ଶେଷ ଦୃଶ୍ୟରେ ସୀତା
ଶେଷ ଦୃଶ୍ୟରେ ସୀତା
ମୁଁ ଦେଖିଲି ରାମାୟଣର ଶେଷ ଦୃଶ୍ୟରେ,
ନଦୀ ଆରପାରେ ସେ ଯେ ଜନକନନ୍ଦିନୀ
ସେ ପୁଣି ଏକାନ୍ତରେ ଏକାକାର
ରାଜକୀୟ ସନ୍ତତିର ବିନା ସନମତି ରେ
ସେମିତି ଠିଆ ହେଇଥାନ୍ତି
ଜ୍ଞାତ ଅତୀତର ବ୍ୟଥାରେ।
ନା ମସ୍ତକେ ମଥାମଣୀ
ନା କଳେବରେ ପାଟ ଦିଗମ୍ବର
ନା ବକ୍ଷପରେ ମୁକ୍ତାର ହାର।
ଥାଏ ଖାଲି
ଅନେକ ଅଗ୍ନିପରୀକ୍ଷା ର
ପାଉଁଶ ପ୍ରମାଣ,
କଳ୍ପିତ ସ୍ବପ୍ନ ମାନଙ୍କର ଅର୍ଦ୍ଧଦହନ
ଅଭିପ୍ସାର ଅଭିସାର ବିନା।
କପାଳେ କଳଙ୍କର ମିଥ୍ୟା କଳାଟିପା
ମୁଖରେ ଅସହ୍ୟ ଯନ୍ତ୍ରଣାର ଦାରୁଣ ଅଭିମାନ ଆଉ
ଶାଢୀରେ ପ୍ରଜାଙ୍କ ପ୍ରରୋଚନାର ରକ୍ତଛିଟା।
ସୁଖର ଜୀବନ ବାଟକୁ ସତେ ଅବା
ଢାଙ୍କି ଦିଏ ଅଲୋଡ଼ା କୁହୁଡ଼ିର ମେଳ ଆଉ
ସେ ଟପି ଯାଇପାରୁନି ଯନ୍ତ୍ରଣାର ଚଉହଦି ସବୁକୁ।
ଏପାଖେ ରଘୁବର
ନୈରାଶ୍ୟର ନେପଥ୍ୟରେ।
ସତେ ଅବା ଥକି ପଡିଛନ୍ତି ପଦଯୁଗଳ
ରାଜଭାରର ରଜତମାୟା ଆଉ
ରାଜତ୍ବର ନିର୍ଲିପ୍ତବୋଧରେ।
ଅତିକ୍ରମ ହୋଇପାରୁନାହାନ୍ତି ସେ ନଦୀ
ଯିଏ ବହିଯାଇଛି କୂଳଲଙ୍ଘି
କେଉଁ ଏକ ଅକଥ୍ୟ ବେଦନାରେ।
ଆଦ୍ୟ ଆଉ ପ୍ରାନ୍ତ ଯାହାର
ମହାଗର୍ଭର ତୁଠପରି ।
ଶେଷରେ ସତୀସୀତା ସହ୍ୟର ସୀମାପରେ
ପାଦ ପକାନ୍ତି ନଦୀର ନୀରେ,
ଆଉ ନଦୀ ଯେମିତି
ମହାଗର୍ଭକୁ ରାସ୍ତାଟିଏ ବାଟକଡେଇ ନେଉଛି,
ସମୟର ସବୁ ତାଡନାର ପୂର୍ଣ୍ଣଛେଦ ଆଙ୍କି
ସତିତ୍ୱ ପ୍ରମାଣର ପରକାଷ୍ଠାରେ
ଭଗବତୀର ଅଥଳ ଗର୍ଭକୁ।
ଆଖିରେ ଅନେକ ଆଶାର ନଗ୍ନବାଟି,
ଓଠରେ ଥାଏ କିଛି ଅସ୍ପଷ୍ଟ ଗୁଞ୍ଜରଣ।
ପବନର ପ୍ରବଳ ପ୍ରଚେଷ୍ଟା
କାଳେ ଗୁଞ୍ଜରଣ ସବୁ ପ୍ରତିଧ୍ୱନି ପାଲଟି ନ ଯାଉ।
ତଥାପି ଗୁଞ୍ଜରିତ ହୋଇଉଠେ ଚାରିଦିଗ
ସୀତାଙ୍କର ଶେଷ ବାକ୍ୟ ହୋଇ,
"ଅନେକ ଜନକନନ୍ଦିନୀ ଆସୁଥିବେ
ଅନେକ ସୀତା ସେମିତି ଯାଉଥିବେ,
ବାରମ୍ବାର ଦେଉଥିବେ ଅଗ୍ନିପରୀକ୍ଷା
ବାରମ୍ବାର ପାଲୁଟୁଥିବେ ନିର୍ଯାତିତ ଚରିତ୍ର।
ମାତ୍ର,
ଶ୍ରୀରଘୁବର ସେମିତି ଚାହିଁରହିଥିବେ
ନୈରାଶ୍ୟର ନେପଥ୍ୟରେ"..........
#ଶେଷଦୃଶ୍ୟରେ ସୀତା।
