ଅନୁଭୁତି ସେଇ ଦୁଇ ଟଙ୍କା
ଅନୁଭୁତି ସେଇ ଦୁଇ ଟଙ୍କା
ମେଡ଼ିସିନ୍ ଦୋକାନରୁ ଔଷଧ କିଣୁଥିଲେ ପ୍ରଦୀପ ବାବୁ । ଔଷଧର ଦାମ ହେଲା ୧୪୨ ଟଙ୍କା । ୨୦୦ ଟଙ୍କିଆ ନୋଟଟିଏ ବଢାଇ ଦେଲେ । ଦୋକାନୀ ଔଷଧ ଦେଇ ୫୦ ଟଙ୍କା ସହିତ ଆଠୋଟି ଚକ୍ ଲେଟ୍ ଧରାଇ ଦେଲା । ପ୍ରଦୀପ ବାବୁ ଆବାକାବା ହୋଇ ଦୋକାନୀ ମୁହଁକୁ ଚାହିଁ ରହିଥାନ୍ତି । ସାମାନ୍ୟ୍ ଦୁଇ ଟଙ୍କା ପାଇଁ ଆଠଟି ଚକ୍ ଲେଟ୍ !
ମନେ ପଡିଗଲା ୨୦ ବର୍ଷ ତଳର କଥା । ୧୯୯୯ ମସିହା ।
ସେଦିନ ଖୋର୍ଦ୍ଧା ବସଷ୍ଟାଣ୍ଡ ନିକଟରେ ଠିଆ ହୋଇଥିଲେ ପ୍ରଦୀପ ବାବୁ । ଉଦ୍ଦେଶ୍ୟ ଗାଁକୁ ଯିବା । କିନ୍ତୁ ପାଖରେ ଦୁଇ ଟଙ୍କିଆ କଏନ ଟିଏ ପଡ଼ିଛି । ଗାଁକୁ ଯିବାକୁ ହେଲେ ପାଖାପାଖି ୧୦ ଟଙ୍କା ଦରକାର । ଦେଖାହେଲେ ଅଫିସ୍ ର ଯୋଗାଣ ନିରୀକ୍ଷକ ହଜାରି ବାବୁ । ଚା ପିଇବାକୁ ଡାକିଲେ ।
ଦୁଇ ଜଣ ଚା ପିଇଲେ । ତା ପରେ ଖାନ୍ ବାବୁ ସିଗାରେଟ୍ ଟାଣିବା ଆରମ୍ଭ କଲେ । ପଚାରିଲେ ଗାଁକୁ ଯିବ ନା କଣ ।
ଆଜ୍ଞା ହଁ ।
ଭରସିକରି କିଛି କହି ପାରିଲେ ନାହିଁ । ୧୦ ଟଙ୍କା ବା ମାଗିଥାନ୍ତେ କେମିତି ? ଖାନ୍ ବାବୁ ୨୦୦ ଠୁ ଆରମ୍ଭ କରି ୫୦୦ ପର୍ଯ୍ୟନ୍ତ ଟଙ୍କା ବଢାଇଛନ୍ତି ଅନେକ ସମୟରେ । ତେଣୁ ସଙ୍କୋଚ ଲାଗିଲା । ବସରେ ଅପଦସ୍ତ ହେବାର ଭୟ ଘାରୁଛି ମନରେ । ଅନ୍ୟମନସ୍କ ଭାବରେ ପଦ ଚାରଣ କରୁଛନ୍ତି,ରାସ୍ତା ପାଶ୍ୱରେ ପ୍ରଦୀପ ବାବୁ । ହେଲେ କେତେ ବେଳଠୁ ହଜାରୀ ବାବୁ ଲକ୍ଷ୍ୟ କରୁଛନ୍ତି ,ପ୍ରଦୀପ ବାବୁ କେତେ ଗୁଡିଏ ଗାଡ଼ି ଛାଡ଼ି ସାରିଲେଣି । କିଛି ଆଉ ନ ପଚାରି ପାନ ଖଣ୍ଡିକ ପାଟିରେ ପକାଇ କହିଲେ ହଉ ପ୍ରଦୀପ ବାବୁ ଆସୁଛି ।
ଶାନ୍ତିରେ ନିଃଶ୍ୱାସ ମାରିଲେ ପ୍ରଦୀପ, ଭାବିଲେ ଯା ହେଉ ପରିଚିତ ମଣିଷ ପାଖରେ ଇଜ୍ଜତ ବଞ୍ଚିଗଲା । କେମିତି ବା ମାଗି ଥାନ୍ତେ ଟଙ୍କା ଦଶୁଟା । ନିହାତି ଲାଜର କଥା ।
ଏହି ସମୟରେ ଦେଖାଦେଲା ବେଗୁନିଆ ବ୍ଲକ୍ ଗାଡ଼ିଟା । ସାଙ୍ଗ ବୁଦ୍ଧିଆ ଡ୍ରାଇଭର । ଡାକ ଦେଲା ପ୍ରଦୀପ ଭାଇ ଗାଁ କୁ ଯିବାକୁ ଜଗିଛକି ଆସ ଆସ ।
ବିଲେଇ କପାଳକୁ ଶିକା ଛିଡିଲା ଯେମିତି । କୋଟି ନିଧି ମିଳି ଗଲା । ଯାଇ ବସିପଡିଲେ ଗାଡ଼ିରେ । କଥାବାର୍ତ୍ତାରେ କଟିଗଲା ସମୟ । ଗାଡ଼ି ଆସି ପହଞ୍ଚିଲା ବେଗୁନିଆ ରେ । ଯନ୍ତ୍ରଣା ଉପଶମ ତାବ୍ଲେଟ୍ ର ଶକ୍ତି ସରିଆସିଲେ ଯେମିତି, ସେମିତି ଆରମ୍ଭ ହୋଇଗଲା ପୁଣି ଭାବନା ।
କଣ କରିବି ।
ଟ୍ରେକର ରେ ଗଲେ ତିନି ଟଙ୍କା । ପାଖରେ ଦୁଇ ଟଙ୍କା । ଆଗ ପଛ ନ ବିଚାରି ପଛ ସିଟ୍ ରେ ବସିପଡିଲେ । ଗାଡି ପହଞ୍ଚିଲା ସୁନାଖଳା ଷ୍ଟାଣ୍ଡରେ । ଯାତ୍ରୀ ମାନେ ଓହ୍ଲାଇ ପଡିଲେ । ଡ୍ରାଇଭର ଭଡ଼ା ସଂଗ୍ରହ କରୁଥିଲା । ଦେଖିଲେ ତାର ନଜର ତାଙ୍କ ଆଡେ଼ ନାହିଁ । ପରିଶ୍ରା ବାହାନାରେ ପଛେଇ ଆସିଲେ ସେହି ସ୍ଥାନରୁ ।
ପହଞ୍ଚିଲେ ଗାଁକୁ ଯିବା କୁମ୍ବାରି ଛକରେ । ଦେହଟା ସାରା ଝାଳ ପୂର୍ଣ୍ଣ । ଭଗବାନଙ୍କୁ ଧନ୍ୟବାଦ୍ ଦେଉଥିଲେ, ଟ୍ରେକର ପାଖରେ ଇଜ୍ଜତ ବଞ୍ଚିଯାଇଥିବାରୁ ।
ଗାଁ ପୁଣି ଦଶ କିଲୋମିଟର । ପୁଣି କଣ କରିବେ । ଭାବୁଥିଲେ ଗାଁ ଲୋକ କେହି ଦେଖାହେଲେ ପଇସା ମାଗିବେ । ନହେଲେ ବି ଚଳିଯିବ । ଯୋଗକୁ ଗାଆଁ ଭାଇ କିଶୋର ଦେଖା ହୋଇଗଲା ।
ସେ ଡାକିଲା ।
ଭାଇ ଜଳଖିଆ ଖାଇବା ଆସ ।
ସମ୍ମତି ମାରି ଖାଇଲେ ଜଳଖିଆ । ପିଣ୍ଡରେ ପ୍ରାଣ ସଂଚାର ହେଲା । ନ ହେଲେ ଭୋକରେ ହଂସା ଉଡୁଥିଲା । ବସରେ ଯାଇ ଗୋଡ଼ ଲମ୍ବାଇ ବସି ପଡିଲେ । ବସ୍ ଟିକଟ ଟା ବି ବଢାଇ ଦେଲା କିଶୋର । ମନଟା ପ୍ରଫୁଲ୍ଲ ଜଣାପଡ଼ୁଥିଲା ।
ଗାଁ ମୁଣ୍ଡେ ଓହ୍ଲାଇ ଘର ମୁହାଁ ହୋଇ ବାଟ ଚାଲିଲେ । ଅନ୍ୟମନସ୍କ ଭାବେ ହାତଟା ପକେଟ୍ କୁ ଚାଲିଯାଇଥିଲା । ପକେଟରେ କଣ ଗୋଟେ ଅଛି ଭାବି ଆଣି ଦେଖିଲା ବେଳକୁ ଦୁଇ ଟଙ୍କିଆ ମୁଦ୍ରାଟି । ଭଗବାନଙ୍କୁ ଧନ୍ୟବାଦ ଦେଇ ଚାଲିଥିଲେ । ସେଇ ଦୁଇଟଙ୍କା ପକେଟରେ ଅଛି ,ଅଥଚ ଗାଁ ରେ ପହଁଚିଗଲେ । କିନ୍ତୁ ଟ୍ରେକର ବାଲାକୁ ପଇସା ଦେଇ ନଥିବାରୁ ପଶ୍ଚାତାପ କରୁଥିଲେ ।
ହାତରେ ଧରିଥିବା ଚକ୍କଲେଟ ଗୋଟିଏ ପାଟିରେ ପକାଇ ଭାବୁଥିଲେ ସେଇ ଦୁଇ ଟଙ୍କାର କଥା ।
