ତୋ ସ୍ମୁତି
ତୋ ସ୍ମୁତି
ଶ୍ରାବଣର ଶେଷ ଆଉ
ଭୋଦୁଅର ପହିଲି ବେଳାରେ
ତୋ ସନ୍ଧାନ ପାଇଥିଲି
ଅଚାନକ ଏଇ ଭୁବନରେ ।
ବନ୍ଧୁତାରୁ ଗଢ଼ା ହେଲା ଆମରି ସମ୍ପର୍କ
ଅଦିନିଆ ମଳୟ ଛୁଆଁରେ
ତୋ ଦେହରେ ବଢିଥିଲା
କାମନାର ଭୋକ ।
ଅଶୀଣର ମଧ୍ୟାନ ବେଳାରେ
ପାଖା ପାଖି ହେଉଥିଲେ
ଆମେ ଧୀରେ ଧୀରେ ।
ଯାହାଥିଲା ବିଧିର ବିଧାନ
କାର୍ତିକ ର ଗହନ ରାତିରେ
ଦିଆ ନିଆ ହେଇଗଲା
ଆମ ଏଇ ମନ।
ମିଠା ମିଠା ମଗୁସୁର
ପ୍ରୀତିବୋଳା କଥା ତୋର
ସୁଲଳିତ ପ୍ରେମର ସଙ୍ଗୀତ
ପଉଷର ପାଗଳ ପଣରେ
ମାଗିଥିଲି ସଜନୀ ଲୋ
ତୋର ସେଇ ହାତ ।
ମାଘେ ମୋତେ କଥା ଦେଲୁ
ମୋ ଜୀବନେ ଭରିଦେବୁ ରଙ୍ଗ
ହଉପଛେ ବିଳମ୍ବରେ
ନିଶିକାନ୍ତ ଜୋଛନାରେ
ଏ ନୟନେ ଦେଖିଲି ମୁଁ
ତୋର ଗୋରା ଅଙ୍ଗ ।
ଦେଖି ଦେଖି ରହିଗଲି
ଛୁଇଁନି ମୁଁ ଫୁଲ ପାଖୁଡା କୁ
ତୁ ଦେଖୁଥିଲୁ ମୋ ପାଗଳ ପଣ
ମୁଁ ଦେଖୁଥିଲି ତୋ ଆଖି ଲୁହକୁ ।
ଫଗୁଣରେ ଫାଟିଲା ମୋ ଛାତି
ଯେଉଁଦିନ କହିଦେଲୁ
ମୁଁ ଗୋଟେ ଅଜଣା ଲୋକ
ସବୁ ସୁଖ ହେଲା ମୋର ଇତି ।
ଚଇତିର ଚକ୍ଷ୍ୟୁଲଜ୍ଜା ଚିଟାଉ ତୋହର
ଦେଖି ଆଖି ଲୁହେଗଲା ଭରି
ସେଇ ଚିଠି ଜଉଘର ଜାଣି
ଆଜିଯାଏ ପାରିନି ମୁଁ ଚିରି ।
ବଇଶାଖ ଦେଇଗଲା ବିଷ
ଜୀବନର ବଡ ଅବଶୋଷ
ଜ୍ୟେଷ୍ଠ ଆଉ ଆଷାଢ଼ ସାଥିରେ
ଏ ଓଠରୁ ଲିଭିଗଲା ହସ ।
ସିଦ୍ଧେଶ୍ବର ତ୍ରିପାଠୀ
କୁଣ୍ଡିଲୋ
କେରଙ୍ଗ
ଖୋର୍ଦ୍ଧା