନ ରହିଲା ପରେ ବି ସେ ଗଛ ହୋଇ ନଥାନ୍ତା । 

ମୁଁ ମନ୍ତ୍ରୀଙ୍କ କଥାକୁ ହଁ ଭରିନେଲି । କିନ୍ତୁ ଗଛଟିକୁ କାଟିବା ପାଇଁ ମୋ ଇଚ୍ଛା ହେଲାନାହିଁ। କିଛଦିନ ପରେ ମୋତେ ରାଜ ଦରବାର ରୁ ଖବର ଆସିଲା ତୁମକୁ ରାଜା ଡକେଇ ପଠାଇଛନ୍ତି ତୁମେ ଆଜି ହିଁ ଦେଖା କରିବ ।

      ମୁଁ ତରବର ହୋଇ ମହାରାଜଙ୍କୁ ଦେଖା କଲି । ପାରିସଦ ବର୍ଗ ବସିଥାଆନ୍ତି । ମହାରାଜ ପ୍ରଶ୍ନ କଲେ ତୁମେ ସେଠାରେ ଗୋଟାଏ ବିଷାକ୍ତ ଗଛ ଲଗେଇଛ। ତୁମକୁ ମନ୍ତ୍ରୀ ତାଗିଦ୍ କରିବା ସତ୍ତ୍ୱେ ତୁମେ ସେ ଗଛ କାହିଁକି କାଟିନାହଁ। ମୁଁ ଉତ୍ତର ଦେଲି ମହାରାଜ ଏହା କୌଣସି ବିଷାକ୍ତ ଗଛ ନୁହେଁ । ଏହା ଏକ ବଡ଼ ଗଛ ହେବ । ଫୁଲ ଫଳ ଦେବ ଅମ୍ଳଜାନ ଦେବ ଏହା ଆମ ରାଜ୍ୟ ପାଇଁ ହିତକର ହେବ ମହାରାଜ। ମନ୍ତ୍ରୀ ମହୋଦୟ ସଙ୍ଗେ ସଙ୍ଗେ ରାଗି ଯାଇ କହିଲେ ତୁମେ କଣ ଆମ ଠାରୁ ବେଶୀ ଜାଣିଛ । ତୁମେ ସେ ଗଛ କାଟିଲ ନାହିଁ । ବର୍ତ୍ତମାନ ସେ ଗଛ କେମିତି କଟାଯିବ । ତୁମ ପାଇଁ ଆମ ରାଜ୍ୟର ଅନେକ ଜୀବ ଜନ୍ତୁ ନିଶ୍ଚୟ ମରିବେ । ତୁମେ ସେଥିପାଇଁ ଦଣ୍ଡ ଭୋଗିବାକୁ ପଡ଼ିବ । କଣ ଦଣ୍ଡଦେବେ ମହାରାଜ କହିବେ।

    ମହାରାଜ କହିଲେ " ତୁମେ ଜାଣି ଶୁଣି ଏକ ବିଷାକ୍ତ ଗଛ ବଡ କରିଛ ତେଣୁ ତୁମେ ଆଜି ଠାରୁ ସେହି ଗଛ ପାଖରେ ରହିବ । ଯଦି କେହି ସେ ଗଛ ପାଖକୁ ଆସନ୍ତି ତୁମେ ତାକୁ ମନା କରିବ ଯଦି ଏହାର ଖିଲାପ ହୁଏ କିମ୍ବା ସେ ଗଛ ପାଇଁ କିଏ ମୃତ୍ୟ ମୁଖରେ ପଡେ ତା ହେଲେ ତୁମର ମୁଣ୍ଡ କାଟ କରାଯିବ " ମୁଁ ସେଇ ଦିନରୁ ଏଇ ଗଛ କୁ ଜଗି ରହିଛି । ଏବେ ଦୁଇ ବର୍ଷ ହେଲା ଗଛ ଫଳ ଦେଇଛି ଆମେ ମହା ଆନନ୍ଦରେ ଖାଉଛୁ କାଇଁ ଆମର କିଛି ବି ହେଉନାହିଁ ଆହୁରି ମୋ ପିଲା ମାନେ ବଳବାନ ଓ ସୁସ୍ଥ ଜୀବନ ଯାପନ କରୁଛନ୍ତି । ଆପଣ ମାନେ ଆଜି ସେଇ ଫଳ ଖାଉଛନ୍ତି। 

     ଏ ସବୁ ଶୁଣିବା ପରେ ରାଜ କୁମାର କହିଲେ । ମୋତେ କିଛି ଫଳ ଦିଅ । ମୁଁ ନେଇକି ଯିବି । ସଙ୍ଗେ ସଙ୍ଗେ ନେଉଳ କହିଲା ମହାରାଜ ଜାଣିଲେ ମୋ ମୁଣ୍ଡ କାଟ କରିଦେବେ ଆପଣ ଏହାକୁ ନିଅନ୍ତୁ ନାହିଁ। ରାଜ କୁମାର ଜବରଦସ୍ତ ନେଇଗଲେ । ରାଜ କୁମାର ଘରେ ପହଞ୍ଚିଲା ବେଳକୁ ତାଙ୍କ ବାପା ଓ ଅନ୍ୟ ଜଣେ ଅତିଥି ବସି କଥା ହେଉଛନ୍ତି। ଏହି ସମୟରେ ରାଜକୁମାର ଦାସୀଙ୍କ ଦ୍ଵାରା ସେ ଆଣିଥିବା ଫଳ କୁ ତାଙ୍କୁ ଖାଇବାକୁ ଦେଲେ । ମହାରାଜ ଏତେ ସ୍ୱାଦିଷ୍ଟ ଫଳ କେବେ ଆଗରୁ ଖାଇ ନଥିଲେ । ଦାସୀ କୁ ପଚାରିଲେ ଏ ଫଳ କଣ କେଉଁଠୁ ଆସିଲା । ଅତିଥି ହସି ହସି କହିଲେ ଏହା ପଣସ ଏହା ଭାରି ସ୍ୱାଦିଷ୍ଟ। ଆପଣଙ୍କ ରାଜ୍ୟରେ ଏହା କେଉଁଠୁ ଆସିଲା । ଏହି ଗଛ ଆମ ରାଜ୍ୟରୁ ସହେ ମାଇଲି ଦୂରରେ ଅଛି । ମୁଁ ବହୁତ ଦିନ ତଳେ ସେଠାକୁ ଯାଇଥିଲି ଏବଂ ଖାଇଥିଲି। ଆପଣଙ୍କ ରାଜ୍ୟରେ ଏହା ଅଛି ମାନେ ଆଉ କେବେ ଖାଦ୍ୟ ଅଭାବ ରହିବ ନାହିଁ ।

     ଏହା ଶୁଣି ରାଜା ଚକିତ ହୋଇଲେ । ଦାସୀ କୁ ଡାକି କହିଲେ ଏ ଫଳ ଯିଏ ଆଣିଛି ତୁରନ୍ତ ମୋ ପାଖକୁ ଡାକ ।

ସଙ୍ଗେ ସଙ୍ଗେ ରାଜକୁମାର ଆସିଲେ କହିଲେ ବାପା ମୁ ଆଜି ସେ ନଇ କୂଳକୁ ବୁଲିବାକୁ ଯାଇଥିଲି । ସେଠାରେ ବଡ଼ ଗଛ ଦେଖି ଇଚ୍ଛା ହେଲା ଦେଖିବା ପାଇଁ ମୁଁ ଚାଲିଗଲି ପରେ ଘଟିଥିବା କଥା ସବୁ କହିଲେ । ସବୁ ଶୁଣିବା ମାତ୍ରେ ମନ୍ତ୍ରୀ କୁ ଡାକି ଅନେକ ଗାଳି ଦେଲେ ନେଉଳକୁ ଡାକି ଅନେକ ପୁରସ୍କାର ଦେଲେ ଏବଂ କହିଲେ ତୁମେ ଏବେ ଠାରୁ ଆହୁରି ଅନେକ ଗଛ ଲଗେଇବା ପାଇଁ ଚେଷ୍ଟା କର ଯାହା ଫଳ ଅଛି ରାଜ୍ୟବାସୀଙ୍କୁ ବାଣ୍ଟିଦିଅ । ସେଇ ଦିନ ଠାରୁ ନେଉଳ ଅନେକ ପଣସ ଗଛ ଲଗେଇ ଟାଙ୍ଗରା ଭୂଇଁ କୁ ଶସ୍ୟ ଶ୍ୟାମଳ କରିଦେଲା ।   


Rate this content
Log in