Leena Bastia

Others

3  

Leena Bastia

Others

ଭିକାରୀ ମାଉସୀ.......

ଭିକାରୀ ମାଉସୀ.......

9 mins
229


"ମା' ଲୋ...., ଭିକ ଟିକେ ଦବୁ..... । " ଭିକାରୀ ମାଉସୀର ଏଇ ଡାକ ପାଇଁ ମୁଁ ଅପେକ୍ଷା କରି ବସିଥାଏ ପ୍ରତ୍ୟେକ ରବିବାର । 

ନିତ୍ୟକର୍ମ ସରିଲା ବେଳକୁ ମୋର କର୍ମଠ ସେବିକା ଲତା ସକାଳର ମୋର ଅତି ପ୍ରିୟ ଚାହା କପ୍ ଧରି ପହଞ୍ଚିଯାଏ । ଅନ୍ୟଦିନେ ସେ ଚାହାର ସୁଆଦ ରବିବାର ଦିନର ଚାହା ଭଳି ନଥାଏ । ବୋଧହୁଏ, କର୍ମକ୍ଷେତ୍ରକୁ ଯିବା ବ୍ୟସ୍ତତା ମଧ୍ୟରେ ତାହା ଅନୁଭବ କରି ହୁଏନା । ରବିବାର ଦିନ ମୋର ଚାହା କପଟା ସରୁ ସରୁ ମୁଁ ବାଲକୋନୀରୁ ଅନାଇ ରୁହେ ଭିକାରୀ ମାଉସୀର ଡାକ ପାଇଁ । ଆପଣମାନେ ଭାବୁ ଥିବେ ଭିକାରୁଣୀ ପୁଣି ମାଉସୀ ? ଇଏ କି ସମ୍ବୋଧନ, ଇଏ କି ପ୍ରକାର ସମ୍ପର୍କରେ ମୁଁ ବନ୍ଧା । 

ହଁ, କାହିଁକି କେଜାଣି ମୁଁ ତାଙ୍କୁ ମାଉସୀ ଡାକେ,ଆପେ ଆପେ ମୋ ମୁଣ୍ଡ ନଇଁ ଯାଏ ତାଙ୍କ ଆଗରେ । ଜାଣେନା କି ସମ୍ପର୍କ ମୋର ତାଙ୍କ ସାଙ୍ଗରେ । ସେ ଜ୍ୱଳନ୍ତ ମୁହଁ କୌଣସି ଭିକାରୁଣୀର ମୁହଁ ଭଳି ଦେଖାଯାଏନା । କେବଳ ଭେକ ହିଁ ତାଙ୍କର ଭିକାରୁଣୀ ହେବାର ପ୍ରମାଣ ଦେଇଥାଏ । ଆଉ ଉଦାସୀନତା ଅହରହ ତାଙ୍କ ମୁଖମଣ୍ଡଳରେ ଘର କରି ରହିଥାଏ । ମୁଁ କିନ୍ତୁ ଅତି ଖୁସିରେ କୌଣସି ଏକ ପର୍ବ ପରି ତାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାକୁ ଲତାକୁ ବରାଦ କରେ, ଆଉ ମୁଁ ମଧ୍ୟ ସାହାଯ୍ୟ କରିଥାଏ । 

ସେଦିନ ବି ରବିବାର ଥିଲା, ମାଉସୀ ଡାକ ଛାଡ଼ିଲା,ମୁଁ ଅନେକବାର କହିଛିି ମାଉସୀଙ୍କୁ calling bell ବଜେଇବାକୁ କିନ୍ତୁ ମାଉସୀ ମାନେନା, ଖୁବ୍ ଜୋରରେ ଡାକ ଛାଡେ, ସତେ ଯେମିତି ଜଣେଇବାକୁ ଚାହେଁ ସେ ଆସିଗଲା ବୋଲି,କାହାକୁ କେଜାଣି ?

ମାଉସୀର ବେଶଭୂଷା ମତେ ସବୁ କୃତ୍ରିମ ଦେଖାଯାଏ, ଲାଗେ ସତେ ଯେମିତି ସେ ଜଣେ ଅଦ୍ଭୁଦ କଳାକାର ଓ ତାର ଅଭିନୟର ନମୁନା ସାବ୍ୟସ୍ତ କରିବାକୁ ମୋରି ଘରକୁ ରଙ୍ଗମଞ୍ଚ ରୂପେ ବାଛି ନେଇଛି । 

ସେଦିନ ମୁଁ ପୁରୀ, ତରକାରୀ ଓ ଖିରୀ କରିବାକୁ କହିଥାଏ । ଲତା, ମାଉସୀକୁ ଚାହା, ବିସ୍କୁଟ ଦେଇ ଆସିଥାଏ । ମୁଁ ଆଜି ହଠାତ୍ ଲକ୍ଷ୍ୟ କାଲି,ମାଉସୀ ଆମ ସାମ୍ନାଘରକୁ ଏକଲୟରେ ନିରିଖେଇ ଚାହିଁରହିଛି । ତା ଚାହାଣିରେ ଥାଏ ବ୍ୟସ୍ତତା, ସତେ ଯେପରି କାହାକୁ ଖୋଜୁଛି । ହେଲେ ସେମାନେ ତ ନାହାନ୍ତି, ଘରେ ତାଲା ପଡିଛି, ମାଉସୀ ପୁଣି କଣ ଦେଖୁଛି ? ମୋ ମନକୁ ଅହେତୁକ ବିଚାର ସବୁ ଆସୁଥାଏ । ଏଣେ ମୋ ମନକୁ ପାପ ଛୁଇଁଲାଣି, କାଲି ନ୍ୟୁଜରେ ଶୁଣିଥିଲି, ଗୋଟାଏ ଗ୍ରୁପ୍ ବୁଲୁଛନ୍ତି ସହର ବଜାରରେ, ଯେଉଁମାନେ ଲୋକ ଠଉରାଇ ଘରେ ଲୁଟ୍ ମାର୍ କରୁଛନ୍ତି, କିଏ ଭିକାରୀ ବେଶରେ ଆସୁଛି ତ କିଏ ବିକାଳି ବେଶରେ, ଆହୁରି କେତେ କଣ । 

କିନ୍ତୁ ଏ ମାଉସୀ ତ ପ୍ରାୟ ୨ ବର୍ଷ ହେବ,ମୁଁ ବାହା ହେଇ ଆସିଲା ପରଠୁ ଆସୁଛି । ହେଲେ ଅଭାବ ଯେ ତା ସ୍ଵଭାବକୁ କିଣି ନ ନେଇଥିବ,ସେ କଥା କିଏ କହି ପାରିବ । ଏମିତି ମନ ଭିତରେ ଅନେକ ପ୍ରଶ୍ନର ଉତ୍ତର ଖୋଜିଲା ପରେ ମୁଁ ନିଷ୍ପତ୍ତି ନେଲି,ମତେ Mrs /Mr. ମହାପାତ୍ରଙ୍କୁ ଜଣେଇବାକୁ ହେବ । ମାନବ ଓ ମାନସୀ ମହାପାତ୍ର ତାଙ୍କ ୩ ବର୍ଷର ପୁଅ ସହିତ ଆମ ସାମ୍ନା ଘରେ ରୁହନ୍ତି । ମାନବର ମାଆ ପ୍ରାୟ ୬ବର୍ଷ ହେବ ପରଲୋକକୁ ଚାଲି ଗଲେଣି, ଆଉ ତାଙ୍କ ବାପା, ମୁଁ ବାହା ହେଇ ଆସିବାର ମାସେ ପରେ ହିଁ ଗୋଟେ road accidentରେ comaରେ ପଡ଼ିରହିଲେ, ସେଇ ସମୟରେ ବାପାଙ୍କର ଦେଖାଶୁଣା ପାଇଁ ମାନବ ଓ ମାନସୀ ଫେରି ଆସିଥିଲେ ଆମେରିକାରୁ । ଭାରି ଭଦ୍ର ଦମ୍ପତ୍ତି, ବହୁତ୍ ସ୍ନେହୀ ମଧ୍ୟ । ହେଲେ ଭିକାରୀ ମାଉସୀ କଣ ମତେ କମ୍ ସ୍ନେହ କରନ୍ତି ?କେତେ ଯେ ଆଶିଷ ଢାଳନ୍ତି ସେ, ତାଙ୍କ କରୁଣ ମୁହଁଟି ମୋ ଆଖି ଆଗକୁ ଆସିଯାଉଥାଏ । 

"ମାଉସୀ ଖାଇବା ବାନ୍ଧିନେଇ ଗଲାଣି, ମାଡ଼ାମ୍", ଲତାର ଡାକରେ ମୁଁ ହଠାତ୍ ଚମକି ପଡିଲି । ପୁଣି କହିଲା," ଆପଣଙ୍କ କଥା ଖୁବ୍ ପଚାରୁଥିଲା, ଆପଣଙ୍କ କହିବ ଅନୁଯାୟୀ କହିଲି ସେ କାମରେ ବାହାରକୁ ଯାଇଛନ୍ତି" । ମାଉସୀ ପ୍ରତି ଆଜି ମୋର ସେ ଭାବ ନଥିଲା, ସେଥିପାଇଁ ଅନ୍ୟ ଦିନ ଭଳି ମୁଁ ଖାଇବା ନେଇ ଦେବାକୁ ଗଲିନି । 

ତଥାପି ଭାବିଲି, ମହାପାତ୍ର ଦମ୍ପତିତିଙ୍କୁ କହିବା ପୂର୍ବରୁ ମୁଁ ନିଜେ ଆଉ ଥରେ ଭିକାରୀ ମାଉସୀଙ୍କୁ ପରଖି ନେବା ଉଚିତ୍ । 

ମୁଁ କେବଳ ବ୍ୟାକୁଳତାର ସହିତ ରବିବାରକୁ ଅପେକ୍ଷା କରି ବସିଥାଏ । ଆଜି ସେଇ ରବିବାର । ମହାପାତ୍ର ବାବୁଙ୍କ ପରିବାର ଜମିବାଡ଼ିକୁ ନେ଼ଇ ବୁଝାମଣା ନିମନ୍ତେ ଗାଆଁକୁ ଯାଇଛନ୍ତି, ଫେରି ନାହାନ୍ତି । ଆଜି ଆଉ ମୋର ମାଉସୀ ପ୍ରତି ସେ କରୁଣ ଭାବ ନଥିଲା ବରଂ ସେ ଲାଗୁଥିଲା ଯେପରି କୌଣସି ଏକ ଚୋର ଗୋଷ୍ଠୀର ଲିଡର । 


ତା ଡାକରେ ଆଜି ଆତ୍ମୀୟତା ନଥିଲା, ମୁଁ ଆଜି ଆଉ ସୁସ୍ୱାଦୁ ଖାଇବା ବନେଇଲିନି କି ଦୌଡ଼ି ଯାଇ ମାଉସୀକୁ ଆମ ପିଣ୍ଡାରେ ବସିବାକୁ ନିମନ୍ତ୍ରଣ କଲି ନାହିଁ, ମାଉସୀ ସେମିତି ଡାକୁଥାଏ । ମତେ କିନ୍ତୁ ଆଜି ସଜାଗ ରହିବାକୁ ହେବ, ସେଇ ଭିକାରୁଣୀର ପର୍ଦାଫାସ୍ କରିବାକୁ ହେବ, ଏହାର ପ୍ରଣ ନେଇଛି ମୁଁ । ମାଉସୀ ତାର ସେଇ ନାଟକ ଭରା ଚାହାଣୀରେ ମୋ ଘରକୁ ଚାହିଁ ରହିଥାଏ, ଆଉ ମୋ ଛାତି ଦୋହଲି ଉଠୁଥାଏ । 

ଆରେ, ଇଏ କଣ, ଆଜି ସେ ଭିକାରୁଣୀଟା ମହାପାତ୍ରବାବୁଙ୍କ ଘର ପରିବର୍ତ୍ତେ ମୋ ଘର ଆଡେ କାହିଁକି ଅନେଇ ରହିଛି । ତାହେଲେ ତା'ର ପରବର୍ତ୍ତୀ ଶିକାର କଣ ମୁଁ ? ନା,ଆଉ ଡେରି ନୁହେଁ,ଆଜି ସବୁ ବୁଝି ପୋଲିସକୁ ଜଣେଇଵାକୁ ହେବ । 

ଝରକା ପଛପଟେ ଲୁଚିରହି ମୁଁ ସବୁ ଦେଖୁଥାଏ, ମାଉସୀ ଧୀରେ ଧୀରେ ଘର ଆଡେ ଚାଲିଲା ଏବଂ ଗେଟ୍ରେ ଲାଗିଥିବା ନାମଫଳକକୁ ଅତି ଯତ୍ନରେ ନିଜ ଶାଢ଼ୀକାନିରେ ପୋଛିଲା, ପୁଣି ମୋ ଘରଆଡେ ଦେଖି ଦେଖି ପଳେଇବାକୁ ଲାଗିଲା । ମୁଁ ତରବରରେ ଲତାକୁ ଘର ଦେଖିବାକୁ କହି ମୁହଁରେ ସ୍କାର୍ଫଟେ ବାନ୍ଧି, ମୋର ହ୍ୟାଣ୍ଡ ବ୍ୟାଗଟା ଧରି ବାହାରିପଡିଲି, ସେଇ ଭିକାରୀ ମାଉସୀ ପଛରେ । ଲତା କିଛି ପ୍ରତିକ୍ରିୟା ଦେବା ପୂର୍ବରୁ ମୁଁ ପବନ ବେଗରେ ଘରୁ ବାହାରିଗଲି । 

ଆମ କଲୋନୀ ସରିବାପରେ ବାଁ ପଟେ କଚ୍ଚା ରାସ୍ତାଟିଏ, ଭାରି ନିଛାଟିଆ ସେ ରାସ୍ତା । ମାଉସୀ ସେଇ ରାସ୍ତାକୁ ଗଲା, ମୁଁ କାରରେ ଥାଏ, ତାପରେ....ତାପରେ ଯାହା ଦେଖିଲି ଆଖିକୁ ବିଶ୍ୱାସ ହେଉନଥାଏ । ଭିକାରୀ ମାଉସୀ ଏକ ମସ୍ତ ବଡ଼ ଚକଚକିଆ କାରରେ ବସିଲା । ମନରେ ସନ୍ଦେହ ଜାତ ହେଲା, ଆରେ କିଏ ନେଇ ଯାଉନି ତ ? ନା, ତା ନୁହେଁ,କେହି ଜୋର୍ ଜବରଦସ୍ତି କରିଥିଲେ, ମାଉସୀ ଚିତ୍କାର କରିଥାନ୍ତା କିମ୍ବା ତା ହାବଭାବରୁ ଜଣା ପଡିଥାନ୍ତା କିନ୍ତୁ ମୁଁ ସ୍ପଷ୍ଟ ଦେଖି ପାରୁଥାଏ, ମାଉସୀ ନିରବରେ ପଛପଟ ସିଟରେ ବସିଛି । ନିଃସନ୍ଦେହ ସେ ସେଇ ଚୋର ଗ୍ରୁପର ଲିଡର ଅଥବା ଜଣେ ଖୁବ୍ ସକ୍ରିୟ ମେମ୍ବର । 

- ଛିଃ,ନିରୀହ ଭିକାରୀଟିଏ ଭାବି ମୁଁ କେତେ କଣ ନ କରିଛି ତା ପାଇଁ । ସେ ଭିକାରୁଣୀ ନୁହେଁ, ଏ କଥା ମୋ ହୃଦୟ, ମସ୍ତିଷ୍କ ବାର୍ ବାର୍ କହିଥିଲେ ମଧ୍ୟ ତା ଅଭିନୟରେ ମୁଁ ହାରି ଯାଇଛି । ବହୁତ ଧିକ୍କାରିଲି ନିଜକୁ । 

କାରଟା ଏକ ନିର୍ଜନ ରାସ୍ତା ଦେଇ ଗତି କଲା,ମୁଁ ଏକ CID ଅଫିସର୍ ଭଳି ତାଙ୍କ ପଛେ ପଛେ ଚାଲି ଥାଏ । କାରଟା ଏକ ନିଛାଟିଆ ଜାଗାରେ ଥିବା ଫାର୍ମହାଉସରେ ଅଟକିଲା । ମାଉସୀ କାରରୁ ଓହ୍ଲାଇଲା ଆଉ ତାର ଚାଲିରେ ଭିକାରୁଣୀର ଚାଲିର ଅଭିନୟ ନଥିଲା,ମୁଁ ସେତେଟା ଆଶ୍ଚର୍ଯ୍ୟ ହେଲି ନାହିଁ । କିଛି ସମୟ ପରେ, ଏକ ସମ୍ଭ୍ରାନ୍ତ ମହିଳା ବାହାରକୁ ବାହାରିଲେ, ଦେହରେ ଥାଏ ଅତି ଦାମିକିଆ ଖଣ୍ଡେ ଖଦୀ ଶାଢ଼ୀ, ବେକ ଓ ହାତରେ ପର୍ଲର ଖଞ୍ଜା ମାଳି ଓ ଚୁଡ଼ି । କିଏ ସେ ? ମନରେ ମୋର ଅହେତୁକ ପ୍ରଶ୍ନ । ଗାଡିଟା ଟିକେ ଦୂରରେ ଥିବାରୁ ମୁଁ ଗଗଲ୍ସ ପିନ୍ଧା ମୁହଁଟା ଠିକ୍ରେ ଚିହ୍ନି ପାରିନଥାଏ । ପୁଣି ପିଛା କଲି ସେ କାରକୁ । ଏଥର କାରଟା ସହର ଅଭିମୁଖେ ଚାଲିଲା ଓ ଅଟକିଲା ଏକ ବିରାଟ ବଙ୍ଗଳା ଆଗରେ । ସେ ଭିକାରୀ ମାଉସୀ ଗଲା କୁଆଡେ ? ମୋ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଲାଣି କିନ୍ତୁ କିଏ ବା ଦେବ ସେ ଉତ୍ତର । 

ସେ କାରଟା ବଙ୍ଗଳାର ବିରାଟକାୟ ଗେଟ୍ ଦେଇ ପଶିଗଲାଣି । ମୋ କାରଟା ବି ଆସି ଗେଟ୍ ଆଗରେ । 

"ମ୍ୟାଡ଼ାମ୍, ଏପୋଏନମେଣ୍ଟ ନମ୍ବର କୁହନ୍ତୁ । " ଦରୱାନ୍ ପଚାରିଲା,ମୁଁ ବଲ ବଲ କରି ଅନାଇ ରହିଲି କିଛି ବୁଝି ପାରୁନଥାଏ । କଣ ବା କହିବି, କାହାକୁ ଡାକିବି, କଣ ପରିଚୟ ଦେବି ? ଅନାୟସରେ ପାଟିରୁ ବାହାରି ପଡ଼ିଲା, " ମାଉସୀ....., ମାଉସୀ ସାଙ୍ଗେ ଦେଖା କରିବି । "

ଦରୱାନଟା ମୋ କଥା ଶୁଣି ଖୁବ୍ ଜୋରରେ ତାତ୍ସଲ୍ୟ କଲାଭଳି ହସୁଥାଏ । "ମାଉସୀ କିଏ ମାଉସୀ, ଏଠି ଆମ ମ୍ୟାଡାମ୍ ରୁହନ୍ତି ଲିଜା ସିଂ ଦେଓ, ନେମ୍ ପ୍ଲେଟ୍ ଦେଖି ନାହାନ୍ତି କି ? ଯାଆନ୍ତୁ ଯାଆନ୍ତୁ ଏଠି ଆପଣଙ୍କ କେହି ମାଉସୀ ନାହାନ୍ତି । "ମୁଁ ଅବାକ୍ ହୋଇ ଦରୱାନକୁ ଚାହିଁରହି ଏ ରହସ୍ୟର ଉତ୍ତର ଖୋଜୁଥିଲି । 

- ଠିକ୍ ସେତିକି ବେଳେ ଦରୱାନ୍ ମୋବାଇଲ୍ରେ ରିଙ୍ଗ ହେଲା, ସେପଟୁ କିଏ କଣ କହିଲା କେଜାଣି, "ଓକେ ମ୍ୟାଡ଼ାମ୍" କହି ଦରୱାନ ମତେ ଭିତରକୁ ଯିବାକୁ କହିଲା । 

ଗେଟ୍ ଭିତରର ଦୃଶ୍ୟ ମତେ ବହିରେ ପଢିଥିବା ସ୍ୱର୍ଗପୁରୀର ଦୃଶ୍ୟ ପରି ମନେ ହେଉଥାଏ । ଗୋଟାଏ ପାଖରେ ସୁନ୍ଦର ଫୁଲବଗିଚା ତ ଆର ପାଖଟି ଫଳ ବଗିଚା । ଚତୁଃପାର୍ଶ୍ୱ ଫଳଫୁଲର ମହକରେ ମହ ମହ ବାସି ଉଠୁଥାଏ । 


ଆଉ ବଙ୍ଗଳାର ଭିତର ଓ ବାହାର ଯେପରି କେଉଁ ରାଜମହଲ,ଆଉ ମତେ ସ୍ବାଗତ କରୁଥାନ୍ତି ଜଣେ ସ୍ନେହମୟୀ, ସମ୍ଭ୍ରାନ୍ତ ପରିବାରର ନାରୀ । ଦେଖିଲି, ଟେବୁଲ ଉପରେ ଅନେକ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ସବୁ ସଜଡ଼ା ହୋଇଛି, ତା ବାସ୍ନାରେ ମୋର ଭୋକ ଆହୁରି ବଢ଼ିଗଲା । ଛି,ସେ ଭିକାରୁଣୀଟା ଯୋଗୁଁ ସକାଳୁ କିଛି ଖାଇ ବି ପାରିନି । ହଠାତ୍ ମୁଁ ନିଦରୁ ଉଠିଲା ଭଳି ଅବାକ୍ ହେଇଗଲି । ଇଏ ସ୍ୱପ୍ନ ନା ସତ । 

"ଆ.... ମାଆ, ଖାଇବୁ ସକାଳୁ ଖୁବ୍ ପରିଶ୍ରମ କଲୁଣି । " ଆରେ ଇଏ ତ ମାଉସୀର ଆୱାଜ୍ ଭଳି ମନେହେଉଛି । 

"ଆରେ ଆରେ,ତମେ ତ ଭି..କା....ରୀ.... ମାଉସୀ ?"

"ହଁ,ମା...,ମୁଁ ତୋର ସେଇ ଭିକାରୀ ମାଉସୀ । "

"ମାଉସୀ, ଏ ଘର କଣ ତୁମର? ତୁମେ ଲିଜା ସିଂ ଦେଓ ? ସିଂଦେଓ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିର ମାଲିକାଣୀ ?"

"ହଁ, ମୁଁ ସେଇ ହତଭାଗିନି, ମୁଁ ଜାଣେ ତୋ ମନରେ ଅନେକ ପ୍ରଶ୍ନ, ସବୁ କହିବି, ତୁ ହିଁ ଏକମାତ୍ର ମଣିଷ ଏ ନିଷ୍ଠୁର ସଂସାରରେ ଯିଏ ମତେ ସ୍ନେହ ଦେଇଛି, ଅବର୍ଣ୍ଣନୀୟ ପ୍ରେମ ଦେଇଛି,ସେ ପୁଣି ମୋ ଚlକ୍ୟଚମକରୁ ଅଲଗା ଏକ ଭିକାରୁଣୀ ରୂପକୁ । ଯିଏ ମୋ ପାଇଁ ଏତେ ଦୟା, ଶ୍ରଦ୍ଧା ଭାବ ରଖିଛି, ସେ ମୋ କଥା ନିଶ୍ଚୟ ବୁଝିବ । କିନ୍ତୁ ମାଆ ତୁ ଟିକେ ଆଗ ଖାଇଦେ । "

ଆଜି ସେଇ ରବିବାର କିନ୍ତୁ ସ୍ଥାନ,ସମୟ, ପରିସ୍ଥିତି ସବୁ ଅଲଗା, ସମ୍ପୂର୍ଣ୍ଣ ବିପରୀତ । 


ମାଉସୀଙ୍କ ବିଗତ ଦିନର କାହାଣୀ - ଲିଜା ସେତେବେଳେ ମାତ୍ର ୧୮ ବର୍ଷର, ସିଂଦେଓ ପରିବାରର ଅଳିଅଳ ଏକମାତ୍ର କନ୍ୟା । ରୂପ ଯେମିତି ଗୁଣ ବି ସେମିତି । ସେ ହସିଲେ, ପରିବାର ହସେ ଓ ଦୁଃଖି ହେଲେ ଭାଙ୍ଗିଯାଏ । ଗୋଟେ ପାର୍ଟିରେ ତା'ର ଦେଖା ହୁଏ ରିତେଶ ସହିତ । ଦୁହେଁ ଦୁହିଁଙ୍କୁ ଖୁବ୍ ଭଲ ପାଇ ବସିଲେ । ରିତେଶ ମଧ୍ୟ ଏକ ସମ୍ଭ୍ରାନ୍ତ ପରିବାରର ଗୁଣବାନ୍ ପିଲା । ସମୟ ଗଡ଼ି ଚାଲିଲା, ଏଣେ ତାଙ୍କ ଭଲପାଇବା ଗଭୀରରୁ ଗଭିରତର ହେଉଥାଏ । ଏହା ମଧ୍ୟରେ ରିତେଶ ନିଜର ଗାର୍ମେଣ୍ଟ ଇଣ୍ଡଷ୍ଟ୍ରିର ମାର୍କେଟିଂ ଡିଭିଜନର ହେଡ୍ ଭାବେ କାମ କରୁଥାଏ । ଲିଜା ମଧ୍ୟ MBA ସାରି ଘରକୁ ଫେରିଥାଏ ଆମେରିକାରୁ । ଦୁଇ ପରିବାର ମିଶି ଦୁହିଁଙ୍କର ବାହାଘର ଦିନ ମଧ୍ୟ ସ୍ଥିର କରିଦେଲେ । 

ଦିନେ ସିଂଦେଓ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିର ଆଉ ଏକ ଇଣ୍ଡଷ୍ଟ୍ରିର ଉଦଘାଟନ ପାଇଁ ଦୁଇ ପରିବାର ସହରରୁ ଆଉ ଏକ ସହରକୁ ଯାଇଥିଲେ । ଫେରିଲା ବେଳେ ଲିଜା ଓ ରିତେଶର କାର ଖରାପ ହେଇଗଲା । ବାକି ପରିବାର ଆଗରେ ଥିବାରୁ କିଛି ଜାଣି ପାରିଲେ ନାହିଁ, ଘରେ ପହଞ୍ଚି ଦେଖନ୍ତି ତ ସେ ଦୁହେଁ ଫେରି ନାହାନ୍ତି । ଫୋନ୍ ଦ୍ଵାରା ଲିଜା ଜଣାଇଲା ସେମାନଙ୍କ କାର ଖରାପ୍ ହେଇ ଯାଇଛି ଓ ସେମାନେ ଏ ଯାକେ ମେକାନିକ୍ ପାଇ ନାହାନ୍ତି, ଏଣେ ରାତି ମଧ୍ୟ ଅନେକ ହେଲାଣି, ଜଙ୍ଗଲ ରାସ୍ତା ଦେଇ ଯିବାକୁ ହେବ, ତେଣୁ ବାପାମାଆଙ୍କ ପରାମର୍ଶ କ୍ରମେ ସେ ଦୁହେଁ ଏକ ହୋଟେଲରେ ରାତି ବିତାଇବାକୁ ବାଧ୍ୟ ହେଲେ । 


ଏତିକି କହି ମାଉସୀ ଖୁବ୍ ଜୋରରେ କାନ୍ଦିବାକୁ ଲାଗିଲେ,ମୁଁ ବ୍ୟସ୍ତ ହୋଇ ପଡିଲି । ଟିକେ ସାନ୍ତ୍ଵନା ପାଇ ପୁଣି ମାଉସୀ କହିବାକୁ ଲାଗିଲେ - ସେ ରାତି ହେଲା ତାଙ୍କ ପାଇଁ କାଳ ରାତ୍ରି । ଯୌବନର ମାଦକତାରେ ଆମେ ବିରାଟ ଭୁଲ କରି ବସିଲୁ । ରିତେଶ କହିଲେ, ଲିଜା ଆଉ କେଇଟା ଦିନରେ ଆମର ବାହାଘର, ତୁମେ ଚିନ୍ତା କରନାହିଁ । 

କିନ୍ତୁ ନିୟତିକୁ ଏହା ମଞ୍ଜୁର ନଥିଲା, ତା ପରଦିନ ସକାଳୁ ଫେରିଲା ବେଳକୁ ଆମେ ଏକ ବିରାଟ ଆକ୍ସିଡେନ୍ଟର ସମ୍ମୁଖୀନ ହେଲୁ । ହସ୍ପିଟାଲରେ ରିତେଶ ଶେଷ ନିଃଶ୍ୱାସ ତ୍ୟାଗ କଲେ । 

ଲିଜାକୁ ମନେ ହେଲା ସମଗ୍ର ସଂସାର ଯେପରି ତା ପାଇଁ ଏକ ମରୁଭୂମି ପାଲଟିଛି । ସେତିକି ନୁହେଁ,ବୋଝ ଉପରେ ନଳିତା ବିଡା ପରି ତିନି ମାସ ପରେ ଲିଜା ଜାଣିପାରିଲା ସେ ଗର୍ଭବତୀ । ବାପାମାଆ ଦୁଃଖରେ ଭାଙ୍ଗି ପଡ଼ିଲେ । ଲିଜାର ଏକା ଜିଦ୍ ସେ ପିଲାଟିକୁ ଗର୍ଭରେ ମାରିବ ନାହିଁ, ତାହା ରିତେଶର ଶେଷ ଚିହ୍ନ । 

ତେଣେ ବାପାମାଆ ଚିନ୍ତା କଲେ, କଣ ହେବ ତାଙ୍କ ଲିଜାର, ସିଂଦେଓ ଇଣ୍ଡଷ୍ଟ୍ରି ର,ଏ କଳଙ୍କ ସହ କଣ ସେ ବଞ୍ଚି ପାରିବ ?ଏ ଅଜଗା ଘାଆ ଯୋଗୁଁ ଏ ସମାଜ କଣ ତାକୁ ବଞ୍ଚିବାକୁ ଦେବ ?କଣ ହେବ ତା ପିଲାର ? ତାକୁ କିଏ ତା ପବିତ୍ରତାର ସାର୍ଟିଫିକେଟ ଦେଇପାରିବ ?ଆମ ସମାଜରେ ନାରୀର ଏ ଦୁଃଖକୁ କିଏ ବୁଝିବ ? ବାପାମାଆ ଲିଜାକୁ ନେଇ ଆମେରିକା ଯିବାକୁ ନିଷ୍ପତ୍ତି ନେଲେ । 

ନଅ ମାସ ପରେ ଏକ ଦିବ୍ୟ ସୁନ୍ଦରୀ,କୋମଳମତି ଶିଶୁକୁ ଜନ୍ମ ଦେଲା ଲିଜା । ଅବିବାହିତା ମାଆ ଓ ତେଣେ ତାର ଝିଅଟିଏ । ସମାଜରେ ତାଙ୍କ ଝିଅ ମୁଣ୍ଡ ଟେକି ଠିଆ ହେଇପାରିବ ନାହିଁ, ତା ଝିଅକୁ ମଧ୍ୟ ସମାଜ ଉଚିତ୍ ସମ୍ମାନ ଦେବ ନାହିଁ । 


ତେଣେ ତାଙ୍କ ଘନିଷ୍ଠ ବନ୍ଧୁ ଶ୍ରୀରାମ ରାୟଙ୍କ ଏକ ମାତ୍ର ସନ୍ତାନ ଶିବମ୍ ରାୟଙ୍କ ପିଲାପିଲି ହେଉ ନ ଥିବାରୁ ତାଙ୍କ ମନ ଭାରି କଷ୍ଟ ଥାଏ । ମି. ସିଂଦେଓ ମନକୁ କଠୋର କଲେ, ଲିଜାର ଝିଅକୁ ତାଙ୍କୁ ଦେଇ ଆସିଲେ । 

ଏଣେ ଲିଜାକୁ କୁହାଗଲା ଝିଅଟି ଜନ୍ମ ହେଇ ମୃତ୍ୟୁବରଣ କରିଛି । 

ଭାଗ୍ୟକୁ ନିନ୍ଦି ଲିଜା ଏକାଗ୍ରଚିତ୍ତରେ ନିଜ ବିଜନେଶ୍ ସମ୍ଭାଳିବାରେ ସମୟ ଅତିବାହିତ କରିଚାଲିଲା । ଏଇ ୩ବର୍ଷ ହେଲା ଶିବମ୍ ରାୟ ମୃତ୍ୟୁ ଶଯ୍ୟାରେ ପଡ଼ିବା ବେଳେ ସେ ଲିଜାକୁ ଫୋନ୍ କରି ସବୁ ଜଣାଇଲେ । ହେଲେ ଶପଥ ନେଲେ ଯେ ସେ ତାଙ୍କ ଝିଅ ମାନସୀ ମହାପାତ୍ରଙ୍କ ଜୀବନରେ ଯେପରି ବିଗତ ଦିନର ଝଡ଼ଝଞ୍ଜା ନ ଆଣନ୍ତି । ସେଇଦିନୁ ମ୍ୟାଡାମ ଲିଜା ସିଂଦେଓ ଲୋକଲୋଚନରୁ ବଞ୍ଚି ତାଙ୍କ ଝିଅକୁ ଦେଖିବାକୁ ଯାଆନ୍ତି ପ୍ରତ୍ୟେକ ରବିବାର । ରବିବାର କର୍ମକ୍ଷେତ୍ରରେ ବିରତିର ଦିନ । ତେଣୁ ସେ ରବିବାରକୁ ବାଛି ନେଇଛନ୍ତି,ଏଇ ଆଶା ନେଇ ଯେ ତାଙ୍କ ମାନସୀ ସେଦିନ ଘରେ ଥିବ, କେତେବେଳେ ତ ପଦାକୁ ଆସିବ ଓ ସେ ମନ ପୁରେଇ ଟିକେ ଦେଖି ନେବେ । 

ମୋ ଆଖିରୁ ଧାର ଧାର ହୋଇ ଲୁହ ଗଡି ଯାଉଥାଏ । ଏତେ ପ୍ରତିଷ୍ଠିତ ନାରୀ ନିଜ ସନ୍ତାନକୁ କ୍ଷଣିକ ପାଇଁ ଦେଖିବାକୁ ଏକ ଭିକାରୀର ରୂପ ନେଉଛି । ଦୋଷୀ ନ ହୋଇ ମଧ୍ୟ ସେ ଦୋଷୀ । ଏକ ଅକୁହା, ଅଦୃଶ୍ୟ ଦଣ୍ଡ ଭୋଗି ଚାଲିଛନ୍ତି ସେ । 

ମୋର ସେଇ ସ୍ନେହମୟୀ ଭିକାରୁଣୀ ମାଉସୀ ମୋ ଲୁହ ତକ ପୋଛି କହିଲେ, "କାନ୍ଦନା ମାଆ, ମୁଁ ସମୟ ସ୍ରୋତରେ ବହି ଚାଲିବା ଶିଖିଗଲିଣି । 

ଏହାହିଁ ଠିକ୍ । କଥାଦେ ମା,ତୁ ମାନସୀକୁ କେବେ କିଛି କହିବୁନି । "  

ମାଉସୀଙ୍କୁ ଜାବୁଡ଼ି ଧରି ମୁଁ କଥା ଦେଲି,ଆମ ଭିତରେ ଏକ ଅଜଣା, ଅଚିହ୍ନା ସଂପର୍କ ଥିଲା,ତାହା ଆଜି ହେଇଯାଇଥିଲା ଖୁବ୍ ମଜବୁତ୍, ଖୁବ୍ ସୁଦୃଢ଼ । 

ଆଜିଭି ମୋର ସେଇ ଭିକାରୀ ମାଉସୀ ଆସୁଛି, ଦୂରେ ଥାଇ ଅନେକ ଆଶିଷ ଢାଳି ଦେଇ ଯାଉଛି । 

ସତରେ -

 "ଅଜାଗା ଘାଆ ନା ଦେଖିହୁଏ ନା ଦେଖେଇହୁଏ",ତାହା ଆଜି ମୁଁ ଭିକାରୀ ମାଉସୀର ଜୀବନୀରୁ ବେଶ୍ ହୃଦୟଙ୍ଗମ କରିପାରୁଥିଲି । 



Rate this content
Log in