Promise
Promise


ସେଇ ସୁନ୍ଦର ମୁହଁ,ଯାହା ଦେଖିଲେ ଆଖି ଫେରେଇ ହୁଏନା । ସମର ହଜି ଯାଏ ତାର କଲେଜ ପଢ଼ିବା ଦିନକୁ, ସମିତାକୁ କଲେଜରେ ପ୍ରଥମ ଦିନ ଦେଖି ଅନେକଙ୍କ ନିଃଶ୍ୱାସ ଯେମିତି ବନ୍ଦ ହେଇଯାଇଥିଲା । ଢଳ ଢଳ ପଦ୍ମ ପାଖୁଡ଼ା ପରି କଥା କୁହା ଆଖି, ଗୋଲାପୀ ଗୋଲାପୀ ଓଠ, ତୋଫା ଗୋରା ଦେହର ରଙ୍ଗ ,ତାର ଚାଲି ,ସବୁ କିଛି ନିଆରା ।
ଆଜି ଭି ଦୂରରୁ ପାଖାପାଖି ତିରିଶ ଜଣ ମହିଳା ମାନଙ୍କ ମଧ୍ୟରେ ସେ ଉଜ୍ଜଳ ଚେହେରାଟି ବାରି ହୋଇ ପଡ଼ୁଛି ।ହେଲେ ଇଏ କଣ ସେ କଥା କୁହା ଆଖି ଦୁଇଟି ଆଜି ପାଷାଣ ପ୍ରାୟ ।
ସମର ଓ ସମିତା ର ଦୀର୍ଘ ୩୫ ବର୍ଷ ପରେ MBA ଗ୍ରୁପର reunion ରେ ଦେଖାହେଇଛି ।ସମିତା ସମରକୁ ଦେଖି ଅନୁଭବ କଲା ସତେ ଯେମିତି ଗୋଟେ supercyclone ଆସି ତା' ଛାତିକୁ ପୁଣିଥରେ ଛାରଖାର କରିଦେଇଛି । ସମରର ବିଶ୍ୱାସ ଘାତକତା ନା ସ୍ୱାର୍ଥପରତା ଥିଲା ।କହିଥିଲା," ସମିତା ,ମୁଁ ଆମେରିକା ରେ higher study କରିବି ଓ ତାପରେ ଚାକିରି । ଠିକ୍ ସମୟରେ ଉପଯୁକ୍ତ ବରପାତ୍ର ଦେଖି ବାହା ହେଇଯିବ ।" ସମିତା କିଛି ବୁଝିବା ପୂର୍ବରୁ ବଡ଼ ସହଜରେ ଏତକ କହି ସମର ଚାଲିଗଲା। ସମିତା ସେଇଠି ସଂଜ୍ଞାହୀନ ଅବସ୍ଥାରେ ପଡ଼ି ଯାଇଥିଲା, ବୋଧହୁଏ ଆଜି ମଧ୍ୟ ସେ ତାର ଚେତା ଫେରି ପାଇନାହିଁ ।
"କେମିତି ଅଛ ସୁମି ", ହଠାତ୍ ଚମକି ଉଠିଲା ସୁମି, ସତେ ଯେମିତି କିଏ ବଜ୍ରାଘାତ କଲା ।୩୫ବର୍ଷ ହେଲା କେହି ସୁମି ନା' ରେ ଡାକି ନାହାନ୍ତି, ସ୍ବର୍ଗତ Mr. ମହାନ୍ତି, ସୁମି ର ସ୍ବାମୀ, ଯେବେ ସେ ନା' ରେ ଡାକିବାକୁ ଚେଷ୍ଟା କରିଛନ୍ତି, ସୁମି କଡ଼ାକଡ଼ି ଭାବେ ମନା କରିଛି, କହିଛିି ସେ ନା' ତାର ପସନ୍ଦ ନୁହେଁ ।
"ହଁ, ଭଲ ଅଛି ସୋମୁ, ତମେ କେମିତି ଅଛ ?" ପଚାରି ସୁମି ନିଜେ ନିଜେ ଉତ୍ତର ଦେଲା," ଖୁସିରେ ଥିବ ନିଶ୍ଚୟ, ଖୁସିରେ ରୁହ ସୋମୁ , ସେଇୟା ହିଁ ତ ସବୁବେଳେ ମାଗି ଆସିଛି ।"
ସ୍ମିତ ହସରେ ସମର କହିଲା,"ହଁ ସୁମି ,ମୋର ଧର୍ମପତ୍ନୀ ବର୍ଷକର ଝିଅ ଟିଏ ଦେଇ ସବୁଦିନ ପାଇଁ ଛାଡ଼ି ଚାଲି ଗଲେ । ଝିଅଟିର ଗଲା ବର୍ଷ ବିବାହ ହେଲା ।ମୁଁ ଦୂରଦୂରାନ୍ତରେ ସମ୍ପୂର୍ଣ୍ଣ ଏକୁଟିଆ ।"
ସୁମି ଅତି କରୁଣ ଭାବରେ ଏକ ଶୁଖିଲା ହସ ସହିତ କହିଲା, "ସୋମୁ ମାେ ପୁଅ ଅଭୟ ମଧ୍ୟ ଠି... କ୍ ତୁମ ଭଳି କ୍ୟାରିଅର oriented",
କହିଲା," ମା, ଭବିଷ୍ୟତ ଦେଖିବାକୁ ହେବ। ତମେ ଇଣ୍ଡିଆରେ ରହିବାକୁ ଜିଦ୍ କରନି । ମୋ ପରିବାର ତ ମୋ ସାଙ୍ଗରେ ଯିବେ,ତୁମେ ଏକୁଟିଆ ରହିବ କେମିତି ?"
"ସେଇ ଘଟଣାର ପୁନରାବୃତ୍ତି ମାତ୍ର ସୋମୁ, ବଦଳିଛି ମୋ ପାଇଁ କେବଳ କିଛିଟା ସ୍ଥାନ, କାଳ ଓ ପାତ୍ର ।" କହି ଏକ ଅଭିନୟ ଭରା ହସ ହସିବାକୁ ଚେଷ୍ଟା କଲା ସୁମି ।
ସମର ର ଇଚ୍ଛା ହେଉଥାଏ, ତାର ସୁମିକୁ ସେ ଖୁବ୍ ଜୋରରେ ନିଜ ଆଲିଙ୍ଗନକୁ ନେଇ ଆଜି ପ୍ରତିଶ୍ରୁତି ଦେବ ଓ ନିଜ ସାଙ୍ଗରେ ନେଇଯିବ ସବୁଦିନ ପାଇଁ । ହାତ ଦୁଇଟି ସୁମି ଆଡ଼କୁ ବଢୋଉ ବଢୋଉ ହଠାତ୍ ରହିଗଲା, ମନେ ପଡିଗଲା ସେଦିନ ସୁମିର ବାପା କହିଥିବା କଥା, ଭିନ୍ନ ଜାତି ଯୋଗୁଁ judge ସାମନ୍ତରାୟ ନିଜର ଏକ ମାତ୍ର କନ୍ୟାକୁ ବିବାହ କରିବା ପ୍ରସ୍ତାବରେ ରାଜି ହୋଇ ନ ଥିଲେ , ହେଲେ ସୁମିର ଜିଦ୍ ଆଗରେ ହାରି ଯାଇ ଥିଲେ ସତ କିନ୍ତୁ ତାଙ୍କର ମିଥ୍ୟା ଆଭିଜାତ୍ୟପଣିଆ ହାର୍ ମାନି ନ ଥିଲା। ଦୁଇଟି ପ୍ରେମଭରା ହୃଦୟକୁ ବରଂ ଶାସ୍ତି ଦେଇଥିଲେ judge ସାମନ୍ତରାୟ।
ଛଳନା କରି ସମର ଆଗରେ ମାଗିଥିଲେ "ଭିକ୍ଷା" । ହଁ,ହାତ ପତେଇ ସମରକୁ ସେ ମାଗିଥିଲେ ନିଜ ଝିଅକୁ ଫେରେଇ ଦେବାର ଭିକ୍ଷା,ନିଜ ଝିଅକୁ ଫେରି ପାଇବାର ଭିକ୍ଷା।ସମର ବୁଝି ନ ଥିଲା ସେ ଛଳନା,ନିଜ ଜିଦ୍ କୁ ପୁରା କରିବାର ଛଳନା, ହାରିଗଲା ସମର, ବାପାର ଝିଅ ପାଇଁ ଥିବା ପ୍ରେମ ଆଗରେ ।ସେ ସ୍ତବ୍ଧମୂର୍ତ୍ତୀ ପରି ମି. ସାମନ୍ତରାୟଙ୍କୁ ଅନେଇ ରହିଥାଏ ଓ ଶେଷଥର ପାଇଁ ସୁମିକୁ ଦେଖା କରିବାର ପ୍ରତିଶୃତି ଦେଇ ଚାଲିଗଲା । ସୁମିକୁ ସବୁଦିନ ପାଇଁ ଛାଡ଼ି ଚାଲି ଯାଇଥିଲା ।
ସେଇ ପ୍ରତଶ୍ରୁତି ତାର ଆଜି ପୁଣି ମନେ ପଡ଼ିଯାଇଛି ।ସମର ଉଠି ଠିଆ ହେଲା, ସମ୍ଭାଳି ନେଲା ନିଜକୁ ଓ ଏକ ମୁହାଁ ହୋଇ ବାହାରି ଗଲା ସେ ହଲ୍ ବାହାରକୁ । ସୁମି ଅଶ୍ରୁପୂର୍ଣ୍ଣ ଆଖିରେ ଚାହିଁ ରହିଲା ସମରର ଯିବା ବାଟକୁ,ବୋଧେ ଚିରଦିନ ପାଇଁ ।