ଶୈଶବ କୈଶୋର ଯୌବନ ଜରା .
ଶୈଶବ କୈଶୋର ଯୌବନ ଜରା .
ଶୈଶବ;
ଉଚ୍ଚ ପର୍ବତ ଶିଖରରୁ, ମାଳଭୂମି ଉପରୁ
ଛଳ ଛଳ କଳ କଳ ହୋଇ ଝରି
ଆସେ ବୋଲି ତ ସେ
ଛୋଟ ଝିଅ ଟିର ନାଁ ଝରଣା ।
ନିଜ ଆବେଗର, ବୋହି ଯିବାର ଆନନ୍ଦରେ,
ବଂଚିବାର ଦୁର୍ବାର ଇଚ୍ଛାରେ
ଖୋଜି ଆଣେ କେତେ ସାଥୀ
କେତେ ସମ୍ବନ୍ଧ
କେତେ ମମତା ,
ବିତି ଯାଏ କୈଶୋରଟା
ତାଆରି ଭିତରେ ।
ଟାଣିଆଣେ ତାଆରି ଭିତରକୁ
ଅନେକ ଝରଣା ।
ଯୌବନ
ସମତଳ ଭୂମି ରେ କିଏ ସେ ଲଗାଏ
ତା ଦେହରେ ନିଆଁ
ଏତେ ଆନମନା ,
କେତେ ବାଙ୍କ ଦେଇ
ଡେଇଁ ପଡ଼େ ସୃଷ୍ଟିକରେ ପ୍ରପାତ
ଗଣ୍ଡରେ ଖେଳାଇ ଭଉଁରି
ପାହାଡ଼ ଖୋଲରେ ଲୁଚି ଲୁଚି
ସାଥିଟିଏ ଖୋଜେ।
ସାଥିଟିଏ ବିନା ସେ ପାଲଟି
ଯାଏ
ଉନ୍ମତ୍ତ ,ଦୁର୍ବାର
ଅନେକ କିଛି ଲଭିବା ଆଶାରେ
ବିଛିନ୍ନ କରେ ପ୍ରଥମ ସମ୍ପର୍କ ର
ସମସ୍ତ ବନ୍ଧନ;
କେତେବେଳେ
ଅପ୍ରାପ୍ତିର ଦହନ ରେ
ନିଜକୁ ଦହନ କରେ
ଶତ ଶାଖା ନଦୀର ଧାରାରେ
ବନ୍ୟାରେ ଗ୍ରାସେ ଜନପଦ
ରଚେ ଧ୍ଵଂସ ଲୀଳା
ନାଶ କରେ କେତେ କେତେ
ଜୀବଜନ୍ତୁ ମଣିଷ କୁ ଏ ଧରାରେ।
ଜରା;
ତ୍ରିକୋଣଭୂମିରେ ପୁଣି
ବରି ନିଏ ଜରାତ୍ୱ
ବୃଦ୍ଧ ପରି ଶାନ୍ତ
ଉଦାର, ଗମ୍ଭୀର
ନିଜକୁ ସାଗର ଗର୍ଭରେ
ସମର୍ପଣ
ବୋଧହୁଏ ଏଇ ତାର ମୋକ୍ଷ ଏଇ ତାର ନିର୍ବାଣ ।
ତଥାପି
ସେ ଵୋଧୀସତ୍ତ୍ଵ
ତାଆରି କୁଳରେ ଗଢିଉଠେ ଜନପଦ
ବଞ୍ଚିବାର ଆନନ୍ଦ
ସହଜ ଶ୍ୟାମଳର ଆସ୍ତରଣ ।
ତପସ୍ୱିନୀ ଦାଶ
ବୁଢିଖମାରି ଶାସନ,ଭଂଜପୁର
ବାରିପଦା -୨
