ଟୋପାଏ ଅବିର ଧାଡିଏ କବିତା
ଟୋପାଏ ଅବିର ଧାଡିଏ କବିତା
ଟୋପାଏ ରଙ୍ଗ ପିନ୍ଧିବୁ ବୋଲି
ସାରା ଦିନ ତୋଅରି ଚିନ୍ତାରେ ଘାଣ୍ଟି ହେଲି
ହେଲେ ଲେଖି ପାରିଲିନି ଧାଡିଏ କବିତା,
ରଙ୍ଗୀନ କରି ପାରିଲିନି ନିସ୍ତରଙ୍ଗ ସୀମନ୍ତ
ଶବ୍ଦମାନଙ୍କୁ ଗୋଟାଉ ଗୋଟାଉ
ତୁ ଧରାଦେଲୁ।
ଧରା ଦେଲା ତୋ ଭାବ,ତୋ ପ୍ରୀତି
ତୋ ସମ୍ମୋହନ
ମୁଁ ଗୋଟା ପଣେ ଭିଜି ଗଲି
ବିନା ବର୍ଷାରେ।
ମଜ୍ଜିଗଲି :ବିନା ରଙ୍ଗରେ
ହଜିଗଲି: ଫଗୁଣର ମିଥ୍ୟା ଆଶ୍ୱାସନରେ
ତୋ ମନ୍ତୁରା କଥାର ଚାତୁରୀରେ
ତୁ ବୁଝେଇଦେଲୁ-
ଅନ୍ୟକୁ ଭିଜେଇବାରେ ,ରଙ୍ଗେଇବାରେ
ମଜା ଅଛି ।
ହେଲେ ନିଜେ ରଙ୍ଗ ହେଲେ ହାର
ଭିଜା ଦେହରେ ଶତ କଦମ୍ବର ରୋମାଞ୍ଚ
ଫଗୁଣ ର ବାସ୍ନା ,ବେପଥୁର ଶିହିରଣ
ବାଣ୍ଟିବାକୁ ଶିଖାଇଲୁ
ତୋ ପରଶରେ ଥିଲା ହୋଲିର ରଙ୍ଗ
ମିଠା ମିଠା ମିଠା
ତୁ କହିଲୁ ଜୀବନ ଏକ ମିଠା ମିଛ ଗଳ୍ପ
ଏଠି ଜିତିବାଠୁ ବେଶୀ ମିଠା ହାରିବା
ବଂଚିବା ପାଇଁ ସ୍ଵପ୍ନ ଲୋଡ଼ା,
ବିନା ସ୍ଵପ୍ନରେ ଜୀବନ ଶ୍ମଶାନ,ନିସ୍ତାରଙ୍ଗ,ନିଃଶବ୍ଦ
ଖଇଫୁଟା ଖରା ହେଉ କି ଜହ୍ନ ରାତିର ଜଲସା
ସ୍ବପ୍ନଭୁକ ଆମେ
ରାତି ଥାଉ କି ନ ଥାଉ
ଆମେ କିନ୍ତୁ ସ୍ଵପ୍ନ ଦେଖିବା
ମୁଁ ଗୋଟାଉଥିଲି
ତୁ ବଞ୍ଚିଥିବା ଆଞ୍ଜୁଳା ଆଞ୍ଜୁଳା ସ୍ଵପ୍ନ
ରାତିର ରଜନୀଗନ୍ଧା ପାଇଁ ସ୍ଵପ୍ନ
ହେଲା ରଙ୍ଗମୟ
ସକାଳୁ ଝଡ଼ିଯିବି ଜାଣିବି;
ତୁ ବୁଝେଇ ଦେଲୁ-
କବିତା ଲେଖି ବଂଚିବା ଯାହା
ଝଡ଼ ବର୍ଷା ରାତିରେ ଗୁଡ଼ି
ଉଡେଇବା ତାହା।
କବିତା ଲେଖାକୁ ହବି କରି
ବଞ୍ଚି ହେବ ସିନା,
ହେଲେ ଜୀବିକା ନୁହଁ ଜମା।
ଦିନେ ଘଡିଏ ଲେସିହେବ ସିନା ରଙ୍ଗ
ଅନ୍ତର ରଙ୍ଗେଇବା ବଡ଼ କଷ୍ଟ।
ହାସ୍ୟ କବିତା ଲେଖିବା,
ଆଉ ହସିବା
ଯେମିତି ଏକ କଥା ନୁହେଁ,
ରଙ୍ଗ ଖେଳିବା ,ରଙ୍ଗୀ ନହେବ ଯେମିତି ଏକ କଥା ନୁହଁ ।
ତପସ୍ୱିନୀ ଦାଶ
ବାରିପଦା।
2012 ମସିହାରେ ଲେଖା ।