STORYMIRROR

Jisu krishna Das

Others

5.0  

Jisu krishna Das

Others

ଶେଷ ଦୃଶ୍ୟ

ଶେଷ ଦୃଶ୍ୟ

1 min
548


ଏ କଣ ନାଟକର ମଝିରେ ମରିଯିବାର

କଠୋର ନିର୍ଦ୍ଦେଶ ଏ ପାଣ୍ଡୁଲିପିରେ।

ମୁଁ ତ ନାଟକର ଶେଷ ଦୃଶ୍ୟଯାଏଁ ବଞ୍ଚିବାର ଥିଲା।

ମୁଁ ଅପେକ୍ଷା କରିଥିଲି

ଦର୍ଶକଙ୍କ ଆଖିରେ ସନ୍ତୁଷ୍ଟିର ଶେଷ ଅଶ୍ରୁବିନ୍ଦୁକୁ

ଖଳନାୟକର ମୃତ୍ୟୁ ପୂର୍ବର ନ ମାରିବାର ନିବେଦନକୁ

ଆଉ ମୁଖ୍ୟ ଅଭିନେତାଙ୍କର ସମାପନ ପର୍ବକୁ।

ସେଥିପାଇଁ ତ ମୁଁ ଚକ୍ଷୁହୀନ ଧୃତରାଷ୍ଟ୍ରର ଭୂମିକା ଗ୍ରହଣ କରିଲିନି।

ମୁଁ ଅପେକ୍ଷା କରିଥିଲି

ମୋ ଅଭିନୟର ପ୍ରଶଂସାକୁ ନେଇ

ଅନେକ କରତାଳିର ଶବ୍ଦଗୁଞ୍ଜରଣକୁ।

ସେଥିପାଇଁ ତ ଦ୍ରୌପଦୀର ବସ୍ତ୍ରହରଣ ବେଳେ

ମୁଁ କୌରବମାନଙ୍କ ମଧ୍ୟରେ ନଥିଲି।


ମାତ୍ର ଏ କଣ?

ନାଟକର ମଧ୍ୟାନ୍ତର ପୂର୍ବରୁ

ମୋ ମୃତ୍ୟୁର ପ୍ରୋରଚନା।

ସେ ପୁଣି ଶରଶଯ୍ୟାରେ

ସୁପ୍ତପ୍ରାୟ ସାରୀସୃପଟିଏ ହୋଇ।

ମୋତେ ବୋଧେ ମହାଭାରତର

ଚରିତ୍ର ସବୁକୁ ଭଲଭାବେ ପଢ଼ିବାର ଥିଲା

ପିତାମହ ଭୀଷ୍ମ ହେବା ପୂର୍ବରୁ।

ମୁଁ ତ ଜାଣିଥିଲି ସେ ସ୍ବେଚ୍ଛା-ମୃତ୍ୟୁର ବର ପ୍ରାପ୍ତି ବୋଲି!


ମୃତ୍ୟୁ ପୁଣି

କର୍ତ୍ତବ୍ୟ ପାଳନପ୍ରାୟେ

ଚକ୍ଷୁହୀନ ହେବାର କ୍ଷତାକ୍ତ ଦୋଷାରୋପରେ,

ଦର୍ଶକଙ୍କ ଘୃଣ୍ୟ ଚାହାଣୀରେ

ଆଉ

କୁସ୍ତିତ ନିନ୍ଦନୀୟ ଶବ୍ଦାସ୍ତ୍ରରେ।

ମୁଁ ଚାହେଁନି

ସନ୍ଦେହର ପ୍ରଶ୍ନବାଚୀରେ

ଚୀରଦିନ ପାଇଁ ଆବଦ୍ଧ ହେଇଯିବାକୁ,

ଯେଉଁଠି ମୋ କରୁଣ କାନ୍ଦଣା

ଚିତ୍କାର ହେଇ ଉଡିଯାଉଥିବ ସମୟର ଦୁରଦିଗ୍ବଳୟକୁ

ଶେଷରେ ଆଲେଖା ହୋଇ ରହିଯିବ ବ୍ୟାସଦେବଙ୍କ ରଚନାରେ।


ମୁଁ ଚାହେଁନି ନାଟକର ଶେଷ ପୂର୍ବରୁ ମରିଯିବାକୁ

କେହିତ ବଦଳାଅ ଏ ପାଣ୍ଡୁଲିପିର ସଂଳାପକୁ।

ପାଇନି ମୁଁ ସନ୍ତୁଷ୍ଟିର ସମର୍ପଣ,

ଅଘୋଷିତ ଏବେବି ମୁଁ ମୁଖ୍ୟ ଆକର୍ଷଣର।

ହାୟ! କେହିତ ବଦଳାଅ ଏ ପାଣ୍ଡୁଲିପି

କୁଆଡେ ଗଲେ ସେ ନିର୍ଦ୍ଦେଶକ ଓ ଲେଖକ।

.........................


ହଁ, ଏବେ ତ ବୁଝିଲି।

ସେ ସ୍ବେଛାମୃତ୍ୟୁ ପ୍ରାପ୍ତି ପିତାମହ ଅବା

ଅସ୍ଥି-ଦାୟୀ ଅଗସ୍ତି ହୁଅନ୍ତୁ

ସମସ୍ତଙ୍କର ମୃତ୍ୟୁ ହିଁ ତ ଶେଷପର୍ବ।

ଏଇ ଯେ ଶେଷଦୃଶ୍ୟ।

ମୋ ମୃତ୍ୟୁପରେ

କ'ଣ ଏ ନାଟକ ଚାଲିବକି?

ନା ମୁଁ ମଧ୍ୟାନ୍ତରେ ମରୁଛି

ନା ଆଗକୁ ଆଉ ଶେଷଦୃଶ୍ୟ ଆସିବ?

ମୋ ମୃତ୍ୟୁ ହିଁ ତ

ମୋ କାହାଣୀର ଶେଷ।

ଏତିକି ତ ନାଟକ ଆଉ

ଏଇଠି ତ ଶେଷ ,

ମୁଁ ଡରୁଥିଲି କାହିଁକି?


#ଶେଷଦୃଶ୍ୟ


Rate this content
Log in