ଯାହାର ଯା ନାମ ଓଲଟା ତା' କାମ
ଯାହାର ଯା ନାମ ଓଲଟା ତା' କାମ
ପିତୃଦତ୍ତ ନାମ ଶ୍ରବଣ କୁମାର
ମାତୃ,ପିତୃଦ୍ରୋହି ଅତି ।
ପଦ୍ମ ଲୋଚନ ନାମଟି ଯାହାର
ଚକ୍ଷୁରେ ନାହିଁତା ଜ୍ଯୋତି ।
ସୁଶିଳ,ସୁବୋଧ ନାମଟି ମଧୁର
କାମଟି ନୁହଁଇ ସିଦ୍ଧ ।
ବୁଢା,ବୁଢି ନାମ ସ୍ନେହରେ ଡାକନ୍ତି
ସତରେ ନୁହଁନ୍ତି ବୃଦ୍ଧ ।
ଜାନକି,ସାବିତ୍ରୀ,ଦ୍ରୈାପଦୀ ଓ କୁନ୍ତି
ଅତିଶୟ ଦୃଷ୍ଟ ମତି ।
ଶାନ୍ତି ନୁହେଁ ଶାନ୍ତ ଅଶାନ୍ତି,ଅଶାନ୍ତ
ସୀତା,ସତୀ ନୁହେଁ ସତି ।
ପଦ୍ମ ଚରଣ ଗୋଡଟା ଗୋଦର
କର୍ଣ୍ଣ ନୁହଁଇଟି ଦାନି ।
ଦୁ୍ର୍ଯୋଧନ ନାମ ବୁଦ୍ଧିଟା ଉତ୍ତମ
କେବେ ନୁହଁ ଅଭିମାନୀ ।
ରାମ,କୃଷ୍ଣ,ହରି,ଗୁଣର ଅଇରି
ଓଲଟା ତାଙ୍କର କାମ ।
ମୃତ୍ଯୁଞୟ ନାମ ଅଳ୍ପାୟୁସ ସମ
ଯୁବାକାଳେ ନେଲା ଯମ ।
ସୁଧିର ନୁହଁଇ ଧିର ଆଉ ନମ୍ର
ଚାଲି ତାର ତରତର ।
ଶୁଶିଳା କନ୍ଯାର କଳିହୁଡି ଗୁଣ
ସବୁଠାରେ ଫରଫର ।
ଧର୍ମପଦ ନାମ ଓଲଟା ତା କାମ
ଶଙ୍କର ନୁହଁଇ ଭୋଳା ।
ରାଧା ନୁହେଁ ସିଧା ଶୁଭ ଟା ଅଶୁଭ
ଗୌରାଙ୍ଗ ଦିଶଇ କଳା ।
ଲକ୍ଷ୍ମୀଧର ଦାସ ଧନ ତାର ଶେଷ
ପର ଘରେ ମାଗି ଖାଏ ।
ବିଦ୍ଯାଧର ଙ୍କର ବିଦ୍ଯାର ଭଣ୍ଡାର
ମୂଳରୁ ପାଠ ନ ଥାଏ ।
ନାମେ ନାହିଁ କାମ ଯାହାର ଯା ନାମ
ଓଲଟା ତାହାର କାମ ।
ଓଲଟା କାମଟା ଦେଖିଦେଲେ ବାବୁ
ମୁଣ୍ଡ ହୋଇଯାଏ ଭ୍ରମ ।
